ମୂଲ୍ୟସ୍ଫୀତି ଓ ସାମାଜିକ ଅସମାନତା

News Story - Posted on 2018-01-02

ସବ୍ୟସାଚୀ ଅମିତାଭ

 

ବର୍ତ୍ତମାନ ସମୟରେ ଯେଉଁ ସମସ୍ୟାଟି ଉଣାଅଧିକେ ସମସ୍ତଙ୍କୁ ପ୍ରଭାବିତ କରୁଛି ତାହା ହେଲେ ମୂଲ୍ୟସ୍ଫୀତି । ଯେଉଁଭଳି ଭାବେ ପ୍ରତି ସାମଗ୍ରୀର ଦରଦାମ ବଢିବାରେ ଲାଗିଛି, ସାଧାରଣ ମଣିଷ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ଲୋକେ ବଂଚିବେ କିପରି ଓ ଖାଇବେ କ’ଣ? ଖାଦ୍ୟପଦାର୍ଥର ଦରଦାମ୍ ଯଦି ୧୮-୧୯ ଭାବ ବୃଦ୍ଧି ହୁଏ, ତାହାହେଲେ, ଏଥିପାଇଁ ଦୋଷ କାହାକୁ ଦିଆଯିବ? କିଏ ଏଥିପାଇଁ ଦାୟୀ? ଅର୍ଥନୀତି ନା ଅର୍ଥଶାସ୍ତ୍ରୀ ନା ସରକାର?

 

ଭାରତରେ ଯେତେ ଲୋକ ଅଛନ୍ତି, ସେମାନଙ୍କୁ ଆୟ ଦୃଷ୍ଟିରୁ ୫ ଭାଗରେ ବିଭକ୍ତ କରାଯାଇଛି । ଏହି ବର୍ଗୀକରଣ କରିଛି ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ସ ରିସର୍ଚ୍ଚ ବା ଏନ୍.ସି.ଏ.ଇ.ଆର, ଯାହା ଏକ ନିରପେକ୍ଷ ଅର୍ଥନୈତିକ ସଂସ୍ଥା । ଏହି ବର୍ଗୀକରଣ ଆଧାରରେ ସବୁଠାରୁ ଧନୀ ୨୦ ଭାଗ(୮୧ରୁ ୧୦୦ ଭାଗ) ଲୋକମାନଙ୍କର ମୋଟ ଆୟ ହେଉଛି ମୋଟ ଘରୋଇ ଉତ୍ପାଦ ଜିଡିପିର ୫୩.୨ ଭାଗ । ଖାଦ୍ୟ ପଦାର୍ଥର ଦରବୃଦ୍ଧି ଏମାନଙ୍କ ଉପରେ କୌଣସି ପ୍ରଭାବ ପକାଇନଥାଏ, ସେମାନଂକର ମୋଟ ଆୟରୁ ଖୁବ୍ କମ୍ ଭାବ ସେମାନେ ଖାଦ୍ୟ ପଦାର୍ଥରେ ଖର୍ଚ୍ଚ କରନ୍ତି । ଦ୍ୱିତୀୟ ୨୦ ଭାଗ (୬୧ରୁ ୮୦ ଭାଗ)ର ମୋଟ ଆୟ ହେଉଛି ଜାତୀୟ ଆୟର ୧୮.୯ ଭାଗ । ଏମାନେ ବି ଖାଦ୍ୟ ପଦାର୍ଥର ମୂଲ୍ୟବୃଦ୍ଧିରେ ବ୍ୟସ୍ତ ହେବା ଦେଖାଯାଏ ନାହିଁ । ପ୍ରଥମ ୨୦ ଭାଗ ଲୋକଙ୍କ ସଂଖ୍ୟା ହେଉଛି ୪୫ ନିୟୁତ ପରିବାର-ଏମାନେ ନିଜ ମୋଟ ଆୟର ୪୫ ଭାଗ ଅଣ-ଖାଦ୍ୟ ସାମଗ୍ରୀରେ ଖର୍ଚ୍ଚ କରନ୍ତି । ଏମାନଙ୍କ ଖାଦ୍ୟ ସାମଗ୍ରୀର ଖର୍ଚ୍ଚ ହେଉଛି ମୋଟ ଆୟର ୩୯ ଭାଗ । ମୋଟାମୋଟି ନାନା ପ୍ରକାର ସୌଖୀନ ଜିନିଷ କିଣିବା, ବିଦେଶ ଯାତ୍ରାରେ ଏମାନଙ୍କ ଖର୍ଚ୍ଚ ଅଧିକ ହୋଇଥାଏ । ଏହି ବର୍ଗ ହିଁ ଦେଶର ବିଭିନ୍ନ ଦ୍ରବ୍ୟର କିଣାବିକାସ୍ତର ଅଧିଂକାଶରେ ନିୟନ୍ତ୍ରଣ କରନ୍ତି, ସେହି ଅନୁସାରେ ଉତ୍ପାଦନ ପ୍ରଣାଳୀ ମୋଟାମୋଟି ନିୟନ୍ତ୍ରିତ ହୁଏ ।

