ମୋଦିଙ୍କ ଅଚ୍ଛେ ଦିନ- ପେଟ୍ରୋଲ ଟପିଲା ୭୧

News Story - Posted on 2018-01-15

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦଳ ୭୧ ଟଙ୍କା ଟପିଛି । ଡିଜେଲ ଦର ମଧ୍ୟ ପଛରେ ପଡ଼ିନାହିଁ । ଦିଲ୍ଲୀରେ ଆଜି ଡିଜେଲ ଦର ଲିଟର ପିଛା ୬୧.୭୪ ଟଙ୍କା ହୋଇଯାଇଛି । ସରକାର କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବୃଦ୍ଧି ପାଇଥିବାରୁ ଭାରତୀୟ ବଜାର ଉପରେ ତାହାର ପ୍ରଭାବ ପଡ଼ିଛି । ତେବେ ଚାରି ବର୍ଷ ତଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ଯେତେ ଥିଲା ଏବେ ବି ତାହାଠାରୁ କମ୍ ରହିଛି । କିନ୍ତୁ ଚାରି ବର୍ଷ ତଳେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଯାହା ଥିଲା ଏବେ ତା’ଠାରୁ ଯଥେଷ୍ଟ ଅଧିକ ହୋଇଯାଇଛି ।

 

ଦିଲ୍ଲୀରେ ୨୦୧୭ ଡିସେମ୍ବର ୧୨ ତାରିଖରୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି । ଏଇ ମାସକ ଭିତରେ ପେଟ୍ରୋଲ ଦର ଲିଟର ପିଛା ୨.୦୯ ଟଙ୍କା ଏବଂ ଡିଜେଲ ଦର ୩.୪ ଟଙ୍କା ବୃଦ୍ଧି ପାଇଛି । ମୁମ୍ବାଇରେ ଡିଜେଲ ଦର ଲିଟର ପିଛା ୬୫.୭୪ ଟଙ୍କାକୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ ଓ ଡିଜେଲ ଦର ୬୬ ଟଙ୍କା ଟପି ଯାଇଛି । ତଥାପି କେନ୍ଦ୍ର ସରକାର ଏହା ଉପରେ ଉତ୍ପାଦ ଶୁଳ୍କ କମାଉ ନାହାନ୍ତି କି ପେଟ୍ରୋଲ ଉତ୍ପାଦକୁ ଜିଏସଟି ପରିସରକୁ ଆଣୁ ନାହାନ୍ତି । ରାଜ୍ୟଗୁଡ଼ିକ ବିରୋଧ କରିବେ ବୋଲି କହି କେନ୍ଦ୍ର ଏହି ନିଷ୍ପତ୍ତି ନେଉନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରୁନାହାନ୍ତି ।

 

ଉପା ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୪୦ ଡଲାର ଛୁଇଁଥିଲା । ସେତେବେଳେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଏତେ ଅଧିକ ହୋଇନଥିଲା । ଏ ସରକାର ଆସିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ଏକଦା ବ୍ୟାରେଲ ପିଛା ୨୮ ଡଲାରକୁ ଖସିଯାଇଥିଲା । ମାତ୍ର ସେହି ଅନୁସାରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମି ନଥିଲା । ଏବେ କେଇ ମାସ ଭିତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବଢ଼ିବଢ଼ି ବ୍ୟାରେଲ ପିଛା ୭୦ ଡଲାରରେ ପହଂଚିଛି । ଅର୍ଥାତ ଉପା ସମୟର ଦରଠାରୁ ଅଧା ଦରରେ ଅଶୋଧିତ ପେଟ୍ରୋଲିୟମ ବିକ୍ରି ହେଉଛି । କିନ୍ତୁ ଭାରତରେ ପେଟ୍ରୋଲ ଓ ଡିଜେଲ ଉପା ସମୟର ଦରଠାରୁ ଅଧା ହେବା ପରିବର୍ତ୍ତେ ବଢ଼ି ବଢ଼ି ତାହାକୁ ଟପି ଯାଇଛି ।

 

ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଦର କମୁଥିବାବେଳେ ଏନଡିଏ ସରକାର ତାହାର ଫାଇଦା ଖାଉଟିଙ୍କୁ ଦେବା ପରିବର୍ତ୍ତେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ । ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ । ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ଉପରେ ୧୧.୭୭ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୧୩.୪୭ ଟଙ୍କା ଉତ୍ପାଦ ଶୁଳ୍କ ହିସାବ ହେଉଥିଲା । ଏହା ଫଳରେ ସରକାର ୨୦୧୬-୧୭ ଆର୍ଥିକ ବର୍ଷରେ କେବଳ ପେଟ୍ରୋ ଉତ୍ପାଦରୁ ୨,୪୨,୦୦୦ କୋଟି ଟଙ୍କାର ରାଜସ୍ୱ ଅର୍ଜନ କରିଥିଲେ । ଅନ୍ତର୍ଜାତୀୟ ବଜାରରେ ଦରହ୍ରାସ ପାଇଥିବାରୁ ଏହି ଅର୍ଥ ସାଧାରଣ ଖାଉଟିଙ୍କ ପକେଟରେ ରହିଥାନ୍ତା । କିନ୍ତୁ କେନ୍ଦ୍ର ସରକାର ତାହା ଉତ୍ପାଦ ଶୁଳ୍କ ଆକାରରେ ହଡ଼ପ କରିନେଲେ ।

 

ଏ ବିଷୟରେ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ରାଜ୍ୟଗୁଡ଼ିକ ଭାଟ୍ ହ୍ରାସ କରି ଖାଉଟିଙ୍କର କଲ୍ୟାଣ କରନ୍ତୁ । ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଏନେଇ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ପେଟ୍ରୋ ଉତ୍ପାଦକୁ ଜିଏସଟିଭୁକ୍ତ କରିବାକୁ କେନ୍ଦ୍ର ରାଜି କିନ୍ତୁ ରାଜ୍ୟଗୁଡ଼ିକ ରାଜି ହେବା ଦରକାର । ରାଜ୍ୟଗୁଡ଼ିକ ମଧ୍ୟ ନିଜ ଆଡ଼ୁ ଏହି ପ୍ରସ୍ତାବ ଦେଉନାହାନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top