ଗୁଜରାଟ ମଡେଲ- ଏକ ମାୟାଜାଲ

News Story - Posted on 2018-01-15

ସରଳ କୁମାର ଦାସ

 

ମୋଦିଙ୍କୁ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପର୍ଯ୍ୟନ୍ତ ଜାତୀୟ ସ୍ତରରେ ସବୁ ବର୍ଗର ନେତା ଭାବେ ତାଙ୍କର ଗ୍ରହଣୀୟତା ନଥିଲା। ସେ ପର୍ଯ୍ୟନ୍ତ ତାଙ୍କୁ କେହି କେହି ହିନ୍ଦୁ ହୃଦୟ ସମ୍ରାଟ ଭାବେ ସମ୍ବୋଧନ କରୁଥିଲେ। ସମ୍ଭବତଃ, ତାଙ୍କର ଏହି ଛବିରେ ପରିବର୍ତ୍ତନ ଆଣି ତାଙ୍କୁ ବିକାଶ ପୁରୁଷ ଭାବେ ଉପସ୍ଥାପିତ କରିବାର ଆବଶ୍ୟକତା ଅନୁଭୂତ ହେବାରୁ ଦଳର ପ୍ରବୁଦ୍ଧ ମଣ୍ଡଳ (ଥିଙ୍କ ଟ୍ୟାଙ୍କ) ଦୁଇଟି ଖଣ୍ଡବାକ୍ୟର ସାହାଯ୍ୟ ନେଇଥିଲେ। ପ୍ରଥମଟି ହେଉଛି ଅଚ୍ଛେ ଦିନ, ଯାହା ନିର୍ବାଚନୀ ସଭାମାନଙ୍କରେ ଖୋଦ୍ ମୋଦିଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ଅନ୍ୟଟି ମୋଦିଙ୍କ ଶାସନ କାଳରେ ଗୁଜରାଟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଗୁଜରାଟ ମଡେଲର ଆଖ୍ୟା ଦେଇ ସେହି ଧରଣର ବିକାଶ ସମଗ୍ର ଦେଶରେ ସମ୍ଭବ ବୋଲି ପ୍ରଚାରିତ ହେଲା। ହେଲେ ଏ ଯାଏଁ ଅଚ୍ଛେ ଦିନ ଦେଶବାସୀଙ୍କ ପାଇଁ ଏକ ସ୍ବପ୍ନ ହୋଇ ରହିଥିବା ବେଳେ, ସେମାନେ ଏବେ ବି ଗୁଜରାଟ ମଡେଲ ବିକାଶର ସୁଫଳ ପାଇବା ଅପେକ୍ଷାରେ। ତେଣୁ ଗୁଜରାଟ ମଡେଲର ସ୍ବରୂପ କ’ଣ, ତାହା ବୁଝିବା ନିତାନ୍ତ ଆବଶ୍ୟକ।

 

ଗୁଜରାଟୀ ଲୋକମାନେ ବେଶ ଉଦ୍ୟୋଗୀ ଓ ବେପାର ବଣିଜ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସେମାନେ ସର୍ବଦା ଅଗ୍ରଣୀ। ଅର୍ଥନୈତିକ ଦୃଷ୍ଟିରୁ ଏକ ବିକଶିତ ରାଜ୍ୟ ଭାବେ ଗୁଜରାଟର ପରିଚୟ ଦୀର୍ଘଘ ଦିନରୁ ରହି ଆସିଛି। ଗୁଜରାଟ ଏକ ଶିଳ୍ପସମୃଦ୍ଧ ରାଜ୍ୟ ହୋଇଥିବାରୁ ନବେ ଦଶକରେ ପ୍ରବର୍ତ୍ତିତ ଆର୍ଥିକ ଉଦାରୀକରଣ ନୀତି ଦ୍ବାରା ଅନ୍ୟ ରାଜ୍ୟ ତୁଳନାରେ ଏହା ଅଧିକ ଲାଭବାନ ହୋଇଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଶତକଡା ୭ରୁ ୮ ଭାଗ ଗୁଜରାଟରୁ ଆସିଥାଏ। କେବଳ ମୋଦିଙ୍କ ସମୟରେ ନୁହେଁ, ବରଂ ୧୯୦୮୦ରୁ ଏହି ହାର ବଜାୟ ରହିଆସିଛି।

 

