ଓସିଏ କରେ କି ଚିଟ୍ କ୍ରିକେଟ?

News Story - Posted on 2017-12-25

ସି ଶୋର ଚିଟ ଫଣ୍ଡ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଶୁଭଙ୍କର ନାୟକ ବାରାବାଟୀରେ ଆୟୋଜିତ ହୋଇଯାଇଥିବା ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚରେ ଭିଭିଆଇପି ଗ୍ୟାଲେରିରେ ବସି ଖେଳ ଦେଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏବେ ଦୁଇଟି ପ୍ରଶ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ବାରବାଟୀ ଷ୍ଟାଡିୟମରେ କେତେ ଦର୍ଶକଙ୍କ ବସିବା ପାଇଁ ଜାଗା ଅଛି ଓ କେତେ ଟିକେଟ ବିକ୍ରି ହୁଏ? ଅନ୍ୟ ପ୍ରଶ୍ନଟି ହେଲା ଶୁଭଙ୍କରଙ୍କୁ ପାସ୍ କିଏ ଦେଇଥିଲେ?

 

ଶୁଭଙ୍କର ନାୟକ ବାରବାଟୀ ଷ୍ଟାଡିୟମରେ ଭିଭିଆଇପି ଗ୍ୟାଲେରିରେ ବସି କ୍ରିକେଟ ମ୍ୟାଚ ଦେଖିବା ପୂର୍ବରୁ ଅନ୍ ଲାଇନରେ ଟିକେଟ କିଣିଥିବା ଲୋକମାନେ ଗେଟ୍ ସାମ୍ନାରେ ହୋହାଲ୍ଲା କରିଥିଲେ । କାରଣ ସେମାନଙ୍କୁ ପ୍ରଥମେ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳି ନଥିଲା । କୁହାଯାଇଥିଲା ଯେ ସେମାନଙ୍କ ଟିକେଟରେ ପୁଲିସ ଅଧିକାରୀଙ୍କ ଦସ୍ତଖତ ନାହିଁ । ଅନେକ ବିବାଦ ପରେ ଶେଷରେ ସେମାନଙ୍କୁ ଷ୍ଟାଡିୟମକୁ ଛଡ଼ା ଯାଇଥିଲା ।

 

ଶୁଭଙ୍କର ନାୟକ ଯେଉଁ ଭିଭିଆଇପି ପାସ୍ ପାଇଥିଲେ ସେଥିରେ ପୁଲିସ ଅଧିକାରୀଙ୍କ ଦସ୍ତଖତ ଥିବ ନିଶ୍ଚୟ । ତେଣୁ ତାଙ୍କୁ ପୁଲିସ ଭିତରକୁ ଛାଡ଼ିଦେଲେ । ତେବେ ତାଙ୍କୁ କ’ଣ କୌଣସି ପୁଲିସ ଅଧିକାରୀ ଚିହ୍ନି ନଥିଲେ? ଭିଭିଆଇପି ଗ୍ୟାଲେରିରେ ବସିଥିବା ଆଇଏଏସ, ଆଇପିଏସ ଅଫିସର ଓ ବିଧାୟକମାନେ ବି କ’ଣ ତାଙ୍କୁ ଚିହ୍ନି ପାରିଲେନି? ସେମାନେ କାହିଁକି ତାଙ୍କର ଉପସ୍ଥିତି ନେଇ ନୀରବ ରହିଲେ? ଶୁଭଙ୍କର ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ସତ । କିନ୍ତୁ ଅଭିଯୁକ୍ତ ତ? ଜଣେ ଅଭିଯୁକ୍ତଙ୍କ ସହିତ ଏକାଠି ବସି ଖେଳ ଦେଖିବା ଆଇଏଏସ, ଆଇପିଏସ ଓ ମନ୍ତ୍ରୀ ବିଧାୟକଙ୍କ ପାଇଁ କ’ଣ ଗର୍ବର କଥା? ପରିଚୟରେ ଏକ ଉଜ୍ଜ୍ୱଳ ଧାଡ଼ି?

