ବଥ ଜାଗେ, ଅପରେଶନ ଆଉ ଜାଗେ

News Story - Posted on 2018-01-02

ନିର୍ମଳ ସେନାପତି

 

ବିଗତ ୨୦୧୩,୧୪ ଓ ୧୫ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହେଲାପରେ ୨୦୧୪ ପାଇଁ ଗୀତିକବିତାରେ କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ଗୀତିକବିତା ସଙ୍କଳନ ‘ଜହ୍ନ ଝିଲିମିଲି’ ଚୟନକୁ ନେଇ ବିବାଦ ଉପୁଜିଛି । ଚୟନକୁ ବିରୋଧକରି ଜନୈକା ପ୍ରୀତିଲତା ପଣ୍ଡା ଏକାଡେମୀକୁ ଅଭିଯୋଗ ପତ୍ର ଦେଇଥିବା କଥା ସମ୍ବାଦପତ୍ରରୁ ଜଣାପଡ଼ିଲା ଏବଂ ପରେ ପରେ ଦିବ୍ୟସିଂହ ଦାସଅଧିକାରୀଙ୍କ ସମ୍ପାଦକଙ୍କ ପତ୍ର ସ୍ତମ୍ଭର ପତ୍ରରୁ ଜଣାଗଲା ଯେ, ସାହିତ୍ୟ ଏକାଡେମୀ ପୁରସ୍କାର ଚୟନରେ ସ୍ୱଚ୍ଛତା ନରଖି ପ୍ରିୟାପ୍ରୀତି ତୋଷଣ ନୀତି ଅବଲମ୍ବନ କରିଛି । ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ଚୟନ ବିବାଦକୁ ନେଇ କୌଣସି ସ୍ପଷ୍ଟୀକରଣ ନଦେଇ ଆଜି ଯାଏଁ ନିରବ ରହିଥିବାରୁ କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ଏକାଡେମୀ ପୁରସ୍କାର ପ୍ରାପ୍ତିଟି ସନ୍ଦେହ ଭିତରେ ରହିଯାଇଛି । ଏହା ଦ୍ୱାରା ପୁରସ୍କୃତ କରାଯାଇଥିବା କବିଙ୍କୁ ଏକାଡେମୀ ଅପମାନିତ କରୁନାହିଁ କି? ନିରବତା ଦ୍ୱାରା ସାହିତ୍ୟ ଏକାଡେମୀର ମର୍ଯ୍ୟାଦାହାନୀ ହେଉ ନାହିଁ କି?

 

