ସଂକେତ ଶୁଭ ନୁହେଁ!

News Story - Posted on 2018-01-14

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଯେଉଁ ପ୍ରାଶାସନିକ ବିଶୃଙ୍ଖଳା ସୃଷ୍ଟି ହୋଇଛି ସେଥିରୁ ଭାରତୀୟ ଗଣତନ୍ତ୍ର କିପରି ଦୁର୍ବଳ ତାହାର ସମ୍ୟକ ସୂଚନା ମିଳୁଛି । ଜଣେ ପ୍ରଧାନ ବିଚାରପତି ଚାହିଁଲେ ବିଭିନ୍ନ ମାମଲାକୁ ପସନ୍ଦର ବିଚାରପତିଙ୍କ କୋର୍ଟରେ ପକାଇ ଚାହିଁଲା ଭଳି ରାୟ ବାହାର କରିପାରିବେ । ଚାରି ବରିଷ୍ଠ ବିଚାରପତି ଯେଉଁ ଅଭିଯୋଗ କରିଛନ୍ତି ତାହାର ସାରମର୍ମ ହେଉଛି ଏଇଆ । ଏହାର ଅର୍ଥ ବିଚାରପତିମାନେ ମଧ୍ୟ ନିରପେକ୍ଷ ନୁହନ୍ତି ବା ଅନ୍ୟ କାହା ହାତର କ୍ରୀଡ଼ନକ ସାଜି ଏପରି କରନ୍ତି ।

 

ଏଇ କ୍ଷେତ୍ରରେ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, କୁରିଆନ ଯୋଶେଫ, ମଦନ ବି. ଲୋକୁର ଏବଂ ରଂଜନ ଗୋଗୋଇ ଗଣମାଧ୍ୟମରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେଥିରୁ ଅନେକ କଥାର ସଂକେତ ମିଳେ । ଗୋଟେ କଥା ହେଲା, ମେଡିକାଲ ନାମଲେଖା ଜାଲିଆତି ମାମଲାରେ ନିଜେ ସଂପୃକ୍ତ ଥାଇ ପ୍ରଧାନ ବିଚାରପତି ଦୀପକ ମିଶ୍ର ବିଚାରପତି ଚେଲମ୍ବେଶ୍ୱରଙ୍କ ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କରି କି ନ୍ୟାୟ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି । ଏହି ମାମଲା ଯେତେବେଳେ ଜଷ୍ଟିସ ଚେଲମେଶ୍ୱରଙ୍କ କୋର୍ଟରେ ପଡ଼ିଲା ଏବଂ ସେ ଜାଣିବାକୁ ପାଇଲେ ଯେ ଏଥିରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କୁଦ୍ଦୁସି ସିବିଆଇ ଦ୍ୱାରା ଗିରଫ ହେବା ସହିତ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସଂପୃକ୍ତି ବି ଅଛି ସେ ତାହାର ବିଚାର ପାଇଁ ପ୍ରଧାନ ବିଚାରପତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠକୁ ପଠାଇଦେଲେ । ଏହି ୫ ଜଣିଆ ଖଣ୍ଡପୀଠର ସଦସ୍ୟମାନେ ହେଲେ ପ୍ରଧାନ ବିଚାରପତି ମିଶ୍ର, ତାଙ୍କ ପଛକୁ ବରିଷ୍ଠ ଥିବା ଜଷ୍ଟିସ ଚେଲମେଶ୍ୱର, ଜଷ୍ଟିସ କୁରିଆନ, ଜଷ୍ଟିସ ଲୋକୁର ଏବଂ ଜଷ୍ଟିସ ଗୋଗୋଇ । କିନ୍ତୁ ପ୍ରଧାନ ବିଚାରପତି ମିଶ୍ର ବିଚାରପତି ଚେଲମେଶ୍ୱରଙ୍କର ଏହି ନିଷ୍ପତ୍ତିକୁ ରଦ୍ଦ କରିବା ସହିତ ଅନ୍ୟ ଏକ ୫ ଜଣିଆ ଖଣ୍ଡପୀଠ ଗଠନ କରି ତାହାର ଶୁଣାଣି କରାଇଲେ । ସେହି ପାଂଚ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାପରତି ନିଜେ ରହିଲେ କିନ୍ତୁ ଅନ୍ୟ ବରିଷ୍ଠମାନଙ୍କୁ ବାଦ ଦେଇ କନିଷ୍ଠ ବିଚାରପତିମାନଙ୍କୁ ସାଙ୍ଗରେ ନେଲେ । ସେହି ଖଣ୍ଡପୀଠ ଏହାକୁ ଏକ ତିନି ଜଣିଆ ଖଣ୍ଡପୀଠକୁ ପଠାଇଦେଲେ । ଏହି ଉଭୟ ଖଣ୍ଡପୀଠର ଜଣେ ସାଧାରଣ କନିଷ୍ଠ ବିଚାରପତି ହେଲେ ଅରୁଣ ମିଶ୍ର । ସେ ଯାହା ହେଉ, ପ୍ରଧାନ ବିଚାରପତିଙ୍କ ଉଦ୍ୟମକ୍ରମେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠିତ ହେବ ନାହିଁ ବୋଲି ନିଷ୍ପତ୍ତିି ହେଲା । ଏହା କ’ଣ ନ୍ୟାୟିକ ନିରପେକ୍ଷତା? ନିଜ ବିରୋଧରେ ମାମଲା ହେବାରୁ ପ୍ରଧାନ ବିଚାରପତି ଆଇନ ହାତରୁ ଖସିଯିବା ପାଇଁ ଏହି ଉଦ୍ୟମ କରିଥିଲେ କି?

