ନବୀନବାବୁଙ୍କୁ ଚିହ୍ନିଛନ୍ତି?

News Story - Posted on 2018-01-13

ଦେବେନ୍ଦ୍ର ପୃଷ୍ଟି

 

ନ ଦେଖିଲା ଓଉ ଛ’ ଫଡ଼ା!

 

ଅଧିକାଂଶ ଓଡ଼ିଆଙ୍କ ପାଇଁ ଏ ଓଉ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେଇଥିପାଇଁ ସେ ଲୋକପ୍ରିୟ!

 

ସତରେ, ଲୋକେ ତାଙ୍କ ସଂପର୍କରେ କ’ଣ ଜାଣିଛନ୍ତି? ତାଙ୍କୁ ଚିହ୍ନିଛନ୍ତି କେତେ? ୧୯୯୬ ମସିହାରେ ବିଜୁବାବୁଙ୍କ ଦେହାନ୍ତ ପରେ ସେ ରାଜନୀତିକୁ ଟଣା ହୋଇ ଆସିବା ପୂର୍ବରୁ କେଉଁଠି କ’ଣ କରୁଥିଲେ ସେ ବିଷୟରେ ତାଙ୍କ ଭୋଟରମାନେ କେତେ ଜାଣିଛନ୍ତି? ଏଠି ଓଡ଼ିଶାରେ ବି ସେ କ’ଣ ଖାଆନ୍ତି, କ’ଣ ପିଅନ୍ତି, କେଉଁ ବିଛଣାରେ ଶୁଅନ୍ତି, ତାଙ୍କର ଅଭ୍ୟାସ କ’ଣ, ବଦଭ୍ୟାସ କ’ଣ- ଏସବୁ ବିଷୟରେ କେତେ ଲୋକ କ’ଣ ଜାଣିଛନ୍ତି?

 

ସେ କାହିଁକି ବିବାହ କରିନାହାନ୍ତି? କାହାକୁ ପ୍ରେମ କରି ବିଫଳ ହୋଇଛନ୍ତି? ନା ଅଟଳ ବିହାରୀ ବାଜପେୟୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖିଆମାନଙ୍କ ପରି ପରି ଦେଶସେବା କରିବାକୁ ଅବିବାହିତ ରହିବାକୁ ସଂକଳ୍ପ କରିଛନ୍ତି?

 

ସେ ମଦ ପିଅନ୍ତି ନା ପିଅନ୍ତି ନାହିଁ? ଯଦି ପିଅନ୍ତି କେଉଁ ବ୍ରାଣ୍ଡର ମଦ ପିଅନ୍ତି, ତାହାର ଦାମ କେତେ? ସିଗାରେଟ ପିଅନ୍ତି ନା ପିଅନ୍ତି ନାହିଁ? ଯଦି ପିଅନ୍ତି ତାହା କେଉଁ ବ୍ରାଣ୍ଡର ଓ କେତେ ମୂଲ୍ୟର?

 

ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ କେଉଁ ପୋଷାକ ପିନ୍ଧୁଥିଲେ? କି ପ୍ରକାର ଜୀବନଶୈଳୀ ତାଙ୍କର ପସନ୍ଦ ଥିଲା? ଦିଲ୍ଲୀରେ ସେ କିଛି କାମଧନ୍ଦା କରୁଥିଲେ କି? କି କାମ କରୁଥିଲେ? କେତେ ରୋଜଗାର କରୁଥିଲେ? ସେଥିରେ ସେ ସଫଳ ହୋଇଥିଲେ ନା ନାହିଁ? କାହିଁକି ସଫଳ ହୋଇନଥିଲେ? ନା ସେ କିଛି କାମଧନ୍ଦା ନକରି ଖାଲି ଖାଇପିଇ ବାତରାମି କରୁଥିଲେ?

 

ସେ ତାଙ୍କ ଅଫିସରେ କେତେ ସମୟ ରହନ୍ତି? ଘରେ କେତେ ସମୟ ରହନ୍ତି? ଘରେ ରହିବାବେଳେ କରନ୍ତି କ’ଣ? ଅଫିସରେ ସେ କ’ଣ କରନ୍ତି?

 

ତାଙ୍କର ଅବସର ସମୟ କେମିତି କଟେ? ପ୍ରତିଦିନ କାହା ସହିତ ସେ ଅଧିକ ସମୟ କଥା ହୁଅନ୍ତି? କେଉଁ ବିଷୟରେ କଥା ହୁଅନ୍ତି? ଓଡ଼ିଶା ଓ ଓଡ଼ିଆଙ୍କ ବିଷୟରେ ସେ କେତେ ଓଡ଼ିଆ ନେତା, ସମାଜସେବୀ, ଗବେଷକ, କବି, ସାହିତ୍ୟିକ ଓ ତୃଣମୂଳ ସ୍ତରୀୟ କର୍ମୀଙ୍କ ସହିତ ଆଲୋଚନା କରନ୍ତି ବା କରିଛନ୍ତି? ଓଡ଼ିଶା ସଂପର୍କରେ ସେ କେତେ ବହି ପଢ଼ିଛନ୍ତି?

