ପାଲରେ ପଡ଼ିଲା ଗଣମାଧ୍ୟମ?

News Story - Posted on 2017-12-29

ସବ୍ୟସାଚୀ ଅମିତାଭ

 

ପଂଚତନ୍ତ୍ରର ସେଇ କାହାଣୀଟିକୁ ଉଣାଅଧିକେ ସମସ୍ତେ ଜାଣିଥିବେ । କାହାଣୀଟି ସେଇ ବୃଦ୍ଧ ବ୍ୟାଘ୍ରର, ଯିଏ ବୃଦ୍ଧାବସ୍ଥା ଅସିବା ପରେ ସୁବର୍ଣ୍ଣ କଙ୍କଣ ଦେଖାଇ ଶିକାରକୁ ନିଜ ଆଡକୁ ଆକୃଷ୍ଟ କରୁଥିଲା । ସୁନାର ଲୋଭ କିପରି ମୃତ୍ୟୁର ବାଟ କଢ଼ାଉଥିଲା କାହାଣୀରେ ତାହା ନିଖୁଣ ଭାବେ ବର୍ଣ୍ଣିତ । ପଂଚତନ୍ତ୍ରର ଏହି କାହାଣୀର ସାରକଥାଟି ଥିଲା- ଲୋଭ ।

 

ଏବେ ଆସିବା ପ୍ରସଙ୍ଗକୁ । ଗତ ୨୬ ତାରିଖ ଥିଲା ବିଜେଡିର ବିଂଶତମ ପ୍ରତିଷ୍ଠା ଦିବସ । ଅର୍ଥାତ୍ ୨୦ ବର୍ଷରେ ଶାସକ ବିଜୁ ଜନତା ଦଳ । ଏଇ ୨୦ ବର୍ଷର ଯାତ୍ରା, ଉତ୍ଥାନ-ପତନ ଭିନ୍ନ କଥା । ସେଆଡ଼କୁ ପରେ ଯିବା । ହେଲେ ଯେଉଁ ପ୍ରସଙ୍ଗଟି ଆଲୋଚ୍ୟର ବିଷୟବସ୍ତୁ ତା’ ହେଲା, ୨୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର । ଏହି ସାକ୍ଷାତକାର ରାଜ୍ୟର କିଛି ପ୍ରମୁଖ ହାତଗଣତି ଖବରକାଗଜରେ ପ୍ରକାଶିତ ହୋଇଛି । କିଏ ଏହାକୁ ସ୍ୱତନ୍ତ୍ର ସାକ୍ଷାତକାରର ନାଁ ଦେଇଛି ତ ଆଉ କିଏ ଏହାକୁ ଆଂଚଳିକ ଗଣମାଧ୍ୟମକୁ ନବୀନଙ୍କ ପ୍ରଥମ ଇଣ୍ଟରଭ୍ୟୁର ନାଁ ଦେଇ ବାହାବା ସାଉଁଟିବାକୁ ଉଦ୍ୟମ କରିଛି ।

 

ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆଙ୍କ ଏହି ବରାଦିଆ ସାକ୍ଷାତକାରକୁ ନେଇ ଖବରକାଗଜଗୁଡିକ ଆପଣାଛାଏଁ ଖୁସୀ ହୋଇପାରୁଥାନ୍ତି । ଏଥିପାଇଁ କାରଣ ବି ରହିଛି । ଲକ୍ଷାଧିକ ଟଙ୍କାର ପୃଷ୍ଠା ପୃଷ୍ଠା ବିଜ୍ଞାପନ । ତା’ ସାଙ୍ଗକୁ ଓଡ଼ିଆ ଗଣମାଧ୍ୟମକୁ ଏଯାଏଁ କରଛଡ଼ା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଦିନିଆ ସାନ୍ନିଧ୍ୟ ଲାଭ । ବରାଦିଆ ଏଇଥିପାଇଁ କହୁଛୁ, ଓଡିଆରେ ଅନେକ ସମ୍ବାଦପତ୍ର ପ୍ରକାଶିତ ହେଉଥିଲେ ବି କେଉଁ ଆଧାରରେ ନିର୍ଦ୍ଦିଷ୍ଟ କିଛି ଖବରକାଗଜକୁ ସାକ୍ଷାତକାର ପାଇଁ ବଛାଗଲା ତାକୁ ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ । ଦ୍ୱିତୀୟତଃ, ସବୁ ସାକ୍ଷାତକାରଗୁଡିକ ପ୍ରକାରନ୍ତେ ଏକ ପ୍ରକାର ଢାଂଚାରେ ପ୍ରସ୍ତୁତ । ନବୀନଙ୍କୁ ସହଜ ହେଲାପରି ସମସ୍ତଙ୍କ ପ୍ରଶ୍ନର ଫର୍ମାଟ୍ ଆଉ ଅସହଜ ହେଲା ପରି ପ୍ରଶ୍ନ ନାହିଁ କହିଲେ ଚଳେ । ତୃତୀୟତଃ, ପ୍ରିଣ୍ଟ ମିଡିଆକୁ ସାକ୍ଷାତକାର ଦିଆଯାଇଥିବା ବେଳେ ଓଡିଆ ଟେଲିଭିଜନ୍ ଚ୍ୟାନେଲଙ୍କୁ କ’ଣ ପାଇଁ ଏହାର ପରିସରଭୁକ୍ତ କରାଗଲାନି ତାହା ଆଉ ଏକ ନୂଆ ପ୍ରଶ୍ନକୁ ଜନ୍ମ ଦେଇଛି ।

