ମୋଦୀଙ୍କ ପାଇଁ ବଦଳିବ ସଂଘ!

News Story - Posted on 2017-12-26

ସୂର୍ଯ୍ୟମଣି ମିଶ୍ର

 

ଗୁଜୁରାଟ ନିର୍ବାଚନ ଫଳାଫଳ ବିଜେପି ପ୍ରତି ଆଉ ପୂର୍ବ ଆକର୍ଷଣ ନଥିବା ସୂଚାଇଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କରିସ୍ମା ଉପରେ ପ୍ରଶ୍ନବାଚୀ ଲଗାଇଛି ଏହି ନିର୍ବାଚନୀ ଫଳାଫଳ । ଏହା ସହ କେତେକ ଜାତିବାଦୀ ସଂଗଠନର ନେତା ଏବଂ ବାମଦଳର ନେତୃତ୍ୱ କଂଗ୍ରେସ ସହ ଯୋଡ଼ିହୋଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମୋଦିଙ୍କ ବିକଳ୍ପ ଭାବେ ପ୍ରଚାର ଆରମ୍ଭ କରିଛନ୍ତି । ଏହା ବିଜେପି ପ୍ରତି ଚିନ୍ତାର କାରଣ ହୋଇଛି । ତା’ଠାରୁ ବହୁ ଅଧିକ ଭାବେ ଆରଏସଏସର ମୁଣ୍ଡବିନ୍ଧାର ବିଷୟ ହୋଇଛି । ଦେଶବ୍ୟାପୀ ମୋଦିଙ୍କୁ ହଟାଇବା ପାଇଁ ମହାମେଣ୍ଟ ଗଠନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି, ଯାହା ସଂଘ ପାଇଁ ଆହ୍ୱାନର ପ୍ରସଙ୍ଗ ହୋଇଛି ।

 

ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପି ବିଜୟୀ ହୋଇଛି । ଗୁଜରାଟରେ ଦଳର ଆସନ ସଂଖ୍ୟା କମିଛି, ଶାହଙ୍କ ମିଶନ-୧୫୦ ଫେଲ୍‍ ମାରିଛି । ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପରାଜୟ ସହ କଂଗ୍ରେସ ସପକ୍ଷରେ ଜନମତ ବୃଦ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରିସ୍ମା ପାଇଁ ଆହ୍ୱାନର ବାର୍ତ୍ତା ଦେଇଛି ।

 

ବିଜେପିର ମାତୃ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆରଏସଏସ ଶହେ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତିରେ ରହିଛି । ଏହି ସମୟରେ ମୋଦିଜୀଙ୍କ ପ୍ରତି ବିରୋଧୀଙ୍କ ପକ୍ଷରୁ ଏପରି ସଂଘର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ଜୋରଦାର ହେବା ଘଟଣାକୁ ସଂଘ ଗୁରୁତର ଭାବେ ବି·ର କରୁଛି । ଆଗାମୀ ଅପ୍ରେଲ ମାସରେ ହେବାକୁ ଯାଉଥିôବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦିଙ୍କ ପଛରେ ସଂଘ ଠିଆହେବ ବୋଲି ନିଷ୍ପତ୍ତି ନେଇଛି!

 

କର୍ଣ୍ଣାଟକ ନିର୍ବାଚନରେ ବିଜୟ ହାସଲ ପାଇଁ କେବଳ ବିଜେପି ନୁହେଁ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ସୂଚନା ଅନୁଯାୟୀ ସ୍ୱଦେଶୀ ଜାଗରଣ ମଞ୍ଚରୁ ବିଜେପିକୁ ଆସିଥିବା ମୁରଲୀଧର ରାଓ କର୍ଣ୍ଣାଟକ ପାଇଁ ଇସ୍ତାହାର ତିଆରି ଆରମ୍ଭ କଲେଣି ।
ସଂଘର କର୍ଣ୍ଣାଟକ ସହକାର୍ଯ୍ୟବାହକ ପଛରେ ଥିବା ଭୈରୋଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବୋଲେଙ୍କୁ ସହକାର୍ଯ୍ୟବାହକ ପଦ ମିଳିବ! ଆରଏସଏସର ସହକାର୍ଯ୍ୟବାହକ ମଧ୍ୟ ପ୍ରଶାସନିକ ଏବଂ ସାଂଗଠନିକ ତରିକାରେ ନଜର ରଖିଛି । ସଂଘର ଭିନ୍ନ ଭିନ୍ନ ସଂଗଠନର ପୁଣି ପରିବର୍ତ୍ତନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହେବାକୁ ଯାଉଛି ।

