ନାହିଁ ନାହିଁର ସହର ବ୍ରହ୍ମପୁର!

News Story - Posted on 2018-01-10

ହେମାଙ୍ଗ ପ୍ରସାଦ ରାଉଳ

 

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର । ଏହାର କାୟା ବିସ୍ତାର ପାଇଁ ସରକାରଙ୍କ ଯୋଜନାବଦ୍ଧ ବିଚାର ଦିନେ ଏଇ ସହରବାସୀଙ୍କୁ ମହାନଗର ବ୍ରହ୍ମପୁର ବୋଲି ଭେଟି ଦେଇ କହିଥିଲା ଏଣିକି ତୁମେ ୫ ଲକ୍ଷ ଲୋକଙ୍କର ବ୍ରହ୍ମପୁର ମହାନଗର । ସତରେ ବ୍ରହ୍ମପୁର ସହରବାସୀଙ୍କ ମନ ପ୍ରାଣରେ ଖେଳିଗଲା ଅଫୁରନ୍ତ ଆନନ୍ଦ । ରାତାରାତି ସ୍ୱପ୍ନରେ ଖୋଜିଲେ ଦେଶ ଦେଶାନ୍ତରର ମହାନଗରମାନଙ୍କର ଭୌଗୋଳିକ ଚିତ୍ର, ଚରିତ୍ର, ବ୍ୟବସ୍ଥା, ସୌନ୍ଦର୍ଯ୍ୟ, ସୁବିଧା, ସୁଖ ଓ ସମୃଦ୍ଧି । କିନ୍ତୁ ଆଜି ୭ ବର୍ଷ ପରେ ମହାନଗର ବ୍ରହ୍ମପୁର ସରକାରଙ୍କ ଛଳନାର ଗୋଟିଏ ମଡ଼େଲ ବୋଲି ଧରିନେଲେ ସହରବାସୀ । ଆଖି ସ୍ୱପ୍ନ ଦେଖିବା ତ ଭାରି ସହଜ ସ୍ୱପ୍ନର ବାସ୍ତବତାକୁ ଉପଲବ୍ଧି କରିବା ଭାରି କଷ୍ଟ । ପ୍ରତାରଣାର ସ୍ଲୋଗାନ ବ୍ରହ୍ମପୁର ମହାନଗର ।

 

ସହରରେ କିଛି ଅଛି ବୋଲି ଯଦି ଭାବିବା କୁଢ଼କୁଢ଼ ଅଳିଆ ଆବର୍ଜନା ଛଡ଼ା କିଛି ନୁହଁ । ସାମାଜିକ ସାଂସ୍କୃତିକ ଜୀବନର ଦେବାଳିଆ ପରିସ୍ଥିତି । ଭାଷା ସାହିତ୍ୟ ସଂସ୍କୃତିର ଗାଥା ଗାଇବା ପାଇଁ ସଂଗଠନ ମଧ୍ୟ କିଛି କମ୍ ନୁହେଁ ଅଥଚ ଭଲ ସାଂସ୍କୃତି ପ୍ରେମୀ ସାହିତ୍ୟିକଟିଏ ସୃଷ୍ଟି କରିବାର ବ୍ୟବସ୍ଥାଟି ବନ୍ଧା ପଡ଼ିଛି ଅସୁସ୍ଥ ବିଚାରଧାର ମଣିଷଙ୍କ ପାଖରେ । ଯେଉଁମାନେ ବଡ଼ ପଦ ପଦବୀ କ୍ଷମତାରେ ଥିଲେ ମଧ୍ୟ ସେମାନେ ଆଜି କିଛି କ୍ଷମତାରେ ଅଛନ୍ତି କି ନାହିଁ ସେମାନେ ହିଁ କହିବେ ଓ ତିଆରି କରିବେ ସାହିତ୍ୟିକ, କବି ଓ ଲେଖକ ସଂସ୍କୃତିପ୍ରେମୀ । ଯେଉଁମାନଙ୍କ ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ତୋଷାମଦର ମନଟିଏ ଦରକାର । ବ୍ରହ୍ମପୁର ସହରଟି ଓଡ଼ିଆ ଓ ତେଲୁଗୁ ଭାଷାର ଅଂଚଳ ହୋଇଥିଲେ ସୁଦ୍ଧା ଇଂରାଜୀ ଭାଷାଭାଷୀର ମନଟି ବଦଳାଇବା ଅସମ୍ଭବ । ଖାଣ୍ଟି ଓଡ଼ିଆ ଭାଷାରେ କଥା ହେବା ଲୋକଟି ମଧ୍ୟ ଅଧ୍ୟାପକ ପଦରେ ରହି ଇଂରାଜୀର ନାମଫଳକ ଦାଣ୍ଡରେ ଝୁଲାଇଥିବା ସହର ବ୍ରହ୍ମପୁର ।