ରାଜ୍ୟରେ ମୋଦି କ୍ଷମତାକୁ ଆସିଲା ପରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣି ଗୁଜରାଟକୁ ଏକ ବଳକା ରାଜ୍ୟରେ ପରିଣତ କରାଇ ପାରିଲେ। ସବୁ ପ୍ରକାର ଭିତ୍ତିଭୂମିର ସମନ୍ବିତ ବିକାଶ ଉପରେ ଗୁରୁତ୍ବ ଦେଇ ସେ ଗୁଜରାଟ ଭିତ୍ତିଭୂମି ବିକାଶ ବୋର୍ଡର ପ୍ରତିଷ୍ଠା କଲେ, ଯଦ୍ବାରା ରାସ୍ତାଘାଟଠାରୁ ଆରମ୍ଭ କରି ବନ୍ଦର ପ୍ରତିଷ୍ଠା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହେଲା। ମେଗା ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଗୁଜରାଟକୁ ସବୁଠୁ ଅଧିକ ଆକର୍ଷକ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ପାଇଁ ଶିଳ୍ପନୀତିରେ ପରିବର୍ତ୍ତନ କରାଗଲା। ଚାଷ ଜମିକୁ ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହାର କରିବାର ନିୟମକୁ କୋହଳ କରାଗଲା। ଫଳରେ ଆଦାନୀ, ଆମ୍ବାନୀ, ରୁଇଆଙ୍କ ଭଳି ମୁଷ୍ଟିମେୟ ଶିଳ୍ପପତିଙ୍କ ଅକ୍ତିଆରକୁ ଶାଗମାଛ ଦରରେ ହଜାର ହଜାର ହେକ୍ଟର ଚାଷଜମି ଆସିଗଲା। ଏମାନଙ୍କ ପୁଞ୍ଜିପ୍ରଧାନ ବଡ଼ବଡ଼ ଶିଳ୍ପରେ ସଂଚାଳିତ ଯାନ୍ତ୍ରିକରଣ (ଅଟୋମେସନ) ଉପରେ ଗୁରୁତ୍ବ ଦିଆ ଯାଉଥିବାରୁ ନିଯୁକ୍ତି ସୁଯୋଗ କମିଗଲା।

 

ଅନ୍ୟପକ୍ଷରେ ଶ୍ରମ ଆଇନକୁ କୋହଳ କରାଯାଇଥିବାରୁ ଶିଳ୍ପସଂସ୍ଥାମାନେ ନିୟମିତ ଶ୍ରମିକଙ୍କ ସ୍ଥାନରେ ଠିକା ଶ୍ରମିକ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ନିୟମିତ ଶ୍ରମିକଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ହୋଇ ନଥିବା ବେଳେ ଠିକା ଶ୍ରମିକଙ୍କ ସଂଖ୍ୟାରେ ମାତ୍ର ୦.୪ ପ୍ରତିଶତ ବୃଦ୍ଧି ଘଟିଛି। ଜାତୀୟ ନମୁନା ସର୍ଭେ ସଂସ୍ଥାର ତଥ୍ୟ ଅନୁଯାୟୀ ଗୁଜରାଟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜାତୀୟ ହାରର ମଜୁରୀ ତୁଳନାରେ ଯଥାକ୍ରମେ ଶତକଡା ୨୦ ଭାଗ ଓ ୧୫ ଭାଗ କମ ମଜୁରୀ ପ୍ରଦାନ କରାଯାଉଛି। ଏହି କୋହଳ ଶ୍ରମନୀତି ଓ ଅପେକ୍ଷାକୃତ କମ ମଜୁରୀ, ଶିଳ୍ପସଂସ୍ଥାମାନଙ୍କୁ ଗୁଜରାଟରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବାର ଅନ୍ୟତମ କାରଣ। ୨୦୧୩ର ତଥ୍ୟ ଅନୁଯାୟୀ ବଡବଡ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ବ ଦେଉଥିବା ଗୁଜରାଟର ଶିଳ୍ପ କ୍ଷେତ୍ରରେ ଦେଶର ପ୍ରାୟ ଶତକଡା ୧୮ ଭାଗ ପୁଞ୍ଜିଲଗାଣ ସହ ମାତ୍ର ଶତକଡା ୧୦ ଭାଗ ଶିଳ୍ପ ଶ୍ରମିକ ଥିବାବେଳେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ବ ଦେଉଥିବା ତାମିଲନାଡୁର ଶିଳ୍ପରେ ଶତକଡା ୧୦ ଭାଗ ପୁଞ୍ଜିଲଗାଣ ସହ ଶତକଡା ୧୬ ଭାଗ ଶିଳ୍ପ ଶ୍ରମିକ ଅଛନ୍ତି। ଅର୍ଥାତ୍, ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ହେଲେ ଯେ ନିଯୁକ୍ତି ସମ୍ଭାବନା ଅଧିକ ବଢିବ, ତା’ର କିଛି ମାନେ ନାହିଁ।

