ବିକାଶ ପଥରେ ‘ଆଚ୍ଛେଦିନ୍’ ଆସିନାହିଁ

News Story - Posted on 2017-12-24

ବିବେକାନନ୍ଦ ନାୟକ, ଚାଟାର୍ଡ ଆକାଉଣ୍ଟାଟ୍

 

ଭାରତୀୟ ଗଣତନ୍ତ୍ରରେ ବିକାଶକୁ ନେଇ ବିତର୍କ କିଛି ନୂଆ କଥା ନୁହେଁ । କିନ୍ତୁ ୨୦୧୪ରେ ମୋଦି ସରକାର ଆସିବା ପରେ ଅର୍ଥନୈତିକ ବିକାଶକୁ ନେଇ ବିତର୍କ ଯେତେ ଉତ୍କଟ ହୋଇଛି, ତାହା ଆଗରୁ କେବେ ଦେଖାଯାଇ ନଥିଲା । ଅଧିକାଂଶ ଅର୍ଥନୈତିକ ବିତର୍କ ଦୁଇ ଭାଗରେ – ସରକାର ସପକ୍ଷରେ ବା ବିପକ୍ଷରେ – ବିଭାଜିତ ହୋଇଛି । ନୋବେଲ୍ ବିଜେତା ଅମର୍ତ୍ତ୍ୟ ସେନ ସରକାରଙ୍କର ବିମୁଦ୍ରାୟନ ପଦକ୍ଷେପକୁ କଠୋର ସମାଲୋଚନା କରିଥିବା ବେଳେ, ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ପି.ଏନ୍. ଭଗବତୀ ବିମୁଦ୍ରାୟନ ଓ ଜିଏସ୍ଟି ପରି ସଂସ୍କାରକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଅର୍ଥନୀତିଜ୍ଞ ହିସାବରେ ଅମର୍ତ୍ତ୍ୟ ସେନଙ୍କର ବିମୁଦ୍ରାୟନ ପରି ଆର୍ôଥକ ସଂସ୍କାରର ସମାଲୋଚନାକୁ ପି.ଏନ. ଭଗବତୀ ନାପସନ୍ଦ କରିଥିଲେ । ଏହା କହିବା ବାହୁଲ୍ୟ ଯେ ଅମର୍ତ୍ତ୍ୟ ସେନ ବାମପନ୍ଥୀ ଚିନ୍ତାଧାରର ହୋଇଥିବା ବେଳେ କେନ୍ଦ୍ର ସରକାର ଅର୍ଥନୀତିଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ଯଥା – ସାମାଜିକ, ପ୍ରାଶାସନିକ ଇତ୍ୟାଦିରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥାନ୍ତି । ଅନ୍ୟ ପକ୍ଷରେ ଅର୍ଥନୀତିଜ୍ଞ ପି.ଏନ. ଭଗବତୀ କେନ୍ଦ୍ର ସରକାରର ମୁକ୍ତ ବଜାର ଅର୍ଥନୀତିର ଜଣେ ଦୃଢ଼ ସମର୍ଥକ । ଭାରତ ପରି ଏକ ଗଣତାନ୍ତ୍ରିକ ଅର୍ଥନୀତିରେ ଏହିପରି ଉତ୍କଟ ବିଭାଜିତ ଅର୍ଥନୈତିକ ବିତର୍କ ଏକ ସାଧାରଣ କଥା ହେଲାଣି । କିନ୍ତୁ ଏହା ଅର୍ଥନୈତିକ ପ୍ରଗତି ପାଇଁ କେତେ ଦିଗଦର୍ଶନ ଦେବ, ତାହା ଏକ ବଡ଼ ପ୍ରଶ୍ନବାଚୀ ।

 

