ମୁଦ୍ରାଋଣ ମାୟା- ମୋଦିଙ୍କ ମିଥ୍ୟାଚାର!

News Story - Posted on 2018-01-06

ସରଳ କୁମାର ଦାସ

 

ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ମୋଦି ସରକାରଙ୍କ ବିଫଳତା ସମ୍ପର୍କରେ ଆଲୋଚନା ହେଲେ ମୋଦି, ତାଙ୍କ ମନ୍ତ୍ରୀଗଣ ଓ ପ୍ରବକ୍ତାମାନେ ବ୍ୟାଙ୍କ ମାଧ୍ୟମରେ କୋଟିକୋଟି ଲୋକଙ୍କୁ ହଜାର ହଜାର କୋଟି ଟଙ୍କାର ମୁଦ୍ରାଋଣ ଦିଆଯାଇ କିପରି କୋଟିକୋଟି ରୋଜଗାର ପନ୍ଥା ସୃଷ୍ଟି କରାଯାଇ ପାରିଛି, ତା’ର ଏକ ଗୋଲାପୀ ଚିତ୍ର ପ୍ରସ୍ତୁତ କରିଥା’ନ୍ତି। ଆମ ଯୁବକମାନେ ଚାକିରୀ ପଛରେ ନ ଗୋଡାଇ ଆତ୍ମନିଯୁକ୍ତ ହୋଇ ଅନ୍ୟମାନଙ୍କୁ ଚାକିରୀ ଦିଅନ୍ତୁ ବୋଲି ସରକାର ଗୁରୁତ୍ବ ଦେଉଛନ୍ତି। ତଦନୁସାରେ କୋଟି କୋଟି ଲୋକ ଯଦି ଆତ୍ମନିଯୁକ୍ତି ପାଇ ସାରିଲେଣି ତା’ହେଲେ ସେମାନେ ନିଶ୍ଚୟ ଆହୁରି କେତେ କୋଟି ଚାକିରୀ ସୃଷ୍ଟି କରି ସାରିଥିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ସେପରି କିଛି ତ ଅନୁଭବ କରି ହେଉନାହିଁ। ମୁଦ୍ରାଋଣ ଯୋଜନା କ’ଣ ଓ ତା’ ମାଧ୍ୟମରେ କି ଧରଣର ଆତ୍ମନିଯୁକ୍ତି ଓ ନିଯୁକ୍ତି ମିଳିଛି ବା ମିଳିବାର ସମ୍ଭାବନା ଅଛି, ତାହା ଆଲୋଚନା ସାପେକ୍ଷ।

 

ଜାତୀୟ ନମୁନା ସର୍ଭେ ସଂସ୍ଥାର 2013 ମସିହାର ସର୍ଭେ ଅନୁଯାୟୀ ଦେଶରେ ପ୍ରାୟ ୫.୭୭ କୋଟି ସୂକ୍ଷ୍ମ ଓ କ୍ଷୁଦ୍ର ଏକକ ରହିଛି ଯାହା ପ୍ରାୟ ୧୨ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛି। ବ୍ୟାଙ୍କ ସହାୟତା ପାଉ ନଥିବାରୁ ଏଗୁଡିକ ନିଜର ଅର୍ଥ ଆବଶ୍ୟକତା ପାଇଁ ଅଣ ଆନୁଷ୍ଠାନିକ ଉତ୍ସ ଉପରେ ନିର୍ଭର କରିଥା’ନ୍ତି। ପୁଞ୍ଜି ହିଁ ସଫଳତାର ଚାବିକାଠି। ତେଣୁ ଉଦ୍ୟୋଗ, ବ୍ୟବସାୟ ଓ ସେବା କ୍ଷେତ୍ରରେ ଥିବା ସୂକ୍ଷ୍ମ ଏକକଗୁଡିକୁ ବ୍ୟାଙ୍କ, ଏମଏଫଆଇ, ଏନବିଏଫସି ଜରିଆରେ ପୁଞ୍ଜି ଯୋଗାଇ ଦେବା ପାଇଁ ଏପ୍ରିଲ ୨୦୧୫ରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାର୍ଯ୍ୟ କରୁଛି। ଏହି ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣକୁ ଶିଶୁ ଋଣ, ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ କିଶୋର ଋଣ ଓ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ତରୁଣ ଋଣ ପର୍ଯ୍ୟାୟବାଚୀ କରାଯାଇଛି। ଏହି ଋଣ ପାଇଁ କୌଣସି ବନ୍ଧକର ଆବଶ୍ୟକତା ନାହିଁ। ବ୍ୟାଙ୍କ, ଏମଏଫଆଇ, ଏନବିଏଫସିଙ୍କ ପୁଞ୍ଜିଭରଣା କରିବା ପାଇଁ ଏକ ସ୍ବତନ୍ତ୍ର ମୁଦ୍ରା ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଚାଷଋଣ, ବ୍ୟକ୍ତିଗତ ଋଣ, ଯାନବାହନ ଋଣ, ଘର ତିଆରି ଋଣକୁ ବାଦ୍ ଦେଇ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ସମସ୍ତ ଋଣକୁ ମୁଦ୍ରାଋଣ ବୋଲି କୁହାଯାଉଛି, ଖାଲି ଯାହା ନାଁ ବଦଳିଯାଇଛି।

