ଅଜ୍ଞତାର ଆଶୀର୍ବାଦ

News Story - Posted on 2018-01-06

ପରଂବ୍ରହ୍ମ ତ୍ରିପାଠୀ

 

ଚାକିରୀ କରିବା ପାଇଁ ମୁଁ ନୂଆନୂଆ ଦିଲ୍ଲୀ ଆସିଥାଏ। ଚାକିରୀ ପାଇବାର କିଛି ଦିନ ପରେ ଜଣେ ଦୂର ସମ୍ପର୍କୀୟ ମାଉସୀ ଫୋନ କଲେ। କୁନା, ଜିତୁଟା କ’ଣ ଘରେ ବସିବ? ଆଇଏ  ପାସ କଲାଣି ଦି ବର୍ଷ ହେଲା, ଏଠି ତ କିଛି ଚାକିରୀ ବାକିରି ନାହିଁ, ତୋ ପାଖକୁ ଦିଲ୍ଲୀ ଯାଉ, ସେଇଠି କ’ଣ ଗୋଟେ ଖୋଜିବ। ଜିତୁକୁ ଡାକିବା ପାଇଁ  ଇଛା ଥାଉ କି ନଥାଉ, ସମ୍ପର୍କ ଓ ଲୋକେ କଣ କହିବେ’ ଦାୟରେ ମୁଁ କହିଲି, ହଉ ପଠାନ୍ତୁ ତାକୁ। ଜିତୁ ଆସି ପହଁଚିଲା। ରୋଷେଇ, ଘର ଝାଡୁ ପୋଛା ଠାରୁ ଆରମ୍ଭ କରି ଘର ପାଇଁ ଜିନିଷ ଆଣିବା, କୌଣସି କାମରେ ମତେ ଜିତୁ ହାତ ମରେଇ  ଦେଲାନି। ଭାରି ଆକ୍ଟିଭ ପିଲାଟେ ଆଉ ମେଳାପୀ ବିୟ ରହିବାର କିଛି ଦିନ ପରେ ମୁଁ ତା ପାଇଁ ତା ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବାୟୋଡ଼ାଟା ତିଆରି କରି ଅନଲାଇନ ସାଇଟରେ ଅପଲୋଡ଼ କଲି। ବାୟୋଡ଼ାଟା ତିଆରି କଲା ବେଳକୁ ଜିତୁ ମତେ କହିଥିଲା, ଭାଇନା ମୋର ଇଂରାଜୀ ହୁଏନି। ମୁଁ ପଚାରିଥିଲି, ହିନ୍ଦୀ? ସିଏ ହସିକି କହିଥିଲା, ଭାଇନା ମାସକୁ ଛଅଟା ହିନ୍ଦୀ ସିନେମା ନଦେଖିଲେ ନହୁଏ।

 

ୟାର କିଛି ଦିନ ପରେ ବିଭିନ୍ନ ଜାଗାରୁ ଜିତୁ ପାଖକୁ ଚାକିରୀ ସାକ୍ଷାତକାର ପାଇଁ ଫୋନ ଆସିବା ଆରମ୍ଭ ହେଲା। ମୋ ଠୁ ବା ଆଖପାଖ ଲୋକଙ୍କଠାରୁ ଯାଗା ଠିକଣା ବୁଝି ସେ ସାକ୍ଷାତକାର  ଦେବାକୁ ଯାଏ। ସନ୍ଧ୍ୟାରେ ମୁଁ ପଚାରେ, କେମିତି ହେଲାରେ ଇଣ୍ଟରଭିୟୁ? ହସି କରି ସବୁଥର ସିଏ କହିବ, ଆଜି ବହି ପୂରା ଜାଳି ଦେଲି ଭାଇନା, ସବୁ ପ୍ରଶ୍ନର ଭସ ଭସ ଉତ୍ତର ଦେଲି। ମୁଁ ପୁଣି ପଚାରେ, ସେମାନେ ଶେଷରେ କିଛି କହିଲେ? ଜିତୁର ଉତ୍ସାହ ଟିକେ କମିଯାଏ ତଥାପି ହସ ହସ ମୁହଁରେ କୁହେ, ହଁ ବା, କହିଛନ୍ତି ପରେ ଜଣେଇବେ ବୋଲି। ଏମିତି ଦି ମାସ ଗଲା, ହେଲେ ପରେ ଜଣେଇବା ପ୍ରକ୍ରିୟାର ଅନ୍ତ ନାହିଁ। ସେଦିନ ଥିଲା ଶନିବାର। ମୋର ଛୁଟି, ହେଲେ ଜିତୁ ଯାଇଥିଲା ସାକ୍ଷାତକାର ପାଇଁ। ମୋର ଦୁଇ ତିନି ଜଣ ଅଣଓଡ଼ିଆ ବନ୍ଧୁ ବି ପହଂଚିଥାନ୍ତି ଘରେ। ସନ୍ଧ୍ୟାରେ ଫେରିଲା ଜିତୁ, ତା ଟ୍ରେଡ଼ମାର୍କ ହସ ହସି। ମୁଁ ତାକୁ ଅଭ୍ୟାସ ବଶତଃ ପଚାରିଲି କେମିତି ହେଲା? ସେ କହିଲା ବହୁତ ବଢିଆ ଭାଇନା। ଏଥରକ ମୁଁ ତାକୁ କହିଲି, ସେ ତତେ କଣ ପଚାରିଲେ ଆଉ ତୁ କଣ ଉତ୍ତର ଦେଲୁ କହ?