 

ଅନ୍ୟ ଏକ ମାମଲା ହେଲା ଜଷ୍ଟିସ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା । ଶୋହରାବୁଦ୍ଦିନ ମିଥ୍ୟା ଏନକାଉଣ୍ଟର ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଲୋୟାଙ୍କର ରହସ୍ୟଜନକ ମୃତ୍ୟୁ ହେବା ପରେ ପରବର୍ତ୍ତୀ ବିଚାରପତି ତାହାର ଶୁଣାଣି କରିଥିଲେ ଏବଂ ମାମଲାରେ ଅମିତ ଶାହା ନିର୍ଦ୍ଦୋଷ ବୋଲି ରାୟ ଦେଇଥିଲେ । ଅମିତ ଶାହା ହେଉଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଘନିଷ୍ଟ ସହଯୋଗୀ । ଉଭୟେ ଗୁଜରାଟ ଶାସନରେ ଥିଲାବେଳେ ଶୋହରାବୁଦ୍ଦିନ ଏନକାଉଣ୍ଟର ଘଟଣା ଘଟିଥିଲା । ଜଷ୍ଟିସ ଲୋୟା ଏହି ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ସଂକେତ ମିଳୁଥିଲା । ତାଙ୍କ ରହସ୍ୟଜନକ ମୃତ୍ୟୁ ଏକ ହତ୍ୟାକାଣ୍ଡ ବୋଲି ଅନେକ ସୁରାକ ଥିଲେ ବି ତାହାର ତଦନ୍ତ ସଠିକ ଭାବେ କରାଯାଇ ନାହିଁ । ଏହି ପୃଷ୍ଠଭୂମିରେ ମହାରାଷ୍ଟ୍ରର ଜଣେ ଆଇନଜୀବୀ ଏହି ମାମଲାର ପୁନଃ ବିଚାର ପାଇଁ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତାହାର ବିଚାର ସ୍ୱୟଂ ପ୍ରଧାନ ବିଚାରପତି ଦୀପକ ମିଶ୍ର କିମ୍ବା ତାଙ୍କ ଅଧ୍ୟକ୍ଷତାରେ ଗଠିତ ବରିଷ୍ଠ ବିଚାରପତିମାନଙ୍କର ଖଣ୍ଡପୀଠ କିମ୍ବା ତାଙ୍କୁ ବାଦ ଅନ୍ୟ ବରିଷ୍ଠମାନଙ୍କୁ ନେଇ ଗଠିତ ଦ୍ୱିତୀୟ ଖଣ୍ଡପୀଠରେ ହେବା କଥା । କିନ୍ତୁ ପ୍ରଧାନ ବିଚାରପତି ତାହା ନକରି ଏହି ମାମଲାରୁ କନିଷ୍ଠ ବିଚାରପତିମାନଙ୍କୁ ଗଠିତ ୧୦ ନମ୍ବର କୋର୍ଟକୁ ପଠାଇଦେଲେ । ତାହାର ଜଣେ ସଦସ୍ୟ ହେଲେ ଜଷ୍ଟିସ ଅରୁଣ ମିଶ୍ର । ଜଷ୍ଟିସ ଅରୁଣ ମିଶ୍ର ମଧ୍ୟ ପ୍ରଦେଶର ଲୋକ ଏବଂ ସେଠାରେ ବିଜେପି ଶାସନ ଚାଲିଛି ।

 

