ଓଡ଼ିଶା ହେଉଛି ବିକଳାଙ୍ଗ!

News Story - Posted on 2018-01-12

ଓଡ଼ିଆ ନେତାଙ୍କ ଅପାରଗତା ଓ ଓଡ଼ିଆଙ୍କ ଉଦାସୀନ ମନୋଭାବ ହିଁ ଆଜି କୁଟିଆ ଗ୍ରାମପୁଞ୍ଜ ପରି ବିବାଦ ପାଇଁ ଦାୟୀ । ଏହିପରି ଅପାରଗତା ଓ ଉଦାସୀନତା ଯୋଗୁଁ ହିଁ ଓଡ଼ିଶାରୁ ଟିକାଲି, ମଞ୍ଜୁଷା, ଷଢ଼େଇକଳା, ଖରସୁଆଁ ଓ ମେଦିନପୁର ଆଦି ଅଂଚଳ ବିଚ୍ଛିନ୍ନ ହୋଇଯାଇଛି । ଏହି ଅପାରଗତା ଓ ଉଦାସୀନତା ବଜାୟ ରହିଲେ ଆଗକୁ କୁଟିଆ ଗ୍ରାମପୁଞ୍ଜର ୨୧ ଗାଁ ସମେତ ରାଜ୍ୟର ୧୧୪ ଗାଁ ଅନ୍ୟ ରାଜ୍ୟକୁ ଚାଲିଯିବ ।
୧୯୩୬ ମସିହାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆଇନ ଅନୁସାରେ ଜୟପୁର ରାଜ୍ୟ ଓ ପଟାଙ୍ଗି ତାଲୁକ ସଂପୂର୍ଣ୍ଣ ଭାବରେ ଓଡ଼ିଶା ପ୍ରଦେଶର ଭୌଗୋଳିକ ସୀମା ଭିତରେ ରହିଥିଲା । ଏ ନେଇ ସେତେବେଳେ ଭାରତ ସରକାରଙ୍କ ରାଜପତ୍ର ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ୧୯୪୨ ମସିହାରେ ତକ୍ରାଳୀନ ଓଡ଼ିଶା ସରକାର କୁଟିଆ ଗ୍ରାମପୁଞ୍ଜର ୨୮ ଗାଁରୁ ୭ଟି ଗାଁକୁ ସର୍ଭେ କରିଥିଲେ । ଭୁଲବଶତଃ ସେତେବେଳେ ୨୧ଟି ଗାଁ ସର୍ଭେରୁ ବାଦ ପଡ଼ିଥିଲା । ୧୯୫୫ ମସିହାରେ ଆନ୍ଧ୍ର ପ୍ରଦେଶ ଗଠିତ ହେବା ପରେ ସେହି ରାଜ୍ୟର ସରକାର ମଧ୍ୟ ଓଡ଼ିଶା ସର୍ଭେରୁ ବାଦ ପଡ଼ିଥିବା ୨୧ ଗାଁର ସର୍ଭେ କରିନଥିଲେ ।

 

