ମାସେ ପରେ- ଦାମ ବିଦା ହେଲେ କିଆଁ?

News Story - Posted on 2018-01-21

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପ୍ରାୟ ମାସେ ହୋଇଗଲା । ଡିସେମ୍ବର ୨୩ ତାରିଖରେ ସେ ତାଙ୍କୁ ବହିଷ୍କାର କରିଥିଲେ । କିନ୍ତୁ ଆଜି ଯାଏଁ ତାଙ୍କ ବହିଷ୍କାରର କାରଣ ନେଇ ଚର୍ଚ୍ଚା ଓ ଆଲୋଚନା ଥମି ନାହିଁ । ନିଜେ ଦାମ ବି କେତେବେଳେ ସ୍ତମ୍ଭ ଲେଖି କେତେବେଳେ ଟିଭିକୁ ବାଇଟ୍ ଦେଇ ବୁଲେଇ ବଙ୍କେଇ କହୁଛନ୍ତି ଯେ ଯେଉଁ କଥା କହି ନବୀନବାବୁ ତାଙ୍କୁ ବହିଷ୍କାର କଲେ ତାହା ମିଛ । ତା’ମାନେ ତାଙ୍କ ବହିଷ୍କାର ପଛରେ ଅନ୍ୟ କିଛି କାରଣ ଅଛି ।

 

ଡିସେମ୍ବର ୨୩ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିବା କଥା ଘୋଷଣା କରିବାବେଳେ ଇଂରାଜୀ ଭାଷାରେ ଯେଉଁ ବାକି କେଇଟି କହିଥିଲେ ତାହାର ଅର୍ଥ ହେଲା ସେ କୌଣସି ଜାତି ବିରୋଧରେ ଖରାପ ମନ୍ତବ୍ୟକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ଡାକ୍ତର ରାଉତଙ୍କୁ ବହିଷ୍କାର କରାଗଲା । ଏହାର କେଇ ଦିନ ପୂର୍ବରୁ ଡାକ୍ତର ରାଉତ ମାଲକାନଗିରିର ଏକ ସାଂସ୍କୃତିକ ସଭାରେ ଭାଷଣ ଦେବା ଅବସରରେ କହିଥିଲେ ଯେ ଆଦିବାସୀମାନେ ଭିକ ମାଗନ୍ତି ନାହିଁ, ବ୍ରାହ୍ମଣମାନେ ହାତ ପତେଇ ଭିକ ମାଗନ୍ତି । ତାଙ୍କର ଏହି ମନ୍ତବ୍ୟ ବିରୋଧରେ ରାଜ୍ୟର ବିଭିନ୍ନ ଆଡ଼େ ବ୍ରାହ୍ମଣମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମଧ୍ୟ କେତେକ ବ୍ରାହ୍ମଣ ସଂଗଠନ ଦାବି କରିଥିଲେ । ଡିସେମ୍ବର ୨୬ ତାରିଖରେ ପୁରୀରେ ନବୀନଙ୍କ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବାସ ପାଳନ ହେବାର ଥିଲା । ପୁରୀରେ ବ୍ରାହ୍ମଣମାନଙ୍କର ପତିଆରା ଟିକେ ଅଧିକ ବୋଲି ନବୀନ କେମିତି ବୁଝିଲେ । କାଳେ ସେମାନେ ବିଜେଡ କାର୍ଯ୍ୟକ୍ରମ ସମୟରେ ଗଣ୍ଡଗୋଳ କରିବେ ସେଇ ଆଶଙ୍କାରେ ସେ ଦାମଙ୍କୁ ବହିଷ୍କାର କଲେ ବୋଲି କିଛି ବିଜେଡି ନେତା ସଫେଇ ଦେଲେ ।

 

ତେବେ ଏହାକୁ ଖୋଦ ଡାକ୍ତର ରାଉତ ଏଯାଏଁ ସହଜରେ ଗ୍ରହଣ କରିପାରି ନାହାନ୍ତି । ସେ ଏବେ ବି ଭାବୁଛନ୍ତି ଯେ ବ୍ରାହ୍ମଣମାନଙ୍କ ବିରୋଧରେ ସେ କୌଣସି ଅଶାଳୀନ ମନ୍ତବ୍ୟ ଦେଇ ନଥିଲେ । ନିଜ କାଗଜ ସଂଚାରରେ ଲେଖିଥିବା ଏକ ସ୍ତମ୍ଭରେ ସେ କହିଛନ୍ତି ଯେ ସେ ଭାଷଣ ଦେବାବେଳେ ସଭାମଂଚରେ ଡିଆରଡିଏ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଓ ବିଜେଡି ନେତା ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । ସେ କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ବୁଝି ପାରିଥାନ୍ତେ । ଡାକ୍ତର ରାଉତଙ୍କ ଯୁକ୍ତିର ଅର୍ଥ ହେଲା ସେ ଯଦି ବ୍ରାହ୍ମଣଙ୍କ ବିରୋଧରେ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ ତେବେ ସେଠାରେ ଉପସ୍ଥିତ ଥିବା ଏହି ଦୁଇ ଜଣ ବ୍ରାହ୍ମଣ ସେହିଠାରେ ତାହାର ପ୍ରତିବାଦ କରିପାରିଥାନ୍ତେ । ସେମାନେ ତାହା କରି ନଥିଲେ । ସେ ଏକଥା ମଧ୍ୟ ଲେଖିଛନ୍ତି ଯେ ତିନି ଜଣ ଯୁବନେତା ମୁଖ୍ୟମନ୍ତ୍ରୀଙ୍କୁ ଭୁଲଭାଲ ବୁଝେଇଛନ୍ତି । ସେମାନଙ୍କ ଯୋଗୁଁ ତାଙ୍କୁ ବାଦ ଦିଆଯାଇଛି ।

