୭ ପାକ୍ ସୈନ୍ୟ, ୬ ଆତଙ୍କବାଦୀ ନିପାତ

News Story - Posted on 2018-01-15

ସେନା ଦିବସରେ ଭାରତୀୟ ନିରାପତ୍ତା ବାହିନୀକୁ ମିଳିଛି ବଡ଼ ଧରଣର ସଫଳତା । ଜାମ୍ମୁକାଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ୭ ପାକ୍ ସୈନ୍ୟ ଓ ୬ ଜେଇଏମ ଆତଙ୍କବାଦୀ ନିପାତ ହୋଇଛନ୍ତି । ପାକ୍ ସୈନିକମାନେ ପୁଞ୍ଚ ସେକ୍ଟର ନିକଟରେ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ଉରି ସେକ୍ଟରରେ ନିପାତ ହୋଇଛନ୍ତି ।

 

ତାଲିମପ୍ରାପ୍ତ ଆତ୍ମଘାତୀ ଆତଙ୍କବାଦୀଙ୍କୁ ଭାରତ ସୀମା ଭିତରକୁ ଅନୁପ୍ରବେଶ କରାଇବା ପାଇଁ ଅନେକ ସମୟରେ ପାକ୍ ସୈନିକମାନେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନା ଶିବିର ଉପରକୁ ଗୁଳିମାଡ଼ କରିଥାନ୍ତି । ଅନୁପ୍ରବେଶ ଉପରୁ ଭାରତୀୟ ସେନାର ଦୃଷ୍ଟି ହଟେଇବା ପାଇଁ ପାକ୍ ସେନା ଏହି କୌଶଳ ଅବଲମ୍ବନ କରିଥାଏ । ଗୋଟେ ଜାଗାରେ ପାକ୍ ସେନା ଆକ୍ରମଣ ଜାରି ରଖିଲେ ଭାରତୀୟ ସେନା ସେହି ଅଂଚଳରେ କଡ଼ା ନଜର ରଖେ । ଏଇ ସୁଯୋଗରେ ଅନ୍ୟ ଜାଗାରେ ଆତଙ୍କବାଦୀମାନେ ସୀମାପାର କରିଥାନ୍ତି ।

 

ଏଥର କିନ୍ତୁ ପାକିସ୍ତାନର ଏହି କୌଶଳ ସଫଳ ହୋଇନାହିଁ । ଜାମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ଗୁଳିଚାଳନା ହେବା ପରେ ତାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ୭ ଜଣ ସୈନିକ ନିହତ ହୋଇଥିବା ଭାରତୀୟ ସେନା ଦାବି କରିଛି । ତେବେ ପାକିସ୍ତାନ କହିଛି ଯେ ଭାରତର ଆକ୍ରମଣରେ ମାତ୍ର ୪ ଜଣ ପାକ୍ ସୈନ୍ୟଙ୍କର ମୃତ୍ୟୁ ଘଟିଛି ।

 

ଗତକାଲି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଥିଲେ ଯେ ଆତଙ୍କବାଦର ମୁକାବିଲା ପାଇଁ ଭାରତୀୟ ସେନା ଅଧିକ ଜୋରଦାର ସାମରିକ ଅଭିଯାନ ଚଳାଇବ । ଆଜି ମଧ୍ୟ ସେନା ଦିବସରେ ସେନା ବାହିନୀକୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦିଆଯାଉଛି । ଦରକାର ପଡ଼ିଲେ ଅଧିକ କଠୋର ପଦକ୍ଷେପ ନିଆଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ପାକିସ୍ତାନୀ ସେନା ଉଭୟ ଦେଶ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ୭୨୪ ଥର ଯୁଦ୍ଧ ବିରତି ସର୍ତ୍ତ ଉଲ୍ଲଙ୍ଘନ କରିଛି । ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ । ଗତ ବର୍ଷ ଅକ୍ଟୋବର ମାସ ଭିତରେ ପାକ୍ ଆକ୍ରମଣରେ ଭାରତର ୧୨ ଜଣ ବେସାମରିକ ନାଗରିକ ଓ ୧୭ ଜଣ ଜବାନଙ୍କର ମୃତ୍ୟୁ ହୋଇଯାଇଛି । ଏହାର ଜବାବ ଦେବାକୁ ଚଳିତ ବର୍ଷ ପ୍ରାରମ୍ଭରୁ ଭାରତୀୟ ସେନା ନୂଆ କୌଶଳ ପ୍ରୟୋଗ କରିଛି ।

 

ଆଜି ଅନ୍ୟ ଏକ ଘଟଣାକ୍ରମରେ ଜାମ୍ମୁକାଶ୍ମୀର ଉରି ସେକ୍ଟର ଅନ୍ତର୍ଗତ ଦୁଲଜନା ନିକଟରେ ନିରାପତ୍ତା ବାହିନୀ ସହିତ ଏନକାଉଣ୍ଟରରେ ପାକିସ୍ତାନୀ ଜୈଶ-ଇ-ମହମ୍ମଦ ସଂଗଠନର ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁକାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଏସପି ବୈଦ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ ପାକ୍ ତାଲିମପ୍ରାପ୍ତ ଆତ୍ମଘାତୀ ଆତଙ୍କବାଦୀମାନେ ଉରି ସେକ୍ଟର ଦେଇ ଭାରତକୁ ଅନୁପ୍ରବେଶ କରିବାର ସମ୍ଭାବନା ନେଇ ପୂର୍ବରୁ ସୂଚନା ମିଳିଥିଲା । ତେଣୁ ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ବା ସିଆରପିଏଫ ଏବଂ ରାଜ୍ୟ ପୁଲିସର ମିଳିତ ରଣକୌଶଳରେ ସୀମା ନିକଟରେ ବ୍ୟୁହ ରଚନା କରାଯାଇଥିଲା । ଆଜି ଏହି ବ୍ୟୁହରେ ଧରାପଡ଼ିଥିଲେ ଅନୁପ୍ରବେଶକାରୀ ଆତଙ୍କବାଦୀ । ସେମାନେ ବ୍ୟୁହରେ ପ୍ରବେଶ କରିଥିବା ଜାଣିବା ପରେ ଗୁଳି ଚାଳନା କରିଥିଲେ । ଭାରତୀୟ ନିରାପତ୍ତା ବାହିନୀ ପକ୍ଷରୁ ତାହାର ଜବାବ ଦିଆଯାଇଥିଲା । କିଛି ସମୟର ଗୁଳି ବିନିମୟରେ ଅନୁପ୍ରବେଶ କରୁଥିବା ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ବୈଦ୍ୟ କହିଛନ୍ତି । ତାଙ୍କ ସୂଚନା ଅନୁସାରେ ୫ ଜଣ ଆତଙ୍କବାଦୀଙ୍କର ମୃତଦେହ ମିଳିଛି । ଅନ୍ୟ ଜଣକର ମୃତଦେହର ସନ୍ଧାନ କରାଯାଉଛି । ନିହତ ଆତଙ୍କବାଦୀମାନେ ଜୈଶ-ଇ-ମହମ୍ମଦ ସଂଗଠନର ଓ ସେମାନେ ସମସ୍ତେ ଆତ୍ମଘାତୀ ବୋଲି ବୈଦ୍ୟ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top