ଆଉ ବଢ଼ିବନି ଗ୍ୟାସ ଦର!

News Story - Posted on 2017-12-28

ରନ୍ଧନ ଗ୍ୟାସ ସିଲିଣ୍ଡର ଦର ପ୍ରତି ମାସ ୪ ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶକୁ ଇତିମଧ୍ୟରେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସରକାରଙ୍କ ଉଜ୍ଜ୍ୱଳା ଯୋଜନା ବିପରୀତରେ ଯିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି । ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ନଭେମ୍ବର ମାସରେ ଗ୍ୟାସ ଦରବୃଦ୍ଧିକୁ ସ୍ଥଗିତ ରଖାଯାଇଥିଲା ବୋଲି ସରକାର କହିଥିଲେ । ମାତ୍ର ବାସ୍ତବରେ ସେତେବେଳେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇଥିଲା ବୋଲି ଜଣାପଡ଼ିଛି ।

 

ଗ୍ୟାସ୍ ସବ୍ସିଡି ଉଚ୍ଛେଦ କରିବା ଲକ୍ଷ୍ୟରେ ୨୦୧୬ ଜୁନ ମାସରୁ ପ୍ରତି ମାସ ୧୪.୨ କିଲୋଗ୍ରାମ ବିଶିଷ୍ଟ ରନ୍ଧନ ଗ୍ୟାସ ବା ଏଲପିଜି ଉପରେ ୪ ଟଙ୍କା ଲେଖାଏଁ ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ପ୍ରକ୍ରିୟାରେ ୨୦୧୮ ମାର୍ଚ୍ଚ ସୁଦ୍ଧା ଗ୍ୟାସ ସବସିଡି ସଂପୂର୍ଣ୍ଣ ହଟିଯିବ ବୋଲି ଆକଳନ କରାଯାଇଥିଲା । ଏହାକୁ ସେତେବେଳେ ବିପକ୍ଷ ଦଳ ସମାଲୋଚନା କରିଥିଲେ । କିନ୍ତୁ ସରକାର ଅଟଳ ରହିଥିଲେ । ମାତ୍ର ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ନଭେମ୍ବର ମାସରେ ସରକାର ଆଉ ମାସିକିଆ ଦରବୃଦ୍ଧି ଘୋଷଣା କରି ନଥିଲେ । ଏବେ କୁହାଯାଉଛି ଯେ ଦରବୃଦ୍ଧି ନିଷ୍ପତ୍ତି ଅକ୍ଟୋବର ମାସରୁ ପ୍ରତ୍ୟାହୃତ ହୋଇସାରିଛି । ଗରୀବ ଲୋକଙ୍କୁ ମାଗଣାରେ ଏଲପିଜି ସଂଯୋଗ ଦେବା ନିମନ୍ତେ ଘୋଷିତ ହୋଇଥିବା ଉଜ୍ଜ୍ୱଳା ଯୋଜନାର ବିପରୀତ ହୋଇଥିବାରୁ ଦରବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହୃତ ହେଲା ବୋଲି କୁହାଯାଉଛି ।

 

ତେବେ ଏହି ସମୟ ମଧ୍ୟରେ ଏଲପିସି ସିଲିଣ୍ଡର ଦର ୧୭ ମାସ ଭିତରେ ୧୯ ଥର ବୃଦ୍ଧି ପାଇଛି । ମୋଟ ଉପରେ ସିଲିଣ୍ଡର ଦରରେ ୭୬.୫୦ ଟଙ୍କା ବଢ଼ି ସାରିଛି । ୨୦୧୬ ଜୁନ ମାସରେ ସିଲିଣ୍ଡର ଦର ୪୧୯.୧୮ ଟଙ୍କା ଥିଲା । ସେତେବେଳେ ସିଲିଣ୍ଡର ପିଛା ୨୫୧.୩୧ ଟଙ୍କା ସବସିଡି ମିଳୁଥିଲା । ଏବେ ସବସିଡି ରହିତ ସିଲିଣ୍ଡର ଦର ୭୪୭ ଟଙ୍କାରେ ପହଂଚିଛି ।

 

ଏବେ ଦେଶରେ ୧୮.୧୧ କୋଟି ଏଲପିଜି ଗ୍ରାହକ ସବସିଡି ଗ୍ୟାସ ନେଉଛନ୍ତି । ସେହିପରି ୨.୬୬ କୋଟି ଗ୍ରାହକ ରିହାତି ରହିତ ଗ୍ୟାସ ବ୍ୟବହାର କରୁଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top