କବି, କବିପତ୍ନୀ ଓ କାବ୍ୟନାୟିକା

News Story - Posted on 2017-12-23

ସୁପ୍ରିୟା ପ୍ରଶାନ୍ତ

 

 

କବି ପ୍ରତିଦିନ ରାତିରେ ସେଇ ମୁହଁଟିକୁ ମନେ ପକାନ୍ତି। ନିଜ ଚୌକିରେ ବସି ଟେବୁଲ ଉପରେ ମୁଣ୍ଡ ରଖି ସେ ଯେତେବେଳେ ସ୍ବପ୍ନର ଦୁନିଆକୁ ଚାଲିଯାଆନ୍ତି, ସେଇ ଲାଲିତ୍ୟମୟୀ ନାରୀଜଣକୁ ଖୋଜନ୍ତି। ଫୁଲର ସୁରଭି ପବନରେ ଖେଳିଗଲା ଭଳି ସେ ଏକ ପରିଚିତ ଆବେଗରେ ଭାବାବିଷ୍ଟ ହୋଇଯାଆନ୍ତି। ସେଇ ହସ ହସ ମୁହଁଟି ଦିଶେ ଆକାଶର ସୀମାହୀନ ନୀଳରେ,  ସବୁଜ କେରା କେରା ଘାସରେ, ଲାଲ୍ ହଳଦି ଫୁଲରେ।

 

ସେଦିନ କବିତାର ଖିଅଟିଏ ମନରେ ଧରାଦେଇ ପୁଣି ହଜି ଯାଉଥାଏ। ବାରମ୍ବାର ଦୁଇ ଧାଡି ଲେଖି ପୁଣି ତାକୁ କାଟିବାକୁ ପଡୁଥାଏ। ଏଭଳି ମୁହୁର୍ତ୍ତସବୁ କି ଯନ୍ତ୍ରଣାଦାୟକ ସତେ! ଶବ୍ଦଟେ ଖୋଜିଲେ ମିଳେନି, ହେଲେ ଭାବାବେଗରେ ଦେହମୁଣ୍ଡ କ’ଣ ହେଇଯାଏ, ସବୁ ଯେମିତି ଓଲଟ ପାଲଟ ହେଇଯିବ ଯଦି ଇପସିତ ଶବ୍ଦଟି ନମିଳେ। ସେ ସମୟରେ ଅନ୍ୟ ଯେତେ ଇଚ୍ଛା ଅନିଚ୍ଛା,  ସେସବୁର ହିତାହିତ ଜ୍ଞାନ ଆଉ ରହେନି। ଖାଲି ଯଦି ସେଇ ଶବ୍ଦଟି ମିଳିଯାଏ, କେବଳ ସେଇ ଶବ୍ଦଟି ମିଳି ଯାଏ!

 

କ୍ଲାନ୍ତିରେ ଟିକେ ଆଖି ମୁଦିଛନ୍ତି, ନାରୀମୁତ୍ତିର୍ଟିଏ ଆସି ପାଖରେ ଠିଆ ହେଲାଭଳି ସେ ଅନୁଭବ କଲେ। ତାଙ୍କ ପତ୍ନୀ ଯେ ଏମିତି ଆସି ଠିଆହୁଅନ୍ତିନି ତା ନୁହେଁ, କିନ୍ତୁ ଦେହଗନ୍ଧରୁ ବୁଝିଲେ, ସେ ଅନ୍ୟ କେହି। କିଛି କ୍ଷଣ ଅବାକ୍ ହେଇ ପାଟି ଆଁ କରି କେବଳ ଚାହିଁ ରହିଲେ: ଇଏ ସେଇ, ଇଏ ସେଇ କାବ୍ୟ ନାୟିକା!   

 

କ’ଣ ଏତେ ଦେଖୁଛ? ନିରବତା ଭାଙ୍ଗି ନାରୀ କଣ୍ଠ ଶୁଭିଲା।

 

ତୁମକୁ।

 

ତା ମୁଁ ବୁଝିପାରୁନିକି? ଏଥର ଖିଲ ଖିଲ ହସ ରେ କୋଠରୀ ଉଛୁଳି ପଡିଲା।

 

ମୁଁ ନିଜକୁ ବିଶ୍ବାସ କରିପାରୁନି!

 

ଏଥିରେ ଅବିଶ୍ବାସ କରିବାରେ କ’ଣ ଅଛି? ମୁକୁଳା ବାଳ ସଜାଡୁ ସଜାଡୁ, ତାଙ୍କ କାନ୍ଧରେ ହାତ ରଖି କାବ୍ୟନାୟିକା ପୁଣି ହସିଲେ।

 

କବିଙ୍କର ଧମନୀରେ ବିଦ୍ୟୁତ ଖେଳିଗଲାକି କ’ଣ--ତୁମକୁ ମୁଁ କେବେଠୁ ଅପେକ୍ଷା କରିଛି, ଜାଣ?