 

ବାଣିଜ୍ୟ ବିପଣୀ ପେଣ୍ଠ ବ୍ରହ୍ମପୁର ଆନ୍ଧ୍ର ଓଡ଼ିଶାର ସୀମାନ୍ତ ବି ସହର । କିନ୍ତୁ ସାମଗ୍ରୀମାନଙ୍କ ଦୁଇନମ୍ବର ମୂଲ୍ୟାୟନ ଦୁଇ ନମ୍ବର ଗୁଣାତ୍ମକ ରୁଚିଥିବା ଲୋକଙ୍କ ଆଣେ ଜମିଥାଏ ସହରରେ । ପ୍ରତି ସମ୍ଭାବନାରେ ଏକ ଖାଣ୍ଟି ୨ ନମ୍ବର ସାମଗ୍ରୀର ଧରପଗଡ଼ ଓ ଦଲାଲଙ୍କ ମୁଖା ଖୋଲିବାରେ ପ୍ରଶାସନ ଯେତେ ସକ୍ରିୟ ହେଲେ ମଧ୍ୟ ଏଠାକାର ବାଣିଜ୍ୟ ସହ ଯୋଡ଼ି ହୋଇଥିବା ମଣିଷ ସବୁ ବେଳ ଦୁଇପାଦ ଆଗରେ । ଏଣୁ ଖାଦ୍ୟ ଓ ଅନ୍ୟାନ୍ୟର ପ୍ରଭେଦ ନବୁଝି ହୋଟେଲ୍ ବ୍ୟବସାୟୀଙ୍କ ଦୁଇ ନମ୍ବର ଖାଦ୍ୟ ପରିବେଷଣର ଅମରାବତୀ ବ୍ରହ୍ମପୁର କହିଲେ ଅତ୍ୟୁକ୍ତି ହେବନାହିଁ । ଫୁଡ଼୍ କେପିଟାଲ୍ ନାମରେ ସହର ସୁନାମକୁ ଦୁର୍ନାମ କରି କିଛି ହୋଟେଲ୍ ତାଙ୍କର ବଜାର ଖୋଲିଦିଅନ୍ତି ଋତୁ ଅନୁସାରେ ଏବଂ ଖାଦ୍ୟରେ ଜହର ଦେଇ ମୋଟ ଅର୍ଥ ଲୁଟନ୍ତି ଖାଦ୍ୟ ପରିବେଷଣ ନାମରେ । ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏ ସହରରେ ଭୁଷୁଡ଼ି ପଡ଼ିଛି । ଲୁଚିଛି ନା ଗୋଡ଼ ଦିଟା ଦିଶୁଛି । ବଡ଼ ମେଡ଼ିକାଲକୁ ନେଇ ରାଜନୀତି ବଡ଼ ମେଡ଼ିକାଲକୁ ନେଇ ସାମାଜିକ ସଂଗଠନର ଆନ୍ଦୋଳନ ହଠାତ ଝଡ଼ ସୃଷ୍ଟି କରି ଫେରିଗଲା । କିନ୍ତୁ ସ୍ୱାସ୍ଥ୍ୟ ସେବାର କାର୍ପାଟଦାରମାନେ ରୋଗୀ ଶୋଷଣର ବ୍ୟବସ୍ଥାକୁ ସୂକ୍ଷ୍ମାତିସୂକ୍ଷ୍ମ ଢ଼ାଂଚାରେ ନିୟନ୍ତ୍ରଣ କରି ମାଲାମାଲ୍ । ଶିକ୍ଷାର ବ୍ୟବସାୟିକ ଭିତ୍ତିଭୂମିକୁ ସରକାରୀ ଶିକ୍ଷା ଅନୁଷ୍ଠାନ ଅସଜଡ଼ା ବ୍ୟବସ୍ଥା ପରୋକ୍ଷରେ ସାହାଯ୍ୟ କରୁଛି । ଖଲିକୋଟ ମହାବିଦ୍ୟାଳୟର କି ବିଶ୍ୱବିଦ୍ୟାଳୟ ଏ ପ୍ରଶ୍ନର ଉତ୍ତର ଆଜି ଯାଏଁ କିଏ ବି ଠିକ୍ ଭାବରେ ଦେବାରେ ଆଦୌ ସମର୍ଥ ନୁହନ୍ତି ।