ଏହି ତର୍କ-ବିତର୍କ ସତ୍ତେ୍ୱ ଅର୍ଥନୈତିକ ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ଏହା ସ୍ୱୀକାର କରିବାକୁ ହେବ ଯେ, ୨୦୧୪ରେ ଏନ.ଡି.ଏ. ସରକାର ଆସିବା ପରେ ଅର୍ଥନୀତି କ୍ଷେତ୍ରରେ ସୁଧାର ଆସିଛି । ୨୦୧୩-୧୪ରେ ଜିଡିପି ଅଭିବୃଦ୍ଧି ହାର ୪.୭% ଦର୍ଶାଯାଇଥିଲା । ନୂଆ ପଦ୍ଧତିରେ (ମୂଳ ବର୍ଷ ପରିବର୍ତ୍ତନ ପରେ) ଏହା ୬.୯% ହୋଇଥିଲା । ବିକାଶ ହାର ୨୦୧୪-୧୫ରେ ୭.୨%, ୨୦୧୫-୧୬ରେ ୭.୬% ଏବଂ ୨୦୧୬-୧୭ରେ ୭.୧% ପହଂଚିଛି । ଲଗାତାର ପାଂଚ କ୍ୱାର୍ଟରରେ ବିକାଶ ହାର କମି ୨୦୧୭-୧୮ର ପ୍ରଥମ କ୍ୱାର୍ଟର (ଅପ୍ରେଲ୍-ଜୁନ୍)ରେ ବିକାଶ ହାର ନୈରାଶଜନକ ୫.୭%ରେ ପହଂଚିଥିଲା । କିନ୍ତୁ ଗତ କ୍ୱାର୍ଟର ବା ଦ୍ୱିତୀୟ କ୍ୱାର୍ଟର (ଜୁଲାଇ-ସେପ୍ଟେମ୍ବର)ରେ ଅଭିବୃଦ୍ଧି ହାର ଦୃତ ବୃଦ୍ଧି ହୋଇ ଉତ୍ସାହଜନକ ୬.୩ %ରେ ପହଂଚିଛି । ଏହା ଦ୍ୱାରା ଆର୍ଥନୀତିକ ବିକାଶ ହାରର କ୍ରମାଗତ ହ୍ରାସକୁ ରୋକାଯାଇ ପାରିଛି । ବିଶ୍ୱର ସମସ୍ତ ବୃହତ ଅର୍ଥନୀତି ମଧ୍ୟରେ ଭାରତ ଏବେ ବି ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥନୀତି । ଏହା ସତ୍ତେ୍ୱ ମଧ୍ୟ ବହୁ ପ୍ରତୀକ୍ଷିତ ଆଚ୍ଛେ ଦିନ ଆସିନାହିଁ । ମୋଦି ସରକାର ଆସିବାର ତିନି ବର୍ଷ ପରେ ମଧ୍ୟ ଲୋକ ଅନାହାରରେ ମରୁଛନ୍ତି । ପ୍ରତିଦିନ କୃଷକ ଆତ୍ମହତ୍ୟା କରୁଛି । ପିଇବା ପାଣିର ସର୍ବନିମ୍ନ ସମାଧାନ ହୋଇପାରି ନାହିଁ । ସାଧାରଣ ଖଟିଖିଆ ମହିଳା ଜଣକୁ ନିଜ ତଥା ପରିବାରର ଶୋଷ ମେଣ୍ଟାଇବା ପାଇଁ କୋଶ ଦୂର ଯିବାକୁ ପଡ଼ୁଛି ।

 

ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତିକ ମୁଦ୍ରା ସଂସ୍ଥାର ଭାରତର ଅର୍ଥନୈତିକ ସଂସ୍କାରକୁ ଉଚ୍ଚ ପ୍ରଶଂସା ପରେ, ଏବେ ବିଶ୍ୱ ପ୍ରସିଦ୍ଧ ରେଟିଂ ସଂସ୍ଥା ‘ମୁଡିଜ୍’ ଅର୍ଥନୀତିର ବିଶ୍ୱସନୀୟତା ର୍ୟାଙ୍କ ବୃଦ୍ଧି କରିଛି । ଏପରି ଉତ୍ସାହଜନକ ବାର୍ତ୍ତା ଦୀର୍ଘ ୧୩ ବର୍ଷ ପରେ ଆସିଛି । ଏହା ପୂର୍ବରୁ ଭାରତର ରେଟିଂ ବିଏଏ୩ - ଯାହାକି ଜଙ୍କ ସ୍ଥିତିର ଠିକ୍ ଉପରେ ଥିଲା । ଏହାକୁ ବୃଦ୍ଧି କରାଯାଇ ବିଏଏ୨ କରାଯାଇଛି । ମୁଡିଜ୍ ମଧ୍ୟ ଭାରତର ଅର୍ଥନୈତିକ ଅବସ୍ଥାକୁ ସ୍ଥିରରୁ ସକାରାତ୍ମକକୁ ବଢ଼ାଇଛି । ଏହା ଭାରତୀୟ ଅର୍ଥନୀତିର ସୁସ୍ଥତା ଓ ବିକାଶୋନ୍ମୁଖୀ ଅବସ୍ଥାକୁ ବୁଝାଏ । ଏହା ଭାରତର ଅଗଣିତ ଶିଳ୍ପପତି ଓ ପୁଞ୍ଜି ନିବେଶକାରୀଙ୍କୁ ଉତ୍ସାହିତ କରିଛି । ଏହି ରେଟିଂ ଦ୍ୱାରା ଶିଳ୍ପପତିମାନେ ବିଶ୍ୱ ବଜାରରୁ ସହଜରେ ଏବଂ କମ୍ ସୁଧରେ ଋଣ ଉଠାଇ ପାରିବେ । ଏହାଦ୍ୱାରା ଅଧିକ ଋଣଗ୍ରସ୍ତ ଥିବା ବ୍ୟବସାୟ ଏବଂ ଅଧିକ ପୁଞ୍ଜି ଦରକାର କରୁଥିବା ଶିଳ୍ପ ବହୁ ଲାଭବାନ ହେବେ । ବିଦେଶୀ ପୁଞ୍ଜି ନିବେଶକାରୀ ସଂସ୍ଥାମାନେ ଭାରତରେ ପୁଞ୍ଜି ନିବେଶ ପାଇଁ ଅଧିକ ଆକର୍ଷିତ ହେବେ ।

 

ବିମୁଦ୍ରାୟନ ଏବଂ ଜିଏସଟି ପରି ବଡ଼ ଅର୍ଥନୈତିକ ସଂସ୍କାର ଦ୍ୱାରା ଅର୍ଥନୀତିରେ ସାମୟିକ ସମସ୍ୟା ଦେଖାଯାଇଛି । ଏହା ମୁଖ୍ୟତଃ ପ୍ରଣୟନଜନିତ ବା ଆନୁଷଙ୍ଗିକ ସମସ୍ୟା । ବିତ୍ତୀୟ ନିଅଣ୍ଟ ଧୀରେ ଧୀରେ କମିଛି । ଏହା ୨୦୦୯-୧୦ରେ ୬.୭% ଥିଲାବେଳେ, ଗତ ତିନି ବର୍ଷରେ ଏହା ୪%ରୁ କମ୍ ରହିଛି । ଚାଲୁ ଖାତା ନିଅଣ୍ଟ ୨୦୧୩-୧୪ରେ ୪%ରୁ ଅଧିକ ଥିଲାବେଳେ, ଏହା ୨୦୧୫-୧୬ରେ ୧.୧% ଏବଂ ୨୦୧୬-୧୭ରେ ଜିଡିପିର ମାତ୍ର ୦.୭% ରହିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ମୋଟାମୋଟି ସ୍ୱାଧୀନ ଭାବରେ କାମ କରୁଛି । ଏହା ଆଗପରି ସରକାରର ଖର୍ଚ୍ଚକୁ ଆଖି ଆଗରେ ରଖି ମୁଦ୍ରା ଛାପିବାରେ ବ୍ୟସ୍ତ ନାହିଁ । ଫଳତଃ ମୁଦ୍ରାସ୍ପୀତି ଧାର୍ଯ୍ୟ ୪%ରେ ରହିବା ସହିତ ଆର୍ôଥକ ଅବସ୍ଥା ସନ୍ତୁଳିତ ରହିଛି ।

