ମେଣ୍ଢାଖିଆ ଶିଆଳଙ୍କୁ କି ରୋଗ ହୋଇଛି?

News Story - Posted on 2017-12-25

ବୈଷ୍ଣବ ଜେନା

 

୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ଅନ୍ୟତମ ସଦସ୍ୟ ଥିଲେ ଭରତେନ୍ଦୁ ଶେଖର ଦେଓ । ସେ ମଧ୍ୟ ସୁନ୍ଦରଗଡ଼ର ରାଜା ଥିଲେ । ଥରେ ସେ ବିଧାନସଭାରେ ଗୋଟିଏ ଅନୁଭୂତି ବର୍ଣ୍ଣନା କଲେ । ତାଙ୍କ କହିବା ଅନୁଯାୟୀ ଦୁଇଜଣ ସାଥିଙ୍କ ସହିତ ସେ ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ । ସେଠାରେ ସେମାନେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ । ତାହା ଥିଲା ଏକ ହନୁମାଙ୍କଡ ସହିତ ଏକ ଅହିରାଜ ସାପର ଲଢ଼େଇ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଦୁହିଁଙ୍କର ମୁକାବିଲା ହୋଇଗଲା - ଅତ୍ୟନ୍ତ ଉତ୍ତେଜିତ ଅହିରାଜ ସାପଟି ସେହି ଅଣ୍ଡିରା ଦନ୍ତା ହନୁଟିକୁ ଦଂଶନ କରିଚାଲିଥିବା ବେଳେ ହନୁଟି ତାକୁ ଛାଡ଼ି ନଥିଲା । ତାହାର ନଖରେ ସାପଟିକୁ ରାମ୍ପି ବିଦାରି ପକାଇଥିଲା । ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ । ଆତ୍ମରକ୍ଷା ପାଇଁ ସାପଟି ଏକ ପଥର ସନ୍ଧିରେ ପଶିଯାଇଥିଲା ବେଳେ ହନୁଟି ଇତଃସ୍ତତଃ ଭାବେ ପ୍ରଥମେ ଦୌଡ଼ିଥିଲା । ତାହା ପରେ ସେ ଏକ ନିର୍ଦ୍ଦିଷ୍ଟ ଗଛର ପତ୍ରକୁ ଚୋବାଇବାର ଲାଗିଥିଲା । ଅହିରାଜ ସାପଟିଏ ଯେତିକି ବିଷ ନିର୍ଗତ କରିଥାଏ, ସେଥିରେ ପାଂଚଟି ହାତୀ ମରିଯିବା ବିଚିତ୍ର ନୁହେଁ, ମାତ୍ର ସେହି ହନୁଟି ଉକ୍ତପତ୍ର ଚୋବାଇବା ପରେ କିଛି ସମୟ ଘୁମାଇପଡ଼ିଥିଲା । ପ୍ରାୟ ଏକ ଘଣ୍ଟା ପରେ ସେ ପୁଣି ଉଠି ପଡ଼ିଥିଲା । ଅନ୍ୟ ସାଧାରଣ ମାଙ୍କଡଙ୍କ ପରି ସେ ଡେଇଁ ଡେଇଁ ଗଛ ଉପରୁ ଗଛକୁ ଚାଲିଗଲା । ଅପର ପକ୍ଷରେ ଖଣ୍ଡିଆ ଖାବରା ହୋଇଥିବା ସେହି ଅହିରାଜ ବିଷ ଗାଳି ଥିବାରୁ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା । ସେ କିଛି ସମୟ ଧୁଳିବାଲିରେ ଗଡ଼ିଥିଲା । ତାହାପରେ ଯାଇ ଏକ ନିର୍ଦ୍ଦିଷ୍ଟ ଗଛରେ ଗୁଡାଇ ହୋଇଥିଲା ।

 

ଉଭୟ ସାପ ଓ ମାଙ୍କଡ଼ଙ୍କ ଲଢ଼େଇ ଏବଂ ପରବର୍ତ୍ତୀ ଘଟଣା ସବୁକୁ କୌତୁହଳ ପୂର୍ବକ ସ୍ୱର୍ଗତଃ ଶେଖର ଦେଓ ଲକ୍ଷ୍ୟ କରୁଥିଲେ । ସେ ସେହିଦିନ ଶିକାର ଭୁଲିଯାଇଥିଲେ । ପରଦିନ ସେଠାକୁ ଗଲେ । ସେଠାରେ ସେ କୌଣସି ମାଙ୍କଡ଼ର ମୃତ ଦେହ ଦେଖିଲେ ନାହିଁ, ବରଂ ସାପଟି ଅପେକ୍ଷାକୃତ ସୁସ୍ଥ ହୋଇ ସେହି ଗଛରେ ଝୁଲୁଥିବାର ଦେଖିଲେ । ପଶୁମାନେ ମଧ୍ୟ ସେମାନଙ୍କର ଔଷଧ ଜାଣନ୍ତି ଏବଂ ନିଜ ଚିକିତ୍ସା ନିଜେ କରନ୍ତି ବୋଲି ତାଙ୍କର ପ୍ରତ୍ୟୟ ହୋଇଥିଲା ।