     

ସମଗ୍ର ଦେଶରେ ୨୦୧୬-୧୭ରେ ପ୍ରାୟ ୩ କୋଟି ୯୭ ଲକ୍ଷ ଲୋକଙ୍କୁ ୧,୭୫,୩୧୨ କୋଟି ଟଙ୍କାର ମୁଦ୍ରା ଋଣ ଦିଆଯାଇଛି, ଅର୍ଥାତ୍ ଜଣକୁ ହାରାହାରି ୪୪ ହଜାର ଟଙ୍କା। ଏଥିମଧ୍ୟରୁ ୩ କୋଟି ୬୫ ଲକ୍ଷ (ଶତକଡା ୯୨ ଭାଗ) ଲୋକଙ୍କୁ ଶିଶୁ ଋଣ ମିଳିଛି। ଏମାନେ ପାଇଛନ୍ତି ୮୪ ହଜାର କୋଟି ଟଙ୍କା, ଅର୍ଥାତ୍ ଜଣପିଛା ହାରାହାରି ୨୩ ହଜାର ଟଙ୍କା। ଏହି ପରିମାଣର ପୁଞ୍ଜିରେ ଜଣେ ହୁଏତ ଅର୍ଦ୍ଧନିଯୁକ୍ତ (ଅଣ୍ଡର ଏମ୍ପ୍ଲଏଡ) ହୋଇପାରେ, ସମ୍ପୂର୍ଣ୍ଣ ଭାବେ ଆତ୍ମନିଯୁକ୍ତ ହେବା ଅସମ୍ଭବ। ଏମାନଙ୍କ ମଧ୍ୟରୁ ୫୦ ହଜାର ଟଙ୍କା ପାଖାପାଖି ଋଣ ପାଇଥିବା କିଛି ଲାଭାର୍ଥୀ ସମ୍ପୂର୍ଣ୍ଣ ଆତ୍ମନିଯୁକ୍ତ ହୋଇଥିବେ ଓ ସେମାନଙ୍କ ସଂଖ୍ୟା ଶିଶୁ ଋଣ ଲାଭାର୍ଥୀଙ୍କ ସଂଖ୍ୟାର ଶତକଡା ୨୫ ଭାଗ ବା ୯୧ ଲକ୍ଷ ହୋଇଥିବ। ସେହିପରି କିଶୋର ଋଣ ପାଇଥିବା ୨୬ ଲକ୍ଷ ୬୪ ହଜାର ଲୋକଙ୍କୁ ୫୧ ହଜାର କୋଟି ଟଙ୍କା ବା ହାରାହାରି ୨ ଲକ୍ଷ ଟଙ୍କା ମିଳିଛି। ଆଶା କରାଯାଏ, କିଶୋର ଋଣ ପାଇଥିବା ଲୋକେ ନିଜେ ଆତ୍ମନିଯୁକ୍ତି ପାଇବା ସଙ୍ଗେସଙ୍ଗେ ଆଉ ଜଣକ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବେ ଓ ପ୍ରାୟ ୫୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବ। ସେହିପରି ୫ ଲକ୍ଷ ୪୦ ହଜାର ଲୋକଙ୍କୁ ୪୦ ହଜାର କୋଟି ଟଙ୍କାର ତରୁଣ ଋଣ ପ୍ରଦାନ କରାଯାଇଛି ଓ ଏମାନେ ହାରାହାରି ୭ ଲକ୍ଷ ୫୦ ହଜାର ଟଙ୍କା ଋଣ ପାଇଛନ୍ତି। ଏମାନେ ନିଜେ ଆତ୍ମନିଯୁକ୍ତି ପାଇବା ସଙ୍ଗେସଙ୍ଗେ ଆଉ ୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ ପ୍ରାୟ ୨୨ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଥିବ ଅର୍ଥାତ୍, ମୁଦ୍ରାଋଣ ଜରିଆରେ ଦେଶରେ ସର୍ବାଧିକ ୧ କୋଟି ୬୬ ଲକ୍ଷ ଲୋକ ନିଯୁକ୍ତି ପାଇଥିବେ।

