ଉତ୍ତରପୂର୍ବରେ ବାଜିଲା ନିର୍ବାଚନୀ ବିଗୁଲ

News Story - Posted on 2018-01-18

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ନିର୍ଘଣ୍ଟ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିଶନ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଏକେ ଜ୍ୟୋତି କହିଛନ୍ତି ଯେ ଫେବୃଆରୀ ୧୮ ତାରିଖରେ ତ୍ରିପୁରା ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ଫେବୃଆରୀ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡ ବିଦାନସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତିନିଟି ଯାକ ରାଜ୍ୟରେ ମାର୍ଚ୍ଚ ୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

 

ମୁଖ୍ୟ ନିର୍ବାଚନ କମିଶନ ଜ୍ୟୋତି କହିଛନ୍ତି ଯେ ତିନିଟି ଯାକ ରାଜ୍ୟରେ ଭୋଟ ଗ୍ରହଣ ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବା ଇଭିଏମ ବ୍ୟବହୃତ ହେବ । ସବୁ ଇଭିଏମରେ ଭୋଟର ଭେରିଫାଏବଲ ପେପରଟ୍ରେଲ ଲାଗିବ । ଇଭିଏମଗୁଡ଼ିକର ପ୍ରାଥମିକ ସ୍ତରୀୟ ଯାଞ୍ଚ ସରି ଯାଇଛି ବୋଲି ଜ୍ୟୋତି କହିଛନ୍ତି । ନିର୍ବାଚନ କମିଶନଙ୍କ ଏହି ଘୋଷଣା ସହିତ ତିନିଟି ଯାକ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି ।

 

ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୧୪ ତାରିଖରେ ଶେଷ ହେଉଛି । ସେହିପରି ମେଘାଳୟର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୬ ତାରିଖରେ ଓ ୬୦ ସଦସ୍ୟ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଛି । ତ୍ରିପୁରାରେ ବାମପନ୍ଥୀ ମେଣ୍ଟ ଶାସନ କ୍ଷମତାରେ ଥିଲାବେଳେ ମେଘାଳୟରେ କଂଗ୍ରେସ ଓ ନାଗାଲାଣ୍ଡରେ ନାଗା ପିପୁଲ୍ସ ଫ୍ରଣ୍ଟ ନେତୃତ୍ୱାଧୀନ ଡେମୋକ୍ରାଟିକ ଆଲିଆନ୍ସ କ୍ଷମତାରେ ରହିଛି । ଏହି ସରକାରକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି ।

 

ପୂର୍ବରୁ ଉପ ନିର୍ବାଚନ କମିଶନର ସୁଦୀପ ଜୈନଙ୍କ ନେତୃତ୍ୱରେ ନିର୍ବାଚନ କମିଶନଙ୍କର ଏକ ଦଳ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ତଦାରଖ କରିବା ସହିତ ବିଭିନ୍ନ ରାଜନୀତିକ ଦଳର ନେତାଙ୍କ ସହିତ ଆଲୋଚନା କରିଥିଲେ । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଦଳଗୁଡ଼ିକ ସହଯୋଗ କରିବେ ବୋଲି ନିର୍ବାଚନ କମିଶନ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ତ୍ରିପୁରା: ଏହି ରାଜ୍ୟରେ କ୍ରମାଗତ ୨୫ ବର୍ଷ ହେଲା ବାମପନ୍ଥୀ ମେଣ୍ଟ କ୍ଷମତାରେ ରହିଛି । ମେଣ୍ଟର ନେତା ଭାବେ ମାଣିକ ସରକାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ଏ ପର୍ଯ୍ୟନ୍ତ ସେ ୧୯ ବର୍ଷ ଧରି ଏହି ପଦରେ ରହିଛନ୍ତି । ୨୦୧୩ ନିର୍ବାଚନରେ ବାମପନ୍ଥୀ ମେଣ୍ଟ ଏଠାରେ ବିପୁଳ ବିଜୟ ହାସଲ କରିଥିଲା । ମେଣ୍ଟ ରାଜ୍ୟର ମୋଟ ୬୦ ଆସନରୁ ୫୧ ଆସନରେ ବିଜୟୀ ହୋଇଥିଲା । ବାକି ଆସନ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯାଇଥିଲା ।

 

