ତୋଗାଡ଼ିଆଙ୍କ ଲୁହର ଅର୍ଥ

News Story - Posted on 2018-01-21

ସୂର୍ଯ୍ୟମଣି ମିଶ୍ର

 

ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆଙ୍କ ଆଖିରେ ଲୁହ । ଏହାକୁ ନେଇ ଜାତି ଏବଂ ସାଂପ୍ରଦାୟିକ ଶକ୍ତି ବ୍ୟଥିତ । କିନ୍ତୁ ଶ୍ରୀ ତୋଗାଡ଼ିଆଙ୍କ ଆଖିର ଲୁହକୁ ନେଇ ଆଶ୍ଚର୍ଯ୍ୟର କାରଣ ନାହିଁ । ହିଂସା ଏବଂ ଘୃଣା ଆଧାରିତ ବ୍ୟକ୍ତିଗତ ଏବଂ ସଂଗଠନଗତ ରାଜନୀତି ଉପରେ ଆଖି ପକାଇଲେ ହିଂସାର ପରିଣାମ ନିଜ ପାଇଁ ବୁମେରାଂ ହୋଇଥାଏ ।

 

ଯେଉଁ ବ୍ୟକ୍ତି-ସଂଗଠନ ସମାଜକୁ ଭାଙ୍ଗି, ହିଂସା ଏବଂ ଘୃଣା ସୃଷ୍ଟି କରିଥାନ୍ତି ସେହିବ୍ୟକ୍ତ-ସଂଗଠନ ପାଇଁ ଶେଷ ପରିଣାମ ଶ୍ରୀ ତୋଗାଡ଼ିଆଙ୍କ ଆଖିର ଲୁହ ଭଳି ଦେଖିବାକୁ ହୁଏ ।

 

୧୯୯୦ ଦଶକ ଆରମ୍ଭରେ ଭାରତରେ ବିଜ୍ଞାନ-ସୂଚନା ପ୍ରଯୁକ୍ତିର ବିକାଶ ସହ ନୂଆ ଅର୍ଥବ୍ୟବସ୍ଥା କାର୍ଯ୍ୟକାରୀ ହେଲା, ଦ୍ୱିତୀୟରେ ଏହି ଦଶକରୁ ହିଁ ରାଜନୀତିରେ ସାଂପ୍ରଦାୟିକ, ଜାତିଆଣ ମତଭେଦ ସହ ଘୃଣା ଏବଂ ହିଂସାର ଉଦାହରଣ ଦେଖିବାକୁ ମିଳିଲା । ଯାହା ଆଜିଯାଏ ଦେଖିବାକୁ ମିଳୁଛି । ମଣ୍ଡଳ ଆୟୋଗଠାରୁ ବାବ୍ରୀ ମସ୍‍ଜିଦ୍‍ ଏବଂ କେତେକ ସ୍ଥାନରୁ ଦଙ୍ଗାଠାରୁ ଗୋଧ୍ରାକାଣ୍ଡ ହିଂସାତ୍ମକ ସ୍ୱରୂପର ଗୋଟିଏ ଗୋଟିଏ ଉଦାହରଣ ।

 

୯୦ ଦଶକ ଆରମ୍ଭରୁ ପ୍ରମୁଖ ରାଜନୈତିକ ଦଳଠାରୁ ଆଞ୍ଚଳିକ ଦଳ ସାଂପ୍ରଦାୟିକ-ଜାତିଆଣ ତତ୍ତ୍ୱର ସାହାରା ନେଲେ, ମତଦାତା ଧ୍ରୁବୀକରଣ ପାଇଁ ଜାତି ଏବଂ ସଂପ୍ରଦାୟକୁ ଅସ୍ତ୍ର କଲେ ।

 

ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ୨୦୧୪ର ପୁସ୍ତକ ‘ଇଲେକ୍ସନ ଡେଟ୍‍ ଚେଞ୍ଚ୍‍ ଦ ଇଣ୍ଡିଆ’କୁ ଅଧ୍ୟୟନ କଲେ ସୂଚନା ମିଳେ ଯେ, ୨୦୦୮ ଗୁଜୁରାଟରେ ବେଆଇନ ମନ୍ଦିର ଭଙ୍ଗାକୁ ତୋଗାଡ଼ିଆ ବିରୋଧ କରିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମତଭେଦ ଆରମ୍ଭ ହୋଇଥିଲା ।

 

୧୯୯୮ରୁ ୨୦୦୩ ମେଣ୍ଟ ସରକାରର ପରିଣାମ, ୨୦୧୪ରେ ବିଜେପି ଦଳ କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ହାସଲ କରିବା ଯୋଗୁଁ ଜାତି ଏବଂ ସାଂପ୍ରଦାୟିକ ଶକ୍ତି ଅଧିକ କ୍ରିୟାଶୀଳ ହେଲେ ।

 

ପ୍ରବୀଣ ତୋଗାଡ଼ିଆ ଏଭଳି ସାଂପ୍ରଦାୟିକ ବିଚାରଧାରାର ଅଗ୍ରଦୂତ । ମୁସଲିମ୍‍-ଖ୍ରୀଷ୍ଟିଆନ୍‍ ଭଳି ସଂଖ୍ୟାଲଘୁଙ୍କୁ ଗାଳିଦେଇ ସେମାନଙ୍କ ସ୍ଥିତି-ଅବସ୍ଥିତିକୁ ନେଇ ମିଛ ତଥ୍ୟ ଦେଇ ସାଂପ୍ରଦାୟିକ ବିଷ ଭାବନାକୁ ପ୍ରସାରିତ-ପ୍ରଚାରିତ କରିବାରେ ତୋଗାଡ଼ିଆଙ୍କ ଭୂମିକା ସାଂପ୍ରଦାୟିକ ଶକ୍ତିଙ୍କ ପାଇଁ ବଡ଼ ଅବଦାନ ରହିଛି ।

 

ହିନ୍ଦୁ ଏକତାର ନାରା ଦେଇ ତ୍ରିଶୂଳ ବାଣ୍ଟି ହିନ୍ଦୁମାନେ ଅଧିକ ସନ୍ତାନ ଜନ୍ମ କରିବା, ଭାରତ ହିନ୍ଦୁରାଷ୍ଟ୍ର, ମୁସଲିମ୍‍ ଏବଂ ଖ୍ରୀଷ୍ଟିଆନ୍‍ ବିଦେଶୀ ବୋଲି କହି ଉପେକ୍ଷିତ ବାତାବରଣ ସୃଷ୍ଟିକରି ନିଜକୁ ସମାନ୍ତର ଶକ୍ତି ଭାବେ ପ୍ରତିପାଦିତ କରିବାରେ ଶ୍ରୀ ତୋଗାଡ଼ିଆ ସଫଳ ହୋଇଥିଲେ ।

 

କେବଳ ଏକମାତ୍ର ଶ୍ରୀ ତୋଗାଡ଼ିଆ ନୁହଁନ୍ତି, ବାଲା-ଉଦ୍ଧବ-ରାଜ ଠାକରେ, ଆସଦ୍ଦୁଦ୍ଦିନ ଔବେସୀ, ବୁଖାରୀ, ହାର୍ଦ୍ଦିକ ପଟେଲଙ୍କ ବ୍ୟତୀତ ପୃଥକତାବାଦୀ, ବିଭାଜନକାରୀ ନେତାମାନେ ଜାତି-ସଂପ୍ରଦାୟ ମାଧ୍ୟମରେ ମଣିଷ-ମଣିଷ ମଧ୍ୟରେ ହିଂସା-ଘୃଣାର ବିଷ ବୁଣି ଚାଲିଛନ୍ତି । ଘୃଣା ଏବଂ ହିଂସାର ନିଆଁ ଜାଳି କ୍ଷମତାଶାଳୀ ହେଉଛନ୍ତି, ଅପରାଧୀକ କାଣ୍ଡ ଘଟାଇ ଜେଡ୍‍ ସୁରକ୍ଷା ବଳୟରେ ରହୁଛନ୍ତି ।