 

ଶୁଭଙ୍କର କହିଲେ, ତାଙ୍କ ଓକିଲ ତାଙ୍କୁ ପାସ୍ ଦେଇଥିଲେ ବୋଲି । ଓକିଲଙ୍କ ନାଁ ଅବଶ୍ୟ ସେ ପ୍ରକାଶ କରି ନାହାନ୍ତି । ଏହା କ’ଣ ତାଙ୍କର ସ୍ୱଚ୍ଛତା? ନିଜକୁ ସଫା ରଖିବା ପାଇଁ ସେ ସେହି ଓକିଲଙ୍କ ନାଁ ତ ପ୍ରକାଶ କରିପାରିଥାନ୍ତେ । କିନ୍ତୁ ଓକିଲଙ୍କୁ ପଦାକୁ ନଆଣିବା ଘଟଣାରୁ ତାଙ୍କ ଦାବି ଯେ ମିଛ ସେନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଓଡ଼ିଶା କ୍ରିକେଟ ଆସୋସିଏସନ କ’ଣ ଓକିଲମାନଙ୍କୁ ବି ଭିଭିଆଇପି ପାସ୍ ଦେଇଥାଏ କି? କେତେ ଓକିଲ ଏହି ଗୌରବର ଅଧିକାରୀ?

 

ଶୁଭଙ୍କର ବିବାଦ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଲା ଓସିଏ କର୍ତ୍ତୃପକ୍ଷ ପ୍ରଭାବଶାଳୀ ଆଇଏଏସ, ଆଇପିଏସ, ବିଧାୟକ, ମନ୍ତ୍ରୀ, ବଡ଼ ବଡ଼ ବ୍ୟବସାୟୀ ଓ ଗଣମାଧ୍ୟମ ସଂପାଦକମାନଙ୍କୁ ଭିଭିଆଇପି ଗ୍ୟାଲେରିର ପାସ୍ ଦେଇଥାଏ । କେତେ ଲୋକଙ୍କୁ ଏହିପରି ପାସ୍ ଦିଆଯାଇଥାଏ ତାହାର କିଛି ହିସାବ ଅଛି କି? ନା ଓସିଏ କର୍ତ୍ତୃପକ୍ଷ ଯାହାକୁ ପାର ତାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ ଦେଇଥାନ୍ତି? ଓସିଏର ଧିରେନ୍ଦ୍ର ପଲେଇ କହିଲେ ସେମାନେ ଶୁଭଙ୍କରଙ୍କୁ ପାସ୍ ଦେଇ ନାହାନ୍ତି । ସେ ଅନ୍ୟ କାହାଠାରୁ ପାସ୍ ସଂଗ୍ରହ କରିଥାଇ ପାରନ୍ତି । ଯଦି ଏପରି ହୁଏ, ତେବେ ପାସ୍ ସବୁ ନନ୍-ଟ୍ରାନ୍ସଫରେବଲ୍ ବା ହସ୍ତାନ୍ତର ଯୋଗ୍ୟ ନୁହେଁ ବୋଲି ଲେଖା ହୋଇଥାଏ? ହସ୍ତାନ୍ତର କରି ହେଉ ନଥିବା ପାସ୍ ବ୍ୟବହାର କରି ଅନ୍ୟ ଜଣେ କେମିତି ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରୁଛି? ଏହା ନିରାପତ୍ତା ବ୍ୟବସ୍ଥାର ଗୁରୁତର ତ୍ରୁଟି ନୁହେଁ କି? କାଲି ସକାଳେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଏଭଳି ଏକ ପାସ୍ ନେଇ କୌଣସି ଆତଙ୍କବାଦୀ ବି ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ନା ନାହିଁ? ଶୁଭଙ୍କର ପାଇଥିବା ପାସ୍ ଯଦି ଅଲ୍ କାଏଦାର ସନ୍ଦିଗ୍ଧ ଆତଙ୍କବାଦୀ ଅବ୍ଦୁର ରହମାନ ନେଇ ଭିଭିଆଇପି ଗ୍ୟାଲେରିରେ ବସିଥାନ୍ତା ତେବେ ଆମର ଆଇଏଏସ ଓ ଆଇପିଏସ ଅଫିସରମାନେ କ’ଣ କରିଥାନ୍ତେ?

 

ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ଶୁଭଙ୍କରକୁ ଜଣେ ଉଚ୍ଚ ପଦସ୍ଥ ଆଇପିଏସ ଅଫିସର ହିଁ ଭିଭିଆଇପି ପାସ୍ ହସ୍ତାନ୍ତର କରିଥିଲେ । ସେ କିଏ? ଶୁଭଙ୍କରଙ୍କ ସହିତ ତାଙ୍କର ସଂପର୍କ କ’ଣ? ସେ କେଉଁ ଅଫିସରେ ଚାକିରି କରନ୍ତି? ଶୁଭଙ୍କର ପରି ଅଭିଯୁକ୍ତ ଦଲାଲଙ୍କୁ ସେ ଏତେ ଭଲ ପାଆନ୍ତି କାହିଁକି? ତାଙ୍କ ମାଧ୍ୟମରେ କିଛି ଡିଲ୍ ହୁଏ କି?

