ମହାରାଜାଙ୍କୁ କବଳ କରିବେ ବିଦେଶୀ!

News Story - Posted on 2018-01-20

ସରଳ କୁମାର ଦାସ

 

ଜାତୀୟ ପତାକା ବହନ କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଦେଶର ଜାତୀୟ ବାହକ ଭାବେ ଗ୍ରହଣ କରାଯାଇଥାଏ। ନିକଟରେ ପୁଞ୍ଜି ବିନିବେଶ ଅପେକ୍ଷାରେ ଥିବା ଏୟାର ଇଣ୍ଡିଆର ଅଂଶଧନରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ସମ୍ପର୍କୀୟ ନିଷ୍ପତ୍ତି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏ ପର୍ଯ୍ୟନ୍ତ ବେସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ଅଂଶଧନରେ ଶତକଡା ୪୯ ଭାଗ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ଅନୁମତି ଥିବା ବେଳେ ଏୟାର ଇଣ୍ଡିଆ ସେଥିରୁ ବାଦ୍ ପଡିଥିଲା। ନୂତନ ନିଷ୍ପତ୍ତି ଅନୁଯାୟୀ ଏବେ ଏୟାର ଇଣ୍ଡିଆର ଅଂଶଧନରେ ମଧ୍ୟ ଶତକଡା ୪୯ ଭାଗ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇପାରିବ। ଫଳରେ କିଛି ବିଦେଶୀ ଏୟାର ଲାଇନ ଏଥିରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ଦେଖାଇବାର ସମ୍ଭାବନା ରହିଛି। ତେବେ ଏହାର ମାଲିକାନା ଓ ପ୍ରକୃତ ନିୟନ୍ତ୍ରଣ ଭାରତୀୟ ନାଗରିକଙ୍କ ପାଖରେ ରହିବ। ଏୟାର ଇଣ୍ଡିଆରୁ ପୁଞ୍ଜି ବିନିବେଶ ଓ ଅଂଶଧନରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କେତେ ଯୁକ୍ତିଯୁକ୍ତ ଓ ଏହା ଦ୍ଵାରା କମ୍ପାନୀ, କର୍ମଚାରୀ ଓ ସରକାରଙ୍କ କ’ଣ ଲାଭ ବା କ୍ଷତି ହୋଇପାରେ, ତାହା ଆଲୋଚନା ସାପେକ୍ଷ।

 

ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଉଦବେଗଜନକ। ପ୍ରତି ବର୍ଷ ଏହା ହଜାର ହଜାର କୋଟି ଟଙ୍କା କ୍ଷତି କରି ଆସୁଛି ଓ କେବଳ ଗତ ୭ ବର୍ଷରେ କ୍ଷତିର ପରିମାଣ ୩୯୫୩୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୭ ମସିହା ସେପ୍ଟେମ୍ଵର ମାସ ସୁଦ୍ଧା ଏହାର ଋଣ ପରିମାଣ ୫୧୮୯୦ କୋଟି ଟଙ୍କାରେ ପହଞ୍ଚିଲାଣି। ଉଲ୍ଲେଖଯୋଗ୍ୟ, ଏଥି ମଧ୍ୟରୁ କାର୍ଯ୍ୟକାରୀ ପୁଞ୍ଜି (ଓ୍ଵାର୍କିଂ କ୍ୟାପିଟାଲ) ବାବଦରେ ୩୩୫୨୬ କୋଟି ଟଙ୍କାର ଋଣ ହୋଇଛି। କ୍ଷତିର ପରିମାଣ ଅଧିକ ହୋଇଥିବାରୁ ବ୍ୟାଙ୍କମାନଙ୍କ ନିକଟରୁ କାର୍ଯ୍ୟକାରୀ ପୁଞ୍ଜି ଋଣ ନେଇ କୌଣସି ପ୍ରକାରେ ବ୍ୟବସାୟରେ ତିଷ୍ଠି ରହିବାକୁ ଉଦ୍ୟମ କରିଛି ଏୟାର ଇଣ୍ଡିଆ। ୨୦୧୨ ମସିହାରେ କେନ୍ଦ୍ର ସରକାର ଏହାର ପୁନରୁଦ୍ଧାର କରିବା ପାଇଁ ଏକ ଖସଡା ପ୍ରସ୍ତୁତ କରି ଦଶ ବର୍ଷ ମଧ୍ୟରେ ଏଥିରେ ୩୦୨୩୧ କୋଟି ଟଙ୍କା ଅଂଶଧନ ଆକାରରେ ବିନିଯୋଗ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେଥି ମଧ୍ୟରୁ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ୨୬୫୪୫ କୋଟି ଟଙ୍କା ଦିଆ ସରିଲାଣି। ଏ ସବୁ ସତ୍ତ୍ଵେ ଏୟାର ଇଣ୍ଡିଆର ସ୍ଥିତିରେ କୌଣସି ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ନହେବା ବାସ୍ତବିକ ଚିନ୍ତାର ବିଷୟ। କ୍ରମଶଃ ସରକାରଙ୍କ ପାଇଁ ଏହା ଏକ ଧଳା ହାତୀରେ ପରିଣତ ହୋଇ ସାରିଲାଣି। ନା ରଖି ହେଉଛି ନା ଛାଡି ହେଉଛି। ଫଳରେ ବିଭିନ୍ନ ସମୟରେ ବଜାର ବିଶେଷଜ୍ଞମାନେ ଏହାର ଘରୋଇକରଣ ପାଇଁ ସ୍ଵର ଉଠାଇ ଆସିଛନ୍ତି।

