ବିଟକଏନ ବୁଡ଼େଇଦେବ!

News Story - Posted on 2017-12-29

ଭାରତ ସମେତ ସାରା ବିଶ୍ୱରେ ବିଟକଏନ ସମେତ ଭର୍ଚୁଆଲ ମୁଦ୍ରା ମୂଲ୍ୟରେ ନିକଟରେ ଅଭୂତପୂର୍ବ ବୃଦ୍ଧି ଦେଖାଦେଇଛି । ଭର୍ଚୁଆଲ ମୁଦ୍ରାର ନିଜସ୍ୱ କୌଣସି ମୂଲ୍ୟ ନଥାଏ ଏବଂ ଏହା କୌଣସି ପରସମ୍ପତ୍ତି ଉପରେ ଆଧାରିତ ମଧ୍ୟ ନୁହେଁ । ବିଟକଏନ ଏବଂ ଅନ୍ୟ ଭର୍ଚୁଆଲ ମୁଦ୍ରାକୁ ନେଇ ସଟ୍ଟା କାରବାର ହୋଇଥାଏ, ଯାହାଦ୍ୱାରା ଏହାର ମୂଲ୍ୟରେ ଅତ୍ୟଧିକ ଉତ୍ଥାନ-ପତନ ଦେଖିବାକୁ ମିଳିଥାଏ ।

 

ପୋଞ୍ଜି ସ୍କିମ ବା ଚିଟ୍ ଫଣ୍ଡ ପରି ଭଳି ଭର୍ଚୁଆଲ ମୁଦ୍ରାରେ ମଧ୍ୟ ନିବେଶର ଅଧିକ ବିପଦ ରହିଥାଏ, ଯେଉଁ କାରଣରୁ ନିବେଶକମାନଙ୍କୁ କୌଣସି ସମୟରେ ମଧ୍ୟ ଅଚାନକ କ୍ଷତି ସହିବାକୁ ପଡ଼ିପାରେ । କାରଣ ଏହା ପାଣି ଫୋଟକା ଭଳି ହୋଇଥାଏ । ବିଶେଷ କରି ଖୁଚୁରା ଉପଭୋକ୍ତା ନିଜ ବଡ଼ ରୋଜଗାର ହରାଇବସିଥାନ୍ତି । ଉପଭୋକ୍ତାମାନଙ୍କୁ ସତର୍କ ଏବଂ ଅତ୍ୟନ୍ତ ସାବଧାନ ରହିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ସେମାନେ ଏ ପ୍ରକାରର ପୋଞ୍ଜି ସ୍କିମର ଜାଲରେ ପଡ଼ିବେ ନାହିଁ । ଭର୍ଚୁଆଲ ମୁଦ୍ରା ଡିଜିଟାଲ/ଇଲେକଟ୍ରୋନିକ୍ସ ରୂପରେ ହୋଇଥାଏ ଏବଂ ସବୁବେଳେ ହ୍ୟାକିଙ୍ଗ, ପାସୱାର୍ଡ, ସାଇବର ଆକ୍ରମଣ ଭଳି ବିପଦ ଏହା ଉପରେ ରହିଥାଏ । ଯାହାର ପରିଣାମସ୍ୱରୂପ ଜମା ପୁଞ୍ଜି ସବୁଦିନ ପାଇଁ ନଷ୍ଟ ହୋଇଯାଏ । ଭର୍ଚୁଆଲ ମୁଦ୍ରାର କାରବାର ଏନକ୍ରିପ୍ଟେଡ ହୋଇଥିବାରୁ ଏହାକୁ ଉପଯୋଗ କରି ବେଆଇନ ଏବଂ ବିପଜ୍ଜନକ ଗତିବିଧି ଚଳାଇବାରେ ସହଜ ହୋଇଥାଏ । ଏହା ଜରିଆରେ ଆତଙ୍କବାଦକୁ ପାଣ୍ଠି ଯୋଗାଣ, ତସ୍କରୀ, ନିଶା କାରବାର, କଳାଧନକୁ ଧଳା କରିବା ଭଳି ଗତିବିଧି ହେବାର ସମ୍ଭାବନା ରହିଥାଏ ।