 

କେବେଠୁ? ଭାସିଆସିଲା ସେଇ ଯୌନ ଉଦ୍ଦିପକ ନାରୀ କଣ୍ଠ।

 

ସମୟର ଆରମ୍ଭରୁ।

 

ସତରେ? ହସି ହସି ତାଙ୍କ ଉପରେ ଲୋଟିପଡିଲେ କାବ୍ୟନାୟିକା।

 

ସତ କହୁଛି ତୁମ କଥା ଭାବି ଭାବି ମୁଁ ବଞ୍ଚିରହିଛି ଏ ଅସାର ସଂସାରରେ।

 

କାହିଁକି, କି ସୁନ୍ଦର ସ୍ତ୍ରୀ ପୁଅ ଝିଅ ସଂସାର ତୁମର। ଅସୁବିଧା କୋଉଠି ରହିଲା, ଏ ସଂସାର ଅସାର କାହିଁକି ହେଲା?

 

ଛାଡ, ତୁମେ ସେସବୁ ବୁଝିବନି।

 

ଏମିତି କ’ଣ କଥା ମୁଁ ବୁଝିପାରିବିନି?

 

ତୁମେ ବିଶ୍ବାସ କର ମୁଁ ତୁମ ପ୍ରେମରେ ପଡି ଯାଇଛି।

 

ସେଇଟା ହିଁ ତ ସମସ୍ୟା।

 

ସମସ୍ୟା?

 

ନୁହେଁ ତ ଆଉ କ’ଣ? ମୋ ପ୍ରେମରେ କିଏ  ଆଉ ପଡିନି କୁହ ତ?

 

ସେମିତି କୁହନି। ମୋର ତୁମ ପ୍ରତି ପ୍ରେମ ନୈସର୍ଗିକ। ମୋ ଭଳି କେହି ତୁମକୁ ଏମିତି ଭଲ ପାଇପାରିବନି। ମୋର ପତ୍ନୀ ତ କବିତାର କ ବୁଝନ୍ତିନି। ଓଲଟି ମୋତେ ସବୁବେଳେ ସମାଲୋଚନା କରନ୍ତି। ତୁମେ କ’ଣ ବୁଝିପାରୁନ ମୁଁ କେତେ ନିଃସଙ୍ଗ? 

 

ହୁଁ, ଟିକେ ଗମ୍ଭୀର ହୋଇ କାବ୍ୟନାୟିକା କହିଲେ, କାହିଁକି, ତୁମ ପୁଅ ଝିଅ? ସେମାନେ ବି ତୁମକୁ ବୁଝୁ ନାହାନ୍ତି?

 

ସେମାନେ ତାଙ୍କ ବାଟରେ। ପୁଅ ତା’ର ଗିଟାର ବଜଉଛି। ପପ୍ ଗାଉଛି। ଝିଅ ଡାକ୍ତରୀ ପଢୁଛି।

 

ତୁମ କବିତା ପଢନ୍ତିନି?

 

ସେମାନଙ୍କର ସମୟ କାହିଁ?

 

ଓହୋଃ, ଏମିତି କଥା?

 

ହଁ। ଏମିତି ଜୀବନର ଅର୍ଥ କ’ଣ କୁହ?

 

ତୁମ ପତ୍ନୀ କାହିଁକି ତୁମ କବିତା ଭଲପାଆନ୍ତିନି?

 

ହେଃ, ଗବଗାଣ୍ଡୁଟାଏ, କୋଉଠି ଥିଲା, ମୋ କପାଳରେ ଯୁଟିଛି। ଖାଲି ଘର, ପିଲା ଶାଢି ସୁନା ଗହଣା ବାଜେ ଗପ। ସେ ମୋ କବିତା କ’ଣ ବୁଝିବ?

 

ହୁଏତ ତୁମେ ବି ତାଙ୍କ ଅନ୍ତରର କବିତାକୁ ଆଜିଯାଏ ବୁଝିନ?

 

କବି କିଛି ନକହି ଚୁପ୍ ରହିଲେ।

 

ତୁମେ ପ୍ରଥମେ ତୁମ ସ୍ତ୍ରୀଙ୍କୁ ଯେମିତି କବିତା ଭଲଲାଗିବ ସେମିତି ଲେଖୁନ? ସେ କେମିତି ତୁମ ପିଲା ଦିଜଣଙ୍କ ଯତ୍ନ ନିଅନ୍ତି। କେମିତି ଦିନରାତି ତୁମ ଆରାମ ପାଇଁ ବ୍ୟବସ୍ଥା କରନ୍ତି।

 

ତୁମେ ସିଧା ସିଧା କହୁନ କ’ଣ କହିବାକୁ ଚାହୁଁଛ?

 

ତୁମ ଭାବନା ଉପରେ ତ ମୋର ନିୟନ୍ତ୍ରଣ ନାହିଁ। ମୁଁ କେମିତି କହିବି ମୋ କଥା ଭାବନା!