 

ଏକଥା ଅବତାରଣା କରିବାର ଏକ ନିର୍ଦ୍ଦିଷ୍ଟ କାରଣ ରହିଛି । କାରଣ ଅଜଣା ଜନ୍ତୁ ଦ୍ୱାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ହଜାରେରୁ ଅଧିକ ମେଣ୍ଢାଙ୍କ ପ୍ରାଣଯିବା ଘଟଣା ସହିତ ତାହାର ସାମଞ୍ଜସ୍ୟ ରହିଛି । ମେଣ୍ଢାକୁ ମାରି କେବଳ କଲିଜା ଏବଂ ପିତ୍ତକୋଷ ଖାଉଥିବା ଅଜଣା ଜନ୍ତୁଟି ଆଉ କେହି ନୁହେଁ ତାହା ହେଉଛି ଶିଆଳ (ଶୃଗାଳ, ବିଲୁଆ) । ସେହି ଅଜଣା ଜନ୍ତୁ ଏବେ ଜଣାଶୁଣା ଜନ୍ତୁରେ ପରିଣତ ହୋଇଛି । ତାହା ସର୍ବତ୍ରବିଦ୍ୟମାନ ଶିଆଳ ବୋଲି ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ଗବେଷଣା କେନ୍ଦ୍ରର ଗବେଷକମାନେ ସ୍ପଷ୍ଟ କରିଛନ୍ତି । ଏ କଥାକୁ ଯେ କେହି ସ୍ୱୀକାର କରିବେ ଯେ, ଶିଆଳମାନଙ୍କୁ କିଛି ରୋଗ ହୋଇଛି । ସେଥିରୁ ନିସ୍ତାର ପାଇବା ପାଇଁ ସେମାନେ ମେଣ୍ଢାଙ୍କର ସେହି ନିର୍ଦ୍ଦିଷ୍ଟ ଅଙ୍ଗକୁ ଖାଇବାକୁ ବାଧ୍ୟ ହେଉଛନ୍ତି ।

 

ପ୍ରଥମେ କଟକ ନିଆଳି ଅଂଚଳରେ ମେଣ୍ଢାମଡକ ସମଗ୍ର ଦେଶର ଆଲୋଚନାର ବିଷୟ ବସ୍ତୁ ହୋଇଥିଲା । ପ୍ରାୟ ଏକମାସ ଧରି ସେହି ଅଂଚଳରେ ହଟଚମଟ ସୃଷ୍ଟି ହେଲା । କିଛିଦିନର ବନ୍ଦ ପରେ ମେଣ୍ଢାଙ୍କ କଲିଜାଖିଆ ଏବେ ପୁଣି ଚର୍ଚ୍ଚାକୁ ଫେରିଛି । ଅସଲ କଥା ହେଉଛି ନିଆଳି ପରେ ଜଗତସିଂହପୁରରେ ମେଣ୍ଢାଙ୍କ କଲିଜା ଓ ପିତ୍ତକୋଷ ଖାଇବା ଘଟଣା ନଜରକୁ ଆସିଥିଲା । ତାହାପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଦିଗପହଣ୍ଡିରେ ଅନୁରୂପ ଘଟଣା ଘଟିଥିଲା । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏପରି ଅଭିଯୋଗ ଆସିଥିଲା । ନିକଟରେ କେନ୍ଦ୍ରାପଡ଼ାର ରାଜନଗରରେ ଏହା କୋକୁଆଭୟ ସୃଷ୍ଟି କରିଛି । କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଂଚଳରେ ମଧ୍ୟ ଅଜଣାଜନ୍ତୁ ମେଣ୍ଢାଙ୍କ କଲିଜା ଖାଉଥିବାର ଖବର ନଜରକୁ ଆସିଛି । ସବୁଆଡେ ଏକ ପ୍ରକାର ଢଙ୍ଗରେ ଛାତି ଚିରି କଲିଜା ଖିଆ ହେଉଛି କିମ୍ବା ରକ୍ତ ପିଆଯାଉଛି । ମେଣ୍ଢାମାନଙ୍କ ମୃତ୍ୟୁ କାରଣରୁ ସମ୍ପୃକ୍ତ ପାଳକମାନଙ୍କ ଉପରେ ଚଡ଼କ ପଡ଼ିଛି । କାରଣ ଏହା ସାମାଜିକ ଅର୍ଥନୀତିର ଏକ ଅଂଶବିଶେଷ । ଏହା ପୃଥିବୀର ସବୁଠାରୁ ନିରୀହ ପ୍ରାଣୀ । ସେ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିପାରେନାହିଁ । ଏମାନଙ୍କୁ ରକ୍ଷା କରାଯିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଜରୁରୀ ଅଟେ ।

