‘ଘଇତାକୁ ମାରିଦେଲେ ପ୍ରମାଣ ମିଳିବନି’

News Story - Posted on 2018-01-16

ଭୁବନେଶ୍ୱରରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସୂର୍ଯ୍ୟମଣି ମିଶ୍ରଙ୍କ ପତ୍ନୀଙ୍କ ଉପରେ ପୁଣିଥରେ ଆକ୍ରମଣ କରାଯାଇଥିବା ଘଟଣା ନେଇ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଏତଲା ଦିଆଯାଇଛି । ନିଜକୁ ସୋସିଆଲ୍‍ ମିଡ଼ିଆରେ ଆର୍‍ଏସ୍‍ଏସ୍‍ ଓ ବିଜେପିର ଆଗଧାଡ଼ିର କର୍ମୀବୋଲି ପରିଚୟ ଦେଉଥିବା ସତ୍ୟବ୍ରତ ମିଶ୍ର ନାମକ ଜନୈକ ବ୍ୟକ୍ତି ମଙ୍ଗଳବାର ଜାନୁଆରି ୧୬, ୨୦୧୮ ପୂର୍ବାହ୍ନରେ ଆକ୍ରମଣ କରିଥିବା ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ।

 

ଏତଲା ଅନୁସାରେ ସତ୍ୟବ୍ରତ ଅଚାନକ ଭାବେ ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ପତ୍ନୀ ଆରତୀ ମିଶ୍ରଙ୍କ ପାଖକୁ ଆସି ତୋ ଖ୍ରୀଷ୍ଟିଆନ୍‍ ଜାରଜ ସନ୍ତାନ ସୂର୍ଯ୍ୟମଣି ମିଶ୍ର ଏବେ କେଉଁଠି ବୋଲି ପଚାରିଥିଲେ । ଆରତୀ ଅଚାନକ ଏତାଦୃଶ ମନ୍ତବ୍ୟକୁ ନେଇ ପ୍ରତିବାଦ କରିବା ମାତ୍ରେ ସେ ତାଙ୍କ ବେକକୁ ଧରି ବିଧା, ଚାପୁଡ଼ା ମାରି ମାରିଦେବି ବୋଲି କହିଥିଲେ । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସହ ମୋର ସମ୍ପର୍କ ଅଛି, ଧର୍ମେନ୍ଦ୍ର ପ୍ରଧାନ ଆମ ମନ୍ଦିରକୁ ଆସି ମୋ ସହ ଫଟୋ ଉଠାଇଛନ୍ତି ଜାଣିଛୁ ତ? ମୋ ପଛରେ ମୋ ଦୁଇ ଭାଇ ଏବଂ ଶହେ ସ୍ୱୟଂସେବକ ଓ ବଜରଙ୍ଗୀ ଭାଇ ଅଛନ୍ତି । ତୋ ଘଇତା ବହୁତ ସଂଘ ବିରୁଦ୍ଧରେ ଲେଖୁଛି, ମାରିଦେଲେ ପ୍ରମାଣ ମିଳିବନି । ଏବେଠୁ ଚୁପ୍‍ଚାପ୍‍ ରୁହ । ଥାନାରେ ଜଣାଇବୁ ତ ତୋ ଘଇତାକୁ ମାରିବି ଏବଂ ତୋ ଘରର ଚିହ୍ନବର୍ଣ୍ଣ ରଖିବିନି ବୋଲି ଧମକ ଦେଇଥିଲେ । ଆରତୀଙ୍କ ପାଟି ଶୁଣି ପାଖର ଲୋକମାନେ ଆସିବା ପରେ ସେ ସ୍ଥାନ ଛାଡ଼ି ପଳାଇଯାଇଥିଲେ ।

 

ସତ୍ୟବ୍ରତଙ୍କ ଏତାଦୃଶ ଆକ୍ରମଣ ପ୍ରଥମ ନୁହେଁ, ବିଭିନ୍ନ ମିଛ ମାମଲା ରୁଜ୍ଜୁ କରି ଥରକୁ ଥର ସାମ୍ବାଦିକ ପରିବାରକୁ ଉଚ୍ଛନ୍ନ କରିବା ପାଇଁ ଉଦ୍ୟମ କରିଛନ୍ତି । ପୂର୍ବରୁ ଶ୍ରୀ ମିଶ୍ରଙ୍କ ପତ୍ନୀ ଏକାଧିକଥର ମଙ୍ଗଳପୁର ଥାନାରେ ଏତଲା ଦେବା ସହ ସୁରକ୍ଷା ମାଗିଥିଲେ ହେଁ ପୁଲିସ କାହିଁକି କେଜାଣି ଆକ୍ରମଣକାରୀଙ୍କ ପ୍ରତି ନରମଭାବ ପୋଷଣ କରିବା ସହ ମାମଲା ରୁଜ୍ଜୁ କରିନାହାନ୍ତି । ସାମ୍ବାଦିକ ଶ୍ରୀ ମିଶ୍ର ପରିବାର ଉପରେ ଥରକୁଥର ଆକ୍ରମଣକୁ ନେଇ ତାଙ୍କୁ ମାରିଦେବା ପାଇଁ ଏଭଳି ମାନସିକ ଚାପ ପ୍ରୟୋଗ କରାଯାଉଛି, ତାଙ୍କର ଆକସ୍ମିକ ମୃତ୍ୟୁ ଯେ ହତ୍ୟା ଏହାକୁ ଲିପିବଦ୍ଧ କରିବା ପାଇଁ ମଙ୍ଗଳପୁର ଥାନାକୁ ଜଣାଇଛନ୍ତି । ସେ କମ୍ୟୁନିଷ୍ଟ, ଖ୍ରୀଷ୍ଟିଆନ୍‍, ସେ ଜାରଜ ସନ୍ତାନ ବୋଲି ସତ୍ୟବ୍ରତ ଓ ତାଙ୍କର ପରିବାର ତଥା କେତେକ ବିଜେପି କର୍ମୀଙ୍କ ପକ୍ଷରୁ ଏଭଳି ଆକ୍ରମଣ କରାଯାଉଥିବା ଶ୍ରୀ ମିଶ୍ର ଥାନାକୁ ଜଣେଇବା ସହ ଏ ସଂପର୍କରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ପୂର୍ବରୁ ଶ୍ରୀ ମିଶ୍ରଙ୍କ ପତ୍ନୀ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ତାଙ୍କ ଆବେଦନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଶ୍ରୀ ମିଶ୍ର ଉଦ୍‍ବେଗର ସହ ଜଣାଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top