ଅପରାଧୀ କିଏ? ସରକାର ନା ସାମ୍ବାଦିକ?

News Story - Posted on 2018-01-09

ଗଣମାଧ୍ୟମ ଯଦି ସରକାର ବା ସରକାରୀ ବ୍ୟବସ୍ଥାରେ ରହିଥିବା ତ୍ରୁଟିବିଚ୍ୟୁତ ସଂପର୍କରେ ତଦନ୍ତମୂଳକ ରିପୋର୍ଟ ପ୍ରକାଶ କରିବ ନାହିଁ ତେବେ କରିବ କ’ଣ? ସମାଜ ଓ ଦେଶ ପ୍ରତି ଗଣମାଧ୍ୟମର ଉତ୍ତରଦାୟିତ୍ୱ ତେବେ କ’ଣ? ଏହା କ’ଣ କେବଳ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବା ସେମାନଙ୍କର ମନ୍ତ୍ରୀମାନଙ୍କର ବିବୃତ୍ତି ପ୍ରକାଶ କରିବ? ସରକାର ଓ ବିରୋଧୀ ଦଳର ପ୍ରଚାର କରିବା କ’ଣ ସାମ୍ବାଦିକତା? ଯଦି ଏହା ନୁହେଁ, ତେବେ ଦ ଟ୍ରିବ୍ୟୁନର ସାମ୍ବାଦିକ କି ଦୋଷ କଲେ ଯେ ତାଙ୍କ ବିରୋଧରେ ୪୧୯, ୪୨୦, ୪୬୮ ଓ ୪୭୧ ଦଫା ଲଗେଇ ଏତଲା ଦିଆଯିବ? ସରକାରଙ୍କର ଏଭଳି ଆଭିମୁଖ୍ୟ କ’ଣ ସାମ୍ବାଦିକତା ବିରୋଧୀ ନୁହେଁ? ଗଣମାଧ୍ୟମର ସ୍ୱାଧୀନତା ବିରୋଧୀ ନୁହେଁ?

 

ୟୁନିକ ଆଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା ୟୁଆଇଡିଏଆଇ ତରଫରୁ ଚାଲିଥିବା ଆଧାର କାର୍ଯ୍ୟକ୍ରମ ବିରୋଧରେ ଦେଶବ୍ୟାପୀ ଅନେକ ପ୍ରତିକ୍ରିୟା । ଏହା ଅଦରକାରୀ । ଏହା ଜନସ୍ୱାର୍ଥ ବିରୋଧୀ । ଆଧାର ତଥ୍ୟ ଚୋରି କରିହେବ । ଏହା ଦେଶର ନିରାପତ୍ତା ପ୍ରତି ବିପଦ । ଏହା ନାଗରିକଙ୍କର ଗୋପନୀୟତା ଅଧିକାରର ଉଲ୍ଲଙ୍ଘନ । ଏମିତି ଅନେକ ଅଭିଯୋଗ ଆଧାର ବିରୋଧରେ । ଏହାକୁ ନେଇ ସୁପ୍ରିମ କୋର୍ଟରେ ଏକାଧିକ ମାମଲା ବିଚାରାଧୀନ । ଏମିତି ଅନେକ ଅଭିଯୋଗ ଉପରେ ଏବେ ବିଚାର କରୁଛନ୍ତି ସୁପ୍ରିମ କୋର୍ଟ ।

 

