ପଣସ ଖାଇ ଅଠା ବୋଳିବାର ମହୋତ୍ସବ!

News Story - Posted on 2017-12-25

ହେମାଙ୍ଗ ପ୍ରସାଦ ରାଉଳ

 

ବହୁ ପ୍ରତୀକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୭ର ଶେଷ ସ୍ପର୍ଶ ଦେବାକୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ସମୟରେ ଗଣମଧ୍ୟମ ନିମନ୍ତ୍ରଣ ପତ୍ର ବଣ୍ଟନରେ ଆୟୋଜକଙ୍କ ଅରୁଚିକର ବ୍ୟବସ୍ଥାଟି ସହଜରେ ଗ୍ରହଣୀୟ ହୋଇପାରୁନି । ଯେକୌଣସି କାର୍ଯ୍ୟକ୍ରମର ବିବରଣୀ ତଥା ସଫଳତା ଓ ବିଫଳତାର ଗୁଣଗାନ କରିବା ପାଇଁ ଯେଉଁ ଗଣମାଧ୍ୟମ ସଦାସର୍ବଦା ସଚେତନ ରହିଥାଏ ସେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧାଡ଼ିରେ ଠିଆ କରାଇ ଏକୋଇଶିଆ ମୁଆଁ ବାଣ୍ଟିଲା ପରି ଉପଜିଲ୍ଲାପାଳଙ୍କ ବିଚାର ନିଶ୍ଚୟ ନିନ୍ଦନୀୟ । ଏହା ଆୟୋଜକ-ପ୍ରଶାସନ ମଧ୍ୟରେ ଶୂନ୍ୟସ୍ଥାନଟିଏ ସୃଷ୍ଟି ହେଲା ପରି ମନେହୁଏ । ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୭ ଆୟୋଜକମାନେ ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ନିଜ ନିଜର ଏଜେଣ୍ଟ ଧରି ମହୋତ୍ସବକୁ ଆଧାର କରି ବିପୁଳ ଅର୍ଥ ଆଦାୟ କରିବା ଜ୍ୱଳନ୍ତ ନମୁନା ପ୍ରସ୍ତୁତ କରିବା କାହା ସ୍ୱାର୍ଥରେ? ପ୍ରଶାସନକୁ ବିବାଦ ବଳୟରୁ ଟାଣି ଆଣିବାର ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ।

 

ମଂଗ ଧରିଥିବା ସାରଥୀମାନେ ବଳଶାଳୀ ଓ ବିତ୍ତଶାଳୀ । ରାଜ୍ୟ ରାଜନୀତିର କ୍ଷମତାର ମଂଗ ଧରିଥିବା ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାରେ ଦିନେ ଏହିମାନେ ହିଁ ଠିକାନେଇ ସ୍ତୁତିଗାନ କରିଥିଲେ କେତେବେଳେ ସଂସ୍କୃତିଭବନରେ ପୁଣି କେତେବେଳେ ବେସରକାରୀ ଅନୁଷ୍ଠାନର ପ୍ରାୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ବିଜେଡ଼ି ଦଳର ଦଳପତିଙ୍କୁ ଖୁସୀ କରାଇବାକୁ । ପ୍ରଶ୍ନ ଉଠୁଛି ଏହିମାନେ ସଂପ୍ରତି ଗୋପାଳପୁର ବେଳାଭୂମି ମହୋତ୍ସବ ପରି ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଛାୟା ହୋଇ କାୟା ବିସ୍ତାର କରିଛନ୍ତି ଗୋପାଳପୁରରୁ ଆରମ୍ଭ କରି ବ୍ରହ୍ମପୁର ବାଟଦେଇ ଛତ୍ରପୁର ଯାଏଁ । ଜିଲ୍ଲା ପ୍ରଶାସନ ଏମାନଙ୍କୁ ବିଶ୍ୱାସ ନେଇ ଜଣେ ଟାଣୁଆ ନେତାକୁ ଶାସକ ଗୋଷ୍ଠୀର ଦାୟିତ୍ୱ ଦେବା ସହ ନେତାଙ୍କର ଇଭେଣ୍ଟ ମ୍ୟାନେଜର ତଥାକଥିତ କିଛି ଅବସରପ୍ରାପ୍ତ ଅଧ୍ୟାପକମାନଙ୍କ ହାତରେ ଗୋପାଳପୁର ବେଳାଭୂମି ମହୋତ୍ସବର ଭାଗ୍ୟ ବନ୍ଧାପଡ଼ିଛି । କଥାଉଠୁଛି ଏହି ଅଧ୍ୟାପକଙ୍କୁ ଗୋପାଳପୁର ମହୋତ୍ସବ ଠିକାଦାର ଦାୟିତ୍ୱ ଦେଇ ମହୋତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ ପାଣିଗ୍ରାହୀ ଏକ ସଂକେତ ଦେଇଛନ୍ତି ଯେ ଏହି ଅସଲ ଚରିତ୍ରମାନେ ତାଙ୍କର ଅଭେଦ୍ୟ ଦୁର୍ଗର ଜଣେ ଜଣେ ବାହିନୀପତି ।

 

