ଦୁର୍ନୀତିର ସହଯୋଗୀ ନବୀନ ସରକାର!

News Story - Posted on 2018-01-09

ପ୍ରଦୀପ ପ୍ରଧାନ

 

ଡିସେମ୍ବର ୧୯, ୨୦୧୭ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ଏବଂ କଟକ ସହରରେ ଜମି/ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତା ସମ୍ପର୍କରେ ଟ୍ୟାକ୍ସଫୋର୍ସ ଦେଇଥିବା ରିପୋର୍ଟ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରି ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦାଖଲ କରି ପ୍ଲଟ ନେଇଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଦାଏର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ଏପ୍ରିଲ ୧୬ ତାରିଖରେ ମୁଖ୍ୟ ଶାସନ ସଚିବ ଏହିଭଳି ଏକ ସମୀକ୍ଷା ବୈଠକ କରି ଭୁବନେଶ୍ୱର ଡ଼େଭଲପମେଣ୍ଟ ଅଥରିଟି ୧୧ଟି ପ୍ଲଟ ଫେରାଇ ଆଣିଛନ୍ତି ବୋଲି କହିଥିଲେ । କିନ୍ତୁ ପ୍ରକୃତରେ ଏହା ମିଛ ଥିଲା ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା ।

 

୨୦୧୪ ମସିହାରେ ବିଡ଼ିଏ, ସିଡ଼ିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ଇଡକୋ ସଂସ୍ଥା ଦ୍ୱାରା ଭୁବନେଶ୍ୱର ଏବଂ କଟକରେ ଜମି/ପ୍ଲଟ ଆବଣ୍ଟନରେ ହୋଇଥିବା ବେଆଇନ କାରବାର, ଅନିୟମିତତା ସମ୍ପର୍କରେ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ ୨୦୧୪ ମସିହାରେ ରିପୋର୍ଟ ପ୍ରଦାନ କରିଥିଲେ । ରାଜ୍ୟରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ଅଫିସର ଏବଂ ପ୍ରମୁଖ ପ୍ରଭାବଶାଳୀ ଲୋକମାନେ କିପରି ମିଥ୍ୟା ସତ୍ୟପାଠ କରି ଏକାଧିକ ପ୍ଲଟ ହାତେଇଛନ୍ତି, ତାହା ଲୋକଲୋଚନକୁ ଆସିଥିଲା । ସେହିପରି ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ଅତ୍ୟନ୍ତ ରିହାତି ଦରରେ ହୋଟେଲ, ବେସରକାରୀ ଶିକ୍ଷାନୁଷ୍ଠାନ, କମ୍ପାନୀମାନଙ୍କୁ ସହରର ମୂଲ୍ୟବାନ ଜମି ଦେଇଥିବାର ସମସ୍ତ ତଥ୍ୟ ସିଏଜି ଉଲ୍ଲେଖ କରିଥିଲେ ।

 

ସିଏଜି ରିପୋର୍ଟ ଅନୁସାରେ କେବଳ ଅଚ୍ୟୁତ ସାମନ୍ତଙ୍କ କିଟ୍ ସଂସ୍ଥା ଜାଲିଆତି କରି ଚନ୍ଦକା ଅଂଚଳରେ ଇଡକୋଠାରୁ ୧୦୦ ଏକରରୁ ଉଦ୍ଧ୍ୱର୍ ଜମି ନେଇଥିବା ଜଣାପଡ଼ିଥିଲା । ସିଏଜି ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ପାଇଲା ପରେ ବିରୋଧୀ ରାଜନୈତିକ ଦଳ ଏବଂ ସିଭିଲ ସୋସାଇଟି ସଂଗଠନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ସମସ୍ତେ ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ କରିଥିଲେ । ରାଜ୍ୟ ସରକାର ·ପର ବଶବର୍ତ୍ତୀ ହୋଇ ପ୍ରକୃତରେ ଭୁବନେଶ୍ୱର ଏବଂ କଟକରେ ବିଭିନ୍ନ ସରକାରୀ ସଂସ୍ଥା ଏବଂ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ୧୯୯୫ ମସିହାଠାରୁ ହୋଇଥିବା ଜମି ଆବଣ୍ଟନରେ ଅନିୟମିତତା, ଇଚ୍ଛାଧୀନ କୋଟାରେ ଜମି ଜାଲିଆତି ଇତ୍ୟାଦିର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ତାରାଦତ୍ତଙ୍କ ଅଧ୍ୟକ୍ଷତାରେ ଟ୍ୟାକ୍ସଫୋର୍ସ କମିଟି ଗଠନ କରିଥିଲେ ।

 

