ପ୍ରଚୁର ସମ୍ପଦ, ପ୍ରଚୁର ଦାରିଦ୍ର୍ୟ

News Story - Posted on 2018-01-21

ଗୋଲକ ବିହାରୀ ନାୟକ

 

ଓଡ଼ିଶାର ମାଟିତଳେ ପ୍ରଚୁର ଖଣିଜ ସମ୍ପଦ ଭରି ରହିଛି । ରାଜ୍ୟରେ ପର୍ଯ୍ୟାପ୍ତ ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ରହିଛି । ପ୍ରାକୃତିକ ଦୃଶ୍ୟରାଜିରେ ଓଡ଼ିଶା ଦେଶ, ବିଦେଶରେ ଏକ ମନୋରମ ରାଜ୍ୟଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଛି । ପ୍ରଚୁର ପରିମାଣର ଉର୍ବର ଚାଷଜମି ରହିଛି । ଏହାସବୁ ଥିବା ସତ୍ତେ୍ୱ ଓଡ଼ିଶାର ଲୋକ ଦରିଦ୍ର କାହିଁକି?

 

ବର୍ତ୍ତମାନ ଖଣିଜ ସମ୍ପଦ କଥା ବିଚାରକୁ ନିଆଯାଉ । ସମୁଦାୟ ଭାରତୀୟ ଖଣିଜ ସମ୍ପଦର ୨୫ ଭାଗ କେବଳ ଓଡ଼ିଶାରେ ରହିଛି । ବିଶ୍ୱର ଅତି ବିରଳ କ୍ରୋମ ପଥର କେବଳ ୬ଟି ଦେଶରେ ଅଛି । ଭାରତର ଏହି ଖଣିଜ ପଦାର୍ଥ ଓଡ଼ିଶାରେ ଶତକଡ଼ା ୯୮ ଭାଗ ଅଛି । ବାକି ୨ ଭାଗ କର୍ଣ୍ଣାଟକରେ । ଓଡ଼ିଶାର ଉପକୂଳ ଅଂଚଳରେ ବିପୁଳ ଜଳ ଓ ଉର୍ବର ମୃତ୍ତିକା ଯେପରି ମୂଲ୍ୟବାନ, ପାହାଡ଼ିଆ ଅଂଚଳରେ ଖଣିଜ ପଦାର୍ଥ ତା’ଠାରୁ ଅଧିକ ମୂଲ୍ୟବାନ । ଲୁହା ପଥର, ମମାଙ୍ଗାନିଜ, କୋଇଲା, ଚୁନପଥର, କ୍ୱାର୍ଜ, ବକ୍ସାଇଟ, ଚିନାମାଟି, ଅନ୍ୟାନ୍ୟ ପଥର ସବୁ ପ୍ରଚୁର ପରିମାଣରେ ରହିଛି । ଏପରିକି ଗ୍ରାନାଇଟ୍ ପଥର ଯାହାର ପୃଥିବୀରେ ବହୁତ ଚାହିଦା, ତାହା ଓଡ଼ିଶାରେ ବିପୁଳ ପରିମାଣରେ ରହିଛି । କିନ୍ତୁ ଏହିସବୁର ଉତ୍ପାଦନ ବା ଉତ୍ତୋଳନ ଫଳ କେତେ ଭାଗ ଓଡ଼ିଆଙ୍କୁ ଏବଂ ଓଡ଼ିଶାକୁ ମିଳୁଛି?

 

ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଗଚ୍ଛିତ ମୋଟ କ୍ରୋମାଇଟ ମଧ୍ୟରୁ ଓଡ଼ିଶାରେ ୯୮ ଶତକଡ଼ା ରହିଥିବା ବେଳେ ବକ୍ସାଇଟ୍ ୫୯.୫ ଶତକଡ଼ା, ଲୁହାପଥର ୩୧.୯ ଶତକଡ଼ା, ମାଙ୍ଗାନିଜ୍ ୬୭.୬ ଶତକଡ଼ା, କୋଇଲା ୨୪.୮ ଶତକଡ଼ା, ଗ୍ରାଫାଇଟ୍ ୭୧ ଶତକଡ଼ା, ନିକେଲ ୯୧.୮ ଶତକଡ଼ା, ଚାଇନାକ୍ଲେ ୩୧.୫ ଶତକଡ଼ା, କ୍ରୋମାଇଟ୍ ୧୭.୯ ଶତକଡ଼ା, ଫାୟାରକ୍ଲେ ୨୫.୬ ଶତକଡ଼ା, ମିନେରାଲ ସାଣ୍ଡସ୍ ୩୦.୮ ଶତକଡ଼ା, ଫିରେ ଫାଇଲିଟ୍ ୬୫.୧ ଶତକଡ଼ା ଆଦି ବହୁ ଖଣିଜ ସମ୍ପଦ ଗଚ୍ଛିତ ରହିଛି ।

 

ସେହିପରି ଜଳ ସମ୍ପଦ କଥା ଦେଖିଲେ ରାଜ୍ୟରେ ତଥା ଦେଶରେ ୭୦ କୋଟି ଘନମିଟର ଭୂତଳ ଜଳ ଗଚ୍ଛିତ ଥିଲେ ମଧ୍ୟ ୧ ଶତକଡ଼ାରୁ କମ୍ ଉପଯୋଗ କରାଯାଇ ପାରିଛି । ଅର୍ଥାତ୍ ମୋଟ ଜଳ ସମ୍ପଦର ୧୧ ଶତକଡ଼ା ଓଡ଼ିଶାରେ ରହିଛି । ସେହିପରି ଆମ ରାଜ୍ୟରେ ୪୮୦ କିଲୋମିଟର ସୁଦୀର୍ଘ ମନୋରମ ସମୁଦ୍ର ଉପକୂଳ ରହିଛି ଏବଂ ଏସିଆ ମହାଦେଶର ସର୍ବ ବୃହତ୍ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ଓଡ଼ିଶା ଭୂମିରେ ମହାନଦୀ ଏବଂ ତା’ର ଶାଖାନଦୀ କାଠଯୋଡ଼ି, କୁଆଖାଇ, ଚିତ୍ରୋତ୍ôପଳା, ଲୁଣା, ଦୟା, ଭାର୍ଗବୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ମହେନ୍ଦ୍ର ତନୟା ପ୍ରଭୃତି ବଡ଼ ବଡ଼ ନଦୀ ପ୍ରବାହିତ ହେଉଅଛି । ଆମ ରାଜ୍ୟରେ ପ୍ରଚୁର ଜଳସମ୍ପଦ ଥିବା ସତ୍ତେ୍ୱ ଆମେ ଆମର କୃଷି କ୍ଷେତ୍ରରେ ତାର ଉପଯୁକ୍ତ ବିନିଯୋଗ କରିପାରୁ ନାହୁଁ । ନଦୀରେ ପ୍ରବାହିତ ହେଉଥିବା ଜଳର ୬୭ ଭାଗ ସମୁଦ୍ରରେ ଲୀନ ହେଉଅଛି । ଭୂତଳ ଜଳର ବ୍ୟବହାର ଆମେ କରିପାରୁ ନାହୁଁ । ସେଥିପାଇଁ ଆମେ ଆମର କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା କରିପାରୁ ନାହୁଁ ।

 

