ନାଗରିକଙ୍କ ପ୍ରଶ୍ନସମ୍ବଳିତ ନିରବତା!

News Story - Posted on 2018-01-02

ସୂର୍ଯ୍ୟମଣି ମିଶ୍ର

 

ଏହା ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆମେଥି ଗସ୍ତରେ ଯାଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦୀୟ କ୍ଷେତ୍ରରେ କିଛି ବି ବିକାଶ ହୋଇନାହିଁ ବୋଲି ଅଭିଯୋଗ କରିଥିଲେ । ଶାହା ଦେଶସାରା ବୁଲି ବୁଲି ଏହି ଅଭିଯୋଗ କରୁଛନ୍ତି । କଂଗ୍ରେସ ବି ନିୀରବ ରହିନି । ଗୋରଖପୁରର ସାଂସଦ ଭାବେ ୫ ଥର ନିର୍ବାଚିତ ହୋଇଥିବା ଯୋଗୀ ଆଦିତ୍ୟ ନାଥଙ୍କ ସଂସଦୀୟ କ୍ଷେତ୍ରରେ ବିକାଶ ହୋଇନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଏହି ଅଭିଯୋଗ ନୂଆ କଥା ନୁହେଁ ।

 

ପ୍ରଶ୍ନ ଉଠୁଛି, ନିଜ ସଂସଦୀୟ କ୍ଷେତ୍ର ବା ବିଧାନସଭା କ୍ଷେତ୍ରର ବିକାଶ କରିବା କ’ଣ ସାଂସଦ ଓ ବିଧାୟକଙ୍କର କ’ଣ ଏକମାତ୍ର ବା ପ୍ରମୁଖ କାର୍ଯ୍ୟ? ମତଦାତାଙ୍କ ନିର୍ବାଚିତ ପ୍ରତିନିଧି ଭାବେ ନୈତିକତା ଦୃଷ୍ଟିରୁ କେବଳ ନୁହେଁ, ବୈଧାନିକ ଦାୟିତ୍ୱ ପାଳନ ହେଉଛି ଲୋକପ୍ରତିନିଧିଙ୍କର ପରମ ଓ ପ୍ରମୁଖ କର୍ତ୍ତବ୍ୟ । ନିର୍ବାଚନ କ୍ଷେତ୍ରର ବିକାଶ ସାଂସଦ ଓ ବିଧାୟକଙ୍କ ଅଧିକାର । ତେବେ କେବଳ ବିକାଶ ଉପରେ ସାଂସଦ ଓ ବିଧାୟକଙ୍କୁ ମୂଲ୍ୟାୟନ କରିବା ଠିକ୍‍ ଉଚିତ୍‍ କି? ଲୋକପ୍ରତିନିଧିଙ୍କ ସମ୍ମାନ ବା ପ୍ରୋଟୋକଲ୍‍ ଯାହା ତାହା ହେଉଛି ଉଭୟ ଜନପ୍ରତିନିଧି ନୀତି ନିର୍ଣ୍ଣୟକାରୀ । ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ସଂସଦୀୟ ଅଧିକାର ରହିଛି । ତେବେ ବିକାଶ କରିବା ଅଧିକାର ଅଛି କି? ଏ ସଂପର୍କରେ ନାଗରିକ ସମାଜ ପକ୍ଷରୁ କେବେ ସମୀକ୍ଷା ବା ବିତର୍କ ହୋଇନାହିଁ ।

 

ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଆଶାୟୀ ଲୋକପ୍ରତିନିଧିଙ୍କ ପକ୍ଷରୁ ରଙ୍ଗବେରଙ୍ଗର ମୁଦ୍ରିତ ପ୍ରତିଶ୍ରୁତି ପତ୍ର ବଣ୍ଟାଯାଇଥାଏ । କିନ୍ତୁ ଲୋକପ୍ରତିନିଧି ଭାବେ ନିର୍ବାଚିତ ହେବା ପରେ ସାଂସଦ କିମ୍ବା ବିଧାୟକ କେବଳ ନିଜ ସଂସଦୀୟ ବା ବିଧାନସଭା କ୍ଷେତ୍ର ପାଇଁ ସୀମିତ ରହିନଥାନ୍ତି । କାରଣ ନୀତି ନିର୍ଣ୍ଣୟକାରୀ ଭାବେ ଦେଶ ଓ ରାଜ୍ୟ ପାଇଁ ନୀତି ପ୍ରଣୟନ କରିବା ତାଙ୍କର ଉତ୍ତରଦାୟିତ୍ୱ ହୋଇଥାଏ । ସାଂସଦ ଓ ବିଧାୟକ ନିଜ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ସର୍ବପ୍ରଥମେ ୧୯୯୩ରେ ସାଂସଦ ଆଞ୍ଚଳିକ ପାଣ୍ଠି ଯୋଜନା ଆରମ୍ଭ ହେଲା । ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ସାଂସଦ ନିଜ ନିର୍ବାଚନ କ୍ଷେତ୍ରର ବିକାଶ କାର୍ଯ୍ୟ କରିବା ପାଇଁ ସୁପାରିଶ କରିପାରିବେ । ଏଥିରେ ଅଧିକ ଭାବେ ୫ ଲକ୍ଷ ଟଙ୍କା ସୁପାରିଶ ଅଧିକାର ଦିଆଯାଇଥିଲା । ଏହା ପରେ ଏହି ପାଣ୍ଠିର ପରିମାଣ ୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ ଖର୍ଚ୍ଚକ ରିବାର ଅଧିକାର ନୁହେଁ । ନିର୍ମାଣ ସମ୍ବନ୍ଧୀୟ ବିକାଶ କାର୍ଯ୍ୟ ପାଇଁ ସୁପାରିଶ କରିପାରିବେ । ବିକାଶମୂଳକ କାର୍ଯ୍ୟର ସୁପାରିଶରେ ଅଟକି ଯାଇଛି ସାଂସଦ ଓ ବିଧାୟକଙ୍କର ଅଧିକାର । ଏହାକୁ କାର୍ଯ୍ୟାନ୍ୱୟନର ଦାୟିତ୍ୱ ହେଉଛି କାର୍ଯ୍ୟପାଳିକାର । ସାଂସଦ ଅବା ବିଧାୟକଙ୍କର ଯଦି ନିଜର ପ୍ରଭାବ ରହିଛି, ସଂପର୍କ ରହିଛି ବା ସେ ଯଦି କ୍ଷମତାସୀନ ଦଳର ହୋଇଥିବେ, ତେବେ ତାଙ୍କ ସୁପାରିଶ ଅନୁଯାୟୀ ବିକାଶ କାର୍ଯ୍ୟ ସମ୍ବନ୍ଧୀୟ ସୁପାରିଶ୍‍ କାର୍ଯ୍ୟକାରୀ ହେବା ଉଚିତ!

 