 

ଏବେ ଓସିଏର ଟିକେଟ ପ୍ରଶ୍ନ । ଖେଳ ସାମ୍ବାଦିକମାନେ କୁହନ୍ତି ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ ଦିନ ଷ୍ଟାଡିୟମରେ ୫୦ ହଜାର ଉପରେ ଲୋକ ଉପସ୍ଥିତ ଥିଲେ । ସେଇମାନେ ମଧ୍ୟ କୁହନ୍ତି ଯେ ଓସିଏର ଦାବି ଅନୁସାରେ ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ହେଉଛି ୪୬ ହଜାର । ଟିକେଟ କିନ୍ତୁ ଛପା ଯାଏ ୩୬ ହଜାର! ପାସ୍ ବଣ୍ଟାଯାଏ ୧୨ ହଜାର । ଓସିଏ ଅନୁବନ୍ଧିତ କ୍ଲବ ବା ଓସିଏ ନିର୍ବାଚନରେ ଭୋଟ ଦେବାର କ୍ଷମତା ପାଇଥିବା କ୍ଲବଗୁଡ଼ିକୁ କେତେ ପାସ୍ ଦିଆଯାଏ ତାହାର କିଛି ହିସାବ ନଥାଏ । ସେସବୁ ପାସ୍ କାଳେ ଚଢ଼ା ଦରରେ ବିକ୍ରି ହୁଏ । କୋରାପୁଟର ଗୋଟେ କ୍ଲବକୁ ମନେକରନ୍ତୁ ୨୦୦ ପାସ୍ ଦିଆଗଲା । ସେଠାରୁ ଯେ ସମସ୍ତେ ଆସି ଖେଳ ଦେଖିବେ ତାହାର କିଛି ଗ୍ୟାରେଣ୍ଟି ନଥାଏ । ତେଣୁ ସେହି ପାସଗୁଡ଼ିକୁ ପୁଣି ଥରେ କଟକର ଗଳିକନ୍ଦିରେ ବିକ୍ରିି କରିଦିଆଏ ।

 

ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଅମଳରୁ ଏହି ରୀତି ଚାଲିଆସିଛି । ଏବେ ସେ ସିବିଆଇ ଓ ସୁପ୍ରିମ କୋର୍ଟଙ୍କ ମାମଲାରେ ଛନ୍ଦି ହୋଇ ପଦରେ ନାହାନ୍ତି । କିନ୍ତୁ ତାଙ୍କରି ନିର୍ଦ୍ଦେଶ ଓ ନେତୃତ୍ୱରେ ହିଁ ଓସିଏ ଚାଲିଛି । ତାଙ୍କ ସହଯୋଗୀ ତଥା ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଏବେ ପରିଚାଳନା କର୍ତ୍ତୃପକ୍ଷ । ତାଙ୍କ ଡ୍ରାଇଭର ନାଁରେ ଥିବା ଗୋଟେ ଦାମୀ କାର୍ ଏକଦା ଆସ୍ଥା ଚିଟ ଫଣ୍ଡ ଦୁର୍ନୀତି ତଦନ୍ତବେଳେ ଚର୍ଚ୍ଚାକୁ ଆସିଥିଲା । ଶୁଭଙ୍କର ନାୟକ ମଧ୍ୟ ଚିଟ ଫଣ୍ଡ ଦୁର୍ନୀତିରେ ଅଭିଯୁକ୍ତ । ଆଶୀର୍ବାଦ ବେହେରାଙ୍କୁ ବି ସିବିଆଇ ଚିଟ୍ ଫଣ୍ଡ ଦୁର୍ନୀତି ତଦନ୍ତ ପ୍ରକ୍ରିୟାରେ ଜେରା କରିସାରିଛି ।

 

ତେବେ କ’ଣ ବୁଝିବାକୁ ହେବ ଯେ କ୍ରିକେଟ ଓ ଚିଟ ଫଣ୍ଡ ସମାନ କଥା?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top