ଏହା ଭିତରେ ଆଧାର ତଥ୍ୟ ପ୍ରଘଟ ହୋଇଥିବା ନେଇ ଅନେକ ରିପୋର୍ଟ ପ୍ରକାଶ ପାଇସାରିଛି । ଏପରିକି ଏପରି ଏକ ପ୍ରଘଟକୁ ଖୋଦ ୟୁଆଇଏଡିଆଇ ମଧ୍ୟ ସ୍ୱୀକାର କରିଛି । ମଧ୍ୟ ପ୍ରଦେଶରେ କିଛି ଲୋକଙ୍କ ଆଧାର ତଥ୍ୟ ଲିକ୍ ହେବା ପରେ ଆଧାର କର୍ତ୍ତୃପକ୍ଷ କହିଥିଲେ ଯେ ଏକ ସରକାରୀ ସଂସ୍ଥା ଭୁଲବଶତଃ ଏପରି କରିଦେଇଛି । ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି । ନିକଟରେ ଦ ଟ୍ରିବ୍ୟୁନ ଖବରକାଗଜର ଜଣେ ସାମ୍ବାଦିକା ଆଧାର ତଥ୍ୟ ପ୍ରଘଟଯୋଗ୍ୟ କି ନୁହେଁ ସେନେଇ ଏକ ତଦନ୍ତ କରିଥିଲେ । ତଦନ୍ତ ଶେଷରେ ସେ ରିପୋର୍ଟ କଲେ ଯେ ମାତ୍ର ୫୦୦ ଟଙ୍କା ଦେଇ ସେ ଆଧାର କୋଡ଼୍ ପାଇଛନ୍ତି ଯାହାକୁ ବ୍ୟବହାର କରି କୋଟିକୋଟି ଲୋକଙ୍କ ଆଧାର ତଥ୍ୟ ହାସଲ କରିହେବ ।

 

ଏହି ରିପୋର୍ଟ ପ୍ରକାଶ ପାଇଲା ପରେ ଆଧାର କର୍ତ୍ତୃପକ୍ଷ ଏତେ ରାଗିଯାଇଛନ୍ତି ଯେ ଟ୍ରିବ୍ୟୁନ ଓ ସଂପୃକ୍ତ ସାମ୍ବାଦିକାଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ଏତଲାରେ ୪୧୯, ୪୨୦, ୪୬୮ ଓ ୪୭୧ ଦଫା ଲଗାଯାଇଛି । କର୍ତ୍ତୃପକ୍ଷଙ୍କ ଦାବି ହେଉଛି ଆଧାର ତଥ୍ୟ କଦାପି ଚୋରି ହୋଇପାରିବ ନାହିଁ । ଏହି ଦାବି ସଂପର୍କରେ କିନ୍ତୁ ଆଧାର କର୍ତ୍ତୃପକ୍ଷ ସେଭଳି କୌଣସି ଟାଣ ପ୍ରମାଣ ଦେଇପାରୁ ନାହାନ୍ତି । ଏକମାତ୍ର ଯୁକ୍ତି ହେଉଛି ଯେ ଆଧାର ତଥ୍ୟ ସଂପୂର୍ଣ୍ଣ ନିରାପଦ । କେମିତି ନିରାପଦ? ନା ସଫ୍ଟୱେଆର ବ୍ୟବସ୍ଥା ହୋଇଛି । ସେହି ସଫ୍ଟୱେଆର କିଏ ତିଆରି କରିଛି? ମଣିଷ । ତାକୁ ପ୍ରୟୋଗ କରୁଛି କିଏ? ମଣିଷ । ତାକୁ ଜଗିଛି କିଏ? ସେଇ ମଣିଷ । ତେବେ ସବୁ ମଣିଷ କ’ଣ ସବୁବେଳେ ସାଧୁ?

 

