ନ୍ୟାୟାଳୟରେ ନ୍ୟାୟ ନାହିଁ!

News Story - Posted on 2018-01-14

ସୁପ୍ରିମ କୋର୍ଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପରାମର୍ଶ ଦେଇଛନ୍ତି ୪ ଜଣ ଅବସରପ୍ରାପ୍ତ ବିଚାରପତି । ସେମାନଙ୍କ ମଧ୍ୟରେ ସୁପ୍ରିମ କୋର୍ଟର ଜଣେ ପୂର୍ବତନ ବିଚାରପତି ଥିଲାବେଳେ ଅନ୍ୟ ତିନି ଜଣ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି । ଏନେଇ ସେମାନେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ।

 

ସୁପ୍ରିମ କୋର୍ଟ ପ୍ରଶାସନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଅଭିଯୋଗ କରି ଚାରି ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକରକମ ବିଦ୍ରୋହ ଘୋଷଣା କରିବା ପରେ ଏହି ପୂର୍ବତନ ବିଚାରପତିମାନେ ନ୍ୟାୟପାଳିକାର ମର୍ଯ୍ୟାଦା ରକ୍ଷା କରିବାକୁ ଏହି ଚିଠି ଲେଖିଛନ୍ତି । ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ପିବି ସାୱନ୍ତ, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏପି ଶାହା, ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି କେ. ଚନ୍ଦ୍ରୁ ଏବଂ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଏଚ. ସୁରେଶ ଏହି ଚିଠି ଲେଖିଛନ୍ତି ।

 

ସୁପ୍ରିମ କୋର୍ଟରେ ବରିଷ୍ଠ ବିଚାରପତିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ଦାୟିତ୍ୱ ଦିଆଯାଉ ନଥିବା ଏବଂ ଏକଛତ୍ରବାଦୀ ଭାବେ କନିଷ୍ଠ ବିଚାରପତିମାନଙ୍କୁ ତାହା ଦିଆଯାଉଥିବା ଘଟଣା ନେଇ ସେମାନେ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସୁପ୍ରିମ କୋର୍ଟର ଚାରି ବରିଷ୍ଠ ବିଚାରପତି ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେଥିରେ ସେମାନେ ଏକମତ । ପ୍ରଧାନ ବିଚାରପତି ରୋଷ୍ଟର ମାଷ୍ଟର ଭାବେ ମାମଲା ବଣ୍ଟନ କରିବା ଦାୟିତ୍ୱ ପାଇଥିଲେ ହେଁ ସେ ତାଙ୍କ ମନଇଚ୍ଛା ତାହା କରିପାରିବେ ନାହିଁ । ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ମାମଲାଗୁଡ଼ିକୁ ସେ ନିଜ ପସନ୍ଦର କନିଷ୍ଠ ବିଚାରପତିଙ୍କୁ ଦେବା ଠିକ ନୁହେଁ ।

 

ସୁପ୍ରିମ କୋର୍ଟର ମର୍ଯ୍ୟାଦା ରକ୍ଷା ପାଇଁ ଏହି ପ୍ରସଙ୍ଗର ସମାଧାନ ହେବା ଉଚିତ ଏବଂ କାହାକୁ କେଉଁ ମାମଲା ଦିଆଯିବ ସେନେଇ ନ୍ୟାୟ, ଯୁକ୍ତି ଓ ସ୍ୱଚ୍ଛତାର ସହିତ ସ୍ପଷ୍ଟ ନିୟମ ଓ ପଦ୍ଧତି ନିର୍ଦ୍ଧାରିତ ହେବା ଉଚିତ । ସୁପ୍ରିମ କୋର୍ଟ ଓ ନ୍ୟାୟପାଳିକା ଉପରେ ଲୋକମାନଙ୍କର ଆସ୍ଥା ଫେରାଇ ଆଣିବା ପାଇଁ ତୁରନ୍ତ ଏହି ନିୟମ ଓ ପଦ୍ଧତି ନିର୍ଦ୍ଧାରିତ ହେବା ଉଚିତ ବୋଲି ସେମାନେ ଏହି ଚିଠିରେ ପ୍ରଧାନ ବିଚାରପତିଙ୍କୁ ପରାମର୍ଶ ଦେଇଛନ୍ତି ।