 

ମୁଦ୍ରାଋଣ ପାଇଥିବା ଲାଭାର୍ଥୀଙ୍କ ମଧ୍ୟରୁ ୨ କୋଟି ୯୧ ଲକ୍ଷ ବା ଶତକଡା ୭୩ ଭାଗ ହେଉଛନ୍ତି ମହିଳା। ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇ ବିଭିନ୍ନ ବ୍ୟାଙ୍କରୁ ପୂର୍ବରୁ ଋଣ ନେଇ କିଛି କାମ କରୁଥିବାରୁ ସେମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା କହିବା ଭୁଲ ହେବ। ଏପରିକି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଜରୁରୀ ଆବଶ୍ୟକତା ପୂରଣ ପାଇଁ ୧୪ ଲକ୍ଷ ୨୪ ହଜାର ଖାତାଧାରୀଙ୍କୁ ମିଳିଥିବା ଓଭରଡ୍ରାଫ୍ଟ ଋଣରାଶିକୁ ମଧ୍ୟ ମୁଦ୍ରାଋଣ ଭାବେ ଗ୍ରହଣ କରାଯାଇଛି। ମଜାର କଥା, ମିଳିଥିବା ଓଭରଡ୍ରାଫ୍ଟ ଋଣର ପରିମାଣ ହାରାହାରି ମାତ୍ର ୨,୧୯୫ ଟଙ୍କା ! ବିଭିନ୍ନ ସରକାରୀ ଯୋଜନାରେ ୧୪ ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ମିଳିଥିବା ଋଣକୁ ମଧ୍ୟ ଏହି ମୁଦ୍ରାଋଣ ଯୋଜନାରେ ଦର୍ଶାଯାଇଛି।

 

ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟିର ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ଓଡିଶାରେ ୨୬ ଲକ୍ଷ ୭ ହଜାର ଲୋକଙ୍କୁ ୭,୬୦୧ କୋଟି ଟଙ୍କାର ମୁଦ୍ରାଋଣ ଦିଆଯାଇଛି ଅର୍ଥାତ୍ ମୁଣ୍ଡପିଛା ହାରାହାରି ୨୯ ହଜାର ଟଙ୍କା, ଯାହା ସର୍ବ ଭାରତୀୟ ହାରାହାରି ଋଣ ପରିମାଣ ଅପେକ୍ଷା ପ୍ରାୟ ୧୫ ହଜାର ଟଙ୍କା କମ। ଏଥିମଧ୍ୟରୁ ପ୍ରାୟ ଶତକଡା ୯୭ ଭାଗ ଅର୍ଥାତ୍ ୨୫ ଲକ୍ଷ ୨୫ ହଜାର ଲୋକଙ୍କୁ ୫,୧୮୭ କୋଟି ଟଙ୍କାର ଶିଶୁ ଋଣ ମିଳିଛି, ଅର୍ଥାତ୍ ଜଣପିଛା ମାତ୍ର ୨୦,୫୪୦ ଟଙ୍କା। ଏମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଆତ୍ମନିଯୁକ୍ତ ହୋଇଥିବା ଲାଭାର୍ଥୀଙ୍କ ସଂଖ୍ୟା ଶତକଡା ୨୫ ଭାଗ ବା ୬ ଲକ୍ଷ ୫୦ ହଜାର ହୋଇପାରେ। ସେହିପରି ୬୮ ହଜାର ଲୋକଙ୍କୁ ୧୩୭୬ କୋଟି ଟଙ୍କାର କିଶୋର ଋଣ ଓ ୧୪ ହଜାର ଲୋକଙ୍କୁ ୧୦୩୭ କୋଟି ଟଙ୍କାର ତରୁଣ ଋଣ ମିଳିଛି। ପୂର୍ବୋକ୍ତ ଆକଳନ ଆଧାରରେ କିଶୋର ଋଣ ଓ ତରୁଣ ଋଣ ଜରିଆରେ ଯଥାକ୍ରମେ ୧ ଲକ୍ଷ ୪୦ ହଜାର ଓ ୬୦ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଥିବ। ଅର୍ଥାତ୍, ମୁଦ୍ରାଋଣ ଜରିଆରେ ରାଜ୍ୟରେ ସମୁଦାୟ ୮ ଲକ୍ଷ ୫୦ ହଜାର ଲୋକ ନିଯୁକ୍ତି ପାଇଥିବାର ସମ୍ଭାବନା ଅଛି। ଯେ ପର୍ଯ୍ୟନ୍ତ କିଶୋର ଓ ତରୁଣ ଋଣ ଲାଭାର୍ଥୀଙ୍କ ସଂଖ୍ୟା ୫୦ ଭାଗରୁ ଅଧିକ ନ ହୋଇଛି, ମୁଦ୍ରାଋଣ ମାଧ୍ୟମରେ ନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆଶା କରାଯାଇ ନ ପାରେ। ଏହି ଲକ୍ଷ୍ୟ ହାସଲ ଆଶା କ୍ଷୀଣ, କାରଣ ବର୍ତ୍ତମାନ ରାଜ୍ୟରେ ଶତକଡା ୮୧ ଭାଗ ଲାଭାର୍ଥୀ ମାଇକ୍ରୋ ଫାଇନାନ୍ସ ଆଦି ସଂସ୍ଥା ଜରିଆରେ ମୁଦ୍ରାଋଣ ପାଇଥିବା ବେଳେ ମାତ୍ର ୧୯ ଭାଗ ବ୍ୟାଙ୍କ ଜରିଆରେ ପାଇଛନ୍ତି। ଆଉ ଏମଏଫଆଇଗୁଡିକ ଅଧିକ ପରିମାଣର ଋଣ ଦେବା ପକ୍ଷରେ ନଥିବା ବେଳେ, ବ୍ୟାଙ୍କଗୁଡିକ ଅପେକ୍ଷାକୃତ ଅଧିକ ପରିମାଣର ଋଣ ଦେଉଥିଲେ ମଧ୍ୟ ଅଧିକ ସଂଖ୍ୟାରେ ମୁଦ୍ରାଋଣ ଦେବାକୁ ଅନାଗ୍ରହୀ। ଏ ସ୍ଥିତିରେ ପରିବର୍ତ୍ତନ ଆବଶ୍ୟକ।

 