ଆମ ରାଜ୍ୟରେ ୬୩ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ସେଥିରୁ ୪୫ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହେଉଥିବା ବେଳେ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅବକାରୀ ଫସଲ ହେଉଛି । ଅବିଶିଷ୍ଟ ଜମିକୁ ଚାଷ ଉପଯୋଗୀ କରାଯାଇ ପାରିନାହିଁ । ଏହାର ମୁଖ୍ୟ କାରଣ ହେଲା ଜଳ ସେଚନର ଅଭାବ । ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ । ଏଠାରେ ଶତକଡ଼ା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । କୃଷି, କୃଷକର ଉନ୍ନତି ହୋଇପାରି ନଥିବାରୁ ଆଜି ଓଡ଼ିଶା ଗରିବ ହୋଇ ରହିଛି । ଓଡ଼ିଶାର ଜଳାବାୟୁ ଓ ଭୂମି ଭଲ । ଜଳ ସେଚନର ସବୁ ପ୍ରକାର ସମ୍ଭାବନା ରହିଥିଲେ ମଧ୍ୟ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଯେତେ ପରିମାଣର ଜମିକୁ ଜଳସେଚନର ସୁବିଧା କରାଯିବା କଥା ତାହା କରାଯାଇ ପାରିନାହିଁ । ଆମର ସରକାରୀ ହିସାବରେ ମାତ୍ର ୪୭ ଶତକଡ଼ା ଚାଷ ଜମିକୁ ଜଳସେଚନର ସୁବିଧା ଅଦ୍ୟାବଧି ଯୋଗାଇ ଦିଆଯାଇଛି । ପଞ୍ଜାବରେ ଭୂମି କେବଳ ଅନୁର୍ବର ନୁହେଁ, ଶୁଖିଲା, ବାଲିଆ (ମରୁଭୂମିର ପ୍ରସାରଣ) ଥିଲା । ହରିୟାଣାର ମଧ୍ୟ ମୃତ୍ତିକା ଅନୁର୍ବର ଥିଲା । ସେହି ଦୁଇ ରାଜ୍ୟର ଭୂତଳ ଜଳ ଆମ ରାଜ୍ୟଠାରୁ ବହୁତ କମ୍ । କିନ୍ତୁ ସ୍ୱାଧୀନତା ପରେ ସେଠାକାର ରାଜ୍ୟ ସରକାର କେବଳ ଜଳସେଚନକୁ ପ୍ରାଧାନ୍ୟ ଦେବାରୁ ଆଜି ପଞ୍ଜାବରେ ଶତକଡ଼ା ୯୫ ଭାଗ ଚାଷଜମିକୁ ଏବଂ ହରିୟାଣାରେ ୯୦ ଭାଗ ଜମିକୁ ଜଳ ସେଚନର ସୁବିଧା କରାଯାଇ ପାରିଛି । ଯେଉଁ ପଞ୍ଜାବ, ହରିୟାଣା ମରୁଭୂମି ଥିଲା, ବର୍ଷା ଅଭାବରୁ ଜମିରେ କିଛି ଫସଲ ହୋଇପାରୁ ନଥିଲା, ସେଠାକାର ଅଧିବାସୀମାନେ ନିଜର ଭିଟାମାଟି, ରାଜ୍ୟ ଛାଡ଼ି ପେଟ ପାଟଣା ପାଇଁ ଭାରତବର୍ଷର ଅନ୍ୟ ରାଜ୍ୟ ତଥା ବିଦେଶକୁ ପଳାଇ ଯାଉଥିଲେ, ଗ୍ରାମଗୁଡ଼ିକ ଏକ ପ୍ରକାର ଜନଶୂନ୍ୟ ହୋଇଯାଇଥିଲା । ସେହି ପଞ୍ଜାବ, ହରିୟାଣା ଆଜି ସବୁଜ, ଶସ୍ୟଶ୍ୟାମଳା । ସେଠାରେ ପ୍ରଚୁର ପରିମାଣରେ ଗହମ, ଧାନ, ବାଜରା, ପନିପରିବା ଉତ୍ପାଦନ ହୋଇପାରୁଛି । ସେଠାକାର ଅଧିବାସୀମାନେ ଆନନ୍ଦରେ ସମୟ କଟାଉଛନ୍ତି । ସେଠାରେ ଏତେ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଅଛି ଯେ, ସେମାନଙ୍କର ଆବଶ୍ୟକତା ମେଣ୍ଟି ଭାରତବର୍ଷର ବିଭିନ୍ନ ରାଜ୍ୟ ଏବଂ ବିଦେଶକୁ ସେମାନେ ଖାଦ୍ୟ ପଦାର୍ଥ ପଠାଉଛନ୍ତି । ଏହା ସମ୍ଭବ ହୋଇପାରିଲା କେବଳ ସରକାର ସେଠାରେ ସ୍ୱାଧୀନତା ପରେ ଜଳ ସେଚନକୁ ଅଗ୍ରାଧିକାର ଦେବାରୁ । ଓଡ଼ିଶାରେ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ କାହିଁକି ଜଳ ସେଚନର ସୁବିଧା ହୋଇପାରିଲା ନାହିଁ? ଏଥିପାଇଁ ଆମର ସରକାରୀ କଳ ପୂର୍ଣ୍ଣମାତ୍ରାରେ ଦାୟୀ । କେବଳ ସେଥିପାଇଁ ଆଜି ଆମ ଓଡ଼ିଶାର ଲୋକ ଦରିଦ୍ର ହୋଇ ରହିଛନ୍ତି ।

