‘ସମ୍ବିଧାନ ହିଁ ସାର୍ବଭୌମ’

News Story - Posted on 2017-12-29

ସମସ୍ତଙ୍କୁ ଆଇନର ଶାସନ ମାନିବାକୁ ପଡ଼ିବ । ଆମେ ସମସ୍ତେ ସମ୍ବିଧାନ ଅଧୀନରେ । ସାମ୍ବିଧାନିକ ସାର୍ବଭୌମତ୍ୱକୁ ସ୍ୱୀକାର ନକଲେ ଦେଶରେ ଅରାଜକତା ସୃଷ୍ଟି ହେବ । ଏହା କହିଛନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ।

 

ଏଠାରେ ଆୟୋଜିତ ୪୬ତମ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନ ବିଚାରପତି ମିଶ୍ର କହିଛନ୍ତି ଯେ ନ୍ୟାୟପାଳିକା ହେଉ, କାର୍ଯ୍ୟ ନିର୍ବାହୀ ହେଉ ବା ବ୍ୟବସ୍ଥାପକ ସଭା, ଆମେ ସମସ୍ତେ ଏହା ଭାବିବା ଉଚିତ ଯେ ଆମେ ସାମ୍ବିଧାନିକ ସାର୍ବଭୌମତା ଅଧୀନରେ ରହୁଛନ୍ତି, ସମସ୍ତଙ୍କୁ ସାମ୍ବିଧାନିକ ପ୍ରାଧାନ୍ୟତା ଆଗରେ ଆତ୍ମସମର୍ପଣ କରିବାକୁ ପଡ଼ିବ ।

 

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଆଇନଜୀବୀମାନଙ୍କର ଭୂମିକା କେବଳ ଅଦାଲତ ପରିସରରେ ସୀମୀତ ନୁହେଁ କିମ୍ବା ନିଜ କ୍ଲାଏଣ୍ଟଙ୍କୁ ପରାମର୍ଶ ଦେବାରେ ସୀମାବଦ୍ଧ ନୁହେଁ । ସେମାନେ ଆମର ନ୍ୟାୟ ପ୍ରଶାସନରେ ଓତଃପ୍ରୋତ ଭାବେ ଜଡ଼ିତ ରହିବା ଉଚିତ । ସେମାନେ କେବଳ ଆଇନଗତ ଦୃଷ୍ଟିକୋଣରୁ ନ୍ୟାୟ ପାଇଁ ଲଢ଼େଇ କରିବା ଉଚିତ ନୁହେଁ, ଅଧିକନ୍ତୁ ଆମ ସମ୍ବିଧାନର ମୁଖବନ୍ଧରେ ଉଲ୍ଲିଖିତ ସାମାଜିକ, ରାଜନୀତିକ ଓ ଆର୍ଥନୀତିକ ନ୍ୟାୟ ପ୍ରତିଷ୍ଠା ଦିଗରେ ମଧ୍ୟ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ମିଶ୍ର ପରାମର୍ଶ ଦେଇଛନ୍ତି ।

 

ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ୧୦ ବର୍ଷରୁ ଅଧିକ କାଳ ପଡ଼ି ରହିଥିବା ଫୌଜଦାରୀ ମାମଲାର ଫଇସଲା ପାଇଁ ହାଇକୋର୍ଟ ବିଚାରପତି ଓ ଆଇନଜୀବୀମାନଙ୍କୁ ଶନିବାର କୋର୍ଟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତ ତିନି ମାସ ଭିତରେ ସେମାନଙ୍କର ଶନିବାରିଆ କୋର୍ଟ ଯୋଗୁଁ ୧୪୧୦ ମାମଲାର ଫଇସଲା ହୋଇସାରିଛି । ମଧ୍ୟ ପ୍ରଦେଶ ହାଇକୋର୍ଟ ୩୨୧ ମାମଲା ଫଇସଲା କରିଥିବାବେଳେ ଛତିଶଗଡ଼ ହାଇକୋର୍ଟ ୧୮୬, ପାଟନା ହାଇକୋର୍ଟ ୧୭୭, ପଞ୍ଜାବ ଓ ହରିଆନା ହାଇକୋର୍ଟ ୧୫୨ ଏବଂ ଓଡ଼ିଶା ହାଇକୋର୍ଟ ୭୧ ମାମଲାର ଫଇସଲା କରିଛନ୍ତି ।

 

ସେହିପରି ଖରାଦିନେ ଗରମ ହେଉଥିବା ଯୋଗୁଁ ନିମ୍ନ କୋର୍ଟଗୁଡ଼ିକରେ ଶୁଣାଣିବେଳେ ଅନେକ ଅସୁବିଧା ହୋଇଥିଲେ । ତେଣୁ ସବୁ ନିମ୍ନ କୋର୍ଟରେ ଏସି ଲଗେଇବାକୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆସନ୍ତା ଏପ୍ରିଲ-ମେ ମାସ ମଧ୍ୟରେ ରାଜ୍ୟର ସମସ୍ତ ତଳ କୋର୍ଟରେ ଏସି ଲାଗିଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

 

ରାଜ୍ୟରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଅଧିକ କୋର୍ଟ ପ୍ରତିଷ୍ଠା କରୁଛନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଗତ ୪ ବର୍ଷ ଭିତରେ ୧୭୦ କୋର୍ଟ ପ୍ରତିଷ୍ଠା ହୋଇସାରିଛି । ଆସନ୍ତା ଆର୍ଥିକ ବର୍ଷରେ ଆଉ ୫୦ କୋର୍ଟ ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top