ଏଭଳି ପ୍ରଶ୍ନ ଆମ ଆଗରେ ଥିଲା ବେଳେ ୨୦.୧୨.୧୭ ତାରିଖ ଦୈନିକ ‘ନିତିଦିନ’ ଖବର କାଗଜର ସମ୍ପାଦକଙ୍କୁ ପତ୍ର ସ୍ତମ୍ଭରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ‘ନିର୍ବିବାଦୀୟ କବିଙ୍କ ପୁରସ୍କୃତ ଗ୍ରନ୍ଥ ଜହ୍ନ ଝିଲିମିଲିକୁ ନେଇ ବିବାଦ କାହିଁକି’ ଅପ୍ରାସଂଗିକ ଓ ଅଯୌକ୍ତିକ ପତ୍ରଟିକୁ ପାଠ କଲାପରେ ମୁଁ ବିସ୍ମିତ ହେଲି ଯେ, ଏକାଡେମୀର ଚୟନ ପ୍ରକ୍ରିୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ପ୍ରୀତିଲତା ପଣ୍ଡା ଓ ଦିବ୍ୟସିଂହ ଦାସଅଧିକାରୀଙ୍କୁ ଅପମାନିତ କରିବା ସହିତ କବି ହୃଦାନନ୍ଦଙ୍କ ବାବଦୁକ ଭାବେ କିମ୍ବା ଏକାଡେମୀର ହୋଇ ସେ ତାଙ୍କ ମତଟିକୁ ପତ୍ରସ୍ଥ କରିଛନ୍ତି । ଏକାଡେମୀର ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପର୍କରେ ସେ ତାଙ୍କ ପତ୍ରରେ ଧାଡ଼ିଏ ଖଣ୍ଡେ ଲେଖିଥିଲେ ହୁଏତ ବୃହତ୍ତର ପାଠକ ସମାଜ ପାଇଁ ପତ୍ରଟି ଲାଭଦାୟକ ହୋଇଥାନ୍ତା । ମାତ୍ର ସେ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ତାଙ୍କ ପତ୍ରରେ ନଥିବାରୁ ସେହି ପତ୍ରଟି କା’ର କେଉଁ ଉପକାରରେ ଆସିବ ତାହା କେବଳ ତାଙ୍କୁ ହିଁ ଜଣା । ମୋର ମନେ ହେଉଛି ପ୍ରକାଶିତ ପତ୍ରଟି ସାହିତ୍ୟ ଏକାଡେମୀର ପ୍ରିୟାପ୍ରୀତି ତୋଷଣ ନୀତିକୁ ସମର୍ଥନ କରିବା ସହିତ ଅଭିଯୋଗକାରୀଙ୍କ କୁତ୍ସା ରଟନା ପାଇଁ ଉଦ୍ଦିଷ୍ଟ । ତା ନହେଲେ ସେ କ’ଣ ଲେଖିଥାନ୍ତେ ନିର୍ବିବାଦୀୟ କବି! କବିତ ସବୁବେଳେ ବିବାଦୀୟ । ଯେ ନିର୍ବିବାଦୀୟ ସେ କବି ନୁହେଁ । କାହିଁକି ନା, ଯାବତୀୟ ବାଦର ଦଉଡ଼ିରେ ବାନ୍ଧି ହୋଇପଡ଼େ, ଛନ୍ଦି ହୋଇପଡ଼େ କବି । ପୁଣି ମୁକୁଳିଯାଇ ନିଜେ ଗୋଟେ ବାଦ ହୋଇଯାଏ । ଏହାଛଡ଼ା ନିର୍ବିବାଦୀୟ କବିମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାରୀ ବ୍ୟବସ୍ଥା ମଧ୍ୟ ନାହିଁ । ଅଧ୍ୟାପକ ଦାସ ଲେଖିଛନ୍ତି, ଦୀର୍ଘ ଚାଳିଶ ବର୍ଷ ଧରି କବିତାରେ ସାଧନା ଜାରି ରଖିଥିବା କବି ହେଉଛନ୍ତି ହୃଦାନନ୍ଦ ପାଣିଗ୍ରାହୀ । ତା’ହେଲେ ପ୍ରଶ୍ନ ଉଠେ ଏହି ଦୀର୍ଘ ବର୍ଷ ମଧ୍ୟରେ ତାଙ୍କର କୌଣସି କବିତା ସଙ୍କଳନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇନାହିଁ କାହିଁକି? କବି ହୃଦାନନ୍ଦ କ’ଣ କବିତା ନଲେଖି କେବଳ କାନ୍ଦଣାର ସାଧନା କରି ଆସିଥିଲେ, ନା ସେ ଅବହେଳାର ଶିକାର ହୋଇ ଆସିଛନ୍ତି? ଏହି ଦୀର୍ଘ ବର୍ଷ ମଧ୍ୟରେ ତାଙ୍କ କୃତୀକୁ ଓଡ଼ିଶା ସାହିତ୍ୟ ଏକାଡେମୀ ବିଚାରକୁ ନେଇ ନଥିଲା ନା ଉଦ୍ଦେଶ୍ୟ ମୂଳକ ଭାବେ ହଠାତ୍ ତାଙ୍କ ଗୀତିକବିତା ସଙ୍କଳନକୁ ବିଚାରକୁ ନେଇ ପୁରସ୍କୃତ କରିବାର କିଛି ଅଭିସନ୍ଧି ଅଛି ତାହା ମଧ୍ୟ ସାହିତ୍ୟ ପ୍ରତି ରୁଚି ରଖୁଥିବା ଜନଗଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇ ରହିଯାଇଛି ।

 