 

ରେଟିଂ ସଂସ୍ଥାମାନେ ସରକାରର ଅର୍ଥନୈତିକ ସଂସ୍କାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିମୁଦ୍ରାୟନ ଏବଂ ନଗଦ କାରବାର ବିରୋଧରେ ସରକାରଙ୍କର ଆଇନ କେତେକ ନଗଦ ଉପରେ ନିର୍ଭର କରୁଥିବା ବ୍ୟବସାୟ ଉପରେ ପ୍ରଭାବ ପକାଇଛି ସତ, ମାତ୍ର ଏହା କଳା ଧନ ବିପକ୍ଷରେ ଏକ ବଳିଷ୍ଠ ପଦକ୍ଷେପ । ଏହାଦ୍ୱାରା ବହୁ ଗଚ୍ଛିତ କଳାଧନ ବ୍ୟାଙ୍କିଙ୍ଗ ପରିସର ଭିତରକୁ ଆସିପାରିଲା । ଜିଏସଟି ଏକ ଅନନ୍ୟ କର ସଂସ୍କାର । ଏହା ଅତି କମ୍ରେ ୧% ଜିଡିପି ବଢାଇବା ସହିତ ଅର୍ଥନୀତି ଉପରେ ସୁଦୂରପ୍ରସାରୀ ସକାରାତ୍ମକ ପ୍ରଭାବ ପକାଇବ । ହିତାଧିକାରୀ ଖାତାରେ ସବସିଡି ସିଧା ଜମାହେବାର ଯୋଜନା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା କଳାବଜାରୀ ଓ ମଧ୍ୟସ୍ଥ ଦଲାଲଙ୍କ ଦ୍ୱାରା ବାଟମାରଣାକୁ ଲଗାମ୍ ଲଗାଇଛି । ସରକାରୀ ବ୍ୟାଙ୍କଗୁଡିକ ପୁନଃ ପୁଞ୍ଜିକରଣ ନିଷ୍ପତ୍ତି ସରକାରଙ୍କର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସୁଧାରିବା ପାଇଁ ଏକ ବଳି ପଦକ୍ଷେପ । ଏହାଦ୍ୱାରା ସରକାରୀ ବ୍ୟାଙ୍କମାନେ ନିଜ ଇଚ୍ଛା ମୁତାବକ ଘରୋଇ ଶିଳ୍ପ ପାଇଁ ଋଣ ଦେଇପାରିବେ । ୨୦୦୯ଠାରୁ ମାନ୍ଦା ଅବସ୍ଥାରେ ଥିବା ଘରୋଇ ପୁଞ୍ଜିକରଣର ବୃଦ୍ଧି ଘଟିବ । କେନ୍ଦ୍ର ସରକାରର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା ଦେବାଳିଆ ଅବସ୍ଥା ଏବଂ ନିର୍ଦ୍ଧାରଣ ନିୟମ । ଏହାଦ୍ୱାରା ପୁଞ୍ଜି ନିବେଶକାରୀଙ୍କ ଆତ୍ମବିଶ୍ୱାସ ବଢ଼ିବା ସହିତ ଶେୟାର ବଜାରରେ ସକାରାତ୍ମକ ପ୍ରଭାବ ପଡିଛି ।

 

