ପଦ ହରେଇବେ ୨୦ ଆପ୍ ବିଧାୟକ

News Story - Posted on 2018-01-19

ଦିଲ୍ଲୀ ଆମ୍ ଆଦମୀ ପାର୍ଟିକୁ ଶକ୍ତ ଧକ୍କା । ଏହାର ୨୦ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନ । ଆମ୍ ଆଦମୀ ପାର୍ଟି ବା ଆପ୍ ସରକାରଙ୍କ ସଂସଦୀୟ ସଚିବ ପଦରେ ରହିଥିବା ଏହି ବିଧାୟକମାନେ ଲାଭବାନ ପଦବୀ ସଂକ୍ରାନ୍ତ ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । କମିଶନଙ୍କ ଏହି ସୁପାରିଶ ବିରୋଧରେ ପାର୍ଟି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ହାଇକୋର୍ଟ କୌଣସି ଅନ୍ତରୀଣ ରହିତାଦେଶ ଜାରି କରି ନାହାନ୍ତି ।

 

ଦିଲ୍ଲୀ ବିଧାନସଭାରେ ଥିବା ଆମ୍ ଆଦମୀ ପାର୍ଟିର ୨୧ ଜଣ ବିଧାୟକ ଅରବିନ୍ଦ କେଜ୍ରିୱାଲ ସରକାରରେ ସଂସଦୀୟ ସଚିବ ପଦରେ କାର୍ଯ୍ୟ କରୁଛନ୍ତି । ସେମାନେ ବିଧାୟକ ହୋଇଥିଲାବେଳେ ସଂସଦୀୟ ସଚିବ ପଦ ଏକ ଲାଭବାନ ପଦବୀ । ଏହି ଦୃଷ୍ଟିରୁ ସେମାନଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନରେ ଦିଲ୍ଲୀର ଜଣେ ଓକିଲ ପ୍ରଶାନ୍ତ ପଟେଲ ଆବେଦନ କରିଥିଲେ । କିନ୍ତୁ ପରେ ଜଣେ ବିଧାୟକ ଜର୍ଣ୍ଣେଲ ସିଂହ ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହୃତ ହୋଇଥିଲା । ନିର୍ବାଚନ କମିଶନ ବାକି ୨୦ ଜଣଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତର୍ଜମା କରିବା ପରେ ସେମାନଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରିଛନ୍ତି ।

 

ନିର୍ବାଚନ କମିଶନଙ୍କ ଏହି ସୁପାରିଶକୁ ଚାଲେଞ୍ଜ କରି ୭ ଆପ୍ ବିଧାୟକଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆଜି ଉପରବେଳା ଏକ ପିଟିସନ ଦାଏର ହୋଇଥିଲା । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହାର ପ୍ରାଥମିକ ଶୁଣାଣି କରିଥିଲେ । ତେବେ ନିର୍ବାଚନ କମିଶନ ସତରେ କି ସୁପାରିଶ କରିଛନ୍ତି ସେନେଇ ଆପ୍ ବିଧାୟକମାନେ କୌଣସି ତଥ୍ୟପ୍ରମାଣ ଉପସ୍ଥାପନ କରି ନଥିବାରୁ ଶୁଣାଣି କରିଥିବା ବିଚାରପତି ରେଖା ପାଲ୍ଲୀ କୌଣସି ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଥିଲେ । କିନ୍ତୁ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ କି ସୁପାରିଶ କରିଛନ୍ତି ତାହା ଉପସ୍ଥାପନ କରିବାକୁ ବିଚାରପତି କମିଶନଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର, ସମୟ ଅଭାବ ଦର୍ଶାଇ ନିର୍ବାଚନ କମିଶନଙ୍କ ଓକିଲ କିଛି ସମୟ ମାଗିଥିଲେ । ଏହା ପରେ କୋର୍ଟ ସୋମବାରକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ସ୍ଥଗିତ ରଖିଥିଲେ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନରୁ ୬୭ ଆସନରେ ବିଜୟୀ ହୋଇ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିଥିଲା । ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଦଳର ୨୧ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏହି ପଦରେ ନିଯୁକ୍ତି ପାଇବା ପରେ ସଂପୃକ୍ତ ବିଧାୟକମାନେ ଦରମା ଓ ଭତ୍ତା ଇତ୍ୟାଦି ପାଇଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଏହା ବେଆଇନ ବୋଲି ଦର୍ଶାଇ କଂଗ୍ରେସ ପାର୍ଟି ତରଫରୁ ୨୦୧୬ ଜୁନ ୯ ତାରିଖରେ ନିର୍ବାଚନ କମିଶନଙ୍କ ନିକଟରେ ପିଟିସନ ଦାଏର ହୋଇଥିଲା । ଏହା ଜାଣିବା ପରେ ଏହି ମାମଲା ଖାରଜ କରିବାକୁ ସଂପୃକ୍ତ ବିଧାୟକମାନେ ନିର୍ବାଚନ କମିଶନଙ୍କୁ ଆବେଦନ କରିଥିଲେ । କିନ୍ତୁ କମିଶନ ଅଭିଯୋଗର ତର୍ଜମା ଚାଲିବ ବୋଲି କହିଥିଲେ ।