 

ତାପରେ ଜିତୁ ପ୍ରଶ୍ନ ଓ ଉତ୍ତର କହିଲା। ଓଡ଼ିଆରେ ନୁହେଁ, ହିନ୍ଦୀରେ ଯେମିତି ସିଏ ସାକ୍ଷାତକାର ବେଳେ କହିଥିଲା। ସେ କହିଚାଲିଥାଏ ଆଉ ଆମେ ଚାରିଜଣ ହସି ହସି ଗଡୁଥାଉ, ତାର ‘ମେ କରେଙ୍ଗା’ ‘ଅଧିକା ପରିଶ୍ରମ ହୋଗା’  ‘ମେ ସବୁବେଳେ ଟାଇମପେ ଆଏଗା’ ଆଦି କଥାରେ। ଜିତୁର ସରିଲା, ତାପରେ ମୁଁ ପଚାରିଲି ଶେଷରେ କଣ କହିଲେ? ଜିତୁ ଉତ୍ତର ଦେଲା, ସେ କହିଲେ ବାଦ ମେ ବତାଏଗା। ଏଥର ହସ ଅସମ୍ଭାଳ, ପ୍ରକୃତିତ୍ସ୍ଥ ହେବାକୁ ଆମ ଚାରିଜଣଙ୍କୁ ପାଖାପାଖି ଦଶ ମିନିଟ ସମୟ ଲାଗିଲା। ପ୍ରକୃତିସ୍ଥ ହେଲା ବେଳକୁ କିନ୍ତୁ ଜିତୁ ମୁହଁରେ ତାର ସେ ଚିରାଚରିତ  ସରସତା ଆଉ ନାହିଁ। ତା ମୁହଁ କହୁଥିଲା, ବୋଧେ ଆମେ କାହିଁକି ହସୁଥିଲୁ ସେ ବୁଝି ସାରିଛି। ସେ ଘଟଣା ପରେ ଜିତୁ ଆଉ ପାଖାପାଖି ମାସେ ରହିଛି, ହେଲେ ସାକ୍ଷାତକାର ଦେବାକୁ ଯାଇନି, ହଠାତ ଦିନେ କହିଲା, ଭାଇନା ବୋଉ ଫୋନ କରିଥିଲା, ତାର କ’ଣ ଦେହ ଖରାପ, ମୁଁ ଟିକେଟ କରିସାରିଛି, ଗାଁକୁ ଆଜି ଯିବି। ଆଉ କିଛି ଦିନ ପରେ ଆସିବି।

 

ଜିତୁକୁ ଟ୍ରେନରେ ବସେଇଲା ବେଳେ ନିଜକୁ କେମିତି ଗୋଟେ ଦୋଷୀ ଦୋଷୀ ଲାଗୁଥିଲା। କରେଙ୍ଗା, ଯାଏଙ୍ଗା ଭିତରେ ସି ବି ଦିନେ ନିଶ୍ଚିତ ଅନ୍ୟମାନଙ୍କ ଭଳି ହିନ୍ଦୀ କହିବା ଶିଖି ପାରିଥାନ୍ତା। ତା ପାଖରେ ଆତ୍ମବିଶ୍ବାସ ଥିଲା, ଆଉ ସେ ଭଲ ହିନ୍ଦୀ କହି ପାରୁଛି ବୋଲି ଭାବନାଟେ ବି ଥିଲା। ସେ ଭାବନା ଭୁଲ ହେଉ ବା ଅଜ୍ଞତା ହେଉ, ସେଇ ଅଜ୍ଞତା ହିଁ ତା ଆତ୍ମବିଶ୍ବାସର ଉତ୍ସ ଥିଲା। ଆଉ ତାରି ଭିତରେ ସିଏ ସମୟ ଅନୁସାରେ ଦିଲ୍ଲୀ ପରିବେଶ ସହ ହୁଏତ ଖାପ ଖୁଆଇ ନେଇଥାନ୍ତା ଅନ୍ୟ ଲକ୍ଷ ଲକ୍ଷ ଅଣହିନ୍ଦୀଭାଷୀଙ୍କ ଭଳି। ଆମ ହସ ବା ଆମ ଠିକଟି ତାକୁ ସୁଧାରି ତ ପାରିଲାନି ବରଂ ତା ମୁଳପୁଞ୍ଜି ତା ଆତ୍ମବିଶ୍ବାସକୁ ଦୋହଲାଇ ଦେଲା।