 

ମୋଟାମୋଟି ନିଜକୁ ସୁରକ୍ଷିତ ଜୋନରେ ରଖି ସାକ୍ଷତକାରର ପୂରା ପରିକଳ୍ପନା କରାଯାଇଛି । ସମସ୍ତଙ୍କର ପ୍ରାୟ ୬ରୁ ୭ଟି ପ୍ରଶ୍ନ । ବିଜେଡି, ବିଜୁବାବୁ, ୧୭ ବର୍ଷର ସଫଳତା, ଚ୍ୟାଲେଂଜ୍ ଓ ଓଡ଼ିଶା ରାଜନୀତିର ଚିତ୍ର । ଏମିତି ସବୁ ପ୍ରଶ୍ନକୁ ନେଇ ସାକ୍ଷାତକାରଗୁଡିକ ଆଗେଇଛି । ସମାନ ଜାଗା, ସମାନ ଚେୟାରଟେବୁଲ୍, ସମାନ ଭଙ୍ଗୀ, ଆଉ ଫଟୋ ପାଇଁ ସମାନ ପୋଜ୍ । ମୋଟାମୋଟି ସବୁ ସାକ୍ଷାତକାରର ପରିବେଶ ଓ ଚିତ୍ର ସମାନ । କ’ଣ ଖାଇବାକୁ ଭଲ ଲାଗେ, ସ୍ମରଣୀୟ ମହୂର୍ତ୍ତ, ଜୀବନରେ ଆଦର୍ଶ, ଅମଲାତନ୍ତ୍ରର ଭୂମିକା, ସମୟ କିପରି କାଟନ୍ତି ଇତ୍ୟାଦି ଇତ୍ୟାଦି ଚିରାଚରିତ ପ୍ରଶ୍ନର ବେଶ ସହଜ ଓ ସାବଲିଳ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକେ ସାକ୍ଷାତକାର ପଢ଼ି ଜାଣିବାକୁ ପାଇଛନ୍ତି ତାଙ୍କ ପ୍ରିୟ ନେତାଂକ ରୁଚି କ’ଣ ଓ କେଉଁଥିରେ ଆଗ୍ରହ ।

 

ତେବେ ପ୍ରଶ୍ନ ହେଉଛି, ରାଜ୍ୟ ତଥା ଶାସନ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ତାହା ପଚାରିବାକୁ କେହି ସାହସ ଜୁଟାଇ ପାରିନାହାଁନ୍ତି । ସାକ୍ଷାତକାର ନେଇଥିବା ବ୍ୟକ୍ତିମାନେ ସମସ୍ତେ ଲେଖିଛନ୍ତି, ନବୀନ ସିଧାସଳଖ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ, କୌଣସି ପ୍ରଶ୍ନକୁ ଏଡ଼ାଇଯାଇ ନଥିଲେ । ତେବେ ଯଦି ସୁ୍ଯୋଗ ରହିଥିଲା, ସାକ୍ଷାତକାର ନେଇଥିବା ସାମ୍ବାଦିକମାନେ ଏହାର ଫାଇଦା କ’ଣ ପାଇଁ ନେଲେନି? କ’ଣ ପାଇଁ ମହାନଦୀ ବିବାଦ, ପୋଲାଭରମ୍ ପ୍ରସଙ୍ଗ ଅବା ଚାଷୀ ଆତ୍ମହତ୍ୟା ବା ଦାମ ରାଉତଙ୍କ ବହିଷ୍କାର ପ୍ରସଙ୍ଗରେ କେହି କିଛି ପଚାରିଲେନି? କ’ଣ ପାଇଁ ପଚାରିଲେନି ଚିଟ୍ ଫଣ୍ଡ ସ୍କାମ୍ ବା ଖଣି ଘୋଟାଲା ସଂପର୍କରେ ପ୍ରଶ୍ନ? କ’ଣ ପାଇଁ ଜାଣିବାକୁ ଚେଷ୍ଟା କଲେନି ଇଚ୍ଛାଧୀନ କୋଟାରେ ଜମି ଓ ପ୍ଲଟ୍ ହାତେଇଥିବା ବ୍ୟକ୍ତିଙ୍କ ବାବଦରେ କ’ଣ ହୋଇଛି କାର୍ଯ୍ୟାନୁଷ୍ଠାନ? ପଂଚତନ୍ତ୍ରର କାହାଣୀର ଲୋଭ ପରି ଏଠି କିଏ ପାଟି ବନ୍ଦ କରିଦେଇଛି ଏଇ ପ୍ରମୁଖ ଗଣମାଧ୍ୟମମାନଙ୍କର? ଏଠି ଲୋଭର ସ୍ୱରୂପ କ’ଣ ବିଜ୍ଞାପନ, ରାଜନୀତିକ ସାନ୍ନିଧ୍ୟ ନା ଆଉ କିଛି?

