ମିଛ ଖବର- ନବୀନ ସନ୍ନ୍ୟାସ ନେବେ!

News Story - Posted on 2017-12-27

ଡିସେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କ ଦଳର କର୍ମକର୍ତ୍ତା, ବିଧାୟକ ଓ ମନ୍ତ୍ରୀମାନଙ୍କୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ସେମାନେ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ଶପଥ ଗ୍ରହଣ କରିଛନ୍ତି । ଏଣିକି ସେମାନେ ସରଳ ଜୀବନ ଯାପନ କରିବେ ଓ ଉଚ୍ଚ ଚିନ୍ତା କରିବେ । ତେବେ ସେମାନେ ଏଥିପାଇଁ ନବୀନବାବୁଙ୍କୁ ଆଦର୍ଶ ମାନିବାକୁ ନିଷ୍ପତ୍ତି ନେଇଛନ୍ତି । ନବୀନ ନିଜେ ଯେଉଁ ରାସ୍ତା ଦେଖାଇଛନ୍ତି ସେଥିରେ ସେ ଆଗରେ ଚାଲିବେ ଓ ତାଙ୍କ ପଛେପଛେ ବିଜେଡି କର୍ମୀ ଓ ନେତାମାନେ ଧାଡ଼ିବାନ୍ଧି ଚାଲିବେ ।
ସରଳ ଜୀବନ ଯାପନ କରିବା ପାଇଁ ତାହା କ’ଣ ଆଗେ ତାହା ସ୍ପଷ୍ଟ ହେବା ଦରକାର ବୋଲି ହୃଦବୋଧ କରି ବିଜେଡି ତରଫରୁ ଏକ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ବାବା ପ୍ରସନ୍ନ ପାଟ୍ଟଶାଣୀ । ସେ ସ୍ଥିର କରିବେ ସରଳ ଜୀବନର ମାନକ କ’ଣ? ଅଡି ଗାଡ଼ି ଚଢ଼ିବା ସରଳ ଜୀବନ କି ବିଏମଡବ୍ଲ୍ୟୁ ଚଢ଼ିବା ସରଳତା ତାହା ସ୍ପଷ୍ଟ ହେବା ଦରକାର । ପାଜେରୋ, ଫର୍ଚୁନର ଆଦି ଯେତେ ଦାବୀ ବ୍ରାଣ୍ଡ ତା’ ଭିତରେ ସରଳ କିଏ ତାହା ସ୍ଥିର କରିବେ ବାବା ।

 

ସେହିପରି କେତେ ବଡ଼ ଘର ସରଳ ଜୀବନ ପାଇଁ ଦରକାର ତାହା ବି ସ୍ଥିର ହେବ । ଦେଢ଼ ଏକରିଆ କି ଦୁଇ ଏକରିଆ ଜମି ଭିତରେ ୮ ବଖରିଆ ବଙ୍ଗଳା ସବୁ ସରଳ ଜୀବନ ପାଇଁ ଦରକାର କି ନୁହେଁ ତାହା ସ୍ଥିର ହେବ । ଦେହରେ କେତେ ଗ୍ରାମ ସୁନା ପିନ୍ଧିବା ଦରକାର, ଘରେ କେତେ କେତେ କେଜି ସୁନା ରଖିବା ଦରକାର, ବ୍ୟାଙ୍କରେ କେତେ ଟଙ୍କା ରହିବା ଦରକାର, ବେଆଇନ ବ୍ୟବସାୟରେ କେତେ କୋଟି ଖଟେଇବା ଦରକାର, ଏସବୁ ସ୍ଥିର ହେଲା ପରେ ଯାଇଁ ସରଳ ଜୀବନ ଶୈଳୀର ସଂଜ୍ଞା ନିର୍ଦ୍ଧାରିତ ହେବ ।

 