 

ଆମର ଜଙ୍ଗଲ ସମ୍ପଦ କଥା ବିଚାରକୁ ନିଆଯାଉ । ଓଡ଼ିଶାରେ ଅମୂଲ୍ୟ ଜଙ୍ଗଲ ସମ୍ପଦ ରହିଛି । ଆମ ରାଜ୍ୟରେ ମୋଟ୍ ୫୦,୩୫୪ ବର୍ଗ କିଲୋମିଟର ଜଙ୍ଗଲ ରହିଛି । ସମୁଦାୟ ଜଙ୍ଗଲ ଜମିର ପରିମାଣ ୫୦,୩୫୪୦୦ ହେକ୍ଟର । ଏହି ଜଙ୍ଗଲରେ ମୂଲ୍ୟବାନ ଶାଗୁଆନ, ଶାଳ, ପିଆଶାଳ, ଚନ୍ଦନ ପ୍ରଭୃତି ମୂଲ୍ୟବାନ ବୃକ୍ଷ ଭରପୂର ହୋଇ ରହିଛି । ଏହି କାଠ ଏବଂ ଅନ୍ୟ ଜଙ୍ଗଲ ସମ୍ପଦର ମୂଲ୍ୟ ହଜାର ହଜାର କୋଟି ଟଙ୍କା । ଏହାର ମଧ୍ୟ ଆମେ ସଦୁପଯୋଗ କରିପାରିନାହୁଁ ।

 

ସ୍ୱାଧୀନତା ପରଠାରୁ ଅବହେଳିତ ଓଡ଼ିଶାର ପ୍ରଗତିରେ କିଛି ମାତ୍ରାରେ ଶିଳ୍ପ ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଭୂମିକା ରହିଛି । ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ସୁଯୋଗ, ପରିବେଶ ସୁରକ୍ଷା, ଯୋଗାଯୋଗ ବ୍ୟବସ୍ଥା ଆଦିରେ ଶିଳ୍ପସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କେତେକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ସର୍ଭେରୁ ଜଣାପଡ଼ିଛି । ଏଠାରେ ରାଉରକେଲା ଇସ୍ପାତ କାରଖାନା, ଟାଟାଷ୍ଟିଲ, ବେଦାନ୍ତ ଆଲୁମିନା ଓ ଜିନ୍ଦଲ ପ୍ରଭୃତି ଶିଳ୍ପ କାରଖାନା ଓଡ଼ିଶାର ସମୃଦ୍ଧି ଦିଗରେ କାର୍ଯ୍ୟ କରୁଅଛନ୍ତି ।

 