ଓଡିଶାରେ ମୁଦ୍ରାଋଣ ଲାଭାର୍ଥୀଙ୍କ ମଧ୍ୟରୁ ୨୪ ଲକ୍ଷ ବା ଶତକଡା ୯୨ ଭାଗ ହେଉଛନ୍ତି ମହିଳା। ରାଜ୍ୟରେ କ’ଣ ମୁଦ୍ରାଋଣ ନେଇ ଉଦ୍ୟୋଗ ବ୍ୟବସାୟ କରିବାକୁ ଯୁବକ ବା ପୁରୁଷ ଲୋକ ବାହାରୁ ନାହାନ୍ତି ? କଥା ଠିକ ତା’ ନୁହେଁ। ଋଣ ନେଇଥିବା ମହିଳାଙ୍କ ମଧ୍ୟରୁ ଅଧିକାଂଶ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପୁଣି ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ଋଣ ନେଉଛନ୍ତି। ଏମାନଙ୍କ ମଧ୍ୟରେ ଏସକେଏସ ମାଇକ୍ରୋ ଫାଇନାନ୍ସ, ସ୍ପନ୍ଦନ, ଅନ୍ନପୂର୍ଣ୍ଣା, ଆରୋହଣ, ଅସ୍ମିତା ଭଳି ରାଜ୍ୟ ବାହାରର ଅନେକ ସଂସ୍ଥା ସହ କିଛି ଏନବିଏଫସି ମଧ୍ୟ ମୁଦ୍ରାଋଣ ପ୍ରଦାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏହି ସବୁ ସଂସ୍ଥା ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଋଣ ଦେଉଥିବାରୁ ସ୍ଥଳ ବିଶେଷରେ ଗୋଷ୍ଠୀକୁ ଭାଙ଼୍ଗି ନୂଆ ଗୋଷ୍ଠୀ କରୁଛନ୍ତି। ଗୋଷ୍ଠୀ ବ୍ୟାଙ୍କରୁ ଋଣ ନେଇ ଖିଲାପ କରିଥିଲେ ବ୍ୟାଙ୍କ ଆଉ ଋଣ ଦେଉ ନଥିବା ବେଳେ ଏମଏଫଆଇ ନିକଟରୁ ସହଜରେ ଋଣ ମିଳିଯାଉଥିବାରୁ, ସେମାନେ ବ୍ୟାଙ୍କଋଣ ସୁଝିବା କଥା ଭୁଲି ଯାଇ ବ୍ୟାଙ୍କଠାରୁ ଦୂରେଇ ରହୁଛନ୍ତି।

 

ଏହି ସଂସ୍ଥାଗୁଡିକ ଅତି ଉଚ୍ଚ ସୁଧ ହାରରେ (ଶତକଡା ୨୫-୨୬ ପର୍ଯ୍ୟନ୍ତ) ଋଣ ଦେବା ସହିତ କଡାକଡି ତାଗିଦା କରି ଋଣ ଆଦାୟ କରୁଛନ୍ତି। ଆତ୍ମନିଯୁକ୍ତ ହେବା ତ ଦୂରର କଥା, କିଛି ମହିଳା ଏକାଧିକ ସଂସ୍ଥାରୁ ଋଣ ନେଇ ଋଣଗ୍ରସ୍ତ ହେଉଛନ୍ତି। ପୁନଶ୍ଚ, ବ୍ୟାଙ୍କ ବ୍ୟବସ୍ଥାଠାରୁ ଦୂରେଇ ରହି ସେମାନେ ବଡ ଋଣ ପାଇବାର ସମ୍ଭାବନାକୁ ମଧ୍ୟ ହରାଇ ବସୁଛନ୍ତି। ତଥ୍ୟ ଅନୁଯାୟୀ ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ପରିବାର ମୁଦ୍ରାଋଣ ପାଇଛନ୍ତି, ଯାହା ସହଜରେ ଗ୍ରହଣ କରି ହେଉନାହିଁ। ଏକା ଲୋକ ଏକାଧିକ ସଂସ୍ଥାରୁ ଋଣ ନେବାରେ ନିୟନ୍ତ୍ରଣ ନଥିବାରୁ ପରିସ୍ଥିତି ଜଟିଳ ହେଉଛି। ରାଜ୍ୟରେ ଦିଆଯାଉଥିବା ବର୍ଷକୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ଚାଷଋଣ ତୁଳନାରେ ତା’ର ପ୍ରାୟ ଅଧା ପରିମାଣର ମୁଦ୍ରାଋଣ ଦିଆଯାଇଥିଲେ ମଧ୍ୟ, ଉଦ୍ୟୋଗ, ବ୍ୟବସାୟ କ୍ଷେତ୍ରରେ ଆଖିଦୃଶିଆ ପ୍ରଭାବ ପରିଲକ୍ଷିତ ହେଉନାହିଁ। ସ୍ଥଳ ବିଶେଷରେ ଏହି ଋଣ ଅଧିକ ସୁଧରେ ଚାଷୀଙ୍କ ପର୍ଯ୍ୟନ୍ତ ପହଞ୍ଚୁଥିବାର ଅଭିଯୋଗ ଆସୁଛି। ମୁଦ୍ରାଋଣ ପାଇବା ପାଇଁ ଏକ ବ୍ୟବସାୟ ଖସଡା ପ୍ରସ୍ତୁତ କରିବା ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ତାକୁ ଅଣଦେଖା କରାଯାଉଛି। ଋଣ ନେଇ ଲୋକେ କି କାମରେ ଲଗାଉଛନ୍ତି ଓ ସେଥିରୁ କେତେ ରୋଜଗାର କରୁଛନ୍ତି, ରାଜ୍ୟ ସରକାର ତା’ ଉପରେ ନଜର ରଖି ଉଚିତ ପଦକ୍ଷେପ ନେବା ବାଞ୍ଛନୀୟ, ନହେଲେ ଚାଷୀ ଆତ୍ମହତ୍ୟା ପରି ଆଗାମୀ ଦିନରେ ଋଣ ସୁଝି ନପାରି ମୁଦ୍ରାଋଣ ହିତାଧିକାରା ବା ମହିଳାଙ୍କ ଆତ୍ମହତ୍ୟା ଖବର ଶୁଣିବା କିଛି ବିଚିତ୍ର ନୁହେଁ।

