କଂଗ୍ରେସ ନହେଲା ନାହିଁ, ବିକଳ୍ପ ଅନେକ!

News Story - Posted on 2018-01-10

ହେମାଙ୍ଗ ପ୍ରସାଦ ରାଉଳ

 

ଗଂଜାମ ରାଜନୈତିକ ଚିତ୍ରପଟରେ କଂଗ୍ରେସର ଇତିହାସରେ ସବୁଠାରୁ ଅଧିକ ରୁଦ୍ଧିମନ୍ତ କରି ଆସୁଥିବା ରାଜନେତାଙ୍କ ଭାଗ୍ୟ ଓ ଭବିଷ୍ୟତ କ୍ରମଶଃ ଦୁର୍ବଳ ହେବା ଯେ ସମୟ ସେମାନଙ୍କ ସାଥୀରେ ନାହିଁ ବୋଲି ଧରାଯିବ । ଗଂଜାମ ଥିଲା ଏକଦା କଂଗ୍ରେସର ଦୁର୍ଗ । ବ୍ରହ୍ମପୁର ଓ ଆସିକା ଦୁଇଟି ସଂସଦୀୟ ଅଂଚଳରେ ସାଂସଦମାନେ ବହୁବାର କଂଗ୍ରେସରୁ ନିଜ ରାଜନୈତିକ ଜୀବନର ଛାପ ଛାଡ଼ି ଯାଇଛନ୍ତି । କିନ୍ତୁ ଦୁଇ ଦଶନ୍ଧି ଭିତରେ କଂଗ୍ରେସର ଦୟନୀୟ ବିପର୍ଯ୍ୟୟ ଆଂଚଳିକ ଦଳ ସାମନାରେ ଅତି ନିଷ୍ପ୍ରଭ ପରି ମନେହୁଏ । କଂଗ୍ରେସରୁ ରାମଚନ୍ଦ୍ର ରଥ ଓ ଗୋପୀନାଥ ଗଜପତିଙ୍କ ପରି ରାଜନେତାଙ୍କ ଭାଗ୍ୟ ଅସ୍ତ ହେଲା ପରେ ସବୁଠାରୁ ଆଗରେ ସୁନ୍ଦର ଭାବମୂର୍ତ୍ତି ସହ ଅଭ୍ୟୁଦୟ ହୋଇଥିବା ନାମ ହେଲା ଚନ୍ଦ୍ରଶେଖର ସାହୁ । ଶେଖର ଭାଇନା ନାମରେ ପରିଚିତ ଏଇ ଧୂରୀଣ ବ୍ୟକ୍ତିତ୍ୱଙ୍କ ରାଜନୈତିକ ଜୀବନ ଆରମ୍ଭ ହୁଏ କାଉନ୍ସିଲର ପଦରୁ । ପରେ ସେ ହୋଇଥିଲେ ବ୍ରହ୍ମପୁର ନଗରପାଳ ଏବଂ ଶେଷରେ କେନ୍ଦ୍ର ମନ୍ତ୍ରୀ । ବ୍ରହ୍ମପୁରର ବହୁ ବିକାଶମୂଳକ କାମରେ ଶେଖର ଭାଇନାଙ୍କ କୃତି ଓ କୀର୍ତ୍ତି ଯେପରି ଅମଳିନ ତାଙ୍କ ଅମଳିନ ହସ ହସ ମୁହଁ ସେହିପରି ଲୋକଙ୍କ ମନ ଜିଣିବାରେ ସଫଳ । ଭାଗ୍ୟ ସାଥୀ ହେବା ସହ ରାଜନୈତିକ ଅନୁଭବରେ ସେ ଗୋଟିଏ ଗୋଟିଏ ଗୋଟି ଚାଳନା କରି ଶେଷରେ ସଫଳ ନାୟକ ଭାବରେ କଂଗ୍ରେସରେ ଗ୍ରହଣୀୟ ହେଲେ, ରାଜ୍ୟ ଓ ଜାତୀୟ ସ୍ତରରେ ।

 

