ନ୍ୟାୟପାଳିକାରେ ବିଦ୍ରୋହ!

News Story - Posted on 2018-01-12

ସୁପ୍ରିମ କୋର୍ଟରେ ଶୃଙ୍ଖଳା ନାହିଁ । ଦେଶର ଗଣତନ୍ତ୍ର ବିପଦରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି । ଆଜି ଏକ ଅଭୂତପୂର୍ବ ଘଟଣାକ୍ରମରେ ସୁପ୍ରିମ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସେମାନେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର କେତେକ ନିଷ୍ପତ୍ତି ନ୍ୟାୟିକ ଶୃଙ୍ଖଳା ଓ ଗଣତନ୍ତ୍ର ବିରୋଧୀ ବୋଲି ଅଭିଯୋଗ କରିବା ସହିତ ତାଙ୍କର ବହିଷ୍କାର କଥା ଦେଶବାସୀ ବୁଝିବେ ବୋଲି ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କର ଏହି ସାମ୍ବାଦିକ ସମ୍ମିଳନୀ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ କେନ୍ଦ୍ର ସରକାର କହିଛନ୍ତି, ଏହା ସୁପ୍ରିମ କୋର୍ଟର ନିଜସ୍ୱ ବ୍ୟାପାର । କେନ୍ଦ୍ର ଏଥିରେ ହସ୍ତକ୍ଷେପ କରିବ ନାହିଁ । ବିଚାରପତିମାନେ ଆପୋଷ ଆଲୋଚନା କରି ଯାହା କରିବାର କଥା କରିବେ ।

 

ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ କୋର୍ଟକୁ ନେଇ ଆଜି ଏକ ଅଭୂତପୂର୍ବ ଘଟଣା ଘଟିଛି । ଏହି କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କେତେକ ପ୍ରାସଙ୍ଗିକ ଅଭିଯୋଗ ଉଠାଇଛନ୍ତି । ଏହା ସହିତ ସେମାନେ କହିଛନ୍ତି ଯେ ସୁପ୍ରିମ କୋର୍ଟରେ ଏବେ ଶୃଙ୍ଖଳା ନାହିଁ । ଦେଶର ଗଣତନ୍ତ୍ର ବିପଦରେ । ସୁପ୍ରିମ କୋର୍ଟର ମର୍ଯ୍ୟାଦା ଓ ନିରପେକ୍ଷତା ପାଇଁ ସେମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି ବୋଲି ଦାବି କରିଛନ୍ତି । ଏହି ବିଚାରପତିମାନେ ହେଲେ ସୁପ୍ରିମ କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଚେଲମେଶ୍ୱର, ବିଚାରପତି ରଂଜନ ଗୋଗୋଇ, ବିଚାରପତି ମଦନ ବି. ଲୋକୁର ଏବଂ ବିଚାରପତି କୁରିଆନ ଯୋଶେଫ । ବରିଷ୍ଠତା ତାଲିକାରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପରେ ଏମାନଙ୍କ ନାମ ଉଲ୍ଲେଖ ରହିଛି ।

 

ଏହି ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ ଚେଲମେଶ୍ୱର କହିଛନ୍ତି ଯେ ସୁପ୍ରିମ କୋର୍ଟର ପ୍ରଶାସନ ନେଇ ସେମାନେ କେତେକ ପ୍ରଶ୍ନ ଉଠାଇବା ସହିତ ପ୍ରଧାନ ବିଚାରପତିଙ୍କୁ ପରାମର୍ଶ ଦେଇଥିଲେ । ଏ ନେଇ ସେମାନେ ଦୁଇ ମାସ ତଳେ ପ୍ରଧାନ ବିଚାରପତିଙ୍କୁ ଗୋଟେ ଚିଠି ଲେଖିଥିଲେ । କିନ୍ତୁ ତାହାର କୌଣସି ଉତ୍ତର ମିଳିଲା ନାହିଁ । ଆଜି ସକାଳେ ସେମାନେ ପ୍ରଧାନ ବିଚାରପତିଙ୍କୁ ଭେଟି ନ୍ୟାୟିକ ଶୃଙ୍ଖଳା ସଂପର୍କରେ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସେମାନେ ବିଫଳ ହୋଇଥିଲେ । ଏହା ପରେ ଦେଶବାସୀଙ୍କ ଆଗରେ ସେହିସବୁ ପ୍ରସଙ୍ଗ ରଖିବା ପାଇଁ ସେମାନେ ବାଧ୍ୟ ହୋଇ ଏହି ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି ବୋଲି ଜଷ୍ଟିସ ଚେଲମେଶ୍ୱର କହିଥିଲେ ।

