ନବୀନ କ’ଣ ନାଲାୟକ?

News Story - Posted on 2018-01-19

ଦେବେନ୍ଦ୍ର ପୃଷ୍ଟି

 

ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଫେସବୁକ ଓ ଟୁଇଟରରେ କରୁଥିବା ପୋଷ୍ଟିଂ ଅନୁସାରେ ତୃତୀୟ ମହଲାର ଜଣେ ଅଧିକାରୀ ରାଜନୀତି କରୁଛନ୍ତି । ତାଙ୍କରି ନିର୍ଦ୍ଦେଶରେ ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଛି । ଥରେ ନୁହେଁ, ବାରମ୍ବାର ବୈଜୟନ୍ତ ଏପରି ଅଭିଯୋଗ କରିଛନ୍ତି । ତାଙ୍କ ଭାଷାରୁ ବୁଝାପଡ଼ୁଛି ଏପରି ଅଭିଯୋଗ କରିବା ପଛରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି । ଆଉ ତାଙ୍କ ନେତାଙ୍କ ଉପରେ ମଧ୍ୟ ତାଙ୍କର ଦୃଢ଼ ବିଶ୍ୱାସ ଅଛି ।

 

କିନ୍ତୁ ଗୋଟେ କଥା ବୁଝି ହେଉ ନାହିଁ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ଜଣେ ନାବାଳକ? ସେ ଦୈନିକ ଏହି ଅଫିସରଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ତାଙ୍କ ସହିତ ମିଶୁଛନ୍ତି । ତଥାପି ସେ କେମିତି ଜାଣିପାରୁ ନାହାନ୍ତି ଯେ ଏହି ଅଫିସର ହିଁ ତାଙ୍କ ସହଯୋଗୀ ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି? ନା ନବୀନ ନିଜେ ଏଭଳି ଷଡ଼ଯନ୍ତ୍ର ରଚନା କରିଛନ୍ତି ଓ ଏମାନଙ୍କ ବିବାଦରୁ ମଜ୍ଜା ଉଠାଉଛନ୍ତି?

 

ବୈଜୟନ୍ତ ତାଙ୍କ ଫେସବୁକ୍ ପୃଷ୍ଠାରେ କେତେକ ଫଟୋ ଅପଲୋଡ଼ କରି ଆଉ ଗୋଟେ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରୁଥିବା କେତେକ ବ୍ଲକ ସ୍ତରୀୟ ନେତା ମିଥ୍ୟାବାଦୀ । ଡେରାବିଶ ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ସେ ଉଦଘାଟିତ ହେବାକୁ ଥିବା ଏକ ଅଡିଟୋରିୟମର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଫଟୋ ଏହାର ପ୍ରମାଣ । ଅଥଚ ସେହି ବ୍ଲକ ଅଧ୍ୟକ୍ଷ ଜଣକ ଏବେ ନବୀନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଅଡିଟୋରିୟମ ସଂପର୍କରେ ବୈଜୟନ୍ତ ତାଙ୍କୁ କିଛି ଜଣେଇ ନାହାନ୍ତି । ଏଭଳି ଅଭିଯୋଗ କରିବାକୁ ତୃତୀୟ ମହଲାର ସେହି ଅଫିସରଙ୍କ ଚାପ ରହିଛି ବୋଲି ବୈଜୟନ୍ତ ହୃଦବୋଧ କରିଛନ୍ତି ।

 

ତାଙ୍କର ଏହି ଦୃଢ଼ ଧାରଣା ଅମୂଳକ ହୋଇନପାରେ । କିନ୍ତୁ ଏହି ଧାରଣା ଭିତରେ ସେ ତାଙ୍କର ନେତା ନବୀନ ପଟ୍ଟନାୟକଙ୍କ ଭୂମିକାକୁ ସନ୍ଦେହରୁ ଉଦ୍ଧ୍ୱର୍ରେ ରଖିବା ତାଙ୍କର ସରଳତା ନା ଆତ୍ମରକ୍ଷା କୌଶଳ?

 

ନବୀନ ନିବାସ ଓ ସଚିବାଳୟର ତୃତୀୟ ମହଲା ମଧ୍ୟରେ ଆତଯାତ ହେଉଥିବା ଏହି ଅଫିସର ଜଣକ ଯେ ଜିଲ୍ଲା ଓ ବ୍ଲକ ଗସ୍ତ କରି ରାଜନୀତି ବା ରାଜନୀତିକ ଷଡ଼ଯନ୍ତ୍ର କରୁଥିବେ ତାହା କୁହାଯାଇ ପାରିବ ନାହିଁ । କାରଣ ସେଥିପାିଁ ତାଙ୍କ ନିକଟରେ ସମୟ ନାହିଁ । ସେ ଫୋନ ଯୋଗେ ହୁଏତ ଦଳର ଅନେକ ନେତାଙ୍କ ସହିତ ଆଲୋଚନା କରୁଥିବେ । ତାଙ୍କ ଫୋନ୍ କଲ୍ ଯାଞ୍ଚ କଲେ ଏହା ସ୍ପଷ୍ଟ ହୋଇଯାଇପାରେ । ସେ ଅଫିସ ଫୋନରୁ ରାଜନୀତି ଆଲୋଚନା କରୁଥିଲେ ତାହାର ରେକର୍ଡ଼ ମଧ୍ୟ ସଂପୃକ୍ତ ଫୋନ୍ ଅଫିସରୁ ମିଳିଯିବ । ଫୋନ ଜରିଆରେ ସେ ଷଡ଼ଯନ୍ତ୍ର ରଚନା କରୁ ନଥିଲେ ଦଳର ଅନ୍ୟ କୌଣସି ନେତାଙ୍କ ଜରିଆରେ ସେପରି କରୁଥିବେ । ସେମାନେ ତେବେ କିଏ?