 

ଅଜ୍ଞତା ବି ଆଶୀର୍ବାଦ ହେଇ ପାରେ। ଏମିତି ଅନେକ ଘଟଣା ଆମ ଦୈନନ୍ଦିନ ଜୀବନରେ ଅଛି। ଅନେକ ସମୟରେ ଧର୍ମ, ନ୍ୟାୟ, ପାରିବାରିକ ସମ୍ପର୍କ, ମୃତ୍ୟୁ ପରେ ଜୀବନ, ଇତ୍ୟାଦି ଇତ୍ୟାଦି ବିଷୟର କେତେକ ପ୍ରସଙ୍ଗକୁ ନେଇ ଆମ ଭିତରେ ଥିବା ଅଜ୍ଞତା ହିଁ ଆମ ନିତିଦିନିଆ ଜୀବନକୁ ସୁଗମ କରିଥାଏ। ସେ ଅଜ୍ଞତା ହେଉ ବା ସମ୍ପୃକ୍ତ ପ୍ରସଙ୍ଗ ସହ ଯୋଡି ହେଇଥିବା ଅପ୍ରିୟ ସତ୍ୟଟିକୁ ଅଣଦେଖା କରିବା ହେଉ, ଏହା ଉପରେ ଅଧିକ ମୁଣ୍ଡ ନଖେଳେଇବା ଆମ ଜୀବନର ଛୋଟ ଛୋଟ ମୁହୂର୍ତ୍ତକୁ ଖୁସିର ସହ  ବଂଚିବାରେ ସାହାଯ୍ୟ କରେ। ଧରନ୍ତୁ ଆପଣଙ୍କୁ ଆଇସକ୍ରିମ ଭଲ ଲାଗୁଛି, ଆପଣ ଆଇସକ୍ରିମ କିଣିଲେ ଓ ଖାଇଲେ, ଖୁସି ହେଲେ। ମାତ୍ର ଯେଉଁ ସମୟରେ ଆପଣ ଆଇସକ୍ରିମ ପାଇଁ ଆବଶ୍ୟକ କ୍ଷୀର ଠିକ ଉପାୟରେ ଆସିଛି କି ନାହିଁ, ଆଇସକ୍ରିମ କାରଖାନାରେ ଶିଶୁ ଶ୍ରମିକଟିଏ କାମ କରୁଛି କି ନାହିଁ, ଆଇସକ୍ରିମ ଖାଇବା ଆମ ସଂସ୍କୃତିର ପରିପନ୍ଥୀ କି ନୁହେଁ ଆଦି ଜଟିଳ(ହୁଏତ ଆବଶ୍ୟକୀୟ ବି ହୋଇପାରେ) ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବା ଆରମ୍ଭ କରିବେ, ହୁଏତ ଆଇସକ୍ରିମ କିଣିବା ଓ ଖାଇବାର ସମୟ ଗୁଡିକ ଆଉ ସେତେ ମଧୁର ରହିବ ନାହିଁ।

 

ଥରେ ଭାବିଲେ, କ୍ୟାନସରର ଶେଷ ଅବସ୍ଥାରେ ପହଁଚିଥିବା ରୋଗୀଟିକୁ ନିଜ ବାକି  ଜୀବନ ସହଜରେ ବଂଚିଯିବା ପାଇଁ କେଉଁଟି ଅଧିକ ସାହାଯ୍ୟ କରିପାରେ? ତୋତେ କ୍ୟାନସର ହେଇଛି ଆଉ ତୁ ବଂଚିବୁନି ବୋଲି ଜ୍ଞାନ/ଅପ୍ରିୟ ସତ୍ୟ ନା ସବୁ ଠିକ ହେଇଯିବ, ବ୍ୟସ୍ତ ହୁଅନା ଦ୍ବାରା ତିଆରି କରାଯାଉଥିବା ତଥାକଥିତ ଅଜ୍ଞତା? ସତ୍ୟ ଆବଶ୍ୟକ, ହେଲେ ଯେଉଁ ଅପ୍ରିୟସତ୍ୟ ବଂଚିବାକୁ ଦୁର୍ବିସହ କରିଦିଏ, ଆତ୍ମବିଶ୍ବାସକୁ ଦୋହଲାଇ ଦିଏ, ତା ଅପେକ୍ଷା ବୋଧେ ତଥାକଥିତ ଅଜ୍ଞତା ଭଲ। ସେଇଥିପାଇଁ  ହୁଏତ ଇଂରାଜୀ କବି ଥୋମାସ ଗ୍ରେ କହିଥିଲେ ‘ଇଗ୍ନୋରାନ୍ସ ଇଜ ବ୍ଲିସ’।

 

ନାଉଗାଁହାଟ, ଜଗତସିଂହପୁର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top