 

ଆରଏସଏସର ସଞ୍ଜୟ ଯୋଶୀ ଏକଦା ଏକ ଭାରତ-ଶ୍ରେଷ୍ଠ ଭାରତର ନାରା ଦେଇ ହିନ୍ଦୁ ଭାବନାକୁ ଜାଗରଣରେ ଦୂତ ସାଜିଥିଲେ । ବିବାଦୀୟ ହୋଇ ଶ୍ରୀ ଯୋଶୀ ଏବେ ବନବାସ ଜୀବନ କାଟୁଛନ୍ତି । ଶ୍ରୀ ତୋଗାଡ଼ିଆଙ୍କ କହିବା କଥା ଶ୍ରୀ ଯୋଶୀଙ୍କୁ ଷଡ଼ଯନ୍ତ୍ର କରି ବଦନାମ କରାଯାଇଛି, ଏବେ ସେ ଯୋଶୀଙ୍କ ଭଳି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ।

 

ଏବେ ତୋଗାଡ଼ିଆଙ୍କ ମୁହଁରୁ ଶୁଭୁଛି ଗଣତନ୍ତ୍ରର କଥା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି!

 

କାଲି ଭଳି ହିନ୍ଦୁରାଷ୍ଟ୍ର ଗଠନ-ରାମମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ଯାତ୍ରା କରି ଦେଶରେ ଅସ୍ଥିରତା ସୃଷ୍ଟି କରିବାର ଅଭିଯୋଗ ସେ ବିଜେପିର ପ୍ରତିଷ୍ଠାତା ସଭ୍ୟ ଲାଲକୃଷ୍ଣ ଆଡ଼ଭାନୀ ଏବେ ନିଃସଙ୍ଗ । ହିଂସା ଏବଂ ଘୃଣାର ବିଷ ମଞ୍ଜି ବୁଣିଲେ ଯେ ଏପରି ନିଃସଙ୍ଗ ଜୀବନ ଭୋଗିବାକୁ ହୁଏ ତାହାକୁ ବୋଧହୁଏ ବିଳମ୍ବରେ ଅନୁଭବ କରିଛନ୍ତି ଶ୍ରୀ ତୋଗାଡ଼ିଆ ।

 

ହିନ୍ଦୁ ସମ୍ରାଟ ତାଲିକାରେ ଏବେ ଶ୍ରୀ ମୋଦିଙ୍କ ନାମ କଟିଯିବାକୁ ଆଉ ବେଶି ଡେରି ନାହିଁ, ଅନୁଭବ କରି ସାରିଲେଣି ଶ୍ରୀ ତୋଗାଡ଼ିଆ ।

 

ଏହା ସତ୍ୟ ଯେ ଶ୍ରୀ ତୋଗାଡ଼ିଆ ଭାରତୀୟ ରାଜନୀତି କ୍ଷେତରେ ଏପରି ଜଣେ ଚାଷୀ ଯେ କି ଘୃଣା ଏବଂ ହିଂସାର ବିହନ ବୁଣୁଥିଲେ, ଶ୍ରୀ ତୋଗାଡ଼ିଆ ଦେଶର ଜଣେ ଏକମାତ୍ର ମୌଳବାଦୀ ନୁହଁନ୍ତି, ଜାତି-ସଂପ୍ରଦାୟ ନାମରେ ରାଜନୀତି କରୁଥିବା ୧୫ରୁ ୩୦ ଜଣ ଆଗଧାଡ଼ିର ଅଛନ୍ତି । ହିନ୍ଦୁ ମଧ୍ୟରେ କେବଳ ନୁହଁ, ମୁସଲିମ୍‍-ଖ୍ରୀଷ୍ଟିଆନ୍‍ ସଂପ୍ରଦାୟ ମଧ୍ୟରେ ତୋଗାଡ଼ିଆଙ୍କ ଭଳି ମୌଳବାଦୀ ଯେ ଅଛନ୍ତି ତାହାକୁ ଅସ୍ୱୀକାର କରାଯାଇନପାରେ ।