 

ଗତ ଦଶକରେ କୃଷି କ୍ଷେତ୍ରରେ ଗୁଜରାଟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ଦେଶରେ କୃଷି ଅଭିବୃଦ୍ଧି ହାର ଶତକଡା ୩ ଭାଗ ଥିବା ବେଳେ ଗୁଜରାଟରେ ଶତକଡା ୧୧ ଭାଗରେ ପହଞ୍ଚି ପାରିଛି। ଅଧିକ ଚାଷଜମିରେ କପା, ଚିନାବାଦାମ, ଜିରା, ଧୂଆଁପତ୍ର ଭଳି ଅର୍ଥକରୀ ଫସଲ ଚାଷ ସହିତ ସେଗୁଡିକର ଉତ୍ପାଦକତା ବୃଦ୍ଧି, ଗୋପାଳନ, ମତ୍ସ୍ୟଚାଷରେ ଅଗ୍ରଗତି ହେବା ଦ୍ବାରା ଏହି ଅଭିବୃଦ୍ଧି ହାସଲ ହୋଇଛି। ତେବେ ଦୀର୍ଘଦିନ ପରେ ମଧ୍ୟ ନର୍ମଦା କେନାଲ ସମ୍ପୂର୍ଣ୍ଣ ହୋଇ ନଥିବାରୁ ବିସ୍ତୀର୍ଣ୍ଣ ଅଞ୍ଚଳର ଚାଷୀ ଏବେ ମଧ୍ୟ ବର୍ଷା ଉପରେ ନିର୍ଭରଶୀଳ ଓ ସେମାନଙ୍କ ଆର୍ଥିକ ସ୍ଥିତି ଭଲ ନୁହେଁ।

   

ଗୁଜରାଟରେ ମୁଣ୍ଡପିଛା ଆୟର ଅଭିବୃଦ୍ଧିକୁ ଉଦାହରଣ ଭାବେ ପ୍ରସ୍ତୁତ କରାଯାଇଥାଏ। ଦେଶର ହାରାହାରି ମୁଣ୍ଡପିଛା ଆୟଠାରୁ ଗୁଜରାଟର ମୁଣ୍ଡପିଛା ଆୟ ଅଧିକ ହୋଇଥିଲେ ମଧ୍ୟ ତାହା କେତେକ ରାଜ୍ୟଠାରୁ କମ। ତେବେ ଦୀର୍ଘ ଦିନରୁ ଗୁଜରାଟର ମୁଣ୍ଡପିଛା ଆୟ ଜାତୀୟ ହାରର ଆୟଠାରୁ ସବୁବେଳେ ଅଧିକ ରହି ଆସିଛି। ୧୯୮୮-୮୯ରେ ଅମର ସିଂହ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ଶତକଡା ୪୦ ଭାଗ ଟପି ଯାଇଥିଲା। ମୋଦିଙ୍କ ଶାସନ କାଳରେ ଏହା କେବେ ବି ଶତକଡା ୧୫ ଭାଗ ମଧ୍ୟ ଛୁଇଁ ନଥିଲା। ମୋଦିଙ୍କ ସମଗ୍ର ଶାସନ କାଳରେ ହାରାହାରି ଅଭିବୃଦ୍ଧି ହାର ଶତକଡା ୧୦ ଭାଗ ମଧ୍ୟରେ ସୀମିତ ଥିବା ବେଳେ ୧୯୮୧ରୁ ୧୯୯୫ ମଧ୍ୟରେ ତା’ଠାରୁ ଯଥେଷ୍ଟ ଅଧିକ ଥିଲା। ତେଣୁ ଗୁଜରାଟର ଅର୍ଥନୈତିକ ବିକାଶର ସମସ୍ତ ଶ୍ରେୟ ମୋଦିଙ୍କୁ ଦେବା ପ୍ରମାଦପୂର୍ଣ୍ଣ ହେବ। ବରଂ ୧୯୮୧ରୁ ୧୯୯୮ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଯେଉଁ ଅଗ୍ରଗତି ହୋଇଥିଲା, ତା’ର ଭିତ୍ତିଭୂମି ଉପରେ ବିକାଶର ଧାରାକୁ ଆଗେଇ ନେବା ମୋଦିଙ୍କ ପକ୍ଷରେ ସହଜ ହୋଇଥିଲା।