 

ଏବେ ଦେଖିବା ସବୁଠାରୁ ନିମ୍ନରେ ଥିବା ୪୦ ଭାଗ ଲୋକ- ଯେଉଁମାନଙ୍କ ସଂଖ୍ୟା ୯୦ ନିୟୁତ ପରିବାର, ସେମାନଙ୍କର ମୋଟ ଆୟ ହେଉଛି ମୋଟ ଜାତୀୟ ଉତ୍ପାଦର ୧୪ରୁ ୧୫ ଭାଗ । ସେମାନେ ସେମାନଙ୍କ ଆୟର ୬୩ ଭାଗ ଖାଦ୍ୟ ପଦାର୍ଥରେ ଖର୍ଚ୍ଚ କରନ୍ତି ଓ ୧୭ ପ୍ରତିଶତ ଅଣଖାଦ୍ୟ ସାମଗ୍ରୀରେ ଖର୍ଚ୍ଚ କରିଥାନ୍ତି । ଖାଦ୍ୟ ପଦାର୍ଥର ଦରଦାମ୍ ବଢିଲେ ଏମାନେ ସବୁଠାରୁ ବେଶୀ ଅସୁବିଧାରେ ପଡନ୍ତି । ସେମାନଙ୍କ ଭିତରୁ ଅନେକ ଭୋକ ଉପାସରେ ରହିବାକୁ ବାଧ୍ୟ ହୁଅନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଭୃତିରେ ଖର୍ଚ୍ଚ କରିବାକୁ ସୁବିଧା ପାଅନ୍ତି ନାହିଁ । ତେଣୁ ସେମାନଙ୍କର ପିଲାମାନେ ଓ ପରିବାରର ମହିଳାମାନେ ପୁଷ୍ଟିହୀନତାର ଶୀକାର ହୋଇଥାନ୍ତି । ଏହି ପରିବାର ଗୁଡିକର ମୁଣ୍ଡପିଛା ଆୟ ବହୁତ କମ ଓ ସମସ୍ତଙ୍କୁ କର୍ମନିଯୁକ୍ତିର ସୁଯୋଗ ବି ନଥାଏ । ଫଳରେ ଭବିଷ୍ୟତ ପାଇଁ ସଂଚୟ ସେମାନଙ୍କ ପାଇଁ ସମ୍ଭବପର ହୁଏନି ।

 

ଭାରତରେ ପ୍ରାୟ ୯୦ରୁ ୯୫ ପ୍ରତିଶତ ଭାଗ ଶ୍ରମଜୀବୀ ଇନଫର୍ମାଲ୍ ସେକ୍ଟରରେ କାମ କରିଥାନ୍ତି । ଏମାନଙ୍କ ଭିତରୁ ୭୦ ଭାଗ ଲୋକଙ୍କ ଦୈନିକ ମଜୁରୀ ୨୦ରୁ ୩୦ ଟଙ୍କା ଭିତରେ ରହିଥାଏ । ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ସ ରିସର୍ଚ୍ଚର ଏହି ଡାଟା ସଂପୂର୍ଣ୍ଣ ଠିକ୍ କି ଭୁଲ୍ ତାହା କହିହେବନି, କିନ୍ତୁ ଗୋଟିଏ କଥା ସତ୍ୟ, ଏହି ତଥ୍ୟ ଆଧାରରେ ହିଁ ଦେଶର ଅର୍ଥନୀତିରେ ଭଲମନ୍ଦର ବାଖ୍ୟା କରାଯାଇଥାଏ ।

 