 

ଏତେ ସବୁ ପ୍ରଶ୍ନର ଉତ୍ତର ଓଡ଼ିଶାର କେଉଁ ଗଣମାଧ୍ୟମରେ ପ୍ରକାଶ ପାଇଛି? କେଉଁ ଟିଭିରେ ସେ ନିଜ ବିଷୟରେ ବିସ୍ତୃତ ସତକଥା ସବୁ କହିଛନ୍ତି?
ତେବେ ସେ କାହିଁକି ଏତେ ଲୋକପ୍ରିୟ? ଈଶ୍ୱର କ’ଣ ନଜାଣି, ନବୁଝି, ନଦେଖି ଲୋକମାନେ ଯେମିତି କାଠ ଓ ପଥରକୁ ଇଶ୍ୱର ଭାବି ପୂଜା କରନ୍ତି ନବୀନଙ୍କୁ ଓଡ଼ିଆ ଲୋକମାନେ ସେହିପରି ପୂଜା କରୁଛନ୍ତି କି?

 

ତାଙ୍କ ସଂପର୍କରେ ତାଙ୍କଠାରୁ ବୁଝିବା ଏଇ ସାମ୍ବାଦିକ ପକ୍ଷରେ କେବେ ସମ୍ଭବ ହୋଇନାହିଁ । ଅନ୍ୟ କେଉଁ ସାମ୍ବାଦିକ ବା ନେତା ବା ଗବେଷକ ତାଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିଥିବେ ଆମକୁ ତାହା ଜଣାନାହିଁ । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପରିଚୟ ନେଇ ଇଣ୍ଟର୍ନେଟରେ ଯେଉଁଠି ଯେତେ ତଥ୍ୟ ରହିଛି ସେଥିରୁ ଯାହା ଜଣାପଡ଼େ ତାହା କେବଳ ତାଙ୍କର ୧୯୯୬ ପରବର୍ତ୍ତୀ ଜୀବନ । ଏହା ପୂର୍ବର ଜୀବନ ବିଷୟରେ ଅଳ୍ପ କିଛି ତଥ୍ୟ ମିଳେ । ତାହା ହେଉଛି ସେ ୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । କଟକର ସେଣ୍ଟ ଯୋଶେଫ ଇଂରାଜୀ ମାଧ୍ୟମ ସ୍କୁଲରେ ଅଳ୍ପଦିନ ପାଠ ପଢ଼ିବା ପରେ ଡେରାଡୁନର ୱେଲହାମ ସ୍କୁଲ ଏବଂ ପରେ ଡୁନ୍ ସ୍କୁଲରେ ଭର୍ତ୍ତି ହୋଇଥିଲେ । ଡୁନ୍ ସ୍କୁଲରେ ତାଙ୍କଠାରୁ ତିନି ବର୍ଷ ବରିଷ୍ଠ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ । ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଦିଲ୍ଲୀର କିରୋରି ମଲ କଲେଜରୁ ବିଏ ପାସ୍ କରିଥିଲେ ।

 

ତାଙ୍କର ଆଉ ଗୋଟେ ପରିଚୟ ସଂପର୍କରେ ଯାହା ତଥ୍ୟ ମିଳେ ତାହା ହେଉଛି ସେ ଜଣେ ଲେଖକ ଓ ଚିତ୍ରକର । ତେବେ ସେ ଜୀବନକାଳ ଭିତରେ କେତେ ଚିତ୍ର ଆଙ୍କିଛନ୍ତି, ତାହା କେଉଁଠି ପ୍ରଦର୍ଶୀତ ହୋଇଛି, କିଏ ସେସବୁ କିଣିଛନ୍ତି, ତାଙ୍କର କେଉଁ ଘରେ ସେସବୁ ଟଙ୍ଗା ହୋଇଛି, ତାହା ମଧ୍ୟ କାହାକୁ ଜଣାନାହିଁ । ତାଙ୍କ ଲିଖିତ ତିନିଟି ବହି ହେଲା: ଏ ସେକେଣ୍ଡ ପାରାଡାଇଜ୍, ଏ ଡେଜର୍ଟ କିଙ୍ଗଡମ ଓ ଦ ଗାର୍ଡେନ ଅଫ୍ ଲାଇଫ୍ । ପ୍ରଥମ ବହିରେ ୧୫୯୦-୧୯୪୭ ମଧ୍ୟରେ ଭାରତର ଗ୍ରାମ୍ୟ ଜୀବନ ସଂପର୍କରେ ବର୍ଣ୍ଣନା ଅଛି । ଦ୍ୱିତୀୟ ବହିରେ ସ୍ୱାଧୀନତା ପୂର୍ବବର୍ତ୍ତୀ ବିକାନେର ରାଜ୍ୟ ସଂପର୍କରେ । ତୃତୀୟ ବହିରେ କେତେକ ଔଷଧୀୟ ବୃକ୍ଷ ସଂପର୍କରେ ବର୍ଣ୍ଣନା ରହିଛି । ଓଡ଼ିଶା ଓ ଓଡ଼ିଆଙ୍କ ବିଷୟରେ ତାଙ୍କର କିଛି ବହି ନାହିଁ । ତେବେ, ତାଙ୍କ ଲିଖିତ ଏହି ତିନିଟି ବହିକୁ କେତେ ଓଡ଼ିଆ ପଢ଼ିଛନ୍ତି? ତାଙ୍କୁ ଯଦି ସତରେ ଏତେ ଲୋକ ଭଲ ପାଉଛନ୍ତି, ଏବଂ ଭଲ ପାଉଥିବା ଲୋକଙ୍କ ଭିତରେ ଅନେକ ଶିକ୍ଷିତ ଓଡ଼ିଆ ବି ଅଛନ୍ତି, ସେମାନେ ଏ ବହି ତିନିଟି କାହିଁକି ପଢ଼ିନାହାନ୍ତି? ବହି କିଣିବାକୁ ସେମାନଙ୍କର ଟଙ୍କା ନାହିଁ ନା ସେଥିପାଇଁ ଆଗ୍ରହ ନାହିଁ?