ମଣିଷର ସାଧୁତା ଯଦି କ୍ଷଣଭଙ୍ଗୁର ତେବେ ଆଧାର ବ୍ୟବସ୍ଥା କିପରି ସୁରକ୍ଷିତ? ଏହି ସମାନ ପ୍ରଶ୍ନ ବି ଉଠେ ଇଭିଏମ ବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ସଂପର୍କରେ । ନିର୍ବାଚନ ଏହା ସପକ୍ଷରେ ଯେତେ ଯୁକ୍ତି ରଖିଲେ ମଧ୍ୟ ଇଭିଏମ ଯେ ଟାମ୍ପରପ୍ରବଣ ସେନେଇ ଅଭିଯୋଗ ବନ୍ଦ ହେବାର ନାହିଁ । କାରଣ ନିର୍ବାଚନ ପରେ ନିର୍ବାଚନ ଦେଖାଯାଉଛି ଯେ ଅନେକ ସ୍ଥାନରେ ଇଭିଏମ ଠିକ ଭାବେ କାର୍ଯ୍ୟ କରୁନାହିଁ । ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ ଇଂଜିନିଅରମାନେ ଯେକୌଣସି ଇଲେକ୍ଟ୍ରୋନିକ ସାମଗ୍ରୀ ଟାମ୍ପରଯୋଗ୍ୟ ବୋଲି ଦାବି କରୁଥିବାବେଳେ ନିର୍ବାଚନ କମିଶନ ତାଙ୍କ ଯୁକ୍ତିରୁ ଓହରୁନାହାନ୍ତି । ଠିକ ସେହିପରି ଆଧାର ବିରୋଧରେ ଅନେକ ଯୁକ୍ତି ଓ ତଥ୍ୟ ରହିଥିଲେ ବି ୟୁଆଇଡିଏଆଇ କର୍ତ୍ତୃପକ୍ଷ ତାହା ମାନିବାକୁ ନାରାଜ ।

 

ସେହିପରି ଏବେକାର କେନ୍ଦ୍ର ସରକାର ଦାୟିତ୍ୱରେ ଥିବା ନେତାମାନେ ମଧ୍ୟ ଏଭଳି ଅଭିଯୋଗ ପ୍ରତି କୁମ୍ଭକର୍ଣ୍ଣ ଆଚରଣ ପ୍ରଦର୍ଶନ କରିଚାଲିଛନ୍ତି । ଏବେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ପୂର୍ବରୁ ଆଧାରକୁ ଉପା ସରକାରଙ୍କର ଏକ ଦେଶଦ୍ରୋହ କାର୍ଯ୍ୟକ୍ରମ ଭାବେ ସମାଲୋଚନ କରୁଥିଲା । ସେହି ଉପା ସରକାରଙ୍କ ଆଧାର କାର୍ଯ୍ୟକ୍ରମକୁ ଏ ସରକାର ବାତିଲ ନକରି ଓଲଟି ଅଧିକ ବ୍ୟାପକ କରିଚାଲିଛନ୍ତି । ନିଜକୁ ରାଷ୍ଟ୍ରବାଦୀ ଭାବେ ଦାବି କରୁଥିବା ଦଳର ସରକାର ଆଧାରକୁ ସବୁ ପ୍ରକାର ସରକାରୀ ସେବା କ୍ଷେତ୍ରରେ ବାଧ୍ୟତାମୂଳକ କରି ଦେଶବ୍ୟାପୀ ଜନ ଅସନ୍ତୋଷ ସୃଷ୍ଟି କରିଛନ୍ତି ।

 

ଏପରି ସ୍ଥଳେ ଜଣେ ସାମ୍ବାଦିକ ବା କୌଣସି ଗଣମାଧ୍ୟମ ସଂସ୍ଥାର କ’ଣ ଏହା ଦାୟିତ୍ୱ ନୁହେଁ ଯେ ଆଧାର କେତେ ସୁରକ୍ଷିତ ତାହା ଉପରେ ତଦନ୍ତ କରିବା? ଯଦି ଏପରି କୌଣସି ତଦନ୍ତରୁ ଏହା ପ୍ରଘଟଯୋଗ୍ୟ ବା ଚୋରିଯୋଗ୍ୟ ବୋଲି ସନ୍ଦେହ ହେଲା ସେ ସଂପର୍କରେ ଜନ ସାଧାରଣଙ୍କୁ ଅବଗତ କରିବା କ’ଣ ଅପରାଧ? ନା, ଅନେକ ଲୋକଙ୍କ ଅଭିଯୋଗ ସତ୍ତେ୍ୱ ଏହି ବ୍ୟବସ୍ଥାକୁ ଅଧିକ ବଳବତ୍ତର କରି ଲୋକଙ୍କୁ ଅସୁବିଧାରେ ପକାଇବା ଅପରାଧ? ଅପରାଧୀ କିଏ? ସରକାର ନା ସାମ୍ବାଦିକ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top