ବିଦେଶୀ ନିୟନ୍ତ୍ରଣକୁ ଗଲା ଖୁଚୁରା ବେପାର!

News Story - Posted on 2018-01-10

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ ଏକାଧିକ ସଂଶୋଧନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଦେଶରେ ବ୍ୟବସାୟ କାରବାରକୁ ଅଧିକ ସୁଗମ କରିବା ପାଇଁ ଏଫଡିଆଇ ନୀତିକୁ ଅଧିକ କୋହଳ ଏବଂ ସରଳ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଏଫଡିଆଇ ପ୍ରବାହ ବୃଦ୍ଧି ପାଇବା ସହିତ ନିବେଶରେ ଅଭିବୃଦ୍ଧି, ଆୟ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

 

ଏଫଡିଆଇ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ଏହା ଦେଶର ଆର୍ଥିକ ବିକାଶ ପାଇଁ ଅଣ-ଋଣ ଆର୍ଥିକ ଉତ୍ସ ଭାବେ ପରିଗୃହୀତ । ଏଫଡିଆଇ ଉପରେ ସରକାର ଏକ ନିବେଶକ ଅନୁକୂଳ ନୀତି ଆଣିଛନ୍ତି । ଏହାଦ୍ୱାରା ଅଧିକାଂଶ କ୍ଷେତ୍ର/କାର୍ଯ୍ୟକଳାପରେ ସ୍ୱୟଂକ୍ରିୟ ମାର୍ଗ ଜରିଆରେ ୧୦୦% ଏଫଡିଆଇକୁ ଅନୁମତି ନିଆଯାଇଛି । ନିକଟ ଅତୀତରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯେପରିକି ପ୍ରତିରକ୍ଷା, ନିର୍ମାଣ ବିକାଶ, ବୀମା, ପେନସନ, ଅନ୍ୟ ଆର୍ଥିକ ସେବା, ସମ୍ପତି ପୁନର୍ଗଠନ କମ୍ପାନୀ, ପ୍ରସାରଣ, ବେସାମରିକ ବିମାନ ଚଳାଚଳ, ଫାର୍ମାସ୍ୟୁଟିକାଲ୍ସ, ଟ୍ରେଡିଂ ଆଦି କ୍ଷେତ୍ରରେ ଥିବା ଏଫଡିଆଇ ନୀତିରେ ସଂସ୍କାର ଆଣିଥିଲେ ।

 

ସରକାର ଏହି ପଦକ୍ଷେପ ନେବା ପରେ ଦେଶରେ ଏଫଡିଆଇ ପ୍ରବାହ ବୃଦ୍ଧି ହୋଇଥିଲା । ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ ୪୫୧୫ କୋଟି ଆମେରିକୀୟ ଡଲାର ବୈଦେଶିକ ପୁଞ୍ଜି ନିବେଶ ହୋଇଥିଲା । ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ପରିମାଣ ୩୬୦୫ କୋଟି ଆମେରିକୀୟ ଡଲାର ଥିଲା । ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ଦେଶରେ ୫୫୪୬ କୋଟି ଆମେରିକୀୟ ଡଲାର ଏଫଡିଆଇ ନିବେଶ ହୋଇଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଏଫଡିଆଇ ନିବେଶ ପରିମାଣ ୬୦୦୮ କୋଟି ଆମେରିକୀୟ ଡଲାରରେ ପହଂଚିିଥିଲା, ଯାହାକି ସର୍ବକାଳୀନ ରେକର୍ଡ ଥିଲା ।

 

ଦେଶରେ ଅଧିକ ବୈଦେଶିକ ପୁଞ୍ଜି ନିବେଶ ପାଇଁ ସମ୍ଭାବନା ରହିଛି ଏବଂ ଏଫଡିଆଇ ବ୍ୟବସ୍ଥାକୁ ଅଧିକ ସରଳ ଏବଂ କୋହଳ କରିବା ଜରିଆରେ ଏହାକୁ ହାସଲ କରାଯାଇପାରିବ ବୋଲି ଅନୁଭବ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏଫଡିଆଇ ନୀତିରେ ଏକାଧିକ ସଂଶୋଧନ ପାଇଁ ନିଷ୍ପତି ନେଇଛନ୍ତି ।

 

ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଏକକ ବ୍ରାଣ୍ଡ ଖୁଚୁରା କାରବାର (ଏସବିଆରଟି)ରେ ଏଫଡିଆଇ ନିମନ୍ତେ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବ ନାହିଁ । ବର୍ତ୍ତମାନର ଏଫଡିଆଇ ନୀତି ଅନୁଯାୟୀ ଏସବିଆରଟି ଉପରେ ସ୍ୱୟଂକ୍ରିୟ ମାର୍ଗରେ ୪୯% ଏଫଡିଆଇକୁ ଅନୁମତି ମିଳୁଥିଲା ଏବଂ ୪୯% ବାଦ୍ ଉପରକୁ ଏବଂ ୧୦୦% ପର୍ଯ୍ୟନ୍ତ ଏଫଡିଆଇ ନିମନ୍ତେ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ୁଥିଲା । ତେବେ ବର୍ତ୍ତମାନ ଏସବିଆରଟି ଉପରେ ସ୍ୱୟଂକ୍ରିୟ ମାର୍ଗରେ ୧୦୦% ପର୍ଯ୍ୟନ୍ତ ଏଫଡିଆଇକୁ ଅନୁମତି ମିଳିପାରିବ ।

 