 

ବଡକଥା ହେଉଛି ସଂଘର ଶତବାର୍ଷିକୀ ବା ଶତାଦ୍ଦୀ ବର୍ଷ ୨୦୨୫ରେ ସମଗ୍ର ଦେଶରେ ପାଳନ ହେବ । ମୋଦି ସରକାର ନୀତି ଉପରେ ସୂଚନା ଅନୁଯାୟୀ ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘ ଅସହମତି ପ୍ରକାଶ କରୁଛି । ତେଣୁ ଏହି ଦୁଇ ସଂଗଠନ କାର୍ଯ୍ୟକର୍ତ୍ତାଙ୍କୁ ପରିବର୍ତ୍ତନ କରାଯିବ ବୋଲି ପ୍ରାପ୍ତ ସୂଚନାରୁ ଜଣାଯାଇଛି ।

 

ବିଶ୍ୱହିନ୍ଦୁ ପରିଷଦର ଆନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଏବଂ ବିଏମଏସର ମହାସଚିବ ବ୍ରଜେଶ ଉପାଧ୍ୟାୟଙ୍କୁ ସଂଗଠନରୁ ଛୁଟି ଦିଆଯିବ । ଏହାର କାରଣ ତୋଗାଡିଆ ରାମମନ୍ଦିର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ।

 

ବିଏମଏସ ମୋଦୀ ସରକାରଙ୍କ ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠାଇଥିଲା । ପୃଥକ ପୃଥକ ସଂଗଠନ ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ଯେପରି ସ୍ୱର ଉଠିଛି, ଏହାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ସଂଘ ପକ୍ଷରୁ କାର୍ଯ୍ୟକର୍ତ୍ତା ପରବର୍ତ୍ତନ ନୀତିକୁ ଆପଣେଇବା ପାଇଁ ସ୍ଥିର କରିଥିବା ଜଣାଯାଇଛି ।

 

ବିଶ୍ୱହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ସ୍ତରରେ ପରିବର୍ତ୍ତନ ପରେ ପରେ କୃଷକ ସଂଗଠନ ଏବଂ ସ୍ୱଦେଶୀ ଜନଜାଗରଣ ମଞ୍ଚର ଅଧିକାରୀ ସ୍ତରରେ ପରିବର୍ତ୍ତନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ଶେଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି ।

 

ମାର୍ଚ୍ଚ ୨୦୧୮ରେ ସଂଘର ସହକାର୍ଯ୍ୟବାହକ ଭୈରୋଜୀ ଯୋଶୀଙ୍କ କାର୍ଯ୍ୟକାଳ ଶେଷହେବ । ମାର୍ଚ୍ଚରେ ନାଗପୁରରେ ହେବାକୁ ଯାଉଥିବା ସଂଘ ପ୍ରତିନିଧି ସଭାରେ ନୂଆ ସହକାର୍ଯ୍ୟବାହକ ହେଉଛନ୍ତି ଦତ୍ତାତ୍ରେୟ ହୋସବୋଲେ । ବିଶ୍ୱହିନ୍ଦୁ ପରିଷଦର ୩ ବର୍ଷରେ ଥରେ ହେବାକୁ ଥିବା ସମ୍ମିଳନୀ ୨୪ରୁ ୩୦ ଡିସେମ୍ବର ଯାଏ ଭୁବନେଶ୍ୱରରେ ହେବ । ଏହି ସମ୍ମିଳନୀରେ ନୂଆ ଲୋକଙ୍କୁ ସୁଯୋଗ ଦେବା ନାମରେ ପ୍ରବୀଣ ତୋଗାଡିଆଙ୍କ ସମେତ ଅନ୍ୟ କେତେଜଣ କର୍ମକର୍ତ୍ତାଙ୍କୁ ପରିବର୍ତ୍ତନ କରାଯିବାର ସମ୍ଭାବନା ଅଛି ।