 

ଏଭଳି ଅଭିଯୋଗ ଦାଏର ହେବା ପୂର୍ବରୁ ଆମ ଆଦମୀ ପାର୍ଟି ସରକାର ଦିଲ୍ଳୀ ବିଧାନସଭାରେ ଦିଲ୍ଲୀ ବିଧାୟକ ସଦସ୍ୟ ପଦ ରଦ୍ଦ ଆଇନ ୧୯୯୭ରେ ସଂଶୋଧନ କରି ସଂସଦୀୟ ସଚିବ ପଦ ଲାଭବାନ ପଦବୀ ନୁହେଁ ବୋଲି ସ୍ଥିର କରିଥିଲେ । ବିଧାନସଭାରେ ପାଶ୍ ହୋଇଥିବା ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ନଥିଲା । ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଥିରେ ଦସ୍ତଖତ କରି ନଥିଲେ । ଫଳରେ ବିଲ୍ ଆଇନରେ ପରିଣତ ହୋଇନଥିଲା ।

 

ଏହା ପରେ ଦାଏର ହୋଇଥିବା ଅନ୍ୟ ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ୨୦୧୬ ସେପ୍ଟେମ୍ବର ମାସରେ ସଂପୃକ୍ତ ବିଧାୟକମାନଙ୍କର ସଂସଦୀୟ ସଚିବ ଭାବେ ନିଯୁକ୍ତିକୁ ରଦ୍ଦ କରିଥିଲେ । ହାଇକୋର୍ଟ କହିଥିଲେ ଯେ ସେମାନଙ୍କର ନିଯୁକ୍ତିକୁ ଦିଲ୍ଳୀର ଲେଫଟନାଣ୍ଟ ଗଭର୍ଣ୍ଣର ସ୍ୱୀକୃତି ଦେଇ ନଥିବାରୁ ଏହି ନିଯୁକ୍ତି ବେଆଇନ । ଏବେ ମୁଖ୍ୟ ନିର୍ବାଚନ କମିଶନ ସେମାନଙ୍କର ସଦସ୍ୟ ପଦ ରଦ୍ଦ କରିଛନ୍ତି । ଏହା ଆପ୍ ସରକାରଙ୍କ ପାଇଁ ଏକ ଶକ୍ତ ଧକ୍କା ।

 

ନିର୍ବାଚନ କମିଶନ ଯେଉଁ ବିଧାୟକମାନଙ୍କର ସଦସ୍ୟ ପଦ ରଦ୍ଦ କରିବାକୁ ସୁପାରିଶ କରିଛନ୍ତି ସେମାନେ ହେଲେ ଆଦର୍ଶ ଶାସ୍ତ୍ରୀ, ଅଳକା ଲାମ୍ବା, ସଂଜୀବ ଝା, କୈଳାସ ଗେହଲଟ, ବିଜେନ୍ଦ୍ର ଗର୍ଗ, ପ୍ରବୀଣ କୁମାର, ଶରଦ କୁମାର ଚୌହାନ, ମଦନଲାଲ ଖୁଫିଆ, ଶିବ ଚରଣ ଗୋୟାଲ, ସରିତା ସିଂହ, ନରେଶ ଯାଦବ, ରାଜେଶ ଗୁପ୍ତା, ରାଜେଶ ଋଷି, ଅନୀଲ କୁମାର ବାଜପେୟୀ, ସୋମ ଦତ୍ତ, ଅବତାର ସିଂହ, ସୁଖବୀର ସିଂହ, ମନୋଜ କୁମାର, ନିତିନ ତ୍ୟାଗୀ ଏବଂ ଜେ. ସିଂହ ।

 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ନିର୍ବାଚନ କମିଶନଙ୍କ ସୁପାରିଶ ଗ୍ରହଣକରି ୨୦ ଆପ୍ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କଲେ ବି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରଙ୍କ ପାଇଁ ସଙ୍ଗେସଙ୍ଗେ କୌଣସି ବିପଦ ଆସିବ ନାହିଁ । କାରଣ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ତଥାପି ସଂଖ୍ୟାଗରିଷ୍ଠ ସମର୍ଥନ ରହିବ ।

 

୨୦୧୫ ନିର୍ବାଚନରେ ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନରୁ ଆମ୍ ଆଦମୀ ପାର୍ଟି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ୬୭ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ପଂଜାବ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଇଥିବାବେଳେ ଅନ୍ୟ ଜଣେ ଦଳ ଓ ବିଧାନସଭାରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ତେଣୁ ଏବେ ବି ଦିଲ୍ଲୀ ବିଧାନସଭାରେ ଦଳର ୬୫ ଜଣ ବିଧାୟକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ସଦସ୍ୟ ପଦ ରଦ୍ଦ ହେଲେ ବି କେଜ୍ରିୱାଲ ସରକାରଙ୍କ ସପକ୍ଷରେ ଆହୁରି ୪୫ ଜଣ ବିଧାୟକଙ୍କ ସମର୍ଥନ ରହିବ । ଦିଲ୍ଲୀ ବିଧାନସଭାରେ ସାଧାରଣ ସଂଖ୍ୟାଗରିଷ୍ଠତା ପାଇଁ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top