ଅଣନିବାସୀ ସଂସ୍ଥା କିମ୍ବା ସଂସ୍ଥାଗୁଡ଼ିକ, ବ୍ରାଣ୍ଡର ମାଲିକ ହୋଇଥା’ନ୍ତୁ ବା ନହୋଇଥା’ନ୍ତୁ, ଭାରତରେ ‘ଏକକ ବ୍ରାଣ୍ଡ’ ଉତ୍ପାଦର ଖୁଚୁରା କାରବାର ପାଇଁ ଅନୁମତି ପାଇବେ । ବ୍ରାଣ୍ଡ ମାଲିକଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ କିମ୍ବା ଏକକ ବ୍ରାଣ୍ଡ ଖୁଚୁରା ବ୍ୟବସାୟ କରୁଥିବା ଭାରତୀୟ ସଂସ୍ଥା ଏବଂ ବ୍ରାଣ୍ଡ ମାଲିକଙ୍କ ମଧ୍ୟରେ ଆଇନଗତ ବୈଧ ଚୁକ୍ତି ଜରିଆରେ କାରବାର ପାଇଁ ଏହି ଅନୁମତି ମିଳିବ ।

 

ବେସାମରିକ ବିମାନ ଚଳାଚଳ
ବର୍ତମାନର ନୀତି ଅନୁଯାୟୀ, ନିର୍ଦ୍ଧାରିତ ଏବଂ ଅଣନିର୍ଦ୍ଧାରିତ ବିମାନ ପରିବହନ ସେବା ପରିଚାଳନା କରୁଥିବା ଭାରତୀୟ କମ୍ପାନୀଗୁଡ଼ିକରେ, ସେମାନଙ୍କ ପ୍ରଦତ୍ତ ପୁଞ୍ଜିର ସୀମା ୪୯% ପର୍ଯ୍ୟନ୍ତ ନିବେଶ କରିବା ଲାଗି ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଅନୁମତି ମିଳୁଥିଲା । ତେବେ ଏହି ବ୍ୟବସ୍ଥା ବର୍ତ୍ତମାନ ଏଆର ଇଣ୍ଡିଆ କ୍ଷେତ୍ରରେ ପ୍ରୟୋଗ ହେଉନଥିଲା, ଫଳରେ ବିଦେଶୀ ଏୟାରଲାଇନଗୁଡ଼ିକ ଏୟାରଇଣ୍ଡିଆରେ ନିବେଶ କରିପାରୁନଥିଲେ । ଏବେ ଏହି କଟକଣା ଉଚ୍ଛେଦ ପାଇଁ ନିଷ୍ପତି ନିଆଯାଇଛି ଏବଂ ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଅନୁମତି ପ୍ରାପ୍ତ ବାୟୁମାର୍ଗରେ ୪୯% ନିବେଶ ଲାଗି ଅନୁମତି ପ୍ରଦାନ କରାଯାଇଛି । ଏଥିରେ କେତେକ ସର୍ତ ରହିଛି । ବିଦେଶୀ ଏୟାରଲାଇନ୍ସ (ଗୁଡ଼ିକୁ) ମିଶାଇ ଏୟାର ଇଣ୍ଡିଆରେ ବୈଦେଶିକ ନିବେଶ(ଗୁଡ଼ିକ) ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ୪୯%ରୁ ଅଧିକ ହେବ ନାହିଁ । ଏୟାରଇଣ୍ଡିଆର ପର୍ଯ୍ୟାପ୍ତ ମାଲିକାନା ଏବଂ ପ୍ରଭାବୀ ନିୟନ୍ତ୍ରଣ ଭାରତୀୟ ନାଗରିକଙ୍କ ହାତରେ ରହିବ ।

 

ନିର୍ମାଣ ବିକାଶ
ରିୟଲ-ଇଷ୍ଟେଟ ବ୍ରୋକିଂ ସେବା ରିୟଲ ଇଷ୍ଟେଟ ବ୍ୟବସାୟ ସହ ସମାନ ନୁହେଁ, ତେଣୁ ଏହା ସ୍ୱୟଂକ୍ରିୟ ମାର୍ଗ ଜରିଆରେ ୧୦୦% ଏଫଡିଆଇ ପାଇଁ ଯୋଗ୍ୟ ।

 

ପାୱାର ଏକ୍ସଚେଞ୍ଜ
ବର୍ତ୍ତମାନର ନୀତି ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ (ଶକ୍ତି ବଜାର) ବିନିୟମ, ୨୦୧୦ ଅଧୀନରେ ପଞ୍ଜୀକୃତ ହୋଇଥିବା ପାୱାର ଏକ୍ସଚେଞ୍ଜଗୁଡ଼ିକରେ ସ୍ୱୟଂକ୍ରିୟ ମାର୍ଗରେ ୪୯% ଏଫଡିଆଇ ପାଇଁ ଅନୁମତି ମିଳୁଥିଲା । ତେବେ ଏଫଆଇଆଇ/ଏଫପିଆଇ କ୍ରୟଗୁଡ଼ିକ କେବଳ ମାଧ୍ୟମିକ ବଜାରରେ ସୀମିତ ରହୁଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ନିଷ୍ପତି ନିଆଯାଇଛି । ଫଳରେ ଏପଆଇଆଇ/ଏଫପିଆଇଗୁଡ଼ିକୁ ପ୍ରାଥମିକ ବଜାର ଜରିଆରେ ମଧ୍ୟ ଶକ୍ତି ଏକ୍ସଚେଞ୍ଜରେ ନିବେଶ ପାଇଁ ଅନୁମତି ଦିଆଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top