 

ନୀତି ଆୟୋଗ ୨୦୧୭ ମସିହା ମେ’ ମାସରେ ଏୟାର ଇଣ୍ଡିଆ ଓ ତାହାର ୫ଟି ସହାୟକ କମ୍ପାନୀରୁ ପୁଞ୍ଜି ବିନିବେଶ ପାଇଁ ସୁପାରିଶ କରିବା ପରେ କେନ୍ଦ୍ରୀୟ ଅର୍ଥନୀତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଏଥିପାଇଁ ନୀତିଗତ ସମ୍ମତି ଜଣାଇଥିଲେ। ତେବେ ଏହାର ବିନିବେଶ ପାଇଁ ଗଠିତ ସଂସଦୀୟ କମିଟି ଏୟାର ଇଣ୍ଡିଆ କାର୍ଯ୍ୟକାରୀ ଲାଭ (ଅପରେସନାଲ ପ୍ରଫିଟ) କରିବା ଆରମ୍ଭ କରିଥିବାରୁ ୨୦୨୨ରେ ଦଶ ବର୍ଷିଆ ଖସଡା ସମୟ ସମାପ୍ତ ହେବା ପର୍ଯ୍ୟନ୍ତ ଏହାର ଘରୋଇକରଣ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ମତ ପ୍ରକାଶ କରିଥିଲେ। ମାତ୍ର ଅଧିକ ବିଳମ୍ଵ ହେଲେ ଏୟାର ଇଣ୍ଡିଆର ମୂଲ୍ୟ କମ ହେବା ସହିତ ଉଭୟ ସରକାର ଓ ପୁଞ୍ଜି ନିବେଶକଙ୍କ ସ୍ଵାର୍ଥ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିବାରୁ ପୁଞ୍ଜି ବିନିବେଶ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ଆବଶ୍ୟକ ବୋଲି ବିମାନସେବା ଉପଦେଷ୍ଟା ସଂସ୍ଥା ‘କାପା’ ପ୍ରତିକୂଳ ମନ୍ତବ୍ୟ ଦେଲେ। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଜରିଆରେ ବିଦେଶୀ ଏୟାରଲାଇନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରାଇ ପୁଞ୍ଜିବିନିବେଶ ପ୍ରକ୍ରିୟାକୁ ସଫଳ କରିହେବ ବୋଲି ସରକାରଙ୍କ ବିଶ୍ଵାସ।

 