 

ତଥ୍ୟ ଅନୁଯାୟୀ ସଂଘ ଏବଂ ମୋଦୀ ସରକାରଙ୍କ ନୀତି ସଂଘ ସହ ସଂପୃକ୍ତ ଭଳି ପ୍ରଶ୍ନ ଯେପରି କୌଣସି ସଂଗଠନ ନଉଠାନ୍ତୁ, ଏନେଇ ସଂଘ ଜାଗ୍ରତ ରହିଛି ।

 

ବିଜେପିର ୨୦୧୯ରେ ବିଜୟ ପାଇଁ ସଂଘ ଟାର୍ଗେଟ କରିଛି । ୨୦୧୯ରେ ବିଜେପି ବିଜୟୀ ହେଲେ ୨୦୨୨ ଯାଏ ସରକାର ରହିବ । ଏହି ସମୟରେ ଦେଶ ବ୍ୟାପି ସଂଘ ନିଜ ସାଂଗଠନିକ ଶକ୍ତିକୁ ପ୍ରସାରିତ କରିପାରିବ । ୨୦୨୫ରେ ଶତବାର୍ଷିକୀ ସମାରାହ ଦେଶବ୍ୟାପୀ ସଂଗଠିତ କରିପାରିବ ।

 

୨୦୦୪ର ସାଇନିଙ୍ଗ ଇଣ୍ଡିଆ ଢାଞ୍ଚାରେ ୨୦୧୯ ପାଇଁ ପ୍ରସ୍ତୁତି ହେବନାହିଁ । ଏହି ୫ ବର୍ଷରେ ମୋଦୀ ସରକାର କଣ କରିବେ ଏଭଳି ପ୍ରଶ୍ନ ୨୦୧୯ ସାଧାରଣ ନିର୍ବାଚନ ବେଳେ ନଉଠୁ, ବରଂ ୨୦୨୨ ମଧ୍ୟରେ ସରକାରଙ୍କ ପାଇଁ ଟାର୍ଗେଟ ଦେବ ସଂଘ । ଏହି ଟାର୍ଗେଟକୁ ନେଇ ମୋଦୀ ସରକାରଙ୍କ ସପକ୍ଷରେ ଜନମତ ସୃଷ୍ଟିପାଇଁ ସଂଘ ଶକ୍ତି ଖଟାଇବ ।

 

୨୦୧୯ ନିର୍ବାଚନରେ ପ୍ରଚାର ପ୍ରସଙ୍ଗ ହେବ- ଦୁର୍ନୀତିମୁକ୍ତ ଭାରତ, କଳାଧନ ମୁକ୍ତି, ଶାନ୍ତି, ଏକତା, ଭାଇଚାରାର ନାରା । ସଂଘର ବିଶ୍ୱାସ ଏହି ନାରା ଏବଂ ଟାର୍ଗେଟ ‘ଦୁର୍ନୀତିମୁକ୍ତ ଭାରତ’ ଲୋକଙ୍କୁ ଛୁଇଁବ, ଲୋକମତ ମୋଦୀ ସରାକାରଙ୍କ ଆଡକୁ ଆଉଜିବ ।

 