 

ହିନ୍ଦୁ ଶୁଦ୍ଧତା, ହିନ୍ଦୁ ସଂସ୍କୃତିର ସୁରକ୍ଷା ଏବଂ ହିନ୍ଦୁ ରାଷ୍ଟ୍ର ନିର୍ମାଣ ନେଇ ରାଜନୀତି ୩୦ ବର୍ଷ ହେଲା ଚାଲିଛି । ବିଜେପି ଏଦାଦୃଶ ରାଜନୀତିର ଅଗ୍ରଭାଗରେ ଥିବା ବେଳେ କଂଗ୍ରେସ ବିରୋଧରେ ସଂଖ୍ୟାଲଘୁ ତୁଷ୍ଟିକରଣ ରାଜନୀତିର ଅଭିଯୋଗ କରିଆସୁଛି ।

 

ଏହି ସାଂପ୍ରଦାୟିକ ରାଜନୀତି ସହ ଯୋଡ଼ି ହୋଇଯାଇଛି ଜାତିଆଣ ରାଜନୀତି । ମଧ୍ୟଯୁଗୀୟ ଘୃଣ୍ୟ ଜାତିପ୍ରଥାକୁ ଧରି କ୍ଷମତା ହାସଲ କରିବା ପାଇଁ ଦଳିତ-ପଟେଲ, ଜାଟ, ବ୍ରାହ୍ମଣ ନାମରେ ଜାତି ସଂଗଠନ ଗଠନକରି ଗୋଟିଏ ଜାତି ଆଉ ଗୋଟିଏ ଜାତିକୁ ଘୃଣା କରି ସମାଜ ବିଭାଜନ ପାଇଁ ସଭା, ଶୋଭାଯାତ୍ରା, ସମାବେଶ କରୁଛନ୍ତି ।

 

ଭାରତ ଭଳି ବିବିଧ ଭାଷା, ସଂସ୍କୃତି, ଧର୍ମ ଏବଂ ଜାତି ଆଧାରିତ ଗଣତାନ୍ତ୍ରିକ ଦେଶର ଗଣତନ୍ତ୍ର ପାଇଁ ଶୁଭଦାୟକ ତ ନୁହେଁ, ବିପଦଜନକ ନିଶ୍ଚୟ । ହିଂସା-ଏହାର ପରିଣାମ-ପରିଣତି ଯେ ଶ୍ରୀ ତୋଗାଡ଼ିଆଙ୍କ ପାଇଁ ଆଖିରୁ ଲୁହ ବୁହାଇବାର କାରଣ ହୋଇଛି । ସେହିପରି ଅନ୍ୟ ମୌଳବାଦୀ ଯେ ଏପରି ଦୁର୍ଦ୍ଦଶା ନ ଭୋଗିବେ, ସେନେଇ ବେଳହୁଁ ଚିନ୍ତା କରିବା ଉଚିତ ହେବ ନିଶ୍ଚୟ ।

 