ଉକ୍ତ କମିଟି ନଭେମ୍ବର ୩, ୨୦୧୪ରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏହାପରେ ରାଜ୍ୟ କ୍ୟାବିନେଟ ଡ଼ିସେମ୍ବର ୧୮, ୨୦୧୪ ଟ୍ୟାକ୍ସଫୋର୍ସ ରିପୋର୍ଟକୁ ଗ୍ରହଣ କରିବା ସହ ଏହି କମିଟି ସମସ୍ତ ସୁପାରିଶକୁ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ରାଜ୍ୟ ସରକାର ପ୍ଲଟ ନେଇ ପାଂଚ ବର୍ଷ ମଧ୍ୟରେ ବାସଗୃହ କରିନଥିବା ସମସ୍ତ ଲିଜଧାରୀଙ୍କର ପ୍ଲଟ ଆବଣ୍ଟନ ରଦ୍ଦ କରିବା, ୧୯୯୫ ପୂର୍ବବର୍ତ୍ତୀ ସମୟରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା, ବିଡ଼ିଏ ଏବଂ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ହୋଇଥିବା ଜମି ଆବଣ୍ଟନର ତାଲିକା ପ୍ରସ୍ତୁତ କରିବା, ମିଥ୍ୟା ସତ୍ୟପାଠ ଦେଇ ଏକାଧିକ ପ୍ଲଟ ନେଇଥିବା ବ୍ୟକ୍ତିମାନଙ୍କର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ ସହ ଅର୍ଥ ବିଭାଗ ଦ୍ୱାରା ଏହାର ସ୍ୱତନ୍ତ୍ର ଅଡ଼ିଟ୍ କରାଇବା, ମିଥ୍ୟା ସତ୍ୟପାଠ ଦାଖଲ କରି ଜମି/ପ୍ଲଟ ନେଇଥିବା ବ୍ୟକ୍ତିବିଶେଷଙ୍କର ଜମି ତୁରନ୍ତ ରଦ୍ଦ କରିବା ଆଦି ଉଲ୍ଲେଖ ଥିଲା । ଇଚ୍ଛାଧୀନ କୋଟାରେ ଜମି ନେଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଜମି/ପ୍ଲଟ ଖାରଜ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜମି ନେଇ ହସ୍ତାନ୍ତର କରିଥିବା ବା ବିକ୍ରି କରି ଦେଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଘୋଷଣା କରିଥିଲେ ।

 

ଏହା ପରଠାରୁ ଆଜି ପର୍ଯ୍ୟନ୍ତ ସରକାରୀସ୍ତରରେ କି କି ପଦକ୍ଷେପ ନିଆଯାଇଛି, ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ବିଡ଼ିଏ, ସିଡ଼ିଏ, ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏବଂ ସାଧାରଣ ପ୍ରଶାସନ ବିଭାଗ ଅର୍ଥ ବିଭାଗକୁ ତଥ୍ୟ ମଗାଯାଇଥିଲା । ଗତ ତା ୪.୧୨.୨୦୧୭ରେ ସିଡ଼ିଏ ତରଫରୁ ଯୋଗାଇ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଇଚ୍ଛାଧୀନ କୋଟାରେ ପ୍ଲଟ ନେଇଥିବା ୧୦୯୧ ଜଣଙ୍କୁ କେବଳ ନୋଟିସ୍ କରାଯାଇଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେହିପରି ଏକାଧିକ ପ୍ଲଟ ନେଇଥିବା ୧୨ ଜଣଙ୍କର ପ୍ଲଟକୁ ଖାରଜ କରାଯାଇଛି । କିନ୍ତୁ ଏହି ପ୍ଲଟଗୁଡ଼ିକୁ ସରକାରଙ୍କ ଅଧୀନକୁ ଅଣାଯାଇନାହିଁ । ସେହିପିର ୩.୧୦.୨୦୧୭ରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଏହାର ତଥ୍ୟ ଦେଇଥିଲେ । ଉକ୍ତ ତଥ୍ୟରୁ ଜଣାପଡ଼ିଥିଲା ଯେ, ଇଚ୍ଛାଧୀନ କୋଟାରେ ଗୃହ ପାଇଥିବା ୬୭ ଜଣ ଏବଂ ମିଥ୍ୟା ସତ୍ୟପାଠ ଦେଇ ଦୁଇ ବା ତତୋଧିକ ଗୃହ ପାଇଥିବା ୨୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପ୍ଲଟ ନେଇଥିବା ତିନିଜଣ ବ୍ୟକ୍ତି ସକଳ କୁମାର ମୌଲିକ, ପ୍ରଣବ ବଳବନ୍ତରାୟ ଏବଂ ସ୍ନିଗ୍ଧାରାଣୀ ସାହୁ ଜମି ଫେରସ୍ତ ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୃହ ନିର୍ମାଣ ସଂସ୍ଥା ସେମାନଙ୍କଠାରୁ ଫେରାଇ ଆଣିନାହାଁନ୍ତି । ବିଡ଼ିଏକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଥିଲେ ମଧ୍ୟ ଉକ୍ତ ସଂସ୍ଥା କୌଣସି ତଥ୍ୟ ଦେଇନଥିଲେ । ସାଧାରଣ ପ୍ରଶାସନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ବେଳେ ଅର୍ଥ ବିଭାଗ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଡ଼ିଟ୍ ଶେଷ କରିବାରେ ସଫଳ ହୋଇପାରି ନାହିଁ । ସେହିପରି ରାଜ୍ୟ ଭିଜିଲାନ୍ସ କୌଣସି ତଥ୍ୟ ଦେବାକୁ ମନା କରିଥିଲେ ।