 

୧୯୯୬ ପରଠାରୁ ଲୋକପ୍ରିୟ ହୋଇଯାଇଥିବା କୁର୍ତ୍ତା, ପାଇଜାମା ଓ ଚପଲ ପିନ୍ଧା ଚେହେରା ତାଙ୍କର ଅସଲି ନା ନକଲି? ସେ ବାସ୍ତବରେ କେତେ ସରଳ ଜୀବନ ଯାପନ କରନ୍ତି? ସରଳ ଓଡ଼ିଆଙ୍କ ପରି ତଳେ ବସି ଖାଆନ୍ତି? ଭାତ ଡାଲମା ତାଙ୍କର ପ୍ରିୟ? ଲୁଙ୍ଗି ଓ ଗାମୁଛାରେ କେତେ ଥର ନବୀନ ନିବାସ ଗେଟ୍ ବାହାରକୁ ବାହାରିଛନ୍ତି? ବାଡ଼ିରେ ସେ ନିଜେ କେତେ ଗଛ ଲଗେଇଛନ୍ତି? କେତେ ଗଛରେ ଦୈନିକ ପାଣି ଦିଅନ୍ତି? କେତେ ଗରୀବ ଓଡ଼ିଆ, ତାଙ୍କ ସରପଂଚ, ଜିଲ୍ଲା ପରିଷଦ ସଭ୍ୟ ନବୀନଙ୍କୁ ନବୀନ ନିବାସରେ ଭେଟି ସେମାନଙ୍କ ଗାଁ ଓ ଅଂଚଳର ସମସ୍ୟା ସଂପର୍କରେ ଆଲୋଚନା କରିବାର ସୁଯୋଗ ଓ ସମୟ ପାଇଛନ୍ତି? ତାଙ୍କ ବାପା ବିଜୁବାବୁ ରାସ୍ତାଘାଟରେ ଲୋକଙ୍କୁ ଭେଟୁଥିଲେ, ଗାଁ ଗାଁ ବୁଲି ଲୋକଙ୍କ ସହିତ କଥା ହେଉଥିଲେ । କେତେ ଓଡ଼ିଆ ନବୀନଙ୍କୁ ରାସ୍ତାଘାଟରେ ଭେଟିବାର ସୁଯୋଗ ପାଇଛନ୍ତି? ତାଙ୍କ ପାଖରେ ବସି ଦୁଃଖସୁଖ ହୋଇଛନ୍ତି?

 

ନିରପେକ୍ଷ ଭାବେ ଅନୁଶୀଳନ ଓ ଅନୁଧ୍ୟାନ କଲେ, ଅବଶ୍ୟ ଏହା ଜଣାପଡ଼େ ଯେ ନବୀନ ୪.୩୦ କୋଟି ଓଡ଼ିଆଙ୍କ ପାଖରେ ଆଜି ବି ଅପରିଚିତ । ଆଜି ବି ତାଙ୍କ ଜୀବନର ପ୍ରଥମ ୫୦ ବର୍ଷ ବିଷୟରେ ଲୋକଙ୍କ ନିକଟରେ ସଠିକ ତଥ୍ୟ କିଛି ନାହିଁ । ପରବର୍ତ୍ତୀ ୨୨ ବର୍ଷ ସେ ଓଡ଼ିଆଙ୍କର ସବୁଠୁ ପ୍ରିୟ ନେତା!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top