 

      

ଆତ୍ମନିଯୁକ୍ତି କ୍ଷେତ୍ରରେ ପୁଞ୍ଜିର ଆବଶ୍ୟକତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ପୁଞ୍ଜି ଉପଲବ୍ଧ ହୋଇଗଲେ ଯେ ଜଣେ ଛାଏଁ ଛାଏଁ ଆତ୍ମନିଯୁକ୍ତ ହୋଇଯିବ, ତାହା ଭାବିବା ଭୁଲ। ପୁଞ୍ଜିର ସଠିକ ବିନିଯୋଗ ଓ ପରିଚାଳନା ନ ହେଲେ ଉଦ୍ୟୋଗ ଓ ବ୍ୟବସାୟ ଉପରେ ତା’ର କୁପ୍ରଭାବ ପଡି ବ୍ୟବସାୟ ବନ୍ଦ ହୋଇଯିବାର ସମ୍ଭାବନା ଥାଏ। ତେଣୁ ଋଣ ଦେବା ସଙ୍ଗେସଙ୍ଗେ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ପ୍ରାଥମିକ ଅବସ୍ଥାରେ ଏଗୁଡିକୁ ବାଟ କଢେଇ ନେବା(ହ୍ୟାଣ୍ଡ ହୋଲ୍ଡିଂ)ର ବ୍ୟବସ୍ଥା କରାଯିବା ଉଚିତ। ନହେଲେ ଏ ଋଣ ପୁଣି ଅନାଦେୟ ଋଣ (ଏନପିଏ)ରେ ପରିଣତ ହୋଇ ବ୍ୟାଙ୍କ ଓ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ସରକାର ମୁଦ୍ରାଋଣ ଯୋଜନାର ଅଗ୍ରଗତିରେ ଅତି ଉତ୍ସାହିତ ନହୋଇ ସତର୍କତା ଅବଲମ୍ବନ କରିବା ଉଚିତ, ନହେଲେ କୁମ୍ଭୀର ନେଇ ମଝି ନଈରେ କଲାଣି, ମା’ କହୁଛି ପୁଅ ପହଁରୁଛି ଭଳି କଥା ହେବ।

 

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ବର - ୭୫୧୦୧୨

ମୋ. ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top