ବ୍ୟବସାୟରେ ସହଜସାଧ୍ୟତା ହେଉଛି ମୋଦି ସରକାରର ବଡ଼ ସଫଳତା । ଅମଲାତନ୍ତ୍ର ଏବଂ ନାଲିଫିତା ଶିଳ୍ପ ଉଦ୍ୟୋଗ ପାଇଁ ଏକ ଚିରାଚରିତ ମୁଣ୍ଡାବିନ୍ଧାର କାରଣ । ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପମାନେ ଏହାଦ୍ୱାରା ଅଧିକ କ୍ଷତି ସହିଛନ୍ତି । ଗତ ୧୫ ବର୍ଷ ହେଲା ବିଶ୍ୱବ୍ୟାଙ୍କ ବାରମ୍ବାର ଏହି ଦିଗ ଉପରେ ଭାରତକୁ ସଚେତନ କରୁଛି । କିନ୍ତୁ ତତକାଳୀନ ସରକାରମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଣଦେଖା କରିଛନ୍ତି । ମୋଦି ସରକାର ହେଉଛି ଦେଶର ପ୍ରଥମ ସରକାର ଯେ ଏହି ଦିଗଟିକୁ ବିଶେଷ ଗୁରୁତ୍ୱ ଦେଇଛି । ବିଶ୍ୱବ୍ୟାଙ୍କ ମଧ୍ୟ ଏହାକୁ ଉପଲବ୍ଧି କରିଛି । ନରେନ୍ଦ୍ର ମୋଦି ଯେତେବେଳେ ଭାରତକୁ ଇଜ୍ ଅଫ୍ ଡୁଇଂ ବିଜନେସ କ୍ଷେତ୍ରରେ ୧୪୨ ସୂଚକାଙ୍କରୁ ୫୦ ସୂଚକାଙ୍କ ମଧ୍ୟକୁ ଆଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ, ସେତେବେଳେ ଅନେକଙ୍କ ପାଇଁ ଅବିଶ୍ୱସନୀୟ ଥିଲା । ଆଜି ଭାରତ ଏହି ସୂଚୀରେ ୧୦୦ ର୍ୟାଙ୍କରେ ପହଂଚିବା ପରେ ଭାରତ ୫୦ ସୂଚକାଙ୍କ ଭିତରେ ରହିବାର ଆଶା ଉଜ୍ଜ୍ୱଳ ହୋଇଛି । ଏହା ମଧ୍ୟ ସତ୍ୟ ଯେ ସାରା ବିଶ୍ୱରେ ଇଜ୍ ଅଫ୍ ଡୁଇଂ ବିଜନେସରେ ୧୦୦ତମ ସ୍ଥାନରେ ରହିବା ଏକ ଉତ୍ସାହଜନକ ସ୍ଥିତି ନୁହେଁ । ଦୁଇ ଅଙ୍କ ବିଶିଷ୍ଟ ବିକାଶ ହାର ପାଇଁ ଏଥିରେ ଯଥେଷ୍ଟ ସୁଧାର ଆଣିବାର ଆବଶ୍ୟକ ଅଛି । ଏହା ଦେଖାଯାଇଛି ଯେ, ବ୍ୟବସାୟ ପ୍ରକ୍ରିୟାରେ ସହଜସାଧ୍ୟତାରେ ଯେଉଁ ରାଜ୍ୟ ଯେତେ ଉନ୍ନତ, ସେହି ରାଜ୍ୟମାନଙ୍କରେ ବିକାଶ ହାର ସେତେ ଅଧିକ । ବିଭିନ୍ନ ରାଜ୍ୟରେ ଶିଳ୍ପ ଉଦ୍ୟୋଗୀମାନେ ସେ ରାଜ୍ୟରେ ଥିବା ଏକ-ଝରକା ନିକାସ ବିଷୟରେ ଜାଣି ନାହାନ୍ତି । ବିଭିନ୍ନ ସରକାରୀ ବିଜ୍ଞାପନ ଏବଂ ସଚେତନ କାର୍ଯ୍ୟକ୍ରମ ଦ୍ୱାରା ବ୍ୟବସାୟ ପ୍ରକ୍ରିୟାର ସହଜସାଧ୍ୟତା ବିଷୟରେ ସାଧାରଣ ପୁଞ୍ଜି ଲଗାଣକାରୀଙ୍କୁ ଉତ୍ସାହିତ କରାଯିବା ଉଚିତ । ସରଳ ଓ ସ୍ପଷ୍ଟ ବ୍ୟବସାୟ ସଂପର୍କିତ ନୀତି ଦ୍ୱାରା ଦୁର୍ନୀତିକୁ ଯଥେଷ୍ଟ ପରିମାଣରେ ରୋକ୍ ଲଗାଯାଇ ପାରିବ । ଏହା ପ୍ରଣିଧାନ ଯୋଗ୍ୟ ଯେ, ଇଜ୍ ଅଫ୍ ଡୁଇଂ ବିଜିନେସରେ ବିଶ୍ୱର ପ୍ରଥମ ୧୦ଟି ସ୍ଥାନ ହାସଲ କରିଥିବା ଦେଶମାନଙ୍କରେ ଦୁର୍ନୀତି ବହୁତ କମ୍ ଅଛି ବା ନାହିଁ କହିଲେ ଚଳେ ।