 

ଜଷ୍ଟିସ ବିଏଚ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ଦାବି ମାମଲା କଥା ଉଠାଇ ସେମାନେ କହିଛନ୍ତି ଯେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ଦାୟିତ୍ୱ କୌଣସି ଯୁକ୍ତି ଓ ପରମ୍ପରା ନଥାଇ ବରିଷ୍ଠ ବିଚାରପତିମାନଙ୍କୁ ଦିଆ ନଯାଇ କନିଷ୍ଠ ବିଚାରପତିମାନଙ୍କୁ ଦିଆଯାଉଛି । ଏହା ଶୃଙ୍ଖଳାର ଉଲ୍ଲଙ୍ଘନ । ସେମାନେ କହିଛନ୍ତି ଯେ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହେଉଛନ୍ତି ରୋଷ୍ଟର ମାଷ୍ଟର ବା ମାମଲା ବଣ୍ଟନକାରୀ । ଏହା ବିଚାରାଳୟରେ ଶୃଙ୍ଖଳା ରକ୍ଷା ପାଇଁ ଉଦ୍ଦିଷ୍ଟ । ଏହାର ଅର୍ଥ ନୁହେଁ ଯେ ତାଙ୍କର କ୍ଷମତା ଅଧିକ । ସୁପ୍ରିମ କୋର୍ଟର ବିଚାରପତିମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତି ହେଉଛନ୍ତି ସମାନଙ୍କ ମଧ୍ୟରେ ପ୍ରଥମ, ଫାଷ୍ଟ ଆମଙ୍ଗଷ୍ଟ ଇକ୍ୱାଲ୍ସ । ମାତ୍ର, ସେ ନିଜର ଏହି ପାରମ୍ପରିକ ଦାୟିତ୍ୱ ତୁଲାଇବା ସମୟରେ ଗଣତନ୍ତ୍ରର ସୁରକ୍ଷା ଓ ନ୍ୟାୟପାଳିକାର ସ୍ୱାଧୀନତା ଏବଂ ମର୍ଯ୍ୟାଦା ରକ୍ଷା କଲା ପରି କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ଦାୟିତ୍ୱ ବରିଷ୍ଠ ବିଚାରପତିମାନଙ୍କୁ ନଦେଇ କୌଣସି ଯୁକ୍ତି ନଥାଇ କନିଷ୍ଠ ବିଚାରପତିଙ୍କୁ ଦେଇଛନ୍ତି । ଏହା ଫଳରେ ଗଣତନ୍ତ୍ର ବିପଦରେ ପଡ଼ିବାର ଆଶଙ୍କା ରହିଛି । ନ୍ୟାୟପାଳିକାର ବିଶ୍ୱାସ ତୁଟିବାର ଆଶଙ୍କ ମଧ୍ୟ ଅଛି ।

 