ଗତ ନିର୍ବାଚନରେ ଗୋଟିଏ ହେଲେ ବି ଆସନ ଜିତିବାକୁ ସକ୍ଷମ ହୋଇ ନଥିବା ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ବାମାପନ୍ଥୀ ମେଣ୍ଟକୁ କ୍ଷମତାଚ୍ୟୁତ କରିବା ପାଇଁ ଜୋରଦାର ଅଭିଯାନ ଚଳାଇଛି । ଚଳିତ ବିଧାନସଭାରେ କଂଗେସର ଥିôବା ୬ ଜଣ ବିଧାୟକ ପ୍ରଥମେ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ । ପରେ ସେମାନେ ସମସ୍ତେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ।

 

ମେଘାଳୟ: ମେଘାଳୟରେ କଂଗ୍ରେସ ଦଳ ଗତ ୮ ବର୍ଷ ଧରି କ୍ଷମତାରେ ରହିଛି । ଏହି ରାଜ୍ୟର ନିର୍ବାଚନ କଂଗ୍ରେସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଦଳ ହାତରେ ଏବେ ମାତ୍ର ହାତଗଣତି ରାଜ୍ୟ ରହିଛି । ଗତ ନିର୍ବାଚନରେ କଂଗ୍ରେସ ରାଜ୍ୟର ୬୦ ଆସନରୁ ୨୯ଟି ଆସନରେ ବିଜୟୀ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ରାଜ୍ୟରେ ଏକ ସ୍ଥିର ସରକାରର ନେତୃତ୍ୱ ନେବାରେ ସଫଳ ହୋଇଥିଲେ ବି ଭାରତୀୟ ଜନତା ପାର୍ଟି ଏଠାରେ ମଧ୍ୟ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ ଚଳାଇଛି । ରାଜ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଡିସେମ୍ବର ମାସରେ ରାଜ୍ୟରେ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିଥିଲେ ।

 

ଭାରତୀୟ ଜନତା ପାର୍ଟି ବ୍ୟତିତ ନ୍ୟାସନାଲ ପିପୁଲସ ପାର୍ଟି ବା ଏନପିପି ମଧ୍ୟ ଏଠାରେ ଶାସକ କଂଗ୍ରେସ ଦଳକୁ କଡ଼ା ମୁକାବିଲା କରିବାର ସମ୍ଭାବନା ରହିଛି । ଲୋକସଭାର ପୂର୍ବତନ ବାଚସ୍ପତି ପିଏ ସାଙ୍ଗମା ଏହି ଦଳର ପ୍ରତିଷ୍ଠା କରିଥିଲେ । ତାଙ୍କ ଝିଅ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆଗାଥା ସାଙ୍ଗମା ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ । ଜୟନ୍ତିଆ ଓ ଖାସି ପାର୍ବତ୍ୟାଞ୍ଚଳରେ ଏହି ଦଳର ଅଧିକ ପ୍ରଭାବ ରହିଛି । ସେହିପରି ମିଳିତ ଗଣତାନ୍ତ୍ରିକ ଦଳ ବା ୟୁଡିପି ମଧ୍ୟ ମେଘାଳୟରେ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକ ସହିତ ମେଣ୍ଟ କରି କଂଗ୍ରେସକୁ କଡ଼ା ଚାଲେଞ୍ଜ ଦେବାକୁ ପ୍ରସ୍ତୁତି ଚଳାଇଛି ।

 

ନାଗାଲାଣ୍ଡ: ନାଗାଲାଣ୍ଡରେ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି ନାଗା ପିପୁଲସ ଫ୍ରଣ୍ଟର ନେତା ଟିଆର ଜେଲିଆଙ୍ଗ । ସାତ ଦଶନ୍ଧି ଧରି ଚାଲିଥିôବା ବିଦ୍ରୋହୀ ସମସ୍ୟାର ସମାଧାନ କରିବା ପରେ ନିର୍ବାଚନ ହେଉ ବୋଲି ରାଜ୍ୟର ଅଧିକାଂଶ ସାମାଜିକ ସଂଗଠନ ଦାବି କରିଥିଲେ ମଧ୍ୟ ନିର୍ବାଚନ କମିଶନ ନିର୍ବାଚନ ନିର୍ଘଣ୍ଟ ଜାରି କରିଛନ୍ତି । କେଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜେଲିଆଙ୍ଗ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଥିଲେ । କିନ୍ତୁ ନିର୍ବାଚନ ଯଥା ସମୟରେ ହେବ ବୋଲି ରାଜନାଥ ଘୋଷଣା କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top