ପତ୍ରଟିର ପ୍ରଥମ ବାକ୍ୟକୁ ପଢ଼ିଲାପରେ ମୋର ମନେହେଲା ଏଇ କିଛିବର୍ଷ ହେଲା ସାହିତ୍ୟ ଏକାଡେମୀ କେତେକ ଅକବି ଓ ଅଲେଖକଙ୍କ କୁତ୍ସିତ ବାସନାକୁ ମେଣ୍ଟାଇବା ପାଇଁ ଯେଭଳି ହୀନ ଉଦ୍ୟମ ଚଳାଇ ଆସିଛି ତାହା ଯେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ବିପଦ ଓ ଓଡ଼ିଆ ଜାତି ପାଇଁ ନିନ୍ଦନୀୟ ପୂର୍ବରୁ ଏକଥା ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ପ୍ରମାଣିତ ହୋଇ ସାରିଛି । ଅଧ୍ୟାପକ ଦାସ ସେକଥା ବୁଝିଛନ୍ତି କି ନାହିଁ ମୋତେ ଜଣାନାହିଁ । କୁତ୍ସିତ ବାସନା ରଖିଥିବା କିଛି ମୁଷ୍ଟିମେୟଙ୍କ ପୁରସ୍କାର ପ୍ରାପ୍ତିକୁ ଚରିତାର୍ଥ କରିବା ପାଇଁ ସେ ଯେ ଉଦ୍ୟମରତ ତାହା ତାଙ୍କ ପତ୍ରରୁ ସ୍ପଷ୍ଟ । କାରଣ ଅଧ୍ୟାପକ ଦାସ ଅଧ୍ୟାପକୀୟ ଢଙ୍ଗରେ ଓଡ଼ିଆ ସାହିତ୍ୟକୁ ଯେମିତି ବୁଝିଛନ୍ତି ତାଙ୍କ ମତଟି ଅନୁରୂପ ହୋଇଛି । ସେଥିପାଇଁ ତାଙ୍କୁ ଧନ୍ୟବାଦ ।

 

ଅଧ୍ୟାପକ ଦାସଙ୍କୁ ଏକଥା ବୋଧେ ଜଣାନାହିଁ ଚାଳିଶ ବର୍ଷ ନୁହେଁ, ଯଦି ଜଣେ ସାରାଜୀବନ କବିତା ପାଇଁ ସାଧନା ଜାରି ରଖେ ତଥାପି ବି ସାଧକ ଠାରୁ ପାଂଚ ହାତ ଦୂରରୁ କବିତା ରହିଯାଏ । ସାଧକ ସିଦ୍ଧିଲାଭ କରିପାରେ ନାହିଁ । କୌଣସି ସ୍ମରଣୀୟ କି ବରଣୀୟ ସାଧକଙ୍କ ମାଟିର ଦାୟାଦ ବୋଲି ଦାବୀ କରି କବି ବା ଲେଖକଟିଏ ହେବାପାଇଁ ଉଦ୍ୟମ ସ୍ୱାଗତ ଯୋଗ୍ୟ । ମାତ୍ର ଅଯୋଗ୍ୟ ଯଦି କେବଳ ଦାୟାଦ ଭାବରେ ପୁରସ୍କାର ଦାବୀ କରେ କିମ୍ବା ଧରାଧରି କରି ପୁରସ୍କାର ମାରିଆଣେ ତେବେ ସେହିବ୍ୟକ୍ତି ତିରସ୍କୃତ ହେବାକୁ ନିଶ୍ଚୟ ଯୋଗ୍ୟ । ଅଧ୍ୟାପକ ଦାସଙ୍କୁ ଏକଥା ମଧ୍ୟ ଜଣାନାହିଁ ବିରୋଧୀମାନେ କେବଳ ବିରୋଧ କରି ନିଜର ଓରିମାନା ମେଣ୍ଟାନ୍ତି ନାହିଁ । ବିରୋଧ ଦ୍ୱାରା ସଠିକ୍ ମାର୍ଗ ଦର୍ଶନ ମଧ୍ୟ କରାଇ ଥାନ୍ତି । ତା’ନହେଲେ ଦୀର୍ଘବର୍ଷ ଧରି ଆମ ଦେଶରେ ଗଣତନ୍ତ୍ର କେମିତି ତିଷ୍ଠି ରହିଛି? ଉକ୍ତ ପତ୍ରରେ ଅଧ୍ୟାପକ ଦାସ ଉଲ୍ଲେଖ କରିଛନ୍ତି ଯେ ନ୍ୟସ୍ତସ୍ୱାର୍ଥ ସମ୍ବଳିତ ବ୍ୟକ୍ତି ବିଶେଷ ବିଭିନ୍ନ ସମ୍ବାଦପତ୍ରକୁ ପ୍ରୟୋଗଶାଳା କରି ଏହାର ବିରୋଧାଚରଣ ପୂର୍ବକ କେବଳ ନିଜର ଓରିମାନା ମେଣ୍ଟାଇ ଚାଲିଛନ୍ତି । ଏଭଳି ଉକ୍ତି ଅଧ୍ୟାପକ ଦାସଙ୍କ ଅଜ୍ଞତାକୁ ହିଁ ସୂଚାଇ ଦେଉଛି । କାହିଁକି ନା, ଏକମାତ୍ର ସମ୍ବାଦପତ୍ର ହେଉଛି ଗଣର ମାଧ୍ୟମ । ସମ୍ବାଦପତ୍ରର ଜନ୍ମଲଗ୍ନରୁ ଯେତେବେଳେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଷୟରେ ପ୍ରୟୋଗଶାଳାର ଭୂମିକାରେ ନିଜର ଭୂମିକାକୁ ସୁସ୍ପଷ୍ଟ ଭାବରେ ନିଭାଇ ଚାଲିଛି ସେତେବେଳେ ସାଂସ୍କୃତିକ ଦିଗଟିକୁ ନେଇ ଖବର କାଗଜକୁ ପ୍ରୟୋଗଶାଳା କରିବାରେ ତ୍ରୁଟି ରହିଲା କେଉଁଠି? ଯଦି ସାଂସ୍କୃତିକ ଦିଗଟିକୁ ବାଦ୍ ଦେବା ତେବେତ ଏକ ବର୍ବର ସମାଜରେ ବାସ କରୁଛନ୍ତି ବୋଲି ଆମେ ଭାବିନେବା ।