 

କିଛି ଲୋକ ରାସ୍ତାଘାଟ ଓ ଅନ୍ୟ ଭିତ୍ତିଭୂମିର ବିକାଶକୁ ବିକାଶ ବୋଲି ମନେ କରିଥାନ୍ତି, ମାତ୍ର ଏଗୁଡିକ, କେବଳ ବିକାଶ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାର ସାଧନ, ବିକାଶ ନୁହେଁ। ବିକାଶର ପ୍ରକୃତ ଅର୍ଥ ହେଉଛି ଏମିତି ଏକ ବାତାବରଣ ସୃଷ୍ଟି କରିବା ଯେଉଁଥିରେ ଲୋକେ ସୁସ୍ଥ ଓ ଦୀର୍ଘଜୀବୀ ହେବା ସହିତ ଜ୍ଞାନ ଆହରଣ କରି ସ୍ବାଭାବିକ ଜାବନଯାପନ କରି ପାରୁଥିବେ। ଆର୍ଥିକ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଗୁଜରାଟର ପ୍ରଦର୍ଶନ ଉନ୍ନତ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଜୀବନଧାରଣ ମାନକୁ ଇଙ୍ଗିତ କରୁଥିବା ଦାରିଦ୍ର୍ୟ, କୁପୋଷଣ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ସାମାଜିକ ସୂଚକଗୁଡିକରେ ଏହାର ପ୍ରଦର୍ଶନ ନୈରାଶ୍ୟଜନକ। ସାମାଜିକ କ୍ଷେତ୍ରରେ ଅଳ୍ପ ପରିମାଣର ଅର୍ଥ ବ୍ୟୟ ହେଉଥିବାରୁ ଏହାର କୁପରିଣାମ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ପଡୁଥିବା ପରିଲକ୍ଷିତ ହେଉଛି। ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଘରୋଇକରଣ ଯୋଗୁଁ ଏହା ବ୍ୟୟବହୁଳ ହେବା ସଙ୍ଗେସଙ୍ଗେ ଅନେକଙ୍କ ପହଞ୍ଚ ବାହାରେ। ୟୁନିସେଫର ଏକ ଅଧ୍ୟୟନ ଅନୁସାରେ ଗୁଜରାଟରେ ଶତକଡା ୩୩ ଭାଗ ଶିଶୁଙ୍କ ବୟସ ତୁଳନାରେ ଓଜନ କମ, ଯାହା ଜାତୀୟ ହାର ଶତକଡା ୨୯ ଭାଗଠାରୁ ଯଥେଷ୍ଟ ଅଧିକ। ଶିଶୁ ମୃତ୍ୟୁହାର, ସାକ୍ଷରତା, ଜୀବନ ପ୍ରତ୍ୟାଶା, ଦାରିଦ୍ର୍ୟ, ଲିଙ୍ଗ ଅନୁପାତ ଆଦି ପରିମାପକରେ ଗୁଜରାଟ ଯଥାକ୍ରମେ ୧୧, ୭, ୧୦, ୧୦ ଓ ୧୫ଶ ସ୍ଥାନରେ ରହିଛି। ମାନବ ବିକାଶ ସୂଚକାଙ୍କ ଆଧାରରେ ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟର ସ୍ଥାନ ଏକାଦଶ। ସ୍ବାସ୍ଥ୍ୟ, ଶିକ୍ଷା ଓ ଆୟ ସୂଚକାଙ୍କ ଭିତ୍ତିରେ ମାନବ ବିକାଶ ସୂଚକାଙ୍କ ସ୍ଥିର ହୋଇଥାଏ। ସ୍ବାସ୍ଥ୍ୟ ସୂଚକାଙ୍କରେ ଗୁଜରାଟ ଅଷ୍ଟମ ସ୍ଥାନରେ ଥିବାବେଳେ କେରଳ, ମହାରାଷ୍ଟ୍ର ଓ ପଞ୍ଜାବ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଶିକ୍ଷା ସୂଚକାଙ୍କରେ ଏହାର ସ୍ଥାନ ୧୩ ଥିବା ବେଳେ ହିମାଚଳ ପ୍ରଦେଶ, ତାମିଲନାଡୁ ଓ କେରଳ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ଆୟ ସୂଚକାଙ୍କରେ ଏହା ୫ମ ସ୍ଥାନରେ ଥିବା ବେଳେ ଗୋଆ, ହରିଆନା ଓ ମହାରାଷ୍ଟ୍ର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଅର୍ଥାତ୍, ଗୁଜରାଟର ପ୍ରଦର୍ଶନରେ ଉତ୍କର୍ଷତାର ଅଭାବ ରହିଛି।