କିନ୍ତୁ ୧୯୬୩ ମସିହାରେ ଓଡ଼ିଶା ସରକାର ସେହିସବୁ ଅଂଚଳରେ ସ୍କୁଲଘର, ହଷ୍ଟେଲ, ପଂଚାୟତ ଅଫିସ ଆଦି କାର୍ଯ୍ୟାଳୟ ଖୋଲିବା ପରେ ତାହା ଆନ୍ଧ୍ର ନଜରରେ ପଡ଼ିଥିଲା ଓ ଆନ୍ଧ୍ର ସରକାର ସେବେଠାରୁ କୁଟିଆ ଅଂଚଳରେ ଅନୁପ୍ରବେଶ କରିବାର ଉଦ୍ୟମ ଆରମ୍ଭ କଲେ । ଆନ୍ଧ୍ରର ପୁଲିସ ଓ ଅଫିସରମାନେ ଆସି ଏହି ଅଂଚଳରେ ଆଧିପତ୍ୟ ବିସ୍ତାର କରିବାରୁ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ଏନେଇ ଏକ ପିଟିସନ ଦାଏର କରିଥିଲେ । ମାତ୍ର, ଏହି ମାମଲା ଜିତିବାକୁ ଓଡ଼ିଶା ସରକାରଙ୍କର ଆବଶ୍ୟକ ଆଗ୍ରହ ନଥିଲା ବୋଧେ, ସେଥିପାଇଁ ଉପଯୁକ୍ତ ଦକ୍ଷ ଓକିଲ ନିଯୁକ୍ତ ହେଲେ ନାହିଁ, ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସୁପ୍ରିମ କୋର୍ଟରେ ଦାଖଲ କରାଗଲା ନାହିଁ । ଏହା ଫଳରେ ୨୦୧୧ ମସିହାରେ ସୁପ୍ରିମ କୋର୍ଟ ଓଡ଼ିଶାର ପିଟିସନକୁ ଖାରଜ କରିଦେଲେ ଏବଂ ବିବାଦୀ ବଡ଼ଗୁମ୍ଫାକୁ ଆନ୍ଧ୍ର ପ୍ରଦେଶକୁ ଦେଇଦେଲେ । ଏହା ସହିତ ବିବାଦୀୟ ଅନ୍ୟ କୁଟିଆ ଗ୍ରାମ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଲେ ଏବଂ କହିଲେ କେନ୍ଦ୍ର ସରକାର ଏହାର ସମାଧାନ କରିବେ । ସେହିଦିନଠାରୁ ଓଡ଼ିଶାର ବଡ଼ଗୁମ୍ଫା ଆନ୍ଧ୍ରର ବୋରା କେଭ୍ ନାମରେ ଖ୍ୟାତିଲାଭ କରିଛି ।

 

ମାମଲା ହାରିଲା ପରେ ଓଡ଼ିଶା ସରକାର ଆଉ କୌଣସି ପଦକ୍ଷେପ ନେଲେ ନାହିଁ । ସରକାର ଚାହିଁଥିଲେ ଏହା ଉପରେ ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିପାରିଥାନ୍ତେ । ଯୁକ୍ତି କରିପାରିଥାନ୍ତେ, ଏହା ରାଜ୍ୟ ପୁନର୍ଗଠନ ବା ରାଜ୍ୟ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନୁହେଁ, ତେଣୁ କେନ୍ଦ୍ର ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇ ପାରିବ ନାହିଁ । ୧୯୩୬ ଓଡ଼ିଶା ଗଠନ ଆଇନ ଓ ଭାରତ ସରକାରଙ୍କ ରାଜପତ୍ର ଅନୁସାରେ କୁଟିଆ ଗ୍ରାମପୁଂଜ ଓଡ଼ିଶାର ଅଂଶବିଶେଷ ହୋଇସାରିଛି । ଓଡ଼ିଶା ସରକାର ସେଠାରେ ପଂଚାୟତ ନିର୍ବାଚନ କରାଇଛନ୍ତି । ସେସବୁ ଅଂଚଳରେ ଓଡ଼ିଶାର ଶାସନ ଚାଲିଛି । ଏସବୁ ସଂପର୍କୀତ ପ୍ରମାଣପତ୍ର ଦାଖଲ କରିଥିଲେ ମାମଲା ଓଲଟି ଯାଇଥାନ୍ତା । କିନ୍ତୁ ନେତାଙ୍କ ଅପାରଗତା ଓ ବାବୁଙ୍କ ଅମନଯୋଗିତା ଏହା କରାଇ ଦେଇନଥିଲା ।

 