 

କୌଣସି ଅଂଚଳର ଯୋଗ୍ୟ ବ୍ୟକ୍ତିଙ୍କ ଯୋଗ୍ୟତାକୁ ଦେଖି ପୁରସ୍କାର ପ୍ରଦାନ କରାଗଲେ ତାହା ସେହି ଅଂଚଳର ଗୌରବ ବୃଦ୍ଧି କରିଥାଏ ସତ, କିନ୍ତୁ ଅଯୋଗ୍ୟଙ୍କୁ ଯଦି ଯୋଗ୍ୟର ମାନ୍ୟତା କରାଯାଏ ତେବେ ତାହା ସେହି ଅଂଚଳ ପାଇଁ ଗୌରବ ନା ଅପମାନ? ତାହା ଅଧ୍ୟାପକ ଦାସ ମୁଣ୍ଡକୁ ନେବା ଉଚିତ୍ । କାରଣ କେବଳ ଆଂଚଳିକତାକୁ ଦୃଷ୍ଟିରେ ରଖି କାହାର କୃତୀକୁ ପୁରସ୍କୃତ କରାଯାଇ ନଥାଏ । ଏହାଛଡ଼ା ଆଂଚଳିକତା ବାଦ ସମାଜପାଇଁ ଯେ କେତେ ଭୟଙ୍କର ତାହା ସମାଜ ମନସ୍କ ପ୍ରତିଟି ବ୍ୟକ୍ତିଙ୍କୁ ଜଣା । ମାତ୍ର ଅଧ୍ୟାପକ ଦାସ କାନ୍ତମାଟି, ଆମ ତିହିଡ଼ି, ଆମ ଭଦ୍ରକ ଇତ୍ୟାଦି ଶବ୍ଦ ଗୁଡ଼ିକ କେବଳ ଆଂଚଳିକତାର ଭାବାବେଗ ସୃଷ୍ଟି ପାଇଁ ପ୍ରୟୋଗ କରି ନିଜ ସଂକୀର୍ଣ୍ଣମନର ପରିଚୟ ଦେଇଛନ୍ତି । ଏବଂ ଆଂଚଳିକତାର ପ୍ରଶ୍ନ ଉଠେଇ ସମଗ୍ର ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି । ଯାହା ସ୍ୱାଭିମାନୀ ତିହିଡ଼ି ଓ ଭଦ୍ରକବାସୀଙ୍କ ଏମିତିକି ଓଡ଼ିଶାବାସୀଙ୍କ ସୃଜନ ମାନସିକତାକୁ ଆଘାତ ଦେଇଛି । କାହିଁକିନା, ପୁରସ୍କାର ରାଶି ଯେ ଓଡ଼ିଶାର ଜନଗଣଙ୍କର । ଜନସାଧାରଣଙ୍କ ଅର୍ଥକୁ ଅପାତ୍ରରେ ଦାନଦେବା କାହାର ବି ଅଧିକାର ନାହିଁ । ଯଦି କେହି ସେମିତି କରେ ତେବେ ତାହା ସ୍ୱେଚ୍ଛାଚାର ବ୍ୟତୀତ ଅନ୍ୟ କିଛି ନୁହେଁ । ଅଧ୍ୟାପକ ଦାସ ଲେଖିଛନ୍ତି, ଆଲୋଚକଙ୍କ ସିଦ୍ଧାନ୍ତକୁ ବୁଝିନଥିବା ଅଥବା ଗୀତିକବିତାର ଧାରା ସମ୍ପର୍କରେ ଆଦୌ ଧାରଣା ନଥିବା ବ୍ୟକ୍ତିବିଶେଷ ମନ୍ଦ ଉଦ୍ଦେଶ୍ୟ ରଖିବା ଅତ୍ୟନ୍ତ ଦୁଃଖଦାୟକ । ପ୍ରକୃତରେ କଥାଟା ସେଇଆ ନୁହେଁ । ଆଲୋଚକଙ୍କ ସିଦ୍ଧାନ୍ତ ଆଦୌ ସିଦ୍ଧାନ୍ତ କି ନୁହେଁ ତାହା ସ୍ୱତନ୍ତ୍ର ବିଚାରର ଅବସର ରଖେ । ମୁଁ ଗୀତ ଓ କବିତାକୁ ଯେତିକି ବୁଝେ ତାହା ହେଲା କବିଙ୍କ ‘ଜହ୍ନ ଝିଲିମିଲି’ ଗୀତିକବିତା ସଙ୍କଳନଟି ସମ୍ପୂର୍ଣ୍ଣ ଗୀତିକବିତା ସଙ୍କଳନ ଯେମିତି ନୁହେଁ ସେମିତି ସବୁ କବିତା ଗୁଡ଼ିକ ଗୀତ ବି ନୁହେଁ । ଅର୍ଥାତ୍ ଗୀତ ଓ କବିତା ମିଶାମିଶି । ମୋଟ ଉପରେ କହିବାକୁ ଗଲେ ଏତିକି କହିବି କବିଙ୍କର ‘ଜହ୍ନ ଝିଲିମିଲି’ ପୁସ୍ତକଟି ଏକ ଛନ୍ଦବଦ୍ଧ କବିତା ସଙ୍କଳନ । ତା’ଛଡ଼ା ଆଲୋଚକମାନଙ୍କ ସିଦ୍ଧାନ୍ତ ବୋଧେ ନିର୍ବିକଳ୍ପ ନୁହେଁ । କାହିଁକି ନା ଆଜିକାଲି ଆଲୋଚନା ମାନେ ତ ଦେଉଳକୁ ଲୁଚେଇ ରଖି ନିଜ ସୃଷ୍ଟ ମୁଖଶାଳାର ଝଲକ ସୃଷ୍ଟି କରିବା । ଯାହା ଅଧ୍ୟାପକ ଦାସଙ୍କ ଦ୍ୱାରା ଲିଖିତ ‘ଜହ୍ନ ଝିଲିମିଲି’ର ପୃଷ୍ଠବନ୍ଧ ଦେଖିଲେ ସହଜରେ ବୁଝି ହୋଇଯାଏ ।