ପ୍ରଶାସନିକ ବ୍ୟବସ୍ଥାରେ ସ୍ଥାଣୁତାକୁ ଅଧିକରୁ ଅଧିକ ଜୀବନଦାନ ଦେଇ ଗଣମାଧ୍ୟମକୁ ସମୁଚିତ ସମ୍ମାନ ନଦେଲେ ପ୍ରକୃତ ବିରୋଧାଭାଷ ପ୍ରଶାସନ ବିରୁଦ୍ଧରେ କିପରି ସଂଗଠିତ ହେବା ଆୟୋଜକମାନଙ୍କୁ ବେଶ୍ ଜଣା । ପଣସ ଖାଇ ଅଠା ମୁଣ୍ଡରେ ବୋଳିବା ନ୍ୟାୟରେ ପ୍ରଶାସନକୁ ବଦନାମ କରିବା ପାଇଁ ଆୟୋଜକଙ୍କ ଚିତ୍ର ଓ ଚରିତ୍ର ଭିତରେ କିଛି ବି ଫରକ ନାହିଁ । ଗଣମାଧ୍ୟମର ସାଙ୍ଗଠନିକ ଦକ୍ଷତାର ଦୁର୍ବଳ ଭାବମୂର୍ତ୍ତିର ଫାଇଦା ନେଇ କ୍ଷମତା ଅଳିନ୍ଦର ବାଦାଶାହମାନେ ବ୍ରହ୍ମପୁରରେ ଯିଏ ଯେମିତି ଲୁଟିବ, ଠକିବ, ଭଣ୍ଡିବ, ଛଳନା କରିବ ପ୍ରତାରଣା ଓ ପ୍ରବଞ୍ଚନା କରିବ କେତେ ଦିନ?

 

ସୁତରାଂ ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ରାଜନୈତିକ ମଂଚ ସହ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତିକୁ ହଜାଇ ଦେଇ ପାଶ୍ଚାତ୍ୟ ସାଂସ୍କୃତିକ ବିଚାରଧାରାରେ ପର୍ଯ୍ୟବେଷିତ ଏକ ସୁନ୍ଦର ପରିକଳ୍ପନା ପରି ମନେହୁଏ । ଇଂରାଜୀ ଭାଷାରେ ନିମନ୍ତ୍ରଣ ପତ୍ର ସାଜସଜାକୁ ଏଠାକାର ସଂସ୍କୃତି ପ୍ରେମୀ ଭାଷାପ୍ରେମୀ ମଧ୍ୟ ବିରୁଦ୍ଧ କରି ସୋସିଆଲ ମିଡ଼ିଆରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । କେବଳ ଏତିକି ନୁହେଁ ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରତିଟି ସନ୍ଧ୍ୟାରେ ମଂଚାସୀନ ହେବେ ନେତା ବଡ଼ ବଡ଼ ମନ୍ତ୍ରୀ ଅଥଚ ସଂସ୍କୃତି, ସାହିତ୍ୟ, ଭାଷାପ୍ରେମୀଙ୍କୁ ସ୍ଥାନଟିଏ ଦେବାର ବିଚାର ଆୟୋଜକଙ୍କ ମୁଣ୍ଡରେ ପଶୁନାହିଁ କେମିତି? ବୋଲି ବ୍ରହ୍ମପୁର ସଂସ୍କୃତ ପ୍ରେମୀ ପ୍ରଶ୍ନ ଉଠାଉଛନ୍ତି । ଇଂରାଜୀ ମୋହରେ ଓଡ଼ିଆ ଭାଷାକୁ ଦୁର୍ବଳ କରାଯାଉଛି, ଯେତେବେଳେ ଭାଷାକୁ ନେଇ ଅନେକ ଆନ୍ଦୋଳନ ସ୍ୱର ମଧ୍ୟ ମୁଣ୍ଡ ଟେକିଛି ସହରରେ । ଭାଷା ସାହିତ୍ୟ ପ୍ରେମୀକୁ ଉପେକ୍ଷା ଏହା ଆୟୋଜକଙ୍କ ଦାୟିତ୍ୱହୀନ ବ୍ୟବସ୍ଥା ନୁହଁ ବରଂ ସ୍ୱେଚ୍ଛାଚାରିତାର ନିଖୁଣ ସଂଦେଶ ।

 

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୭ ଗଂଜାମବାସୀଙ୍କୁ ଏକ ପ୍ରତାରଣା । ପ୍ରତାରଣାର ଠିକାଦରୀ କରୁଥିବା ଲୋକଙ୍କୁ ଗଂଜାମବାସୀଙ୍କ ପଚାରିବାର ଅଧିକାର ଅଛି । ସାଂସ୍କୃତିକ ମଂଚରେ ସ୍ଥାନୀୟ ଲୋକସଂସ୍କୃତି ଲୋକକଳାକୁ ଉପେକ୍ଷା କରି ପ୍ରବାସୀ କଳାକାରଙ୍କୁ ନେଇ ରଂଗୀନ କାରବାର କରିବାର କି ପ୍ରୟୋଜନ? ବହୁ ଅର୍ଥ ଲୁଟିବାର ଏକ ସୁନ୍ଦର ବ୍ୟବସ୍ଥାର ହିସାବ କିତାବ ନିଶ୍ଚୟ ଆଗାମୀ ଦିନରେ ପ୍ରଶାସନ ଦେବାକୁ ହେବ ନତୁବା ଗୋପାଳପୁର ପର୍ଯ୍ୟଟନର ଭାଗ୍ୟ ପରି ମହୋତ୍ସବର ଭାଗ୍ୟ ମଧ୍ୟ ଦିନେ ଅସ୍ତମିତ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top