ଦିନକୁ କେତେ ପେଗ୍ କେଉଁ ବ୍ରାଣ୍ଡର ପିଇବା, କେତେ ଦାମୀ ସିଗାରେଟ ଟାଣିବା, କେତେ ମାଉଁସ ଓ ମାଛ ଇତ୍ୟାଦି ଖାଇବା, ଲବଷ୍ଟର ଚିଙ୍ଗୁଡ଼ି ଖାଇବା ସରଳ ଜୀବନ କି ନୁହେଁ ତାହା ବାବା ପାଟ୍ଟଶାଣୀ ସ୍ଥିର କରିବେ । ଭୁବନେଶ୍ୱରର କେଉଁ ପଂଚତାରକା ହୋଟେଲରେ ରାଜନୀତିକ ବୈଠକ ହେବ, ଝିଅପୁଅ ବାହାଘରରେ କେତେ ଶହ ପ୍ରକାରର ଖାଦ୍ୟ ପରିବେଷଣ କରାଯିବ, କେତେ ବାଣ ଫୁଟିବ, କେତେ ସାଜ୍ଜସଜ୍ଜା ହେବ, ନିମନ୍ତ୍ରଣ ପତ୍ରଟା କେତେ ଦାମର ହେବ ଏସବୁ ମଧ୍ୟ ବାବା କମିଟି ସ୍ଥିର କରିବେ । ଶେଷରେ ଭୋଟ୍ ଦେବାକୁ କେତେ ଲୋକଙ୍କୁ ମଦମାଉଁସ ଭୋଜି ଦେବା, କେତେ ଗାଡ଼ି ଓ ହେଲିକପ୍ଟର ବ୍ୟବହାର କରିବା, କେତେ କାନ୍ଥ ଓ ଖୁଣ୍ଟରେ କେତେ ପୋଷ୍ଟର ଓ ବ୍ୟାନର ଟାଣିବା, ଏସବୁ ମଧ୍ୟ ସ୍ପଷ୍ଟ ହେବ ।

 

ଏହା ପରେ ଯାଇଁ ବିଜେଡି ନେତା ଓ କର୍ମୀମାନେ ତାଙ୍କ ମନ୍ତ୍ରଜପ କରିବେ ଓ ସରଳ ଜୀବନ ଯାପନ କରିବେ ।

 

ସେହିପରି ଉଚ୍ଚ ଚିନ୍ତାର ସଂଜ୍ଞା ନିର୍ଦ୍ଧାରଣ ପାଇଁ ଅନ୍ୟ ଏକ କମିଟି ଗଠନ କରାଯିବ । ଏହାର ଅଧ୍ୟକ୍ଷ ରହିବେ ସାଂସଦ ବୈଜୟନ୍ତ ପଣ୍ଡା । ହେଲିକପ୍ଟର କେତେ ଉଚ୍ଚକୁ ଉଡ଼ିଲେ ଉଚ୍ଚ ଚିନ୍ତା ଆସେ ତାହା ତାଙ୍କୁ ବେଶ୍ ମାଲୁମ । ଅବଶ୍ୟ ନବୀନବାବୁ ବି ଗଲା ୨୦ ବର୍ଷରେ ଏ ନେଇ ଅନେକ ଅଭିଜ୍ଞତା ହାସଲ କରି ସାରିଲେଣି । ସେହି ଅନୁଭୂତି ଅନୁସାରେ କେତେ ବର୍ଷ ବା କେତେ ଦଶନ୍ଧି ଗାଦିରେ ବସିବା ଉଚ୍ଚ ଚିନ୍ତା, କେତେ ଅଧିକ ଲୋକଙ୍କୁ ମିଛ କହିବା ଓ ଭୁଆଁ ବୁଲେଇବା ଉଚ୍ଚ ଚିନ୍ତା, କେତେ ମିଛ ପ୍ରତିଶ୍ରୁତି ଦେବା ଉଚ୍ଚ ଚିନ୍ତା, କେତେ ପିସି, ବଟି ଓ ଚାନ୍ଦା ଆଦି ଆଦାୟ କରିବା ଉଚ୍ଚ ଚିନ୍ତା ତାହା ମଧ୍ୟ ସ୍ଥିର ହେବ । କେତେ ଶିଳ୍ପ ହେବ, କେତେ ଜମି ଯିବ, କେତେ ପ୍ରଦୂଷଣ ହେବ, କେତେ ଟିକସ ଫାଙ୍କିବ, କେତେ ଚାଷୀ ମରିବେ, କେତେ ସାର ଓ ବିହନ ହଡ଼ପ ହେବ, କେତେ ଅଖା ବଦଳ ହୋଇ ଧାନ କିଣାଯିବ, କେତେ ପିଲାଙ୍କୁ କେତେ ନିମ୍ନମାନର ଡାଲି ଖୁଆଯିବ- ଏସବୁର ଉଚ୍ଚ ସୀମା ଧାର୍ଯ୍ୟ ହେବ ।

 