ତେବେ ସେ ଯାହା ହେଉ, ଏହି ଦୁଇଟି ମାମଲାରେ ପ୍ରଧାନ ବିଚାରପତି ବରିଷ୍ଠତାକୁ ସମ୍ମାନ ନଦେଇ କନିଷ୍ଠମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ଦାୟିତ୍ୱ ଦେଇ କି ବାର୍ତ୍ତା ଦେଇଛନ୍ତି? ଏହା କ’ଣ ତାଙ୍କ ନିରପେକ୍ଷ ଭାବମୂର୍ତ୍ତି ଓ ନ୍ୟାୟିକ ନିରପେକ୍ଷତାର ସଂକେତ ଦିଏ? ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କାମ କରୁଛନ୍ତି ବୋଲି ଏଥିରୁ କ’ଣ ସନ୍ଦେହ କରିବା ଅଯୌକ୍ତିକ? ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ଶାସନକୁ ନିରଙ୍କୁଶ ରଖିବା ପାଇଁ ଏହିପରି କୌଶଳରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିମାନଙ୍କୁ ବୋଲକରା ବନାଇଥିଲେ । ଏବେ ସେହି ଦୁର୍ନୀତିଗ୍ରସ୍ତ ପରମ୍ପରାର ପୁନରାବର୍ତ୍ତନ ଘଟିଛି କି? ଭାରତୀୟ ଗଣତନ୍ତ୍ରର ପ୍ରଥମ ଦୁଇଟି ସ୍ତମ୍ଭ ବ୍ୟବସ୍ଥାପକ ସଭା ଓ କାର୍ଯ୍ୟନିର୍ବାହୀ ଗୋଟିଏ ନାଉର ମଂଜି । ଏ ଦୁଇ ସ୍ତମ୍ଭର ସଂଖ୍ୟାଧିକ ସଦସ୍ୟ ପ୍ରାୟତଃ ଗୋଟିଏ ଦଳ ବା ମେଣ୍ଟର ପ୍ରତିନିଧି । ତେଣୁ ସେମାନେ ପରସ୍ପର ବିରୋଧରେ ଲଢ଼େଇ କରି ଗଣତନ୍ତ୍ରରେ କ୍ଷମତାର ଭାରସାମ୍ୟ ରକ୍ଷା କରିନଥାନ୍ତି । ବରଂ ସଂଖ୍ୟାଧିକ ସାଂସଦ ଓ ମନ୍ତ୍ରୀ ଚାହାନ୍ତି ଗଣତନ୍ତ୍ର ତାଙ୍କ ଦଳ ବାଟରେ ଯାଉ । ଏହି ଦୃଶ୍ୟପଟ୍ଟରେ କେବଳ ନ୍ୟାୟପାଳିକା ଉପରୋକ୍ତ ଦୁଇ ସ୍ତମ୍ଭ ବିରୋଧରେ ଏକ ‘ଯାଞ୍ଚ ଓ ଭାରସାମ୍ୟ’ର ସ୍ତମ୍ଭ ଭଳି କାମ କରିଥାଏ । କିନ୍ତୁ ଏକଛତ୍ରବାଦୀ ନେତାମାନେ ଚାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ କରାୟତ୍ତ କରିଗଲେ ସମଗ୍ର ଦେଶରେ ନିରଙ୍କୁଶ ଶାସନ ପ୍ରତିଷ୍ଠା ହୋଇପାରିବ ଓ ସରକାରଙ୍କ ଦୋଷଦୁର୍ବଳତା ବିରୋଧରେ ଆଉ କେହି ପାଟିଖୋଲି ପାରିବେ ନାହିଁ । ଖୋଲିଲେ ବି କୋର୍ଟ ତାହା ଶୁଣିବେନି । ଓଲଟି ସରକାରଙ୍କୁ ଦୁର୍ନୀତି ବିରୋଧରେ ମାମଲା କରୁଥିବା ଲୋକଙ୍କୁ କୋର୍ଟ ଦଣ୍ଡ ଦେଇ ଅନ୍ୟମାନଙ୍କୁ ଭୟଭୀତ କରିପାରିବେ ।

 

ଏହି ଆଶଙ୍କା କରିଛନ୍ତି ଚାରି ବରିଷ୍ଠ ବିଚାରପତି । ପ୍ରଧାନ ବିଚାରପତି ଦୀପକ ମିଶ୍ର ସେମାନଙ୍କର ଏହି ଧାରଣା ଦୂର କରିବା ପାଇଁ ଯଥେଷ୍ଟ ଯତ୍ନବାନ ହେବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭା ମଧ୍ୟ କୋର୍ଟରୁ ଏହି ବିବାଦରୁ ଦୂରେଇ ରହିବା ଉଚିତ । ଅନ୍ୟ ରାଜନୀତିକ ଦଳଗୁଡ଼ିକ ମଧ୍ୟ ଏହାକୁ ଅସ୍ତ୍ର କରି ରାଜନୀତି କରିବା ଛାଡ଼ି ଦେଶର ଗଣତନ୍ତ୍ର କିପରି ସୁସ୍ଥ ଓ ସବଳ ରହିବ ସେ ବିଷୟରେ ପରାମର୍ଶ ଦେବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top