ନିର୍ବାଚନରେ ଚାଷୀଙ୍କ ରୋଷ

News Story - Posted on 2018-01-09

ସରଳ କୁମାର ଦାସ

 

ଗୁଜରାଟ ବିଧାନସଭା ନିର୍ବାଚନରେ ୯୯ଟି ଆସନ ପାଇ କୌଣସି ପ୍ରକାରେ ଶାସନକୁ ଫେରିଥିବା ଭାରତୀୟ ଜନତା ପାର୍ଟି କିନ୍ତୁ ଚାଷୀଙ୍କ ରୋଷର ଶିକାର ହେବାରୁ ବର୍ତ୍ତି ପାରିନାହିଁ। ଦଳ ପାଇଁ ଏହି ବିଜୟରେ ଆହ୍ଲାଦିତ ହେବା ଅପେକ୍ଷା ଚିନ୍ତିତ ହେବାର ଅନେକ କାରଣ ରହିଛି। କାରଣ ଦଳ ପାଇଥିବା ୯୯ଟି ଆସନ ମଧ୍ୟରୁ ୪୬ଟି ଆସନ କେବଳ ୪ଟି ବଡ ସହରରୁ ପାଇଛି। ଅହମଦାବାଦର ୨୧ଟି ଆସନରୁ ୧୬ଟି, ସୁରଟର ୧୬ଟିରୁ ୧୫ଟି, ବରୋଦାର ୧୦ଟିରୁ ୯ଟି ଓ ରାଜକୋଟର ୮ଟିରୁ ୬ଟି ଆସନ ପାଇଛି। ଅବଶିଷ୍ଟ ଗୁଜରାଟରୁ ଭାରତୀୟ ଜନତା ପାର୍ଟି ସର୍ବମୋଟ ୫୩ଟି ଆସନ ପାଇଥିବା ବେଳେ କଂଗ୍ରେସ ଦଳ ୭୧ଟି ଆସନ ପାଇଛି। ଅର୍ଥାତ୍ ଗୁଜରାଟର ଗ୍ରାମାଞ୍ଚଳରେ ଶାସକ ଭାଜପା ଚାଷୀମାନଙ୍କର ପ୍ରବଳ ଜନ ଅସନ୍ତୋଷର ଶିକାର ହୋଇ ପ୍ରତ୍ୟାଖ୍ୟାତ ହୋଇଛି। ନିର୍ବାଚନରେ ଯେଉଁ ୬ ଜଣ ମନ୍ତ୍ରୀ ପରାଜୟ ବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର କୃଷି ବିଭାଗର ମନ୍ତ୍ରୀ ଚିମନଭାଇ ସପ୍ରେୟା।

 

କୃଷି କ୍ଷେତ୍ରରେ ଗୁଜରାଟର ଅଭିବୃଦ୍ଧି ହାର ଶତକଡା ୧୧ ଭାଗ ଯାହା ଜାତୀୟ ଅଭିବୃଦ୍ଧି ହାରଠାରୁ ଯଥେଷ୍ଟ ଅଧିକ। ଗୁଜରାଟର ଚାଷୀ ପାରମ୍ପରିକ ଚାଷ ନକରି ଅଧିକ ଜମିରେ କପା, ଚିନାବାଦାମ, ଜିରା, ପାନମହୁରୀ, ଧୂଆଁପତ୍ର ଭଳି ଅର୍ଥକରୀ ଫସଲ ଚାଷ କରିବା ସହିତ ଏ ସବୁ ଚାଷର ଉତ୍ପାଦକତାକୁ ଜାତୀୟ ଉତ୍ପାଦକତା ହାରଠାରୁ ଅଧିକ କରି ପାରିଥିବାରୁ ସେଠାରେ ପ୍ରଚୁର ଫସଲ ଅମଳ ହୋଇପାରୁଛି। ଚାଷୀ ଉତ୍ପାଦନ ବଢାଇଥିବା ବେଳେ ଶ୍ରେୟ ସରକାର ନେଇଛନ୍ତି, କିନ୍ତୁ ଚାଷୀ ତାର ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ପାଉ ନଥିବା ବେଳେ ସରକାର ତା ପାଖରେ ଠିଆ ହୋଇନାହାନ୍ତି। ଏହା କେବଳ ଗୁଜରାଟ ଚାଷୀଙ୍କର ସମସ୍ୟା ନୁହେଁ, ବରଂ ସାରା ଦେଶର ଚାଷୀଙ୍କର ସମସ୍ୟା।