 

ସହର ଡ଼୍ରେନ୍ ପାଣି ଓ ପାଇଖାନାର ଭାଗ୍ୟ ସବୁ ନିର୍ଦ୍ଧାରଣ ହୁଏ ଖୋଲା ସ୍ଥାନମାନଙ୍କର ଛକ ଜାଗାରେ । ମାଳ ମାଳ ହାଣ୍ଡିର ଦୃଶ୍ୟ ଶୀତଋତୁ ଓ ଗ୍ରୀଷ୍ମ ଋତୁରେ ସମାନ । ଏଠାକାର ମଣିଷମାନଙ୍କୁ ଭଲ ଜଳ ଯୋଗାଣ ଓ ସମୟ ଅନୁସାରେ ଜଳ ଯୋଗାଇବାରେ ମହାନଗର କର୍ତ୍ତୃପକ୍ଷ ଆଦୌ ସଚେତନ ନାହାନ୍ତି । ପ୍ରତି ସାହିରେ ମହିଳା-ମହିଳାମାନଙ୍କ ଭିତରେ ଗଣ୍ଡଗୋଳର କାରଣ ଜଳଯୋଗାଣ ବ୍ୟବସ୍ଥା ଏଣୁ ସାହିମାନଙ୍କ ସୌହାର୍ଦ୍ଦ୍ୟ ସଂପର୍କକୁ ହରଣ କରିବାରେ ବିଭ୍ରାଟ ଜଳଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ଦାୟୀ । ଡ଼୍ରେନମାନଙ୍କ ଉପରେ ଖାଦ୍ୟ ଥୋଇ ଶହଶହ ଠେଲାଗାଡ଼ି ଫାଷ୍ଟଫୁଡ଼୍କୁ ଲଗାମ ନାହିଁ । ଯଦି ପ୍ରତିବାଦ କରିବ ଭଡ଼ାଟିଆଙ୍କ ଗୁଣ୍ଡାମି । ମଦ ଦୋକାନ ରାସ୍ତା ପାଶ୍ୱର୍ରେ ଖୋଲି ମଦୁଆଙ୍କ ମେଳିରେ ସହର ସନ୍ଧ୍ୟା ହେଲେ ମଦଗନ୍ଧରେ ମହମହ ବାସେ । ଭେଣ୍ଡାଙ୍କ ହାତରେ ଲକ୍ଷେ ଟଙ୍କିଆ ବାଇକ୍ ପଡ଼ିଲେ ଟ୍ରାଫିକ୍ ନିୟମକୁ ଚ୍ୟାଲେଞ୍ଜ ମାରିଲା ପରି ଦଉଡ଼ନ୍ତି ମୁଖ୍ୟ ରାସ୍ତାରେ । ସହରର ରାସ୍ତାଘାଟରେ ଭାଗ୍ୟକୁ ଆଦରି ଯିବାକୁ ହୁଏ । ପର୍ଯ୍ୟଟନର ସାହାରା ଅନତି ଦୂର ଗୋପାଳପୂର । ଡ଼ିସେମ୍ବର ପରେ ବିଜୁ ପାର୍କରେ ଭେଟାଭେଟି କୋଳାକୋଳିର ଯୁବକ ଯୁବତୀଙ୍କ ଦୃଶ୍ୟରେ ବୟସ୍କ ରକ୍ଷଣଶୀଳ ପରିବାର ଅସହାୟ ଓ ଅଣନିଶ୍ୱାସୀ ।

 

ଏସବୁର ଆଲୋଚନା ନୂଆବର୍ଷର ଆରମ୍ଭରେ କରିବାର ଯଥାର୍ଥ ଏଇଥି ପାଇଁ ହୁଏତ ୨୦୧୮-୨୦୧୯ ନିର୍ବାଚନ ବର୍ଷ ବିଧି ନାହିଁ ନାହିଁର ସହର ଭିତରେ ହଁ ବିଚାରଟି ଏକ ସକରାତ୍ମକ ବିଚାର ସୃଷ୍ଟି କରିବ ଏବଂ ସହରର ମୁଖିଆଙ୍କ ବିଚାରର ନବକଳେବର ହେବ ଏହିପରି କାମନା ମାତ୍ର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top