ତିନ୍ ତଲାକ୍ ବିଲ୍ ପାସ୍

News Story - Posted on 2017-12-28

ଅନେକ ଦଳଙ୍କ ବିରୋଧ ସତ୍ତେ୍ୱ ଲୋକସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି ତିନ୍ ତଲାକ ବିରୋଧୀ ବିଲ୍ ବା ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ । ବିଲ୍ରେ ଥିବା ବ୍ୟବସ୍ଥା ଅନୁସାରେ ତକ୍ରାଳ ତଲାକ ବା ତିନ୍ ତଲାକ ଏକ ଧର୍ତ୍ତବ୍ୟ ଓ ଜାମିନ ବିହୀନ ଅପରାଧ ଭାବେ ବିବେଚିତ ହେବ ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ତିନି ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରିବ । ଶାସନରେ ଥିବା ବିଜେପି ମୁସଲିମ ମହିଳାଙ୍କ ପାଇଁ ଆଜିର ଦିନ ଏକ ଐତିହାସିକ ଦିନ ବୋଲି କହିଛି ।

 

ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ ଏହି ବିଲ୍ ଆଗତ କରିବା ପରେ ଏହା ଉପରେ ଦୀର୍ଘ ବିତର୍କ ଚାଲିଥିଲା । ବିତର୍କ ସମୟରେ ବିଭିନ୍ନ ପ୍ରସଙ୍ଗରେ ଏନଡିଏ ସରକାରଙ୍କୁ ସମର୍ଥନ କରି ଆସିଥିବା ଏଆଇଏଡିଏମକେ ଓ ବିଜୁ ଜନତା ଦଳ ସମେତ ଅନେକ ଦଳ ବିଲ୍ରେ ଥିôବା କେତେକ ଧାରାକୁ ବିରୋଧ କରିଥିଲେ । ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିତର୍କରେ ଭାଗ ନେଇ ବିଲ୍ର ୩, ୪, ୫, ୬ ଓ ୭ ଧାରାକୁ ବିରୋଧ କରିଥିଲେ । ତାଙ୍କ ଦଳ ତିନ୍ ତଲାକ ବିରୋଧୀ ବିଲ୍କୁ ସମର୍ଥନ କରେ ବୋଲି ସେ କହିଥିଲେ । ତେବେ ଏଥିରେ ଥିôବା କେତେକ ଧାରାରେ ତ୍ରୁଟି ରହିଥିବାରୁ ସେଥିରେ ସଂଶୋଧନ ଆବଶ୍ୟକ ବୋଲି ଦାବି କରିଥିଲେ । ଏ ନେଇ ସେ ଏକ ସଂଶୋଧନ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ । କିନ୍ତୁ ତାହା କାଟ ଖାଇଯାଇଥିଲା । ସେହିପରି ଏଆଇଏମଆଇଏମର ଆସଦୁଦ୍ଦିନ ଓୱେସି, କଂଗ୍ରେସର ସୁସ୍ମିତା ଦେବ ଏବଂ ସିପିଏମର ଏ. ସମ୍ପତ ଆଗତ କରିଥିବା ସଂଶୋଧନ ପ୍ରସ୍ତାବ ମଧ୍ୟ ଲୋକସଭାରେ ଖାଟ ଖାଇଥିଲା ।

 

ବିତର୍କ ଶେଷରେ ବିଲ୍ ଉପରେ ଭୋଟ ଗ୍ରହଣ କରାଯାଇଥିଲା । ବାଚନିକ ଭୋଟରେ ବିଲ୍ ପାସ୍ ହେଲା ବୋଲି ଘୋଷଣା କରିଥିଲେ ବାଚସ୍ପତି ସୁମିତ୍ରା ମହାଜନ ।

 

ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିଲ୍ ଆଗତ କରି କହିଥିଲେ ଯେ ଅଗଷ୍ଟ ମାସରେ ସୁପ୍ରିମ କୋର୍ଟ ତିନ୍ ତଲାକ୍ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ଏହା ବିରୋଧରେ ଆଇନ ପ୍ରଣୟନ କରିବା ପାଇଁ ସରକାରଙ୍କୁ ଛଅ ମାସ ସମୟ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ରାୟ ପରେ ମଧ୍ୟ ଦେଶର ଅନେକ ସ୍ଥାନରେ ମୁସଲିମ ମହିଳାଙ୍କୁ ତକ୍ରାଳ ତଲାକ ଦିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଏହି ବିଲ୍ ଆଗତ କରିଛନ୍ତି । ଆଜି ହେଉଛି ଏକ ଐତିହାସିକ ଦିନ । ଏହି ବିଲ୍କୁ କେହି ରାଜନୀତିକ ନଜରରେ ନଦେଖିବା ପାଇଁ ସେ ସଦସ୍ୟମାନଙ୍କୁ ନିବେଦନ କରିଥିଲେ । ଏହା କୌଣସି ପୂଜା, ପ୍ରାର୍ଥନା, ବିଶ୍ୱାସ ଇବାଦତ ସହିତ ଜଡ଼ିତ ନୁହେଁ । ଏହା ନାରୀଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ । ଏହା ନାରୀ ସଶକ୍ତିକରଣ ପାଇଁ ଅଭିପ୍ରେତ । ଏହା ଭୋଟ ବ୍ୟାଙ୍କ ରାଜନୀତି ନୁହେଁ ।

 

ଆଇନ ମନ୍ତ୍ରୀ ଏହି ବିଲ୍ ଆଗତ କରିବା ପୂର୍ବରୁ ଏହାକୁ ବିରୋଧ କରିବା ପାଇଁ ନୋଟିସ ଦେଇଥିଲେ ଆରଜେଡି, ବିଜେଡି, ଏଆଇଏଡିଏମକେ, ଆଇୟୁଏମଏଲ ଏବଂ ଏଆଇଏମଆଇଏମ । ସେହିପରି କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଏହାକୁ ବିରୋଧ କରୁଥିଲେ ମଧ୍ୟ ସେନେଇ କୌଣସି ବିଧିବଦ୍ଧ ନୋଟିସ ଦେଇ ନଥିଲେ । ତେଣୁ ବିଲ୍ର ଉପସ୍ଥାପନ ବିରୋଧରେ କହିବା ପାଇଁ ନୋଟିସ ଦେଇଥିବା ଦଳଗୁଡ଼ିକୁ ସୁଯୋଗ ମିଳିଥିଲା । ମାତ୍ର ଉପସ୍ଥାପନକୁ ବିରୋଧ କରିବା ପାଇଁ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଅନୁମତି ମିଳି ନଥିଲା ।

 

ମନ୍ତ୍ରୀ ବିଲ୍ ଆଗତ କରିବା ପରେ ବିଭିନ୍ନ ଦଳ ବିତର୍କରେ ଭାଗ ନେଇଥିଲେ । ବିତର୍କରେ ଭାଗ ନେଇ କଂଗ୍ରେସ ସଦସ୍ୟମାନେ ତିନ୍ ତଲାକ ବିଲ୍କୁ ସମର୍ଥନ କରିଥିଲେ ମଧ୍ୟ ସେଥିରେ ଥିବା କେତେକ ବ୍ୟବସ୍ଥାକୁ ବିରୋଧ କରିଥିଲେ । ବିଶେଷକରି ବିଲ୍ରେ ଥିବା ଜେଲଦଣ୍ଡ ବ୍ୟବସ୍ଥାକୁ ପାର୍ଟି ବିରୋଧ କରିଥିଲା । ବିଲ୍ ଉପରେ ଭୋଟ ନିଆଯିବା ପୂର୍ବରୁ ଏହାକୁ ସଂସଦୀୟ କମିଟିକୁ ସମୀକ୍ଷା ପାଇଁ ପଠାଇବାକୁ ଦଳ ତରଫରୁ ଦାବି କରାଯାଇଥିଲା । ସେହିପରି ବିଜେଡି ନେତା ଭର୍ତ୍ତୃହରି ମହତାବ ବିଲ୍ର ୩, ୪, ୫, ୬ ଓ ୭ ଧାରାକୁ ବିରୋଧ କରିଥିଲେ । ଏସବୁ ଧାରା ତ୍ରୁଟିପୂର୍ଣ୍ଣ ବୋଲି ସେ ଯୁକ୍ତି କରିଥିଲେ ।

 

ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ବିଲ୍କୁ ବିରୋଧ କରିଥିଲେ । କିନ୍ତୁ ଚିଠା ବିଲ୍କୁ ବିରୋଧ କରିଥିବା ତୃଣମୂଳ କଂଗ୍ରେସ ଆଜି ନୀରବ ରହିଥିଲା । ଆରଜେଡିର ଜେପିଏନ ଯାଦବ ବିଲ୍ରେ ଥିବା ତିନି ବର୍ଷର ଜେଲଦଣ୍ଡ ବ୍ୟବସ୍ଥାକୁ ବିରୋଧ କରିଥିବାବେଳେ ଏଆଇଏମଆଇଏମର ଆସଦୁଦ୍ଦିନ ଓୱେସି ଏହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ବିରୋଧୀ ହୋଇଥିବାରୁ ଏନେଇ ଆଇନ ପ୍ରଣୟନ କରିବାର କ୍ଷମତା ସଂସଦର ନାହିଁ ବୋଲି ଯୁକ୍ତି କରିଥିଲେ । କେବଳ ମୁସଲିମ ମହିଳାଙ୍କ ଅଧିକାର କଥା ଚିନ୍ତା ନକରି ଦେଶରେ ଛାଡ଼ି ଦିଆଯାଇଥିବା ୨୦ ଲକ୍ଷ ମହିଳାଙ୍କ ଅଧିକାର କଥା ଚିନ୍ତା କରାଯିବ ଉଚିତ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀଙ୍କ କଥା ଉଠାଇ ସେ କହିଥିଲେ ଯେ ଏମାନଙ୍କ ମଧ୍ୟରେ ଗୁଜରାଟର ଆମ ଭାଉଜ ମଧ୍ୟ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପତ୍ନୀଙ୍କୁ ବିବାହର ତିନି ବର୍ଷ ଭିତରେ ଛାଡ଼ି ପଳାଇଥିଲେ । ଏବେ ବି ସେ ତାଙ୍କଠାରୁ ଅଲଗା ରହୁଛନ୍ତି । ମୁସଲିମ ଲିଗର ମହମ୍ମଦ ବସିର ଓ ଏଆଇଏଡିଏମକେର ଏନୱାର ରାଜା ମଧ୍ୟ ବିଲ୍କୁ ବିରୋଧ କରିଥିଲେ ।

 

ବିତର୍କ ଶେଷରେ ବିଲ୍ ଉପରେ ଭୋଟ ଗ୍ରହଣ କରାଯାଇଥିଲା । ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ ସଂଖ୍ୟା ମିଶି ପୂର୍ଣ୍ଣ ବହୁମତ ରହିଛି । ତେଣୁ ବିଲ୍ଟି ବାଚନିକ ଭୋଟରେ ଗୃହୀତ ହୋଇଥିଲା । ବିଲ୍ରେ ଥିବା ବ୍ୟବସ୍ଥା ଅନୁସାରେ ଏଣିକି ତକ୍ରାଳ ତଲାକ ବା ତିନ ତଲାକ ବ୍ୟବସ୍ଥା ଧର୍ତ୍ତବ୍ୟ ଅପରାଧ ଘୋଷିତ ହେବ । ମୌଖିକ, ଲିଖିତ କିମ୍ବା ଇଲେକ୍ଟ୍ରୋନିକ୍ସ ମାଧ୍ୟରେ ତିନ ତଲାକ ବେଆଇନ ମାନ୍ୟତା ପାଇବ । ତିନ୍ ତଲାକ ପାଉଥିବା ମହିଳା ଏହା ବିରୋଧରେ ଅଦାଲତର ଆଶ୍ରୟ ନେଇପାରିବେ । ସେ ଏଥିପାଇଁ ନିଜର ଓ ନିଜ ପିଲାର ଭରଣପୋଷଣ ଦାବି କରିପାରିବେ । ସେହିପରି ପିଲାର ଲାଳନପାଳନ ଦାୟିତ୍ୱ ନେବାକୁ ମଧ୍ୟ ଅଦାଲତରେ ପ୍ରାର୍ଥନା କରିପାରିବେ । ଦୋଷୀ ସାବ୍ୟସ୍ତ ମୁସଲିମ ସ୍ୱାମୀଙ୍କୁ ସର୍ବାଧିକ ତିନି ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top