ଭାରତୀୟ ଚେତନାକୁ ହିଂସା ଏବଂ ଘୃଣା ମାଧ୍ୟମରେ ମହିମାମଣ୍ଡନ କରିବାକୁ ଯେଉଁ ଜାତିଆଣ ଏବଂ ସାଂପ୍ରଦାୟିକ ନେତାମାନେ ପସନ୍ଦ କରି ଭାଷଣରେ ଅର୍ଥାତ ବାଚନିକ ହିଂସା ସୃଷ୍ଟି କରନ୍ତି, ଶାରୀରିକ ହିଂସାରୁ ସୁଖ ମନାନ୍ତି ତାହା ଯେ ସେମାନଙ୍କ ପାଇଁ ଦିନେ ଦୁଃଖ-ଲୁହର କାରଣ ହେବ, ଶ୍ରୀ ତୋଗାଡ଼ିଆଙ୍କ ଆଜିଦିନର ଅବସ୍ଥାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ହୁଏ । ଦଙ୍ଗା, ନର ସଂହାର, ଜାତି ହିଂସା, ଘରୋଇ ହିଂସା ଆଦିକୁ ସମର୍ଥନ କରି ଗର୍ବରେ ‘କହୋ ହମ୍‍ ହିଂସ୍ରକ’ର ପରିଣାମକୁ ସମୀକ୍ଷା କରିବାର ସମୟ ଅତୀବ ଗୁରୁତ୍ୱପୂର୍ଣ୍ଣ । ହିଂସା ସହ ଭଗବାନ-ଈଶ୍ୱର, ଆଲ୍ଲା, ଯୀଶୁ, ଭାଗ୍ୟବାଦ ଏବଂ ଭୋଗ-ସଂଭୋଗକୁ ଯୋଡ଼ିବା ନିଜକୁ କିଛି ସମୟ ପାଇଁ ଶକ୍ତିଶାଳୀ କରିଥାଏ ସତ; କିନ୍ତୁ ଅଧିକ ଦିନ ପାଇଁ ନୁହେଁ । କାରଣ ଶରୀର କ୍ଷଣଭଙ୍ଗୁର । ‘କାଲି ଯେ ରାଜେନ୍ଦ୍ରାସନେ, ଆଜି ସେ ଫକୀର’ର ବାସ୍ତବତା ସଂପର୍କରେ ଆତ୍ମସମୀକ୍ଷା ନିଶ୍ଚୟ ପ୍ରାସଙ୍ଗିକ, ମୌଳବାଦୀ-ଜାତିଆଣ ନେତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

 

ଆତ୍ମଘୋଷିତ ହିନ୍ଦୁ ନେତା ଯେ ତୋଗାଡ଼ିଆଙ୍କ ନାମକୁ ଥରକୁ ଥର ଉଲ୍ଲେଖ କରିବାର ଆବଶ୍ୟକତା ଏହା ଯେ, ୯୦ ଦଶକରେ ଗୋଟିଏ ସ୍କୁଟରରେ ବସି ଗୁଜୁରାଟରେ ନରେନ୍ଦ୍ର ମୋଦି-ପ୍ରବୀଣ ତୋଗାଡ଼ିଆ ଭ୍ରମଣ କରୁଥିଲେ । ସାଥିହୋଇ ସଂଘ ପଦାଧିକାରୀଙ୍କୁ ସାକ୍ଷାତ କରୁଥିଲେ । ବନ୍ଧୁତ୍ୱ ୨୦ବର୍ଷ ଧରି ଘନିଷ୍ଠ ଥିଲା । ଆଜି ଶ୍ରୀ ତୋଗାଡ଼ିଆ ଶ୍ରୀ ମୋଦିଜୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରିଛନ୍ତି, ସୁରକ୍ଷା ଏବଂ ତଦନ୍ତକାରୀ ସଂସ୍ଥା ତାଙ୍କୁ ଏନକାଉଣ୍ଟର୍‍ କରି ମାରିଦେବାକୁ ଷଡ଼ଯନ୍ତ୍ର କରୁଥିବା କହି ଆଖିରୁ ଲୁହ ଗଡ଼ାଉଛନ୍ତି ।

 

ପରୋକ୍ଷରେ ମୋଦିଜୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ମନେହୁଏ । ମୋଦିଜୀଙ୍କ ବିରୋଧୀ ଭାବେ ପରିଚିତ ଅଖିଳ ଭାରତ ହିନ୍ଦୁ ମହାସଭା ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜଙ୍କୁ ଡାକି ଆଲୋଚନା କରିଛନ୍ତି ।

 