ବିକାଶମୂଳକ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବୁଲି ଦେଖନ୍ତି । ସାଂସଦ -ବିଧାୟକ ମଧ୍ୟ ନିଜ ସୁପାରିଶ ଅନୁଯାୟୀ ବିକାଶ କାର୍ଯ୍ୟ କେତେ ଆଗେଇଛି, ତାହାର ଅନୁଧ୍ୟାନ କରନ୍ତି । ୯୦ ଦଶକ ପରଠାରୁ ଏପରି ଚିତ୍ର ଦେଖିବାକୁ ମିଳୁଛି । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଦେଶ ଓ ରାଜ୍ୟର ହସ୍ପିଟାଲ୍‍, ବିଦ୍ୟାଳୟ, ସଡ଼କ, ସେତୁଗୁଡ଼ିକର କିପରି ବିକାଶ ସାଧିତ ହୋଇଛି? ବିକାଶମୂଳକ କାର୍ଯ୍ୟ ଯେତେ ଗୁରୁତ୍ୱ ପାଇନାହିଁ ବା ପାଉନାହିଁ, ଅଧିକନ୍ତୁ ଟ୍ରାନ୍ସଫର୍‍ ଓ ପୋଷ୍ଟିଂ ଉପରେ ଜନତା ଜନପ୍ରତିନିଧିଙ୍କ ଉପରେ ଚାପ ପକାନ୍ତି । ଏହା ଗଣତନ୍ତ୍ରକୁ ଦୁର୍ବଳ କରିବାର ଅଧିକ ଯୋଗଦାନ କହିଲେ ଭୁଲ ହେବନାହିଁ । ଜନପ୍ରତିନିଧିଙ୍କ ବିକାଶ ସଂପର୍କରେ ପ୍ରଶ୍ନ କରିବାର ଅର୍ଥ ହେଉଛି କାଠଗଡ଼ାରେ ଠିଆକରିବା ।

 

ଆମର ସାମ୍ବିଧାନିକ ବ୍ୟବସ୍ଥାରେ ଏପରି ନିୟମ ନାହିଁ ଯେ ବା ଏପରି କରାଯାଇନି ଯେ ସାଧାରଣ ନାଗରିକ ଜଣେ ଜନପ୍ରତିନିଧିଙ୍କ ଠାରୁ ହିସାବକିତାବ ମାଗିବେ । ସଂସଦୀୟ କାର୍ଯ୍ୟ ଅବା ଆଚରଣ ସଂପର୍କରେ ସାଧାରଣ ନାଗରିକଙ୍କ ଜ୍ଞାନର ଅଭାବ ରହିଛି । ସଂସଦୀୟ ଉତ୍ତରଦାୟିତ୍ୱ ଜନପ୍ରତିନିଧି ପାଳନ କରୁଛନ୍ତି କି ନାହିଁ, ବିଧାନସଭା ଓ ଲୋକସଭାରେ କେତୋଟି କାର୍ଯ୍ୟ ଦିବସରେ ଅନୁପସ୍ଥିତ, କାର୍ଯ୍ୟନିର୍ବାହରେ କେତେ ଉଦାସୀନ, ସେ ସଂପର୍କରେ ସାଧାରଣ ନାଗରିକଙ୍କ ପକ୍ଷରୁ ଏପରିକି ବୁଦ୍ଧିଜୀବୀଙ୍କ ପକ୍ଷରୁ କେହି ପ୍ରଶ୍ନ କରୁନାହାନ୍ତି । ଏହା ନିଶ୍ଚୟ ଚିନ୍ତାର ବିଷୟ । ସାଂସଦ ଓ ବିଧାୟକ ସାଧାରଣ ନାଗରିକଙ୍କ ଟିକସ ଅର୍ଥରେ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ନେଉଛନ୍ତି । ଅଥଚ ଜନତାଙ୍କ ପ୍ରତି ଉତ୍ତରଦାୟିତ୍ୱ ପାଳନରେ ଯେଉଁ ଭୂମିକା ନିର୍ବାହ କରିବା କଥା ତାହା ହେଉଛି ନୀତି ନିର୍ଣ୍ଣୟ ଲୋକସପକ୍ଷବାଦୀ ହେବା କଥା । ଲୋକମାନେ ସାମ୍ବିଧାନିକ ଅଧିକାର ପାଉଛନ୍ତି କି ନାହିଁ, କାହିଁକି ପାଉନାହାନ୍ତି, ସେ ସଂପର୍କରେ ଗଠନମୂଳକ ବିତର୍କ କରିବା କଥା । କିନ୍ତୁ ଏପରି ଚିତ୍ର କମ୍‍ ଦେଖିବାକୁ ମିଳୁଛି । କେବଳ ଆଞ୍ଚଳିକ ବିକାଶର କଥା କହି ଜନପ୍ରତିନିଧିମାନଙ୍କ ପ୍ରକୃତ ଓ ବାସ୍ତବ ଭୂମିକା ସଂପର୍କରେ ଭ୍ରମ ସୃଷ୍ଟି କରାଯାଉଛି । ସଂସଦୀୟ ବା ବିଧାନସଭା କ୍ଷେତ୍ର ବିକାଶ ନୁହେଁ, ଏହି ଆଧାରକୁ ନେଇ ଜନପ୍ରତିନିଧିଙ୍କ କାର୍ଯ୍ୟର ମୂଲ୍ୟାୟନ କରାନଯାଇ ସଂସଦୀୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ଅଧିକ ଆବଶ୍ୟକ ଏବଂ ପ୍ରାସଙ୍ଗିକ । ଜନପ୍ରତିନିଧିମାନେ ନିଜ ନିର୍ବାଚନ କ୍ଷେତ୍ରକୁ ନେଇ କାର୍ଯ୍ୟ ଦିବସରେ କେତେ ପ୍ରଶ୍ନ ପଚାରିଛନ୍ତି, କେତେଥର ଅଂଶ ଗ୍ରହଣ କରିଛନ୍ତି, ବିଧେୟକ ପାରିତରେ କି ପ୍ରକାର ଭୂମିକା ନିର୍ବାହ କରନ୍ତି ବା କରିଛନ୍ତି, ଏହା ଉପରେ ମୂଲ୍ୟାୟନ କରିବାର ସମୟ ଆସିଛି ।