ଶେଖର ଭାଇନାଙ୍କ ରାଜନୈତିକ ଜୀବନ କାହାଣୀ ତାଙ୍କର ବହୁ ସମାଲୋଚକଙ୍କ ତୁଣ୍ଡ ଖୋଲିବା ବନ୍ଦ କରିଦେବା ପରେ ତାଙ୍କର ଶତ୍ରୁ ଭାବରେ ବିବେଚନା କରାଯାଉଥିବା କିଛି ଚରିତ୍ର ଶେଷରେ ଦଳଛାଡ଼ି ଚମ୍ପଟ ମାରିବାକୁ ସ୍ଥିର କରିଲେ । ଶେଖରଙ୍କ ଶିଖର ଛୁଆଁ ସଫଳତାର ସ୍ପର୍ଶ ସେଇଦିନ ସମସ୍ତଙ୍କୁ ଚକିତ କରିଥିଲା ଯେଉଁଦିନ ୟୁପିଏ-୨ୟ ସଂସ୍କରଣରେ ଜଣେ ଆଗଧାଡ଼ିର ଓଡ଼ିଆ ରାଜନୀତିର ନେତା ଭାବରେ ପରିଗଣିତ ହେବା ସହ ମନମୋହନ ସିଂହ ସରକାରର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ । ଅଭୂତପୂର୍ବ ଅଭ୍ୟର୍ଥନା ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ନେଇ ମାଟିର ପୁଅକୁ କୋଳେଇ ନେଇଥିଲେ ବ୍ରହ୍ମପୁରବାସୀ । ଯାହାକି ସର୍ବକାଳୀନ ଚର୍ଚ୍ଚାର ବିଷୟ ହୋଇ ରହିବ ହଜାର ହଜାର ଜନସାଧାରଣଙ୍କ ଗହଣରେ । ଶେଖର ଭାଇନାକୁ ବ୍ରହ୍ମପୁର ମାଟିରେ ସମ୍ବର୍ଦ୍ଧନା ଦେଇଥିବା ଏ ସହର ଯେ କେବେ ଭାବିନଥିବ ଅଭ୍ୟୁଦୟର ମାତ୍ର କିଛି ବର୍ଷ ପରେ ଏଇ ଚେହେରାଟି ପୁଣି ନିଷ୍ପ୍ରଭ ହୋଇଯିବ ।

 

ରାଜ୍ୟ କଂଗ୍ରେସର ଦୟନୀୟ ସ୍ଥିତିକୁ ସୁଧାରିବାକୁ ଯାଇ ସଭାପତି ପଦ ଦୁଇଦୁଇଟି କାର୍ଯ୍ୟକାରୀ ସଭାପତି ପାଇ ହାଇକମାଣ୍ଡଙ୍କ ନିଷ୍ପତ୍ତି ଗ୍ରହଣୀୟ ହେଲା । କିନ୍ତୁ ପ୍ରକୃତରେ ଚନ୍ଦ୍ରଶେଖର ସାହୁଙ୍କ ରାଜନୈତିକ ଜୀବନର ଚକଟି ସ୍ଥିର ହୋଇଗଲା । ତାଙ୍କର ଅନୁଭବ, ସଂଘର୍ଷ ଓ ସଫଳତାର ଯାତ୍ରା ସହ ଦଳର ସମନ୍ୱୟର ବିଚାର ଅଭାବ ହେତୁ ଏପରି ଏକ ସମୟରେ ଶେଖର ଭାଇନା ନୀରବ ହୋଇଯାଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଉଛି । ରାଜ୍ୟ କଂଗ୍ରେସ ରାଜନୀତିରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ ।

 

ଆଜି ଚନ୍ଦ୍ରଶେଖର ସାହୁଙ୍କ ପାଇଁ କଂଗ୍ରେସ ଗୋଟିଏ ଆସେଟ୍ ହୋଇନପାରେ । ଦଳରେ ଥାଇ ଅଧିକ କାଳ ଅବହେଳିତ ରହିବା ଅପେକ୍ଷା ଜଣେ ବିଚକ୍ଷଣ ରାଜନେତା ଭାବରେ ଅନ୍ୟକୌଣସି ବିକଳ୍ପ ଦଳରେ ତାଙ୍କର ଯୋଗଦାନ ନିଶ୍ଚୟ ଶତ ପ୍ରତିଶତ ଗ୍ରହଣୀୟ ହୋଇପାରେ । ବର୍ତ୍ତମାନ ଶେଖର ଭାଇନାଙ୍କ ନୀରବତାର କାରଣ ହୁଏତ ଆତ୍ମସମୀକ୍ଷା ଓ ବିଚାର ବିମର୍ଶ ପାଇଁ ସେ ଚଳେଇଥିବା ବ୍ୟସ୍ତତା । ପାରିବାରିକ ଜଂଜାଳ ମୁକ୍ତ ଜୀବନରେ ସେ ଆଜି ବିପତ୍ନୀକ । ଜୀବନର ସାହଚର୍ଯ୍ୟ ଦେଇଆସୁଥିବା ପତ୍ନୀଙ୍କ ବିୟୋଗ ପରେ ସେ ହୁଏତ ମର୍ମାହତ । କିନ୍ତୁ ଆଜିର ସମୟରେ ସହରବାସୀ ଶେଖର ଭାଇନାଙ୍କ ପୁନରୁତ୍ଥାନ ପାଇଁ ସମ୍ଭାବନାମୟ ବିଚାର ନେଇ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ କଂଗ୍ରେସ ନ ହେଲା ନାହିଁ ବିକଳ୍ପ ତ ଅନେକ ଅପେକ୍ଷାରେ । ଯେଉଁଥିରେ ଶେଖରଙ୍କ ରାଜନୈତିକ ଭବିଷ୍ୟତ ଶିଖରକୁ ଯେ ନ ଛୁଇଁବ କିଏ ବା କହିବ? ଏ ବିଷୟ ଆଜି ଚର୍ଚ୍ଚିତ । ୨୦୧୯ରେ ଶେଖରଙ୍କ ଭାଗ୍ୟ ଓ ଭବିଷ୍ୟତ ଅନେକ ସମ୍ଭାବନାର ଦୋ ଛକିରେ । ସମୟ ସାଥୀ ହେଲେ ହେଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top