 

କିନ୍ତୁ ତାଙ୍କର ଏହି ଯୁକ୍ତିକୁ ଏବେ ବି ଗ୍ରହଣ କରୁ ନାହାନ୍ତି ବିଜେପି ନେତା ତଥା କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ଫ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହୁଛନ୍ତି ଯେ ଦାମ କେବେ ଦିନେ ରାୟଗଡ଼ାରେ କହିଥିଲେ ଯେ ଓଡ଼ିଶାରେ ହେଉଥିବା ଯାବତ ଦୁର୍ନୀତିର ଚେର ତୃତୀୟ ମହଲା ଯାଏଁ ବ୍ୟାପିଛି । ସେଥିପାଇଁ ଦାମଙ୍କ ମନ୍ତ୍ରୀପଦ ଗଲା । ସେ ତୃତୀୟ ମହଲାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବାରୁ ମଉକା ଦେଖି ତାଙ୍କୁ ବହିଷ୍କାର କରାଗଲା । ତେବେ ଧର୍ମେନ୍ଦ୍ରଙ୍କର ଏହିପରି ଆକ୍ଷେପକୁ ନିଜେ ଦାମବାବୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ରାୟଗଡ଼ାରେ ସେ କେବେ କୌଣସି ଦୁର୍ନୀତି ବିଷୟ ଉଠାଇ ନାହାନ୍ତି କି କୌଣସି ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି ।

 

ହୋଇଥିବ, ଡାକ୍ତର ରାଉତ ଯାହା କହୁଛନ୍ତି ତାହା ସତ ହୋଇଥିବ । ମାତ୍ର, ରାୟଗଡ଼ା ନହେଲେ ବି ମୟୂରଭଂଜ ଦୁର୍ନୀତି କଥା ନେଇ ତାଙ୍କ ବିଷୟରେ କେତେକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ତାହାକୁ ଡାକ୍ତର ରାଉତ ଏଯାଏଁ ଖଣ୍ଡନ କରି ନାହାନ୍ତି । କେତେକ ଓଡ଼ିଆ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ହିସାବରେ ମୟୂରଭଂଜରେ ପ୍ରାୟ ୨୫୦ କୋଟି ଟଙ୍କାର ଏକ ଚାରା ଘୋଟାଲା ଧରିଥିଲେ । ଉଦ୍ୟାନ କୃଷି ବିଭାଗ ତରଫରୁ ମୟୂରଭଂଜରେ ରବର, ଆମ୍ବ, କାଜୁ, ପଣସ, ପିଜୁଳି ଆଦି ଅନେକ ପ୍ରକାର ଚାଷ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏ ବାବଦ ପାଣ୍ଠି ଖର୍ଚ୍ଚ ହୋଇଥିଲେ ବି ଗଛ କି ବଗୀଚାର ଦେଖା ନାହିଁ । ମିଥ୍ୟା ବିଲ୍ ଜରିଆରେ ଏହି ୨୫୦ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

 

ଏହି ଦୁର୍ନୀତି ଧରିବା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଡାକ୍ତର ରାଉତ କାଳେ ସୁପାରିଶ କରିଥିଲେ । କିନ୍ତୁ ତୃତୀୟ ମହଲାରେ ତାହା କାଳେ ଅଟକିଗଲା । ଫାଇଲରେ ନିଷ୍ପତ୍ତି ନହେବାରୁ ଦାମବାବୁ କାଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଅବଗତ କରାଇଥିଲେ । ତା’ପରେ କଥାଟା କାଳେ ପ୍ରଘଟ ହୋଇଯିବ ସେଇ ଆଶଙ୍କାରେ କୃଷି ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଗଲା । କିନ୍ତୁ ସେତେବେଳେ ଯିଏ ଜିଲ୍ଲାପାଳ ଥିଲେ ସିଏ କାଳେ ଏହି ଦୁର୍ନୀତିର ଜଣେ ମୁଖ୍ୟ କାର୍ପଟଦାର । ସେ କାଳେ ତୃତୀୟ ମହଲାର ସୁରକ୍ଷା ବଳୟରେ ରହି ଏହି ଦୁର୍ନୀତିର ଷଡ଼ଯନ୍ତ୍ର ରଚନା କରିଥିଲେ । ଏସବୁ କଥା କାଳେ ଡାକ୍ତର ରାଉତ ଜାଣିଛନ୍ତି । ଏନେଇ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଡାକ୍ତର ରାଉତ ତାହାକୁ ଖଣ୍ଡନ କରି ନାହାନ୍ତି କି ସରକାରଙ୍କ ପକ୍ଷରୁ ତାହାର ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top