 

ଏହି ପରିପ୍ରେକ୍ଷୀରେ ମାନିବାକୁ ହେବ ଶିଆଳଟିଏ କିଛି ରୋଗରେ ଆକ୍ରାନ୍ତ ହେଲା ପରେ ନିଜ ଚିକିତ୍ସା ଓ ଉପଚାର ନିଜେ କରୁଛି । ଏଥିପାଇଁ ପ୍ରକୃତି ବା ପ୍ରାଣୀଜଗତ ସୃଷ୍ଟିକାରୀ ସର୍ବନିୟନ୍ତା । ଭଗବାନ ଏପ୍ରକାର ବୁଦ୍ଧି ଦେଇଛନ୍ତି । ଆବଶ୍ୟକସ୍ଥଳେ ସେ ତାହାର ଉପଯୋଗ କରୁଛି । ଏକଥା ସ୍ୱୀକାର୍ଯ୍ୟ ଯେ କୁକୁର, ବିରାଡିଙ୍କଠାରୁ ଆରମ୍ଭ କରି ବାଘ ଓ ସିଂହମାନେ ସେମାନଙ୍କର ଅଗ୍ନିମାଂଦ୍ୟ ବା ବଦହଜମୀ ଦୂରପାଇଁ ଲମ୍ବା ଲମ୍ବା ଘାସ ପତ୍ର ଖାଇଥାଆନ୍ତି । କେତେକ ସ୍ଥଳରେ ସେମାନେ ସେହି ପତ୍ର ଖାଇବା ପରେ ବାନ୍ତି ମଧ୍ୟ କରିଥାଆନ୍ତି ଓ ସୁସ୍ଥ ହୋଇଥାଆନ୍ତି । ଏକଥା ସମସ୍ତେ ଜାଣନ୍ତି । ସେହିପରି ଭାବେ ଗୋ-ମହିଷାଦି ପ୍ରାଣୀ ସେମାନଙ୍କ ଫାଟୁଆ ରୋଗରୁ ଉପଶମ ପାଇଁ ଦୀର୍ଘ ସମୟ କାଦୁଅ କିମ୍ବା ପାଣିରେ ଠିଆହୋଇଥାଆନ୍ତି । ଅଜଗରଟିଏ ଗିଳିଥିବା ଶିକାରକୁ ହଜମ ପାଇଁ ଅତ୍ୟନ୍ତ ଶକ୍ତ ଭାବରେ ଗଛରେ ଗୁଡାଇ ହୋଇଥାଏ । ପାରାଟିଏ ତାହାର ବଦହଜମୀ ଦୂର କରିବା ପାଇଁ ଖାଦ୍ୟ ସହିତ ଛୋଟ ଛୋଟ ଗୋଡ଼ି, ବାଲି ଗିଳିଥାଏ । ହାତୀମାନେ ସେମାନଙ୍କ ବଦହଜମୀ ଦୂର ପାଇଁ ଲୁଣିଆମାଟିକୁ ଖାଇଥାଆନ୍ତି । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଏବଂ ରାଜନଗର ଅଂଚଳରେ ଗୋରୁଗାଈମାନେ ଗୋଟିଏ ସ୍ଥାନରୁ ପାଣି ପିଅନ୍ତି ନାହିଁ । ଟିକେ ପାଣି ପିଇଲା ପରେ ଆଉ ଦଶ ଫୁଟ ଯାଇ ପୁନର୍ବାର ପାଣି ପିଅନ୍ତି । ସେମାନେ କୁମ୍ଭୀର ଭୟରେ ଏପରି କରିଥାଆନ୍ତି ।

 

