ହଜ ସବସିଡି ବନ୍ଦ

News Story - Posted on 2018-01-16

ବନ୍ଦ ହେଲା ହଜ୍ ସବସିଡି । ମୁସଲମାନ ଭକ୍ତମାନଙ୍କୁ ଚଳିତ ବର୍ଷଠାରୁ ଆଉ ହଜ୍ ଯାତ୍ରା ନିମନ୍ତେ ସରକାରୀ ରିହାତି ମିଳିବ ନାହିଁ । ମୋଦି ସରକାରଙ୍କ ସନ୍ତୁଷ୍ଟିକରଣ ବିନା ସଂଖ୍ୟାଲଘୁଙ୍କ ସଶକ୍ତିକରଣ ଇସ୍ତାହାରର ଅଂଶସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଘୋଷଣା କରିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି ।

 

ସାମ୍ବାଦିକମାନଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ ସନ୍ତୁଷ୍ଟିକରଣ ବିନା ସଂଖ୍ୟାଲଘୁଙ୍କ ସଶକ୍ତିକରଣ ପାଇଁ ସରକାର ସଂକଳ୍ପ ଗ୍ରହଣ କରିଥିଲେ । ସେଇ ଇସ୍ତାହାରର ଅଂଶ ଭାବେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୦୧୨ ମସିହାରେ ସୁପ୍ରିମ କୋର୍ଟ ଏକ ମାମଲାର ବିଚାର କରି ୨୦୨୨ ସୁଦ୍ଧା ହଜ୍ ସବସିଡି ଉଚ୍ଛେଦ କରିବାକୁ ରାୟ ଦେଇଥିଲେ । ସେହି ରାୟ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି । ହଜନୀତିରେ ସଂଶୋଧନ ପାଇଁ ପୂର୍ବରୁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠିତ ହୋଇଥିଲା । ସେହି କମିଟିର ସୁପାରିଶକୁ ସରକାର ଗ୍ରହଣ କରିଛନ୍ତି ।

 

ହଜ୍ ପାଇଁ ଯେଉଁ ସବସିଡ଼ି ମିଳୁଥିଲା ସେ ବାବଦ ପାଣ୍ଠିକୁ ମୁସଲମାନ ଝିଅଙ୍କ ଶୈକ୍ଷିକ ସଶକ୍ତିକରଣ ଓ କଲ୍ୟାଣ ନିମନ୍ତେ ଖର୍ଚ୍ଚ ହେବ ବୋଲି ନକଭି କହିଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି ଯେ ସବସିଡି ବନ୍ଦ ହେବା ଫଳରେ ଭକ୍ତଙ୍କ ହଜଯାତ୍ରା ଖର୍ଚ୍ଚ ବଢ଼ିଯିବ ବୋଲି କେହି ଭାବିବା ଉଚିତ ନୁହେଁ । ସରକାର ଉଭୟ ବିମାନ ଓ ଜାହାଜ ଯାତ୍ରା ପାଇଁ ବ୍ୟବସ୍ଥା କରିବେ । ଏହା ଛଡ଼ା ଭାରତୀୟ ହଜ କମିଟି ଓ ଘରୋଇ ଟୁର ଅପରେଟରଙ୍କ ମଧ୍ୟରେ ହଜଯାତ୍ରା କୋଟା ୭୦:୩୦ ଅନୁପାତରେ ବଣ୍ଟନ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହଜ ସବସିଡି ଲୋଭରେ ଅନେକ ସମୟରେ ଅସାଧୁ ଟୁର ଠିକାଦାରମାନେ ଭକ୍ତମାନଙ୍କୁ ବେଆଇନ ଭାବେ ପଠାଇବା ବ୍ୟବସ୍ଥା କରିଥାନ୍ତି । ଏଣିକି ଏହା ବନ୍ଦ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

ଚଳିତ ବର୍ଷ ପାଇଁ ଭାରତର ହଜ୍ କୋଟା ଆଉ ୫୦୦୦ ବୃଦ୍ଧି କରିଛି ସାଉଦି ଆରବ । ଏହା ଫଳରେ ଏବର୍ଷ ଭାରତରୁ ୧.୭୫ ହଜାର ମୁସଲିମ ଭକ୍ତ ହଜଯାତ୍ରା କରିପାରିବେ । ସେହିପରି ଏଥର ଭାରତରୁ ୧୩୦୦ ମୁସଲିମ ମହିଳା ମଧ୍ୟ ହଜଯାତ୍ରାରେ ଯାଇପାରିବେ । ମହିଳାଙ୍କ ହଜଯାତ୍ରା ନେଇ ପୂର୍ବରୁ ରହିଥିବା ବ୍ୟବସ୍ଥାରେ ରିଆଧ କିଛିଟା କୋହଳ କରିଛି । ଏଥର ମୁସଲିମ ମହିଳାମାନେ ମେହରମ ବିନା ହଜଯାତ୍ରା କରିପାରିବେ । ମେହରମ ହେଉଛି ବିବାହ ଅଯୋଗ୍ୟ ପୁରୁଷ ସାଥୀ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top