 

ପ୍ୟାରୀ ମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମାର୍ଗଦର୍ଶକ ହୋଇଥିବା ଦିନରୁ ଗୋଟେ ଅଭିଯୋଗ ହୋଇଆସିଛି ଯେ ଦଳର କେଇ ଜଣ ଯୁବନେତା ଦଳରେ ଅଧିକ ଗୁରୁତ୍ୱ ବହନ କରୁଛନ୍ତି । କେତେବେଳେ ସେମାନଙ୍କୁ ଚଣ୍ଡାଳ ଚୌକଡ଼ି କୁହାଯାଏ ତ କେତେବେଳେ ସେମାନେ ପଂଚୁ ପାଣ୍ଡବ ବୋଲି ଅଭିଯୋଗ କରାଯାଏ । ଆଜି ତାରିଖରେ (୧୯.୧.୨୦୧୮) ସଂଚାରରେ ଏକ ସ୍ତମ୍ଭ ଲେଖି ସଂଚାରର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ଦଳର ତିନି ଜଣ ଦାୟିତ୍ୱହୀନ ଯୁବନେତାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଅବଶ୍ୟ ସେମାନଙ୍କ ନାମୋଲ୍ଲେଖ କରିବାକୁ ଡରିଛନ୍ତି । ତାଙ୍କ ଲେଖାରୁ ବୁଝାପଡ଼ୁଛି ଏହି ତିନି ଜଣ ଦାୟିତ୍ୱହୀନ ଯୁବନେତା ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଇଛନ୍ତି । ଏହାର ଅର୍ଥ ଡାକ୍ତର ରାଉତ ମଧ୍ୟ କହିବାକୁ ଚେଷ୍ଟା କରିଛନ୍ତି ଯେ ନବୀନବାବୁ ଏବେ ବି ରାଜନୀତିରେ ନାବାଳକ! ସେ କିଛି ବୁଝୁ ନାହାନ୍ତି, ତାଙ୍କୁ ଯିଏ ଯେମିତି ବୁଝେଇ ଦେଉଛି, ସେ ସେମିତି ବୁଝିଯାଉଛନ୍ତି । ଯଦି ଏହା ନୁହେଁ ତେବେ ବୁଝିବାକୁ ହେବ ଯେ ଏହି ଯୁବନେତାମାନେ ଏତେ ବୁଦ୍ଧିଆ ଓ କ୍ଷମତାଶାଳୀ ଯେ ସେମାନଙ୍କ ଆଗରେ ଡାକ୍ତର ଦାମୋଦର ରାଉତଙ୍କ ଭଳି ପ୍ରବୀଣ ନେତା ମଧ୍ୟ ହାର୍ ମାନିଗଲେ!

 

ବୈଜୟନ୍ତଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଯୁବନେତାମାନଙ୍କର ଭୂମିକା ରହିଛି କି? ଏମାନେ ତୃତୀୟ ମହଲାର ସେହି ଅଧିକାରୀଙ୍କୁ କୌଣସି ବାଟରେ ପ୍ରଭାବିତ କରି ନାନାଦି ରାଜନୀତିକ ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି କି? ଏହି ତୃତୀୟ ମହଲା ଅଧିକାରୀ ଓ ଏହି ଯୁବନେତାମାନେ ମିଶି ଯଦି ରାଜ୍ୟର ଶାସନ ଓ ପ୍ରଶାସନ ସମେତ ଦଳୀୟ ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ତେବେ ବୁଝିବାକୁ ହେବ ଯେ ନବୀନବାବୁ ଏମାନଙ୍କ ଜରିଆରେ ସବୁ କରୁଛନ୍ତି । କାରଣ ଶେଷ ନିଷ୍ପତ୍ତି ନେବା ଲୋକ ସେହି ତୃତୀୟ ମହଲାର ଅଧିକାରୀ ନୁହନ୍ତି କି ଏହି ତଥାକଥିତ ଯୁବନେତାମାନେ ମୁଖ୍ୟମନ୍ତ୍ରୀ ବା ଦଳମୁଖ୍ୟ ପଦରେ ନାହାନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top