 

ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । କିଛିଦିନ ଆଗରୁ (ଯେତେବେଳେ ତୈଳ ଦର କମ୍ ଥିଲା) ମୋଦି ସରକାରକୁ ‘ଭାଗ୍ୟବାନ ସରକାର’ ବୋଲି କୁହାଯାଉଥିଲା । କାରଣ ଆମକୁ ପ୍ରାୟ ୭୫% ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରିବାକୁ ପଡ଼େ । ତେଣୁ ଏହାର ଦାମ୍ କମ୍ ରହିଲେ କେନ୍ଦ୍ର ସରକାରକୁ ଏ ବାବଦରେ କ୍ଷତି ସହିବାକୁ ପଡେନାହିଁ । ୨୦୧୪ ମଧ୍ୟ ଭାଗରେ ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧୧୪ ଡଲାର ଥିବାବେଳେ ୨୦୧୬ ଜାନୁଆରୀରେ ତାହା ବ୍ୟାରେଲ୍ ପିଛା ୨୯ ଡଲାରକୁ ଖସି ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଶୋଧିତ ତୈଳ ଦର କ୍ରମଶଃ ବଢି ବଢି ଚାଲିଛି । ଏବେ ଏହା ୧୨୦% ବଢି ବ୍ୟାରେଲ୍ ପିଛା ୬୫ ଡଲାର ପହଂଚିଛି । ଏହା ସତ୍ତେ୍ୱ ମଧ୍ୟ ଖାଉଟି ମୁଦ୍ରାସ୍ପୀତି ୩.୨% ଏବଂ ଖାଦ୍ୟ ମୁଦ୍ରାସ୍ପୀତି ମାତ୍ର ୧.୨୫%ରେ ସୀମିତ ରହିଛି । ବିଦେଶୀ ମୁଦ୍ରାର ପରିମାଣ ୪୦୦୦୦ କୋଟି ଡଲାରରେ ପହଂଚିଛି ଯାହା ନିଶ୍ଚିତ ଭାବେ ଉତ୍ସାହଜନକ ।

 

ଭାରତ ପରି ବୃହତ ଜନବହୁଳ ରାଷ୍ଟ୍ରରେ ଅର୍ଥନୀତିର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଅପରିହାର୍ଯ୍ୟ । ମୋଦି ସରକାରର ଭିତ୍ତିଭୂମି ଉପରେ ଗୁରୁତ୍ୱ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ । ୟୁପିଏ-୨ରେ ରେଲୱେ ପାଇଁ ହାରାହାରି ବାର୍ଷିକ ବଜେଟ୍ ଆବଣ୍ଟନ ୬୦,୦୦୦ କୋଟି ଟଙ୍କା ଥିଲା । କେନ୍ଦ୍ର ସରକାର ଖାଲି ୨୦୧୭-୧୮ ପ।।ଇଁ ୧ ଲକ୍ଷ ୩୧ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାମ ଦୈନିକ ୧୩୩ କି.ମି. ଛୁଇଁଛି, ଯାହାକି ସର୍ବକାଳୀନ ରେକର୍ଡ । ହାଇୱେ ରାସ୍ତା ଆଗରୁ ଦୈନିକ ୯ରୁ ୧୧ କି.ମି. ହୋଇପାରୁଥିବା ବେଳେ ଏବେ ମୋଦି ସରକାର ଏହାକୁ ଦୈନିକ ୨୭/୨୮ କି.ମି. ରେ ପହଂଚାଇଛନ୍ତି ।