ଦଳ ଭିତରେ ଏଭଳି ସଂକଳ୍ପ ନିଆଯିବା ପରେ ସବୁବେଳେ ଭିନ୍ନମତ ଦେଉଥିବା ଡାକ୍ତର ଦାମୋଦର କହିଛନ୍ତି ଯେ ନବୀନବାବୁ ଯାହା କହିଛନ୍ତି ତାହା ବୁଝିବା ପାଇଁ କମିଟିଫମିଟି କିଛି ଦରକାର ନାହିଁ । ସମସ୍ତେ ସନ୍ନ୍ୟାସ ନେଇଯିବା ଦରକାର । ନବୀନବାବୁ ଆଗ ସନ୍ନ୍ୟାସ ନେଲେ ତା’ପରେ ଦଳର ଅନ୍ୟମାନେ ସେହି ରାସ୍ତାରେ ଚାଲିବେ । ନହେଲେ ସମସ୍ତେ ମହାତ୍ମା ଗାନ୍ଧୀଙ୍କ ପରି ଗୋଟେଗୋଟେ ସାବରମତି ଆଶ୍ରମ କରି ସେଠାରେ ଛେଳି ପାଳିବା, ଅରଟରେ ସୂତା କାଟିବା କାମ କରିବା ଦରକାର । କୁଟି ଖାଇ କାଟି ପିନ୍ଧିବା ହିଁ ସରଳ ଜୀବନ । ନବୀନବାବୁ ସେଇଆ କରନ୍ତୁ ।

 

ତେବେ, ଡାକ୍ତର ରାଉତଙ୍କର ସରଳତାର ଏପରି ସଂଜ୍ଞା ନିର୍ଦ୍ଧାରଣକୁ ଦି’ ଗଡ଼ କରି କାଟିପକେଇଛନ୍ତି ଗଂଜାମର ଜୁନିଅର ଟାଇଗର ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ ଦାମବାବୁ କ’ଣ ବାବା ରାମଦେବ, ଶ୍ରୀ ଶ୍ରୀ ରବି ଶଙ୍କର, ଆଶାରାମ ବାପୁ, ବାବା ବୀରେନ୍ଦ୍ର ଦୀକ୍ଷିତ, ସୁର ଓ ସାରଥୀ ବାବା ପ୍ରମୁଖଙ୍କ ସରଳ ଜୀବନଶୈଳୀ ବିଷୟରେ ଅନଭିଜ୍ଞ? ସେହି ବାବାମାନେ ଯେପରି ସରଳ ଜୀବନ ଯାପନ କରୁଛନ୍ତି ସେହିପରି ଜୀବନ ଯାପନ କରିବାକୁ ନବୀନବାବୁ କର୍ମୀ ଓ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ନହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ସରଳ ଜୀବନଯାପନ କରୁଛନ୍ତି ସମସ୍ତେ ସେହିପରି ସରଳ ହେବା ଉଚିତ । ମୋଦି ଏକା ରହୁଥିଲେ ମଧ୍ୟ ଦିନକୁ ଦଶ କୋଡ଼ିଏ ଥର ପୋଷାକ ବଦଳେଇବା ଏକ ସରଳତା । ସବୁବେଳେ ବ୍ୟୟବହୁଳ ରୋଡ଼ ଶୋ, ପ୍ରଚାର ଅଭିଯାନ ଚଳାଇବା ହେଉଛି ରାଜନୀତିକ ଭାଷାରେ ନିରାଡମ୍ବର ଭାବ । ନହେଲେ ନବୀନବାବୁଙ୍କ ଭଳି ସାଦା କୁର୍ତ୍ତା ପାଇଜାମା ଓ ଚପଲ ପିନ୍ଧି ବିଶାଳ ଅଟ୍ଟାଳିକାରେ ଚାକରବାକରଙ୍କ ମେଳରେ ରହିବା, ରାସ୍ତାଘାଟ ବନ୍ଦ କରି ଶହଶହ ପୁଲିସଙ୍କ ଗହଣରେ ଯାତାୟତ କରିବା, କଟକ-ଭୁବନେଶ୍ୱର ଭିତରେ ବିମାନଯାତ୍ରା କରିବା, ଭିଡିଓରେ ଶହଶହ ପ୍ରକଳ୍ପ ଉଦଘାଟନ କରିବା ହେଉଛି ଆଧୁନିକ ସରଳତା ।

 

ଦଳ ଭିତରେ ସରଳ ଜୀବନ ଓ ଉଚ୍ଚ ଚିନ୍ତା ନେଇ ଏହିପରି କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଅତ୍ୟନ୍ତ ଜଟିଳ ଜୀବନ ବିତାଇଉଥିବା ରାଜ୍ୟର ପୁଣି କେତେ ଜଣ ଚାଷୀ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top