  

ଚଳିତ ବର୍ଷ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ସମସ୍ତ ରାଜ୍ୟରେ ଚାଷୀଙ୍କ ସମସ୍ୟା ଉତ୍କଟ। କର୍ଣ୍ଣାଟକରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଦୃଷ୍ଟିରୁ ଦେଶରେ ମହାରାଷ୍ଟ୍ର ପଛକୁ ଦ୍ବିତୀୟ ସର୍ବାଧିକ। ମଧ୍ୟପ୍ରଦେଶର ମାଣ୍ଡାସରରେ ପୋଲିସ ଗୁଳିରେ ୫ ଜଣ ଚାଷୀ ନିହତ ହେବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ସହିତ ଋଣଛାଡ ଦାବିରେ ରାଜସ୍ଥାନର ଚାଷୀ ଆନ୍ଦୋଳନରତ। ମୋଦି ଶାସନକୁ ଆସିଲା ପରେ ଏମଏସପି କ୍ଷେତ୍ରରେ ବିକେନ୍ଦ୍ରିକୃତ ସଂଗ୍ରହ ଯୋଜନାରେ ପରିବର୍ତ୍ତନ ଆଣିଲେ କ୍ଷ ଫଳରେ ଚାଷୀଙ୍କୁ ଶସ୍ୟ ସଂଗ୍ରହ ଉପରେ ବୋନସ ଦେଉଥିବା ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟ ବୋନସ ଦେବା ବନ୍ଦ କରି ଦେଲେ। ଅବଶ୍ୟ ଚାଷୀଙ୍କ ଅସନ୍ତୋଷକୁ ଆଖିରେ ରଖି ଆଗରେ ନିର୍ବାଚନ ଥିବାରୁ ଛତିଶଗଡ ସରକାର ଚଳିତ ବର୍ଷ ପୁଣି ବୋନସ ଦେବାକୁ ଘୋଷଣା କରିଛନ୍ତି। ଗୋଟିଏ ପାଖରେ ଚାଷୀ ତାର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଉ ନଥିବା ବେଳେ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ନିଆଁରେ ଘିଅ ଢାଳିଲା ଭଳି କାମ କରୁଛି। ତା ଉପରେ କିଛି ରାଜ୍ୟ ଚାଷୀଙ୍କ ଋଣଛାଡ ଘୋଷଣା କରିଥିବା ବେଳେ ଅନ୍ୟ ରାଜ୍ୟର ଚାଷୀମାନେ ଋଣଛାଡରୁ ବଞ୍ଚିତ ହେବା, ପରିସ୍ଥିତିକୁ ଅଧିକ ଜଟିଳ କରୁଛି। ଏ ସମସ୍ତ ପ୍ରସଙ୍ଗ ଆଗାମୀ ନିର୍ବାଚନର ଫଳାପଳକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

 