 

ମୋଦି ସରକାର ଏହି ତିନି ବର୍ଷ ମଧ୍ୟରେ ବହୁ ଅର୍ଥନୈତିକ ସଂସ୍କାର ଓ ଯୋଜନା ଆଣିଛନ୍ତି । କିନ୍ତୁ ଦାରିଦ୍ର୍ୟ ଓ ଏହାର ଉତ୍କଟତା ଉପରେ ବିଶେଷ ପ୍ରଭାବ ପଡ଼ିନାହିଁ । ଜିଏସଟି ପରି ଅର୍ଥନୈତିକ ସଂସ୍କାରର ସୁଫଳ ମିଳିବା ପାଇଁ କିଛି ସମୟ ଲାଗିବ । ଭାରତର ଏହି ଦାରିଦ୍ର୍ୟ ସମସ୍ୟା ବିଶ୍ୱ କ୍ଷୁଧା ସୂଚକାଙ୍କରେ ମଧ୍ୟ ପ୍ରତିଫଳିତ ହୋଇଛି । ଏହି ସୂଚକାଙ୍କରେ ଭାରତ ୧୧୯ ଦେଶ ମଧ୍ୟରେ ୧୧୦ ସ୍ଥାନରେ ଅଛି ଯାହା ଅତ୍ୟନ୍ତ ନୈରାଶ୍ୟନକ । ନିଯୁକ୍ତିବିହୀନ ଅଭିବୃଦ୍ଧି ଦ୍ୱାରା ଦାରିଦ୍ର୍ୟକୁ ରୋକାଯାଇ ପାରିବନାହିଁ । ଏହା ସ୍ୱୀକାର କରିବାକୁ ପଡ଼ିବ ଯେ, ବିଭିନ୍ନ ଅର୍ଥନୈତିକ ସଂସ୍କାର ସତ୍ତେ୍ୱ ପ୍ରତିଶୃତ ନିଯୁକ୍ତି ସୃଷ୍ଟି ସଫଳ ହୋଇପାରି ନାହିଁ । ସମାଜର ତଳ ସ୍ତରରେ ଥିବା ସ୍ୱଳ୍ପ ଶିକ୍ଷିତ ଯୁବକ/ଯୁବତୀମାନଙ୍କର ଦକ୍ଷତା ବଢ଼ାଇ କୁଶଳୀ କରିବାକୁ ପଡ଼ିବ । ନ ହେଲେ ଭାରତ ପରି ୧୩୨ କୋଟି ଜନସଂଖ୍ୟାର ଦେଶରେ ଜନବହୁଳ ସମ୍ବନ୍ଧିତ ଫାଇଦା ମିଳିପାରିବ ନାହିଁ । ଏହା ନିଶ୍ଚିତ ଯେ ବିକାଶ ପାଇଁ ଅର୍ଥନୈତିକ ସଂସ୍କାର ଜରୁରୀ । କିନ୍ତୁ ପ୍ରକୃତ ‘ଆଚ୍ଛେଦିନ୍’ ପାଇଁ ସାଧାରଣ ଜନତାଙ୍କର ନିଯୁକ୍ତି ସୁଯୋଗକୁ ଆଖି ଆଗରେ ରଖି ଅର୍ଥନୈତିକ ସଂସ୍କାରର ପରିକଳ୍ପନା କରାଯିବାର ଆବଶ୍ୟକତା ଅଛି ।

 

ତିହିଡ଼ି, ଭଦ୍ରକ,
ମୋ-୯୪୩୯୯୫୫୮୦୪ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top