 

ସତ କହିବାକୁ ଗଲେ ସମସ୍ତେ ସାକ୍ଷାତକାର ନେଲେ, ମୁଖ୍ୟମନ୍ତ୍ରୀଙ୍କ ସାନ୍ନିଧ୍ୟ ବି ପାଇଲେ, ଆଉ ଯାହା ବର୍ଣ୍ଣନା କଲେ ତାହା ହେଉଛି ଏକପ୍ରକାର ଅର୍ଦ୍ଧସତ୍ୟ । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏହି ପ୍ରାୟୋଜିତ ସାକ୍ଷାତକାରର ପ୍ରତିଟି ପ୍ରଶ୍ନ ପୂର୍ବପ୍ରସ୍ତୁତ ଓ ଅନୁମୋଦିତ ଥିଲା କି? ଯାହା ବାହାରେ କୌଣସି ପ୍ରଶ୍ନ ପଚାରିବାର ସୁଯୋଗ ମିଳିନି, କି ଚେଷ୍ଟା ବି କରାଯାଇନି । ଅନ୍ୟପଟେ ଯେଉଁ କେତୋଟି ଇଂରାଜୀ ସମ୍ବାଦପତ୍ର ନିର୍ଦ୍ଧାରିତ ପ୍ରଶ୍ନଠାରୁ ଅଲଗା ପଚାରିବାକୁ ଚେଷ୍ଟା କରିଛନ୍ତି ସେମାନେ ଉତ୍ତରରେ କେବଳ ନୀରବତା ପାଇଛନ୍ତି ବୋଲି ଦର୍ଶାଇଛନ୍ତି । ଯେପରି, ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଶିକ୍ଷା ବାବଦରେ ଏକ ଇଂରାଜୀ ଖବରକାଗଜ ପ୍ରଶ୍ନ କରିଥିଲେ ବି କୌଣସି ଉତ୍ତର ଦେଇନଥିଲେ ନବୀନ ।

 

ଡିସେମ୍ବର ୨୬ ତାରିଖର ଏଇ ପ୍ରମୁଖ ଖବରକାଗଜଗୁଡ଼ିକୁ ପଢ଼ିଲା ପରେ ଜଣେ ସାଧାରଣ ପାଠକ ଅନୁଭବ କରିପାରିବ ଯେ, ଗଣମାଧ୍ୟମ କିପରି ନବୀନଙ୍କ ପାଲରେ ପଡ଼ି ତା’ର ସନ୍ଦିଗ୍ଧ ନିର୍ଭୀକତା ଓ ନିରପେକ୍ଷତାକୁ ଆପେ ଆପେ ପଦାରେ ପକାଇଦେଇଛି । ଗୋଟିଏ ରାଜନୈତିକ ଦଳ ବା ଏହାର ମୁଖିଆ ଦଳୀୟ ସ୍ୱାର୍ଥ ଓ ଫାଇଦା ପାଇଁ ଗଣମାଧ୍ୟମକୁ ସାଧନ ଭାବେ ବ୍ୟବହାର କରିପାରନ୍ତି । ଲୋକଙ୍କୁ ଆକର୍ଷଣ କରିବା ପାଇଁ ନିଜ ଇଚ୍ଛାରେ ରଣନୀତି ପ୍ରସ୍ତୁତ କରିପାରନ୍ତି । ଏଥିରେ ଭୁଲ୍ କିଛି ନାହିଁ । କିନ୍ତୁ ପ୍ରଶ୍ନ ହେଉଛି, କ’ଣ ପାଇଁ ଓ କାହିଁକି ଗଣମାଧ୍ୟମ ନିଜକୁ ବିକ୍ରିଯୋଗ୍ୟ ବସ୍ତୁରେ ପରିଣତ କରିଦେଉଛି? ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବାବଦରେ ଧୀରେ ଧୀରେ ଜନମତ ତିଆରି ହେଉଛି ଯେ ମିଡିଆ ବି ଏକ ବିକ୍ରିଯୋଗ୍ୟ ବସ୍ତୁ, ଯେଉଁଥିରୁ ଜନଜାଗରଣ ଓ ଜନସଚେତନତା ଆଶା କରିବା ବୋକାମି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top