‘ଓବିସିଙ୍କ ଅଧିକାର କେବେ ଦେବେ ନବୀନ?’

News Story - Posted on 2017-12-25

ଏକ ନିର୍ଦ୍ଦିଷ୍ଟ ଜାତିର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ବହିଷ୍କାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୯୦ ପ୍ରତିଶତ ଉପରେ ଲୋକଙ୍କୁ ଭିକାରୀ ଓ ବେକାର କରି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ଶିଶୁ ମୃତ୍ୟୁହାର, ଦାଦନ ଚାଲାଣ ଓ ଦେଶାନ୍ତରୀ ଏବଂ ଗରିବୀରେ ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି ।

 

ରାଜ୍ୟର ଏବେ ୪୦ ଲକ୍ଷ ଯୁବକ ଯୁବତୀ ବେକାର । ଆସନ୍ତାକାଲି ତାଙ୍କ ଦଳର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ କେତେ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରକାଶ କରନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାରେ ରୋଜଗାର ସୁଯୋଗ ନପାଇ ରାଜ୍ୟର ଶିକ୍ଷିତ ଯୁବକଯୁବତୀମାନେ ଅନ୍ୟ ରାଜ୍ୟକୁ ପଳାଉଛନ୍ତି । ଶ୍ରମିକମାନେ ମଧ୍ୟ ନିଯୁକ୍ତ ସୁଯୋଗ ଅଭାବରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ନିର୍ଯାତନା ଓ ଶୋଷଣର ଶିକାର ହୋଇ ଫେରୁଛନ୍ତି । ଓଡ଼ିଆ ଲୋକଙ୍କର ଏ ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ଆସନ୍ତାକାଲି ନବୀନବାବୁ ଏ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ ବୋଲି ଶ୍ରୀକାନ୍ତ ଆଶା ପ୍ରକାଶ କରିଛନ୍ତି ।

 

ସେ କହିଛନ୍ତି ଯେ ନବୀନବାବୁ ଓ ତାଙ୍କର ବିଜୁ ଜନତା ଦଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛନ୍ତି । ଓଡ଼ିଶାର ସ୍ଥିତି ସ୍ୱତନ୍ତ୍ର ବୋଲି ସେ ଅନୁଭବ କରୁଛନ୍ତି । ତେବେ ଏହି ସ୍ୱତନ୍ତ୍ର ସ୍ଥିତି ପାଇଁ ଓଡ଼ିଶାର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କାହିଁକି କରିପାରି ନାହାନ୍ତି? କେତେ କାଳ ସେ ସୁପ୍ରିମ କୋର୍ଟଙ୍କ ରାୟକୁ ଆଳ କରି ଲୋକଙ୍କୁ ଭୁତେଇ ଚାଲିବେ ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି । ଇନ୍ଦର ସାହାଣୀ ବନାମ ଭାରତ ସରକାର ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ଉଦ୍ଧାର କରି ଶ୍ରୀକାନ୍ତ କହିଛନ୍ତି ଯେ ସ୍ୱତନ୍ତ୍ର ପରିସ୍ଥିତିରେ ସରକାର ୫୦ ପ୍ରତିଶତ ସଂରକ୍ଷଣ ସୀମା ଟପି ପାରିବେ । ଓଡ଼ିଶାର ଆର୍ଥ-ସାମାଜିକ ବ୍ୟବସ୍ଥା ସ୍ୱତନ୍ତ୍ର । ସମଗ୍ର ଦେଶରେ ତଫସିଲଭୁକ୍ତ ଜାତି ଓ ଉପଜାତିର ହାର ୨୨ ପ୍ରତିଶତ ହୋଇଥିଲାବେଳେ ଓଡ଼ିଶାରେ ଏମାନଙ୍କ ହାର ହେଉଛି ଜନସଂଖ୍ୟାର ୩୮.୫ ପ୍ରତିଶତ । ସେଥିପାଇଁ ସମ୍ବିଧାନ ଅନୁସାରେ ତଫସିଲଭୁକ୍ତ ଜାତି ଓ ଉପଜାତି ପାଇଁ ୩୮.୫ ପ୍ରତିଶତ ଆସନ ସଂରକ୍ଷିତ ରହିଛି । ଓଡ଼ିଶା ଜନସଂଖ୍ୟାର ୫୨ ପ୍ରତିଶତ ହେଲେ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ । ମଣ୍ଡଳ କମିଶନ ସୁପାରିଶ ଭିତ୍ତିରେ ହୋଇଥିବା ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ସରକାର ଏହି ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା କଥା । ମାତ୍ର ନବୀନ ସରକାର ୧୭ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଏହି ସାମ୍ବିଧାନିକ ସୁବିଧାରୁ ବଂଚିତ ରଖିଛନ୍ତି । ଓଡ଼ିଶା ସରକାର ଚାହିଁଲେ ସୁପ୍ରିମ କୋର୍ଟରେ ଓଡ଼ିଶାର ଏହି ସ୍ୱତନ୍ତ୍ର ଆର୍ଥ-ସାମାଜିକ ସ୍ଥିତି କଥା ଉଠାଇ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିପାରିବେ ବୋଲି ଶ୍ରୀକାନ୍ତ କହିଛନ୍ତି ।

 

ଓଡ଼ିଶାରେ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକମାନଙ୍କର ଆର୍ôଥକ, ସାମାଜିକ ଓ ଶୈକ୍ଷିକ ସ୍ଥିତି ସମଗ୍ର ଦେଶରେ ପଛୁଆ ବୋଲି ଦାବି କରି ଶ୍ରୀକାନ୍ତ କହିଛନ୍ତି ଯେ ଗୋଟିଏ ନିର୍ଦ୍ଦିଷ୍ଟ ଜାତିକୁ ଭିକାରୀ କହିବାରୁ ମୁଖ୍ୟମନ୍ତ୍ରୀ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି । ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପ୍ରତି ହୋଇଥିବା ଅବିଚାର ପାଇଁ ସେ କାହାକୁ ଦାୟୀ କରିବେ ତାହା ମଧ୍ୟ ଆସନ୍ତାକାଲି ସେ ସ୍ପଷ୍ଟ କରିବା ଉଚିତ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top