 

ଏଭଳି ନିୟମ ଓ ପଦ୍ଧତି ନିର୍ଦ୍ଧାରିତ ହେଲା ଯାଏଁ ଏବେ ବିଚାରାଧୀନ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ମାମଲାର ବିଚାର ଦାୟିତ୍ୱ କୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠକୁ ଦେବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି । ଏଭଳି ପଦକ୍ଷେପ ନିଆଗଲେ ଲୋକେ ବଳେ ବୁଝିଯିବେ ଯେ ପ୍ରଧାନ ବିଚାରପତି ରୋଷ୍ଟର ମାଷ୍ଟର ଭାବେ ତାଙ୍କ କ୍ଷମତାର ଦୁରୁପଯୋଗ କରୁ ନାହାନ୍ତି ଓ ନ୍ୟାୟସଙ୍ଗତ ଭାବେ ମାମଲା ବଣ୍ଟନ କରୁଛନ୍ତି ।

 

ଅନ୍ୟପକ୍ଷରେ ଆଜି ଭାରତୀୟ ବାର୍ କାଉନସିଲର ୭ ଜଣିଆ କମିଟି ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିଚାରପତି ଚେଲମେଶ୍ୱରଙ୍କୁ ଭେଟିଥିଲେ । ପ୍ରାୟ ୪୫ ମିନିଟର ଆଲୋଚନାରୁ ଫେରିବା ପରେ ଭାରତୀୟ ବାର୍ କାଉନସିଲ ଅଧ୍ୟକ୍ଷ ମନନ ମିଶ୍ର କହିଛନ୍ତି ଯେ ଏହି ଘଟଣା ଏକ ସାମ୍ବିଧାନିକ ସଂକଟ ନୁହେଁ । ସମସ୍ୟାର ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଦୁଇ ତିନି ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପୂର୍ବରୁ ସେମାନେ ସୁପ୍ରିମ କୋର୍ଟର ବିଚାରପତି ଆରକେ ଅଗ୍ରୱାଲ ଏବଂ ବିଚାରପତି ଏଏମ ଖାନୱାଲିକରଙ୍କୁ ଭେଟି ଏ ନେଇ ଆଲୋଚନା କରିଥିଲେ । ଏହି ୭ ଜଣିଆ ଦଳର ସଦସ୍ୟମାନେ ହେଲେ ଏସ. ପ୍ରଭାକରନ, ବିଜୟ ଭଟ୍ଟ, ଅପୂର୍ବ କୁମାର ଶର୍ମା, ପ୍ରତାପ ମେହେଟ୍ଟା, ରମେଶଚନ୍ଦ୍ର ଶାହା, ଟିଏସ ଅଜିତ ଏବଂ ସୀତଶ ଦେଶମୁଖ । ଭାରତୀୟ ବାର୍ କାଉନସିଲର ଏହି ୭ ଜଣିଆ ଦଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଭେଟିବା ପାଇଁ ମଧ୍ୟ ସମୟ ମାଗିଛନ୍ତି ।

 

ଆଜି ଅନ୍ୟ ଏକ ଘଟଣାକ୍ରମରେ ସୁପ୍ରିମ କୋର୍ଟର ଅନ୍ୟ ଦୁଇ ବିଚାରପତି ଏସଏ ବୋବଦେ ଏବଂ ଏଲ. ନାଗେଶ୍ୱର ରାଓ ସକାଳବେଳା ବିଚାରପତି ଜେ. ଚେଲମେଶ୍ୱରଙ୍କୁ ଭେଟି ଆଲୋଚନା କରିଥିଲେ । ବିଚାରପତି ଚେଲମେଶ୍ୱର ହିଁ ଅନ୍ୟ ତିନି ବିଚାରପତିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମ କୋର୍ଟ ପ୍ରଶାସନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top