 

ଆଜି ଏପରି ଏକ ସମୟରେ ଆମେ ପହଞ୍ôଚଛୁ, ଯେଉଁ ସମୟରେ ନିର୍ବାଚିତ ଲୋକପ୍ରତିନିଧି ଦଳୀୟଭିତ୍ତିରେ ଭୋଟସର୍ବସ୍ୱ ରାଜନୀତି ପ୍ରତି ନିଜକୁ ସମର୍ପିତ କରୁଛନ୍ତି । ନିଜ କଥା, ଦଳ ଓ ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେବାର ଧାରା ଅଧିକ ବଢ଼ିଯାଇଛି । ଲୋକପ୍ରତିନିଧି ଜନତାଙ୍କ ସାମଗ୍ରୀକ ବିକାଶ ପାଇଁ ନୀତି ନିର୍ଣ୍ଣୟ କରିବା ଓ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଓ ଅଙ୍ଗୀକାରବଦ୍ଧ ରହିବା ସଂପର୍କିତ ଚିତ୍ର ଯେପରି ଦେଖିବାକୁ ମିଳିବା କଥା, ତାହାର ସୂଚନା ମିଳୁନି । ଜ୍ଞାନାତ୍ମକ ଏବଂ ସମ୍ବେଦନାତ୍ମକ ଉଦ୍ୟମରୁ ଅର୍ଜିତ ସମସ୍ତ ପ୍ରଭାବୀ ଉପକରଣ ଲୋକପ୍ରତିନିଧିଙ୍କ ପାଖରେ ରହିଛି । ବୌଦ୍ଧିକ, ସାମାଜିକ ଓ ମାନବୀୟ କ୍ରିୟାଶୀଳତା ଜାରି ରହିବା ଗୁରୁତ୍ୱବହନ କରେ । କିନ୍ତୁ ଏହା ବାସ୍ତବରେ ଜନତାଙ୍କ ପାଇଁ, ଜନତାଙ୍କ ହିତରେ କାର୍ଯ୍ୟକାରୀ ହୋଇପାରୁନାହିଁ । କେବଳ ସାଂସଦ, ବିଧାୟକ ଆଞ୍ଚଳିକ ପାଣ୍ଠି ସୃଷ୍ଟିକରିବା ଏବଂ ଏହାକୁ ନିଜ ସୁପାରିଶ ଅନୁଯାୟୀ ବାଣ୍ଟିବାରେ ଯେ ଜନତାଙ୍କର ବିକାଶ ସୁନିଶ୍ଚିତ ହୋଇପାରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ଯେବେଠାରୁ ଏହି ଆଞ୍ଚଳିକା ପାଣ୍ଠି କାର୍ଯ୍ୟକାରୀ ହେଲାଣି, କେବଳ ସୁପାରିଶ ବ୍ୟତୀତ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାରେ ଲୋକପ୍ରତିନିଧି ସମର୍ଥ ହୋଇପାରିନଥିବା ନେଇ ଆପତ୍ତିର ପରିସଂଖ୍ୟାନ ଯେ କମ୍‍ ତାହା ଅସ୍ୱୀକାର କରାଯାଇନପାରେ ।