ସର୍ବଶେଷରେ ଆମର ମାନବ ସମ୍ବଳ କଥା ବିଚାରକୁ ନିଆଯାଉ । ଓଡ଼ିଶାର ଲୋକସଂଖ୍ୟା ୪ କୋଟି ୩୦ ଲକ୍ଷ । ଆମ ଓଡ଼ିଶାର ଲୋକମାନେ ଅଧିକ ପରିଶ୍ରମୀ । କିନ୍ତୁ ଏହା ମଧ୍ୟ ଅନେକଟା ସତ୍ୟ ଯେ, ଆମ ରାଜ୍ୟ ଭିତରେ ପରିଶ୍ରମ ଅନୁସାରେ ଫଳ ମିଳିବାର ସୁଯୋଗ ସୀମିତ । କାରଣ ଏଠାରେ ପରିଶ୍ରମୀ ଲୋକଙ୍କୁ ଆବଶ୍ୟକ ଉତ୍ସାହ ଓ ସମର୍ଥନ ମିଳେନାହିଁ । କିନ୍ତୁ ଓଡ଼ିଶା ବାହାରେ ଓଡ଼ିଆ ଶ୍ରମିକଙ୍କଠାରୁ ଆରମ୍ଭ କରି ଉଚ୍ଚସ୍ତରରେ କାମ କରୁଥିବା ବୁଦ୍ଧିଜୀବୀମାନେ ଯଥେଷ୍ଟ ଖଟିପାରନ୍ତି । ଓଡ଼ିଆ ଶ୍ରମିକ ପଞ୍ଜାବ ଓ ହରିୟାଣାରେ କୃଷି କ୍ଷେତ୍ରରେ, ନିର୍ମାଣ କ୍ଷେତ୍ରରେ, କାଶ୍ମୀର, ଆସାମ, ଦିଲ୍ଲୀ, ବମ୍ବେରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କଳ କାରଖାନାର ଶ୍ରମିକ ଭାବରେ ଓଡ଼ିଆ ଶ୍ରମିକ ଗୁଜୁରାଟର ସୁରଟ, ବରୋଦା, ଅହମ୍ମଦାବାଦରେ, ମହାରାଷ୍ଟ୍ରର ବମ୍ବେ, ପୁନେ, ସୋଲାପୁରରେ, ହରିୟାଣାର ଫରିଦାବାଦ, ଗୁରୁଗାଓଁ ଏବଂ ଅନ୍ୟ ଶିଳ୍ପ ନଗରୀମାନଙ୍କରେ, ଛତିଶଗଡ଼ର ରାୟପୁର, ପଶ୍ଚିମ ବଙ୍ଗର କଲିକତା, ତାମିଲନାଡୁରେ ଯଥେଷ୍ଟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଓଡ଼ିଆ ଇଞ୍ଜିନିୟର, ବୈଷୟିକ ତାଲିମପ୍ରାପ୍ତ ଯୁବକମାନେ ବାଙ୍ଗାଲୋର, ହାଇଦ୍ରାବାଦ ପ୍ରଭୃତି ସ୍ଥାନରେ କାର୍ଯ୍ୟ କରି ବହୁ ଅର୍ଥ ରୋଜଗାର କରିପାରୁଛନ୍ତି । ଓଡ଼ିଆ ଡ଼ାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଅଧ୍ୟାପକମାନେ ଆମେରିକା, ଇଂଲଣ୍ଡ, ସିଙ୍ଗାପୁର, ଜାପାନ, ଜର୍ମାନ ପ୍ରଭୃତିରେ ବହୁତ ନାମ କରିଛନ୍ତି । ଆମ ରାଜ୍ୟରେ କୃଷି, ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ ସୁବିଧା ନଥିବାରୁ ଆମର ଓଡ଼ିଆ ଯୁବକମାନେ ବାହାର ପ୍ରଦେଶ ଏବଂ ବିଦେଶକୁ ଯାଇ ବେଶ୍ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ଅର୍ଥ ରୋଜଗାର କରୁଛନ୍ତି ।

 

ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କୃଷି କ୍ଷେତ୍ରରେ ଯଥେଷ୍ଟ ପ୍ରତିଦାନ ନପାଇ ସୁଦ୍ଧା କୃଷକ ଏବଂ କୃଷି ଶ୍ରମିକମାନେ ହାଡ଼ଭଙ୍ଗା ପରିଶ୍ରମ କରିବା ପରିଲକ୍ଷିତ ହୁଏ । ଏହି ସମସ୍ତ କଥା ବିଚାରକୁ ନେଲେ ଆମ ରାଜ୍ୟ ଓଡ଼ିଶା ସମସ୍ତ ସମ୍ପଦର ଅଧିକାରୀ ହେଲେ ମଧ୍ୟ ଆମେ ତାର ସଦୁପଯୋଗ କରିପାରୁ ନଥିବାରୁ ଆମ ଲୋକ ଦରିଦ୍ର ହୋଇ ରହିଛନ୍ତି ।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ/ଅଏଲ୍ ଓଡ଼ିଶା
ଫୋନ୍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top