ଏବେ କୁଟିଆ ଗ୍ରାମପୁଂଜ ଉପରେ ପୁଣି ଥରେ ଆନ୍ଧ୍ର ପ୍ରଦେଶ ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ ଚଳାଇଛି । ଆଉ ଓଡ଼ିଶା ସରକାର ପୁଣି ଥରେ ବାବୁଙ୍କ କମିଟି ଉପରେ ଭରସା କରିଛି । ସେମାନେ ଭରସାଯୋଗ୍ୟ ହୋଇଥିଲେ ସୁନା, ବକ୍ସାଇଟ ଓ ସୀସା ଆଦି ଅନେକ ମୂଲ୍ୟବାନ ଖଣିଜ ପଦାର୍ଥ ଭରପୂର ଥିବା ଓଡ଼ିଶାର ଏହି ଅମୂଲ୍ୟ ଅଂଚଳ ଆଦୌ ବିବାଦୀୟ ହୋଇନଥାନ୍ତା କି ଆନ୍ଧ୍ର ସେଠାରେ ଅନୁପ୍ରବେଶ କରିବାର ସାହସ କରିନଥାନ୍ତା ।

 

ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ରଖିଥିବା ପ୍ରଶ୍ନ ଅନୁସାରେ ଏବେସୁଦ୍ଧା ଓଡ଼ିଶାର ୧୧୪ଟି ଗାଁ ନେଇ ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ବିବାଦ ଲାଗି ରହିଛି । ସେଥିରୁ ୮୮ ଗାଁ ନେଇ ଆନ୍ଧ୍ର ସହିତ ବିବାଦ ରହିଛି । ଅନ୍ୟ ବିବାଦୀୟ ଗାଁଗୁଡ଼ିକ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ସୀମାରେ ଅଛି । ଏପରି ବିବାଦ ଯେତେବେଳେ ଉଠିଛି ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ ତ୍ୱରିତ ଓ ବିହିତ ପଦକ୍ଷେପ ନେଇ ସବୁଦିନ ପାଇଁ ସୀମା ବିବାଦର ସମାଧାନ କରିବା ଉଚିତ । ନହେଲେ ମଞ୍ଜୁଷା, ଟିକାଲି, ଷଢ଼େଇକଳା, ଖରସୁଆଁ ଓ ମେଦିନପୁର ପରି ଆଉ କିଛି ଓଡ଼ିଆ ଅଂଚଳ ପଡ଼ୋଶୀ ରାଜ୍ୟକୁ ଚାଲିଯିବ ।

 

ଏପରି ସୀମା ବିବାଦ ରହିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ଏକ ନିର୍ଦ୍ଦେଶନାମା ଜାରିକରି କହିଥିଲେ ଯେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେବଳ ରାଜସ୍ୱ ଆଇନ ପ୍ରବୀଣ ଓଡ଼ିଆ ଅଧିକାରୀଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯିବ । ଓଡ଼ିଶା ସରକାର ତାହା ପାଳନ କରିବା ଉଚିତ । ବିଜୁ ପଟ୍ଟନାୟକ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଥିଲାବେଳେ କହିଥିଲେ କୁଟିଆ ଗ୍ରାମପୁଂଜକୁ ପ୍ରତିବାସ ଓଡ଼ିଶା ସରକାରଙ୍କ ଅଧିକାରୀ ଓ ଜନ ପ୍ରତିନିଧିମାନେ ଗସ୍ତ କରି ଲୋକମାନଙ୍କ ଅଭାବ ଅସୁବିଧା ବୁଝିବେ । ତାହାର ନିୟମିତ ଅନୁପାଳନ ହେବା ଦରକାର । ସର୍ବୋପରି, ଓଡ଼ିଶାର ସାସଂଦମାନେ ସଂସଦର ପରବର୍ତ୍ତୀ ବଜେଟ ଅଧିବେଶନରେ ଏ ବିଷୟ ଉଠାଇ ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଦରକାର । ଖୋଦ ମୁଖ୍ୟମନ୍ତ୍ରୀ ବି ଏନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ଦରକାର । ଏସବୁ ପଦକ୍ଷେପ ସହିତ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବା ନେଇ ଉଦ୍ୟମ କରିବା ଆବଶ୍ୟକ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top