 

ଭର୍ଚୁଆଲ ମୁଦ୍ରାକୁ ସରକାରଙ୍କ କୌଣସି ସମର୍ଥନ ମିଳିନାହିଁ । ଏଥିରେ ଆଇନଗତ ଭାବେ କୌଣସି କାରବାର ମଧ୍ୟ କରାଯାଇପାରିବ ନାହିଁ । ସେଥିପାଇଁ ଭର୍ଚୁଆଲ ମୁଦ୍ରାଗୁଡ଼ିକ ସାଧାରଣ ମୁଦ୍ରା ବା କରେନ୍ସି ତାଲିକାରେ ଆସିନଥାଏ । ଏହି ଆଧାରରେ ଭର୍ଚୁଆଲ ମୁଦ୍ରାକୁ କଏନ କିମ୍ବା ମୁଦ୍ରା ବୋଲି ଗ୍ରହଣ କରାଯାଇପାରିବ ନାହିଁ । ଭାରତ ସରକାର କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କ ଭର୍ଚୁଆଲ ମୁଦ୍ରାର କାରବାରକୁ ଅନୁମତି ଦେଇନାହାନ୍ତି । ସରକାରୀ କିମ୍ବା ଭାରତର କୌଣସି କର୍ତୃପକ୍ଷଙ୍କ ତରଫରୁ କୌଣସି ଏଜେନ୍ସିକୁ ଏପରି ମୁଦ୍ରା ଲାଗି ଲାଇସେନ୍ସ ଦିଆଯାଇନାହିଁ । ସେଥିପାଇଁ ଯେଉଁ ବ୍ୟକ୍ତି ଭର୍ଚୁଆଲ ମୁଦ୍ରାର କାରବାର କରୁଛନ୍ତି, ସେମାନେ ବିପଦ ପ୍ରତି ସାବଧାନ ରହିବା ଆବଶ୍ୟକ ।

 

ଭର୍ଚୁଆଲ ମୁଦ୍ରାର ବ୍ୟବହାର କରୁଥିବା ଲୋକ ଏବଂ ଏହାର କାରବାର ସହ ସମ୍ପୃକ୍ତ ଲୋକମାନଙ୍କୁ ଡିସେମ୍ବର, ୨୦୧୩, ଫେବୃଆରୀ ୨୦୧୭ ଏବଂ ଡିସେମ୍ବର ୨୦୧୭ରେ ସତର୍କ କରିଦିଆଯାଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭର୍ଚୁଆଲ ମୁଦ୍ରା ଆର୍ଥିକ, ବୈଧାନିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ବ୍ୟାପାର ଲାଗି ବିପଜ୍ଜନକ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ବିଟକଏନ କିମ୍ବା କୌଣସି ଅନ୍ୟ ଭର୍ଚୁଆଲ ମୁଦ୍ରା କାରବାର ଏବଂ ପରିଚାଳନା ସମ୍ପର୍କରେ କୌଣସି କମ୍ପାନୀ କିମ୍ବା ଏଜେନ୍ସିକୁ ଲାଇସେନ୍ସ ଦେଇନାହାନ୍ତି କିମ୍ବା ଅଧିକୃତ ମଧ୍ୟ କରିନାହାନ୍ତି । ଭାରତ ସରକାର ଏହା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ଭର୍ଚୁଆଲ ମୁଦ୍ରା କାରବାର ଲାଗି କୌଣସି ପ୍ରକାରର ଆଇନ ନାହିଁ କିମ୍ବା ଏଥିପାଇଁ କୌଣସି ଆଇନଗତ ଅନୁମତି ଦିଆଯାଇନାହିଁ । ଭର୍ଚୁଆଲ ମୁଦ୍ରାରେ ନିବେଶ କରୁଥିବା ଏବଂ ଅନ୍ୟ ଅଂଶୀଦାର ନିଜସ୍ୱ ବିପଦରେ କାରବାର କରୁଛନ୍ତି । ସବୁଠୁ ଭଲ ଉପାୟ ହେଉଛି ଏହି କାରବାର ଠାରୁ ଦୂରରେ ରହିବା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top