ଶୋହରାବୁଦ୍ଦିନ ଫେକ୍ ଏନକାଉଣ୍ଟର ମାମଲାର ବିଚାର କରୁଥିବା ଜଷ୍ଟିସ ବିଏଚ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ଦାବିରେ ଆଗତ ପିଟିସନର ବିଚାର ପାଇଁ କନିଷ୍ଠ ବିଚାରପତି ଅରୁଣ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର । ଏହି ମାମଲାର ଗୁରୁତ୍ୱ ଦୃଷ୍ଟିରୁ ବରିଷ୍ଠ ବିଚାରପତିମାନେ ଏହାର ଶୁଣାଣି କରିବା ଉଚିତ । ଉଲ୍ଲେଖଯୋଗ୍ୟ ଯେ ଶୋହରାବୁଦ୍ଦିନ ଫେକ୍ ଏନକାଉଣ୍ଟର ମାମଲାରେ ବିଜେପି ସଭାପତି ଅମିତ ଶାହାଙ୍କ ନାମ ଅଭିଯୁକ୍ତ ତାଲିକାରେ ଥିଲା । ସେହିପରି ମେଡିକାଲ କଲେଜ ନାମଲେଖା ମାମଲାର ଶୁଣାଣି ପାଇଁ ଜଷ୍ଟିସ ଚେଲମେଶ୍ୱର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସମେତ ଅନ୍ୟ ଚାରି ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଏକ ୫ ଜଣିଆ ଖଣ୍ଡପୀଠକୁ ଦାୟିତ୍ୱ ଦେଇଥିଲେ ମଧ୍ୟ ପ୍ରଧାନ ବିଚାରପତି ତାହାକୁ ବଦଳାଇ କନିଷ୍ଠ ବିଚାରପତିମାନଙ୍କୁ ନେଇ ଗଠିତ ଏକ ୩ ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ । ଏହି ମାମଲାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କୁଦ୍ଦୁସି ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଏହି ମାମଲାରେ ମଧ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସଂପୃକ୍ତି ରହିଥିବା ନେଇ ଆଇନଜୀବୀ ମହଲରେ ଚର୍ଚ୍ଚା ହୋଇଥାଏ ।

 

ଏହି ଚାରି ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ସାତ ପୃଷ୍ଠିଆ ଚିଠିରେ ଏହିପରି ବହୁ ଅନାକାଂକ୍ଷିତ ବିଷୟ ଅବତାରଣା କରାଯାଇଛି । ସୁପ୍ରିମ କୋର୍ଟ ପ୍ରଶାସନରେ ଶୃଙ୍ଖଳା ରହିନାହିଁ । ଗତ କେଇ ମାସ ଭିତରେ ଏହିଭଳି ଅନେକ ଅନାକାଂକ୍ଷିତ ଘଟଣା ଘଟିଛି ବୋଲି କହିଛନ୍ତି ଜଷ୍ଟିସ ଚେଲମେଶ୍ୱର । ସେମାନେ ଖୁସିରେ ଏଭଳି ସାମ୍ବାଦିକ ସମ୍ମିଳନୀ ଡକାଇ ନାହାନ୍ତି ବୋଲି ବିଚାରପତିମାନେ କହିଛନ୍ତି । ପ୍ରଧାନ ବିଚାରପତିଙ୍କୁ ବୁଝାଇବାରେ ବିଫଳ ହେବା ପରେ ଦେଶର ଗଣତନ୍ତ୍ର ଓ ସୁପ୍ରିମ କୋର୍ଟର ଭରସା ବଜାୟ ରଖିବାକୁ ସେମାନେ ଦେଶବାସୀଙ୍କ ଆଗରେ ଏସବୁ ଉପସ୍ଥାପନ କରିବାକୁ ବାଧ୍ୟ ହୋଇ ଏହି ସାମ୍ବାଦିକ ସମ୍ମଳିନୀ ଡକାଇଛନ୍ତି । ଜଷ୍ଟିସ ରଂନ ଗୋଗୋଇ କହିଛନ୍ତି ଯେ ସେମାନଙ୍କ ଉପରେ ଥିବା ଦେଶର ଋଣ ପରିଶୋଧ କରିବା ପାଇଁ ସେମାନେ ଏକାଠି ହୋଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରାଯିବା ଉଚିତ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ଜଣେ ବିଚାରପତି କହିଛନ୍ତି ଯେ ଦେଶ ତାଙ୍କର ବହିଷ୍କାର କଥା ବୁଝିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top