 

କିଛି ଅର୍ଥଶାସ୍ତ୍ରୀଙ୍କ ମତରେ କୌଣସି ଅଞ୍ଚଳରେ ଦ୍ରୁତ ଅର୍ଥନୈତିକ ବିକାଶ ହେଲେ ତା’ର ସୁଫଳ ଆପେ ଆପେ ତଳ ସ୍ତରରେ ଥିବା ଲୋକଟିଏ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। କିନ୍ତୁ ଗୁଜରାଟର ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ବେ ସେଠାରେ ତାହା ଘଟିନାହିଁ। ଧନୀ ଲୋକେ ଅତ୍ୟଧିକ ଧନୀ ହୋଇଥିବା ବେଳେ, ଗରିବ ଲୋକେ ମୂଲଚାଲ ଶକ୍ତି ହରାଇ ଆହୁରି ଗରିବ ହୋଇଛନ୍ତି। ଏହି ମଡେଲର ମୂଳ ଲକ୍ଷ୍ୟ ହେଉଛି ଶିଳ୍ପ, ବାଣିଜ୍ୟ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟିକରିବା, ରାଜକୋଷ ବିନିମୟରେ ପୁଞ୍ଜିଲଗାଣକାରୀଙ୍କୁ ଆକୃଷ୍ଟ କରିବା, ଯେଉଁମାନେ ଅଭିବୃଦ୍ଧି ଉତ୍ପନ୍ନ କରିବେ, ରୋଜଗାର ସୃଷ୍ଟି କରନ୍ତୁ ବା ନ କରନ୍ତୁ। ଏପରି ଏକ ବିକାଶ ମଡେଲରେ ସର୍ବାଧିକ ଲୋକଙ୍କର ସର୍ବାଧିକ ଲାଭ ହେବା ସମ୍ଭବପର ନୁହେଁ। ତା’ଛଡା ବିଭିନ୍ନ ପରିମାପକ ଆଧାରରେ ଗୁଜରାଟର ସ୍ଥାନ, ଉପରେ ନୁହେଁ ବରଂ ମଝାମଝି। ତେଣୁ ଏକ ସାଧାରଣ ପ୍ରଦର୍ଶନକାରୀ ରାଜ୍ୟର ମଡେଲକୁ ଅନୁସରଣ କରିବା ଅପେକ୍ଷା ଭିନ୍ନଭିନ୍ନ ପରିମାପକରେ ଯେଉଁ ରାଜ୍ୟଗୁଡିକ ଉତ୍କର୍ଷତା ହାସଲ କରିଛନ୍ତି, ସେହି ସମସ୍ତ ସର୍ବଶ୍ରେଷ୍ଠ ପ୍ରଣାଳୀ (ବେଷ୍ଟ ପ୍ରାକ୍ଟିସ)ର ସମାହାରରେ ଏକ ଭାରତୀୟ ମଡେଲ ବିକଶିତ ହେଲେ, ତାହା ସବୁ ରାଜ୍ୟଙ୍କ ଦ୍ବାରା ଗ୍ରହଣୀୟ ହେବ। ତେଣୁ ଗୁଜରାଟ ମଡେଲ ବିକାଶର ଅବଧାରଣାକୁ ଦେଶବାସୀଙ୍କ ଉପରେ ଲଦି ଦେବା ଉଚିତ ହେବ ନାହିଁ।                                         

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ବର - ୭୫୧୦୧୨

ମୋ. ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top