ଶ୍ରୀ ତୋଗାଡ଼ିଆଙ୍କ ହାତରେ ଆଉ ପୂର୍ବଭଳି ତ୍ରିଶୂଳ ନାହିଁ, ମଥାରେ ତିଳକ ଚହଟୁନି । ବେକର ଗୈରିକ ଗାମୁଛାର ଆକର୍ଷଣ ଯେପରି ଫିକା ପଡ଼ିଯାଇଛି । ୮୦ ଦଶକରେ ମୋଦିଜୀ ଏବଂ ତୋଗାଡ଼ିଆ ସାଥିହୋଇ ସଂଘ ଶାଖାକୁ ଯାଉଥିଲେ - ଆଜି ଆଉ ସେଦିନ ନାହିଁ । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ନରମ ହିନ୍ଦୁତ୍ୱ ପ୍ରତି ଅପ୍ରକାଶ୍ୟ ଭାବେ ସମର୍ଥନ ଦେଇ ଶ୍ରୀ ତୋଗାଡ଼ିଆ ହାର୍ଦ୍ଦିକ ପଟେଲଙ୍କ ସହ ସାକ୍ଷାତ କରିଛନ୍ତି, ସେଦିନର ସ୍ୱୟଂ ସେବକ ଭାଇ ମୋଦିଜୀ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ।

 

ଶ୍ରୀ ତୋଗାଡ଼ିଆ ଜଣେ ମେଧାବୀ-ଡାକ୍ତର ଭାବେ ୧୦ ହଜାର ରୋଗୀଙ୍କର ସଫଳ ଅସ୍ତ୍ରୋପଚାର କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ମୌଳବାଦ ବିଚାରକୁ ଆପଣେଇବା ଯୋଗୁ ଯେ ଶେଷ ଜୀବନରେ ନିଃସଙ୍ଗ ହେବାକୁ ପଡ଼ିବ, ଆଖିରୁ ଲୁହ ବୋହିବ, ଏ ସଂପର୍କରେ ଜାତିଆଣ, ସାଂପ୍ରଦାୟିକ ରାଜନୀତି କରୁଥିବା ସଂକୀର୍ଣ୍ଣ ଜାତିବାଦୀ ଏବଂ ସାଂପ୍ରଦାୟିକ ମୌଳବାଦୀ ଶକ୍ତି ଯେ ଦିନେ ନା ଦିନେ ଶ୍ରୀ ତୋଗାଡ଼ିଆ, ସଞ୍ଜୟ ଯୋଶୀ ଏବଂ ଆଡ଼ଭାନୀଙ୍କ ଅବସ୍ଥା ଭୋଗିବେ, ସେ ନେଇ ନିଶ୍ଚିତ ରହିବା ହେବ ସମୟର ଆହ୍ୱାନ । ଘୃଣା, ହିଂସା, ରାଜନୀତିର ପରିଣାମ ସୁଖକର ନୁହେଁ, ବରଂ ବିଷାଦଯୁକ୍ତ ଧର୍ମ ଏବଂ ଜାତି ନାମରେ ସମାଜକୁ ଭାଙ୍ଗିବାକୁ ଚେଷ୍ଟାକଲେ, ରକ୍ତପାତକୁ ନେଇ ରାଜନୀତି କଲେ, ତ’ର ପରିଣତି ଓ ପରିଣାମ ହେବ ଅଶ୍ରୁଦାୟକ । ଧର୍ମର ବେପାରୀ ଓ ଠିକାଦାରମାନେ ଏବଂ ଧର୍ମକୁ ନେଇ ରାଜନୀତି କରୁଥିବା ନେତାମାନଙ୍କ ପାଇଁ ଆଡ଼ଭାନୀ, ଯୋଶୀ ଓ ତୋଗାଡ଼ିଆଙ୍କ ନିଃସଙ୍ଗତା ଏକ ବଡ଼ ଶିକ୍ଷା ହେବ ନିଶ୍ଚୟ ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top