 

ତେଣୁ ଭୁବନେଶ୍ୱର ଏବଂ କଟକ ସହରରେ ହୋଇଥିବା ଜମି ଜାଲିଆତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାର ବସ୍ତୁତଃ ବିଫଳ ହୋଇଛନ୍ତି । ବାସ୍ତବରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାହାନ୍ତି ନାହିଁ । ଯେହେତୁ ଜମି ଦୁର୍ନୀତିରେ ଶାସକ ବିଜେଡ଼ିର ଅନେକ ମନ୍ତ୍ରୀ, ବିଧାୟକ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ସମ୍ପୃକ୍ତ ଏବଂ ସରକାରଙ୍କ ପ୍ରୋତ୍ସାହନରେ ଏହି ଦୁର୍ନୀତି ହୋଇଛି ତେଣୁ ସରକାର ଏହାକୁ ରଫାଦଫା କରିଦେବାକୁ ଚେଷ୍ଟା କରି ଆସୁଛନ୍ତି । ଲୋକଙ୍କୁ କେବଳ ଠକିବା ପାଇଁ ମୁଖ୍ୟ ଶାସନ ସଚିବ ବର୍ଷକୁ ଥରେ ନାମକୁ ମାତ୍ର ସମୀକ୍ଷା କରୁଛନ୍ତି । ଏହି ଜମି ଦୁର୍ନୀତି ଯୋଗୁଁ ରାଜକୋଷର ହାରାହାରି ୧୦,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବାର ଆକଳନ କରାଯାଉଛି ।

 

ସିଏଜି ରିପୋର୍ଟରେ ଦର୍ଶାଇଥିଲେ ଯେ, ଇଡକୋ କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ଚନ୍ଦକା ଶିଳ୍ପାଂଚଳ ଏବଂ ଅନ୍ୟ ସ୍ଥାନରେ ବ୍ୟାପକ ଜମି ଜାଲିଆତି ହୋଇଛି । ଇଡକୋ ଦ୍ୱାରା ବେଆଇନ ଭାବେ ଶିଳ୍ପସଂସ୍ଥାମାନଙ୍କ ପାଇଁ ଜମି ଅଧିଗ୍ରହଣ ଏବଂ ମନଇଚ୍ଛା ଆବଣ୍ଟନ, ଆବଶ୍ୟକତା ନଥାଇ ଶିଳ୍ପାନୁଷ୍ଠାନମାନଙ୍କୁ ମନଇଚ୍ଛା ଜମି ଆବଣ୍ଟନ, ଜମିର ବାସ୍ତବ ମୂଲ୍ୟ ଆକଳନ ନ କରି ଶସ୍ତାରେ ଶିଳ୍ପାନୁଷ୍ଠାନଙ୍କୁ ଜମି ପ୍ରଦାନ, କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ଜଙ୍ଗଲ ଜମି ଆବଣ୍ଟନ, ଜମି ବନ୍ଧା ଦେଇ ଖୋଲା ବଜାରରୁ ଟଙ୍କା ଉଠାଇବା ପାଇଁ ଶିଳ୍ପାନୁଷ୍ଠାନଙ୍କୁ ଇଡକୋର ବେଆଇନ ଜମି ଅଧିକାର ପ୍ରଦାନ ଏବଂ ଆପତ୍ତି ନାହିଁ ପ୍ରମାଣପତ୍ର ପ୍ରଦାନ, ଇଡକୋ ପ୍ରୋତ୍ସାହନରେ ଶିଳ୍ପାନୁଷ୍ଠାନଙ୍କ ଦ୍ୱାରା ଜମି ଜବରଦଖଲ, ବେଆଇନ ଜମି ଜବରଦଖଲକାରୀଙ୍କୁ ଜମି ଦଖଲର ଅନୁମତି ପ୍ରଦାନ ଇତ୍ୟାଦି ଅନିୟମିତତା ସିଏଜି ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ସୁପାରିଶ କରିଥିଲେ । ଏହା ସହିତ ଚନ୍ଦକା ଶିଳ୍ପାଂଚଳରେ କିଟ୍ ସଂସ୍ଥା ଇଡକୋ ସଂସ୍ଥାରୁ କିପରି ୮୫ ଏକର ଜମି ନେଇଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହି ଇଡକୋ ଜମି ଜାଲିଆତିର ତଦନ୍ତ କରିନାହାନ୍ତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଫଳରେ ହଜାର ହଜାର କୋଟି ଟଙ୍କାର ମୂଲ୍ୟବାନ ଜମି ଏହିସବୁ ସଂସ୍ଥା ମାଡ଼ିବସିଛନ୍ତି ।

 

ତେବେ ନବୀନ ସରକାର ସ୍ୱଚ୍ଛ ନା ଦୁର୍ନୀତିଗ୍ରସ୍ତ?

 

ସୂଚନାଧିକାର କର୍ମୀ, ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top