ଉଲ୍ଲେଖଯୋଗ୍ୟ, ଆଗାମୀ ବର୍ଷ ନିର୍ବାଚନକୁ ଯାଉଥିବା ୪ଟି ରାଜ୍ୟ ମଧ୍ୟରୁ କେବଳ କର୍ଣ୍ଣାଟକକୁ ବାଦ ଦେଲେ ଅନ୍ୟ ତିନୋଟି ରାଜ୍ୟ ଭାଜପା ଶାସନାଧୀନ। ଉପରନ୍ତୁ ଏ ରାଜ୍ୟଗୁଡିକରେ ଗୁଜରାଟ ତୁଳନାରେ ଅପୋକ୍ଷାକୃତ କମ ସହରୀକରଣ ହୋଇଥିବାରୁ ସରକାର ଗଠନ କ୍ଷେତ୍ରରେ ଚାଷୀମାନଙ୍କ ରୋଷ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓ ପ୍ରତିଶ୍ରୁତିରେ ଚାଷୀମାନେ ଉତ୍ସାହିତ ଥିଲା ପରି ଜଣାପଡୁନାହିଁ। ସରକାରଙ୍କ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ଚାଷୀକୁ ଆକୃଷ୍ଟ କରି ପାରୁନାହିଁ। କାରଣ ତାର ଆର୍ଥିକ ସ୍ଥିତି ଏତେ ବିପର୍ଯ୍ୟସ୍ତ ଯେ ସେ ଅପେକ୍ଷା କରିବା ସ୍ଥିତିରେ ନାହିଁ। ତେଣୁ ଆଗାମୀ ଦିନରେ ଚାଷୀଙ୍କ ଉତ୍ପାଦିତ ଶସ୍ୟର ଏମଏସପି ବୃଦ୍ଧି ପ୍ରସଙ୍ଗକୁ ଗୁରୁତ୍ବ ଦେବାକୁ ହେବ। ଏମଏସପି ବ଼ୃଦ୍ଧି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବାଧୀନ ବିଷୟ ହୋଇଥିବାରୁ ଏ କ୍ଷେତ୍ରରେ ରାଜ୍ୟ ସରକାରଗୁଡିକ କେନ୍ଦ୍ର ଉପରେ ଚାପ ପକାଇବା ବ୍ୟତୀତ ଅନ୍ୟ କିଛି କରି ପାରିବେ ନାହିଁ। ସେହିପରି କୃଷିଋଣ ଛାଡ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ସମସ୍ଯା ହୋଇ ରହି ନଥିବାରୁ ୟୁପିଏ ସରକାରଙ୍କ ଅମଳରେ ହୋଇଥିବା ସର୍ବଭାରତୀୟ କୃଷିଋଣ ଛାଡ ଭଳି କେନ୍ଦ୍ର ସରକାରଙ୍କୁ ଆଉ ଏକ ଋଣ ଛାଡ କଥା ଗମ୍ଭୀରତାର ସହ ବିଚାର କରି ନିଷ୍ପତ୍ତି ନେବାକୁ ପଡିପାରେ।

 

ଦେଶରେ ଏବେ ବିଭିନ୍ନ ରାଜ୍ୟରେ କୃଷକ ଆନ୍ଦୋଳନ ବେଶ ସଂଗଠିତ ଓ ସକ୍ରିୟ। ଚାଷୀମାନେ ବିଭିନ୍ନ ଜାତି, ଧର୍ମ ଓ ଦଳରେ ବିଭକ୍ତ ଏବଂ ସେମାନେ କେବେ ବି ଏକଜୁଟ ହୋଇପାରିବେ ନାହିଁ, ତେଣୁ ସେମାନେ ଭୋଟ ବ୍ୟଙ୍କ ନୁହନ୍ତି ବୋଲି ମନେ କରୁଥିବା ରାଜନେତାଙ୍କ ପାଇଁ ଗୁଜରାଟ ନିର୍ବାଚନର ଫଳ ଏକ ଦୃଢ ଚେତାବନୀ ସଦୃଶ। ସର୍ବନିମ୍ନ ଆବଶ୍ୟକତା ପୂରଣ ନ ହେଲେ ଜାତି, ଧର୍ମ ଓ ଦଳର ଊର୍ଦ୍ଧ୍ବକୁ ଉଠି ଚାଷୀମାନେ ଭୋଟ ବ୍ୟାଙ୍କରେ ପରିଣତ ହୋଇପାରନ୍ତି, ଏ କଥା ପ୍ରମାଣିତ ହେଲା। ତେଣୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିକୁ ଦର୍ଶାଇ ପୁରସ୍କାର ପାଉଥିବା ସରକାରମାନଙ୍କୁ ସେହି ପୁରସ୍କାର ଆଣି ଦେଉଥିବା ଚାଷୀର ପ୍ରକୃତ ସମସ୍ୟାକୁ ଆନ୍ତରିକତାର ସହ ବିଚାର କରିବାକୁ ପଡିବ। ଅନ୍ୟଥା ଆଗାମୀ ନିର୍ବାଚନଗୁଡିକରେ ମଧ୍ୟ ଶାସକ ଦଳମାନେ ଚାଷୀଙ୍କ ରୋଷର ଶିକାର ହେବା କିଛି ବିଚିତ୍ର ନୁହେଁ।                                       

                                              

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ବର - ୭୫୧୦୧୨

ମୋ- ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top