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ଦରକାର । ଏଥିପାଇଁ କଂଗ୍ରେସ କ୍ଷମତାରେ ଥିବା କର୍ଣ୍ଣାଟକ ଉପରେ ନଜର ପକାଇଛି ସଂଘ । ବିଜେପିର ମହାସଚିବ ମୁରଲୀଧର ରାଓ କର୍ଣ୍ଣାଟକର ପ୍ରତିଟି ବିଧାନସଭା କ୍ଷେତ୍ରକୁ ନେଇ ଇସ୍ତାହାର ତିଆରି କରିଛନ୍ତି । ଯଦିବି ବିଧାନସଭା କ୍ଷେତ୍ରରେ ୫୦୦ରୁ ୧୦୦୦ଲୋକଙ୍କ ସହ କଥାବାର୍ତ୍ତା କରି ମତାମତ ଆଧାରରେ ଇସ୍ତାହାର ତିଆରି ଆରମ୍ଭ ହୋଇଛି । ଯେଉଁମାନଙ୍କ ସହ କଥାବାର୍ତ୍ତା ହେବ, ସେମାନଙ୍କ ମଧ୍ୟରୁ ପ୍ରତିଟି ପ୍ରଫେସନର ଲୋକଙ୍କୁ ମେନିଫେଷ୍ଟୋ ବାଟରେ ସଂପୃକ୍ତ କରାଇବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିôବା ଜଣାଯାଇଛି । ସଂଘର ସହରୀ ସଂଗଠନ ମୋଦୀ ସରକାରଙ୍କ ନୀତି ସହ ଛିଡାହେବେ ।

 

ସେଥିପାଇଁ ନାଗପୁରରେ ସଂଘ ପକ୍ଷରୁ ସମୀକ୍ଷା କରାଯିବ । ସମୀକ୍ଷା ଅନୁଯାୟୀ ସଂଘର କର୍ମକର୍ତ୍ତା ପରିବର୍ତ୍ତନ ଏବଂ ବିଜେପିର ସାଂଗଠନିକ କର୍ମକର୍ତ୍ତା ସ୍ତରରେ ପରିବର୍ତ୍ତନ କରାଯିବ । ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ପରିବର୍ତ୍ତନ ମଧ୍ୟ କରାଯିବ । ପରିଷଦର ନେତୃତ୍ୱ ନେଉଥିବା ସୁନିଲ ଆଂବେଦକରଙ୍କ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାସଚିବ ରାମଲାଲଙ୍କୁ ବିଦ୍ୟାର୍ଥୀ ପରିଷଦର ଦାୟିତ୍ୱ ଦିଆଯିବ ।

 

୨୦୨୫କୁ ମୋଦିଜୀଙ୍କ ବୟସ ୭୫ବର୍ଷ ହୋଇଥିବ । ସେଥିପାଇଁ ସଂଘ ନୂଆ ନେତୃତ୍ୱ ନିର୍ମାଣ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ।

 

୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ବିଜୟ ହିଁ ସଂଘର ସଂଗଠନ ବୃଦ୍ଧି ପାଇଁ ସହାୟକ ହେବ । ୨୦୨୫ରେ ସଂଘ ଶତାବ୍ଦୀ ବର୍ଷ ପାଳନ କଲାବେଳକୁ ସଂଘର ସାଂଗଠନିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ନା କଂଗ୍ରେସର ନା ବାମଦଳ ସମର୍ଥ ଥିବ ।

 

ସାଂଗଠନିକ ନେତୃତ୍ୱ ପରିବର୍ତ୍ତନ ସହ ଦୁର୍ନୀତିମୁକ୍ତ ଭାରତ । କଳାଧନ ମୁକ୍ତି ବିକାଶ, ଶାନ୍ତି, ଏକତା, ଭାଇଚାରାକୁ ନାର ଦେଇ ଲୋକଙ୍କ ହୃଦୟଜୟ କରିବା ପାଇଁ ସଂଘ କୌଶଳ ଆପଣେଇଛି । ସଂଘ ମୋଦୀଙ୍କ ପଛରେ ଛିଡାହେବା ପାଇଁ ନିଷ୍ପତ୍ତି ନେଇଛି ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top