ପ୍ରାଣୀ ଜଗତରେ ବିଲୁଆ ବା ଶିଆଳର ସ୍ଥାନ ସ୍ୱତନ୍ତ୍ର । ଏହାକୁ ସବୁଠାରୁ ଚତୁର ପଶୁ ବୋଲି କୁହାଯାଇଥାଏ । ଶିଆଳକୁ ନେଇ ବହୁ ଲୋକକଥା ଅଛି । ଶହ ଶହ ଗଳ୍ପ ଲେଖାଯାଇଛି । ଏହି ପ୍ରାଣୀଟି ଅଲକ୍ଷ୍ୟରେ ମଣିଷର ବଡ଼ ଧରଣର ଉପକାର କରିଥାଏ । କାରଣ ଶିଆଳ ହେଉଛି ଗୋଟିଏ ଅଳିଆ ସଫାକରୁଥିବା ପ୍ରାଣୀ, ପ୍ରକୃତିଦତ୍ତ ମେହେନ୍ତର - ପରିବେଶ ରକ୍ଷାକାରୀ । ଗତ ୭୦ ଦଶକରେ ଓଡ଼ିଶାରେ ଏମାନେ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଥିଲେ । କାରଣ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ହଜାର ହଜାର ସଂଖ୍ୟାରେ ଶିଆଳ ମାରି ତାହା ଚମଡା ଓ ଚର୍ବି ନେଇଯାଉଥିଲେ । ସେତେବେଳେ ଲୋକମାନେ ଶିଆଳ ଶିକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସେମାନଙ୍କ ବଂଶ ନିପାତ ହୋଇଯାଉ ବୋଲି କହୁଥିଲେ । ମାତ୍ର ମହାବାତ୍ୟାରେ ଲକ୍ଷ ଲକ୍ଷ ଗୃହପାଳିତ ପଶୁ ମରିବା ଏବଂ ସେମାନଙ୍କର ଶବ ପଡ଼ିଥିବା ବେଳେ ସମଗ୍ର ଉପକୂଳରେ ଶିଆଳଙ୍କୁ ଖୋଜା ପଡ଼ିଥିଲା । ବର୍ତ୍ତମାନ ଶାଗୁଣା ନଥିବାରୁ ଶିଆଳମାନଙ୍କର ବେଶୀ ଆବଶ୍ୟକତା ରହିଛି । ଏହିମାନେ ହିଁ ପଶୁପକ୍ଷୀଙ୍କ ମଢ଼ଖାଇ ସଫା କରୁଛନ୍ତି । କେତେକ ସ୍ଥାନରେ ଶିଆଳ ଭୁକିବା ବେଳେ ସଂଜ ଏବଂ ସକାଳ ହୋଇଥାଏ ବୋଲି ଧରି ନିଆଯାଏ । କୌଣସି ସ୍ଥାନକୁ ଯିବା ବେଳେ ବାମପଟରେ ଶିଆଳ ଦେଖିଲେ ତାହା ଶୁଭ ହୋଇଥାଏ ବୋଲି କୁହାଯାଇଥାଏ ।

 

ସମଗ୍ର ବିଶ୍ୱରେ ଏବେ ୩୩ ପ୍ରକାର ଶିଆଳ ଥିଲା ବେଳେ ଭାରତରେ ପ୍ରାୟ ୧୫ ପ୍ରକାର ଶିଆଳ ଅଛନ୍ତି । ସମଗ୍ର ଭାରତୀୟ ଉପମହାଦେଶରେ ସେମାନଙ୍କ ସଂଖ୍ୟା ଏକଲକ୍ଷ ମଧ୍ୟରେ ସୀମିତ । ସାମଗ୍ରିକ ଭାବେ କୁହାଯାଇପାରେ ଯେ, ଶିଆଳ ବଂଶ ରକ୍ଷା କରାଯିବା ନିହାତି ଜରୁରୀ । ତେଣୁ ରାଜ୍ୟର ପଶୁ ଚିକିତ୍ସକ ଓ ବିଜ୍ଞାନୀମାନେ ଶିଆଳକୁ କି ରୋଗ ହୋଇଛି, ତାହା ଚିହ୍ନଟ କରନ୍ତୁ ଏବଂ ପ୍ରତିକାର ମଧ୍ୟ କରନ୍ତୁ । ଏହାଦ୍ୱାରା ଶିଆଳ ବଂଶ ସୁରକ୍ଷିତ ରହିବା ସହିତ ମେଣ୍ଢାଙ୍କର ଅସମୟରେ ମୃତ୍ୟୁ ଆସିବ ନାହିଁ ।

 

ସାମ୍ବାଦିକ,
ମୋ- ୯୪୩୭୦୦୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top