ଏୟାର ଇଣ୍ଡିଆରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ବିଦେଶୀ କମ୍ପାନୀ ଏହାର ୫୨ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଋଣବୋଝ ଗ୍ରହଣ କରିବାକୁ ଆଗ୍ରହ ଦେଖାଇବେ କି ? ବିଶେଷ କରି ଯେତେବେଳେ କାର୍ଯ୍ୟକାରୀ ପୁଞ୍ଜି ପାଇଁ ଋଣର ପରିମାଣ ୩୩ ହଜାର କୋଟି ଟଙ୍କାରୁ ଅଧିକ। ସମ୍ଭବତଃ ନା। ସେ କ୍ଷେତ୍ରରେ ସରକାରଙ୍କୁ ଏହି ବୋଝ ବହନ କରି ଋଣ ଛାଡ କରିବାକୁ ପଡିପାରେ। ତାହାହେଲେ ବିଦେଶୀ ପୁଞ୍ଜି ନିବେଶକ ବଳକା ୧୮ ହଜାର କୋଟିରୁ ସାମାନ୍ୟ ଅଧିକ ଟଙ୍କାର ଉଡାଜାହାଜ ଋଣ ଗ୍ରହଣ କରିବାକୁ ଅମଙ୍ଗ ହୋଇ ନ ପାରନ୍ତି। ଅନ୍ୟ ପକ୍ଷରେ କର୍ମଚାରୀ ଯୁନିଅନର ଯୁକ୍ତି ଅନୁସାରେ ପୁଞ୍ଜି ବିନିବେଶ କରିବା ପୂର୍ବରୁ ଯଦି ସରକାର ଏହି ଋଣଭାର ନିଜେ ବହନ କରିବା ପାଇଁ ପ୍ରସ୍ତୁତ, ତେବେ ପୁଞ୍ଜି ବିନିବେଶର ଲକ୍ଷ୍ୟ ପୂରଣ ନ ହୋଇ ତାହା ବରଂ ପୁଞ୍ଜି ନିବେଶକ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ସଦୃଶ ହେବ। ଏୟାର ଇଣ୍ଡିଆ କ୍ଷତିର ମୂଳ କାରଣ ଏହି ବିପୁଳ ପରିମାଣର ଋଣ ହୋଇଥିବାରୁ, ସରକାର ଯଦି ଏହି ଋଣ ଛାଡିବା ପାଇଁ ପ୍ରସ୍ତୁତ ତେବେ କମ୍ପାନୀ ତ ସ୍ଵାଭାବିକ ଭାବେ ଲାଭରେ ଚାଲିପାରିବ, ତେଣୁ ପୁଞ୍ଜି ବିନିବେଶର ଆଉ ଆବଶ୍ୟକତା କ’ଣ ? ପୁଞ୍ଜି ବିନିବେଶ ସିଧାସଳଖ କର୍ମଚାରୀଙ୍କ ସ୍ଵାର୍ଥ ବିରୋଧୀ ହୋଇଥିବାରୁ ସେମାନେ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି। କମ୍ପାନୀରେ ପ୍ରାୟ ୧୯ ହଜାର କର୍ମଚାରୀ କାର୍ଯ୍ୟରତ। ଉଡାଜାହାଜ ଅନୁପାତରେ ଆବଶ୍ୟକ ସଂଖ୍ୟକ ପାଇଲଟ ଓ ସହଯୋଗୀ (କ୍ରିଉ) ଥିବା ବେଳେ ରକ୍ଷଣାବେକ୍ଷଣ ସେବାରେ ପ୍ରାୟ ୫୯୦୦ ଓ ଟିକେଟ ଏବଂ ବିକ୍ରି ବିଭାଗରେ ପ୍ରାୟ ୪୨୦୦ କର୍ମଚାରୀ ନିଯୁକ୍ତ, ଯାହା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ। ଏକା କାମ ପାଇଁ ଘରୋଇ ବିମାନ ସେବା ସଂସ୍ଥାଗୁଡିକରେ ଯଥେଷ୍ଟ କମ କର୍ମଚାରୀ ନିୟୋଜିତ ହେଉଥିବାରୁ ପୁଞ୍ଜି ବିନିବେଶ ହେଲେ ଅନେକେ ଚାକିରୀ ହରାଇବା ସୁନିଶ୍ଚିତ। ପ୍ରାରମ୍ଭିକ ପର୍ଯ୍ୟାୟରୁ ସରକାରୀ ଉଦ୍ୟୋଗମାନଙ୍କରେ ଅବିଚାରିତ ନିଯୁକ୍ତିକୁ କର୍ମଚାରୀ ୟୁନିଅନଗୁଡିକ ପ୍ରତିରୋଧ ନ କଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ଥାଏ ଓ ଏୟାର ଇଣ୍ଡିଆ ଭଳି ସ୍ଥିତି ଉତ୍ପନ୍ନ ହୋଇ ସମସ୍ତଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଏ।