 

ସର୍ବଶେଷରେ ଏତିକି କହିବି ଅଧ୍ୟାପକ ଦାସ ନିଜର ଅଜ୍ଞତା ଯୋଗୁ ବଥ ଜାଗେ ଅପରେଶନ କରିଛନ୍ତି ଅନ୍ୟ ଜାଗାରେ । ପ୍ରସଂଗକୁ ଛାଡ଼ି ସ୍ତାବକ ସାଜିବା ଯଦି ଅଧ୍ୟାପକ ଦାସଙ୍କ ବିଚାରବୋଧ ହୁଏ, ଏଭଳି ଅଧ୍ୟାପକୀୟ ବିଚାର ଦ୍ୱାରା ନା ଭାଷା ଜନନୀ ସୁରକ୍ଷିତ ରହିବେ ନା ଓଡ଼ିଆ ସାହିତ୍ୟର ବିକାଶ ଘଟିବ ନା ଉତ୍ତର ଦାୟାଦମାନେ କୌଣସି ଗର୍ବ ଅନୁଭବ କରିପାରିବେ । ତଥାପି ଅଧ୍ୟାପକ ଦାସ ବିତର୍କରେ ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ।

 

ମାତ୍ର ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ପୁରସ୍କାର ଚୟନକୁ ନେଇ ସ୍ୱଚ୍ଛତା ସମ୍ପର୍କିତ ସ୍ପଷ୍ଟୀକରଣ ନଦେଇ ନିରବ ରହିବା ଦ୍ୱାରା କବି, ସାହିତ୍ୟ ଓ ସାହିତ୍ୟ ଏକାଡେମୀ ସମସ୍ତଙ୍କର ମର୍ଯ୍ୟାଦା ହାନୀ ହେଉଛି ।

 

ତିହିଡି, ଭଦ୍ରକ
ମୋ-୭୬୮୨୯୧୧୮୩୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top