 

ସବୁଠୁ ବଡ଼ ସମସ୍ୟା, ରାଷ୍ଟ୍ରୀୟ ଆୟର ଅସମାନ ବିତରଣ । ଏହି କାରଣ ପାଇଁ ସଂଖ୍ୟାଧିକ ଜନତାଙ୍କର କ୍ରୟ କ୍ଷମତା ନାହିଁ କହିଲେ ଭୁଲ ହେବନାହିଁ । ଲୋକପ୍ରତିନିଧିଙ୍କୁ ଆଞ୍ଚଳିକ ପାଣ୍ଠି ବଣ୍ଟନ ମଧ୍ୟରେ ସେମାନଙ୍କ ଦକ୍ଷତାକୁ ମପାଯିବା ଆଦୌ ଅତି ପ୍ରାସଙ୍ଗିକ ନୁହେଁ । କାରଣ ଲୋକପ୍ରତିନିଧି ହିଁ ଲୋକଙ୍କ ବିକାଶ ଓ ସୁରକ୍ଷା ପାଇଁ ନିର୍ବାଚିତ ହୋଇଥାନ୍ତି । ତାଙ୍କୁ ଗୋଟିଏ ନିର୍ବାଚନ କ୍ଷେତ୍ର ମଧ୍ୟରେ ସୀମିତ କରି ସେମାନଙ୍କ ଦକ୍ଷତା ନେଇ ପ୍ରଶ୍ନ କରାଯିବା ଉଚିତ ନୁହେଁ, ବରଂ ନୀତି ପ୍ରଣୟନରେ ଏବଂ ସଂସଦ ଓ ବିଧାନସଭାରେ ଲୋକପ୍ରତିନିଧି କିପରି ନିଜ ଅଞ୍ଚଳର ତଥା ଦେଶ ଓ ରାଜ୍ୟର ଜନତାଙ୍କ ହିତ ପାଇଁ କିପରି ବିତର୍କରେ ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରୁଛନ୍ତି, ସେ ସଂପର୍କରେ ସମୀକ୍ଷା ହେବା ପ୍ରୟୋଜନୀୟ । ଏହା ହୋଇପାରିଲେ ଲୋକପ୍ରତିନିଧି ଲୋକଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱ ପାଳନ ପାଇଁ ପ୍ରତିବଦ୍ଧତାର ଉଦାହରଣ ସୃଷ୍ଟି କରିପାରିବେ । ଏହାଦ୍ୱାରା ଗଣତନ୍ତ୍ର ବଳିଷ୍ଠ ହେବ ଏବଂ ଗଣସମସ୍ୟା ଦୂର ହେବା ସହ ତ୍ରୁଟିପୂର୍ଣ୍ଣ ନୀତିର ସୁଧାରରେ ଜନପ୍ରତିନିଧିମାନେ ଜନତାଙ୍କ ପ୍ରତି ସାମ୍ବିଧାନିକ ତଥା ମୌଳିକ ଦାୟିତ୍ୱ ପାଳନ କରିପାରିବେ ।

 

ସାମ୍ବାଦିକ, ଭୁବନେଶ୍ୱର
କ୍ଷବଳ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top