 

ଦୀର୍ଘ ଦିନରୁ ଦେଶରୁ ରାଜାରାଜୁଡା ପ୍ରଥା ଉଚ୍ଛେଦ ହୋଇଥିଲେ ମଧ୍ୟ ଯାତ୍ରୀଙ୍କୁ ମହାରାଜାର ଅନୁଭବ ଦେବାର ପ୍ରତିଶ୍ରୁତିରେ ଏୟାର ଇଣ୍ଡିଆ ‘ମହାରାଜା’କୁ ମାସ୍କଟ ରୂପେ ଗ୍ରହଣ କରି ଆସିଛି। ସେଥିରେ କମ୍ପାନୀ କେତେ ସଫଳ ହୋଇଛି ତାହା ବିତର୍କର ବିଷୟ ହୋଇପାରେ, କିନ୍ତୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଭାରତୀୟ ରେଳ ପରି ଏୟାର ଇଣ୍ଡିଆ ମଧ୍ୟ ଜାତୀୟ ସ୍ଵାଭିମାନର ପ୍ରତୀକ ହୋଇପାରିଛି। କେବଳ ସେତିକି ନୁହେଁ, ଜାତୀୟ କ୍ରୀଡା ହକିର ପ୍ରୋତ୍ସାହନ ପାଇଁ ହକି ଖେଲାଳୀମାନଙ୍କୁ ନିଯୁକ୍ତି ଦେଇ ଏକ ସ୍ଵତନ୍ତ୍ର ଦଳ ଗଠନ କରିବା ହେଉ ବା ଲକ୍ଷଲକ୍ଷ ହଜ ଯାତ୍ରୀଙ୍କୁ ହଜ କରାଇବା ହେଉ ବା ବିଭିନ୍ନ ସମୟରେ ବିଦେଶରେ ବିପଦରେ ପଡିଥିବା ପ୍ରବାସୀ ଭାରତୀୟଙ୍କୁ ହଜାର ହଜାର ସଂଖ୍ୟାରେ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରାଇବାରେ ହେଉ, ସବୁଥିରେ ସରକାର ଯଦି କେଉଁ ବିମାନ ସେବା ଉପରେ ଭରସା କରି ପାରିଛନ୍ତି, ତାହା ହେଉଛି ଏୟାର ଇଣ୍ଡିଆ। ସରକାରୀ ନିୟନ୍ତ୍ରଣର ଅଭାବରେ ଭବିଷ୍ୟତରେ କ’ଣ ଏ ଧରଣର ସେବା ଅନ୍ୟ କାହାଠାରୁ ଆଶା କରି ହେବ ? ଏହାର ଘରୋଇକରଣ ଓ ବିଦେଶୀ ପୁଞ୍ଜିନିବେଶ ପରେ ପରିବର୍ତ୍ତିତ ‘ମହାରାଜା’ଠାରୁ ସେହି ସେବା ହୁଏତ ମିଳିପାରେ, ତେବେ ଏୟାର ଇଣ୍ଡିଆ ଚିରଦିନ ପାଇଁ ‘ବିଦେଶୀ ଏୟାର ଇଣ୍ଡିଆ’ରେ ପରିଣତ ହେବ।

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ଵର - ୭୫୧୦୧୨

ମୋ. ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top