ଶାଳୀ ପ୍ରେମରେ ଭିଣୋଇ ହତ୍ୟାକାରୀ

News Story - Posted on 2018-01-19

ଜଗତପୁର ଥାନା ଅନ୍ତର୍ଗତ ବିରୁପା ବ୍ୟାରେଜ ନିକଟରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି କମିଶନରେଟ ପୁଲିସ । ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ମୃତକ ନିର୍ଝର ବେହେରା ସହ ବିବାହ ସ୍ଥିର ହୋଇଥିବା କନ୍ୟାର ଭିଣୋଇକୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ତା ନିକଟରୁ ଏକ କଟୁରୀ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି ।

 

ଗିରଫ ଅଭିଯୁକ୍ତ ବଲାଙ୍ଗୀର ତେଲଗୋଟପଡାର ସମ୍ବିତ କୁମାର ସେନାପତି ବୋଲି ଜଣାପଡିଛି । ଏସିପି ତ୍ରିନାଥ ମିଶ୍ରଙ୍କ ସୂଚନା ମୁତାବକ, ଚୌଦ୍ୱାର ଥାନା ଅନ୍ତର୍ଗତ କପାଳେଶ୍ୱରର ନିର୍ଝର ବେହେରାଙ୍କ ସ୍ଥାନୀୟ ମଣ୍ଡାପଡାର ଏକ ଝିଅ ସହ ଜାନୁଆରୀ ୧୦ ତାରିଖକୁ ବିବାହ ସ୍ଥିର ହୋଇ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା । ଭୁବନେଶ୍ୱର ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ସହକାରୀ ଫାଇନାନ୍ସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ନିର୍ଝରକୁ ଗତ ୭ ତାରିଖ ରାତିରେ ବିରୁପା ବ୍ୟାରେଜ ନିକଟକୁ ଆସିବାକୁ କେହି ଫୋନରେ ଡାକିବାରୁ ସେ ତାଙ୍କ ମାରୁତି ଏଷ୍ଟିଲୋ କାରରେ ଘରୁ ପ୍ରାୟ ରାତି ୯ଟା ୪୦ରେ ବାହାରିଥିଲେ । ତେବେ ସାଢେ ଦଶଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ବାପା କମଳ ତାଙ୍କର ୨ ଜଣ ସାଙ୍ଗଙ୍କ ସହ ବିରୁପା ବ୍ୟାରେଜ ନିକଟରେ ଖୋଜାଖୋଜି କରିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିର୍ଝରକୁ ପାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଚୌଦ୍ୱାର ଓ ପରେ ଏସ୍‍ସିବିକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

 

କମଳଙ୍କ ଅଭିଯୋଗ ଆଧାରରେ ଜଗତପୁର ଥାନାରେ ୩/୮-୧-୨୦୧୮ରେ ଆଇପିସି ୩୦୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ସାଇଣ୍ଟିଫିକ ଟିମ୍‍ ସହାୟତାରେ ତଦନ୍ତ କରାଯାଇ ମୃତକଙ୍କ ଟେଲିଫୋନ କଲ୍ ବିବରଣୀ ଯାଞ୍ଚ କରାଯାଇଥିଲା । ଉଭୟ ନିର୍ଝର ଓ କନ୍ୟା ପକ୍ଷର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ପଚରା ଉଚରା କରାଯିବା ପରେ କନ୍ୟାର ଭିଣୋଇଙ୍କ ଉପରେ ସନ୍ଦେହ ଦୃଢୀଭୂତ ହୋଇଥିଲା । ଶାଳୀ ଭିଣୋଇଙ୍କ ମଧ୍ୟରେ ସଂପର୍କ ଥିବା ବେଳେ ଉଭୟ ଅନେକ ସମୟରେ ସୋସିଆଲ ମିଡିଆରେ ରହୁଥିବା ପୁଲିସ ଜାଣିପାରିଥିଲା ।

 

ମେ ୨୭ ତାରିଖରେ ନିର୍ବନ୍ଧ ହେବା ପରେ ସମ୍ବିତ କ୍ରୋଧାନ୍ୱିତ ହୋଇ ନିର୍ଝରକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଏବଂ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ମଧ୍ୟ ହେଉଥିଲା । ଗତ ୭ ତାରିଖରେ ସମ୍ବିତ ବଲାଙ୍ଗୀରରୁ ଆସି ରାତି ସାଢେ ଆଠଟାରେ ଚୌଦ୍ୱାରରେ ଓହ୍ଲାଇ ତା’ର ପୁରୁଣା ମୋବାଇଲ ନମ୍ବରରୁ ନିର୍ଝରକୁ ଆଲୋଚନା ପାଇଁ ବିରୁପା ବ୍ରିଜ୍ ନିକଟକୁ ଡାକିଥିଲା । ସମ୍ବିତ କଲେଜ ଛକରୁ ଗୋଟିଏ କଟୁରୀ କିଣି ବିରୁପା ବ୍ୟାରେଜ ନିକଟକୁ ଆସି କଟୁରୀଟିକୁ ଏକ ମାଛ ଦୋକାନରେ ଲୁଚାଇ ରଖିଥିଲା । ତା’ର ଏକ ନୂଆ ନମ୍ବରରୁ ନିର୍ଝରକୁ ଫୋନରେ ଯୋଗାଯୋଗ କଲା । ନିର୍ଝର ପହଂଚିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ସମ୍ବିତ କ୍ରୋଧାନ୍ୱିତ ହୋଇ ନିର୍ଝରକୁ କଟୁରୀରେ ନୃଶଂସ ଭାବେ ଆକ୍ରମଣ କରିଥିଲା । ନିର୍ଝର ଅଚେତ ହୋଇଯିବା ପରେ ତାକୁ ଟାଣି ନେଇ ଏକ ପରିତ୍ୟକ୍ତ ସ୍ଥାନରେ ପକାଇ ପଥରରେ ତାର ମୁହଁକୁ ବିକୃତ କରିବା ପରେ ଜଣେ ସାଇକେଲ ଚାଳକକୁ ଲିଫ୍ଟଟ ମାଗି ଚୌଦ୍ୱାର ଗାନ୍ଧି ଛକରେ ପହଞ୍ଚି ବସ ଯୋଗେ ବଲାଙ୍ଗୀର ପଳାଇଥିଲା । ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top