ଏହି ତଥ୍ୟରୁ ଗୋଟିଏ କଥା ଜଣାପଡୁଛି, ଦେଶର ୪୦ ଭାଗ ଲୋକଙ୍କ ମୂଲ୍ୟସ୍ଫୀତି ଯୋଗୁଁ ଅନ୍ୟ କିଛି ବର୍ଗଙ୍କ ପାଇଁ ଦୁର୍ଦ୍ଦଶା ବଢୁଛି । ଆଉ ଏମାନେ ସାଧାରଣ ଜୀବନ ଧରଣର ମାନ ତଳେ ବଂଚିବାକୁ ବାଧ୍ୟ ହେଉଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ଲୋକଙ୍କ ପାଇଁ ସରକାର ଯୋଜନା ସବୁ ରଖିଥିଲେ ବି ଦୁର୍ନୀତି କାରଣରୁ ସେମାନେ ତାହା ପାଇପାରୁନାହାଁନ୍ତି ।

 

ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ସ ରିସର୍ଚ୍ଚ ମଧ୍ୟବର୍ତ୍ତୀ ଭାଗରେ ଥିବା ୪୦ ପ୍ରତି ଲୋକଙ୍କୁ ମଧ୍ୟବିତ୍ତ ଶ୍ରେଣୀ ବୋଲି ଆଖ୍ୟା ଦେଇଛି । ଏହି ଶ୍ରେଣୀରେ ରହୁଛନ୍ତି ୯୦ ନିୟୁତ ପରିବାର । ସେମାନଙ୍କ ମୋଟ ଆୟ ହେଉଛି ଜାତୀୟ ଆୟର ୩୪ ଭାଗ । ଦେଶରେ ଯେତେ ଖାଉଟି ଦ୍ରବ୍ୟ ଖରିଦ ହେଉଛି, ସେଥିରୁ ଏମାନେ ୩୯ ଭାଗ ଖରିଦ କରୁଛନ୍ତି । ନିଜ ଆୟରୁ ୫୪ ପ୍ରତିଶତ ଖାଦ୍ୟ ସାମଗ୍ରୀରେ ଓ ୫ରୁ ୭ ପ୍ରତିଶତ ବାସଗୃହ, ଶିକ୍ଷା, ଲୁଗାପଟା, ଚିକିତ୍ସା, ଗମନାଗମନରେ ଖର୍ଚ୍ଚ କରୁଛନ୍ତି । ଦରଦାମ ଯୋଗୁଁ ସେମାନଂକ ଖାଦ୍ୟ ସାମଗ୍ରୀରେ ଖର୍ଚ୍ଚ ୫୪ ପ୍ରତିଶତରୁ ୬୫-୬୬ ପ୍ରତିଶତକୁ ବଢିଯାଉଛି । ଫଳରେ ସେମାନେ ଖାଦ୍ୟ ଚାହିଦା ମେଣ୍ଟାଇବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ସବୁଥିରେ ବୁଝାମଣା କରିବାକୁ ବାଧ୍ୟ ହେଉଛନ୍ତି ।

 

ବର୍ତ୍ତମାନ ମୋଟାମୋଟି ଚିତ୍ରଟି ହେଉଛି, ଧନୀବର୍ଗ ଅଧିକ ଧନୀ ହେବାରେ ଲାଗିଥିବା ବେଳେ ନିମ୍ନ ଆୟକାରୀ ବର୍ଗ ଓ ଗରିବ ଶ୍ରେଣୀଭୁକ୍ତ ଲୋକ ଅଧିକ ଗରିବ ହେବାରେ ଲାଗିଛନ୍ତି । ମୂଲ୍ୟସ୍ପୀତି ଯୋଗୁଁ ନିମ୍ନ ଆୟକାରୀ ବର୍ଗ ପେଟପାଟଣା କଥା ଚିନ୍ତା କରୁଥିବା ବେଳେ ଉଚ୍ଚ ଆୟକାରୀ ବର୍ଗ ଲୋକେ ନିଜର ଘର, ସଂପତ୍ତି, ବ୍ୟାଙ୍କ୍ ବାଲାନ୍ସକୁ ନେଇ ଖୁସୀ ଅନୁଭବ କରୁଛନ୍ତି । ଯେପର୍ଯ୍ୟନ୍ତ ଏହି ତାରତମ୍ୟ ସମତୁଲ ନ ହୋଇଛି, ସୁସ୍ଥ ସମାଜ ଗଠନ କେବଳ ଏକ ପ୍ରହେଳିକା ।

 

ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top