 

କବି କିଛି ସମୟ କ୍ଷୁବ୍ଧ ହୋଇ ବସିରହିଲେ।

 

ଛାଡ଼ ସେକଥା। କାବ୍ୟନାୟିକା ପରିବେଶ ହାଲୁକା କରିବାକୁ କହିଲେ-ଆଉ, ତୁମ କବିତା ଗୋଟେ ଶୁଣେଇଲ?

 

ଏଥର କବିଙ୍କ ମୁହଁ ଉଜ୍ଜ୍ବଳ ଦିଶିଲା। କବି ନିଜ ଦୈନନ୍ଦିନୀ କାଢି ପୃଷ୍ଠା ଓଲଟେଇଲେ। ଗତ ସପ୍ତାହରେ ଲେଖିଛି, ମୋର ସଦ୍ୟତମ କବିତା, ଶୁଣ।

 

‘ପ୍ରିୟତମା,

 

ତୁମେ ଯଦିଓ କେଉଁଠି ଅଛ ଜାଣେନା

 

ଅହରହ ଝୁରୁଥାଏ ମୁହିଁ

 

ଦୁର୍ବିସହ ଏ ସଂସାର ଜଞ୍ଜାଳ

 

ତୁମେ ମୋର ଆଦି ଅନ୍ତ

 

ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ

 

ତୁମେ ମୋର ଆଦି ଅନ୍ତ।’

 

 

 

କବିତା ଶୁଣି କାବ୍ୟନାୟିକା ହସିହସି ଗଡିଗଲେ- ପ୍ରେମିକାକୁ ନେଇ କବିତା ଲେଖିବ, ଆଉ ଆଶା କରିବ ତୁମ ସ୍ତ୍ରୀ ବୁଝିବେ? ଛାଞ୍ଛୁଣୀ ପହଁରାରେ ମାରୁନାହାଁନ୍ତି?

 

କବି ମୁହଁ ଫୁଲେଇଲେ- ତୁମର ସବୁ କଥାରେ ବ୍ୟଙ୍ଗ! ତୁମକୁ ଝୁରି ଝୁରି ମୁଁ କବିତାଟି ଲେଖିଛି।

 

ଆଛା ହଉ।

 

ଏଥର କବି ଓ କାବ୍ୟନାୟିକା ପରସ୍ପର ମୁହଁକୁ ଚାହିଁ ଅନେକ ସମୟ ବସିରହିଲେ।

 

କବି ଥିରି କହିଲେ, ଯେତେବେଳେ ତୁମେ ଏମିତି ବସ ଲାଗେ ଯେମିତି...

 

ଯେମିତି, ଯେମିତି, କାବ୍ୟନାୟିକା କହିଲେ-

 

‘ଏହି ଭଲପାଇବାର ଦେହ ଧରି ଏ ପୃଥିବୀ ହୁଏତ ବା ଏଡ଼େ ରୂପବତୀ

 

ହଳଦୀ ଓ ଅଳତାର ଦାଗ ଗୋଳି ଆକାଶରେ ଫାଲଗୁନର ଦିନ ଯେବେ ଫେରେ

 

ପଉଷର କୁହୁଡିରେ ଘୋଡିହୋଇ ଆମ୍ବତୋଟା ଚୁପଚାପ୍ ନିଛାଟିଆ ଜାମୁକୋଳି ବଣ

 

ଦିପହର ଖରା ପୁଣି ଜାଳିଦିଏ ଜ୍ୟେଷ୍ଠ ମାସ ବିଲ, ବାଟ, ନିଛାଟିଆ ଚରା

 

ସେତେବେଳେ ମଣିଷର ରକ୍ତରେ ଜୀବନ୍ତ ହୁଏ ହଠାତ୍ ଅତୀତ ତା’ର

 

ପୁଞ୍ଜିଭୂତ କାମନାର ଯୁଗଯୁଗ ସ୍ମୃତି କେତେ ଏ ଗାଆଁର ପୁରୁଷ ପୁରୁଷ।’

 

ବାଃ, ତୁମେ ଏମିତି  ଚମତ୍କାର କବିତା ଗଢିପାର!

 

ନା, ମୋର ନୁହେଁ,  ତୁମ ଗୁରୁଙ୍କର।

 

ଗୁରୁ? କିଏ?

 

ତୁମେ ଗୁରୁ କିଏ ଜାଣିନ? ଅବାକ୍ ହୋଇ କାବ୍ୟନାୟିକା ପଚାରିଲେ, ଆଉ କହିଲେ, ସେଇ ଯେ ଲେଖିଛନ୍ତି-

 

‘ଏ ରାତିର ଛାତି ତଳେ ଏ ସ୍ଥିର ଜମାଟ ସ୍ତବ୍ଧତା

 

ଅସ୍ତତାରା ଆଲୁଅରେ ବାଲିରେ ବା ଦେଖାଯାଏ ପବନର ଇତସ୍ତତଃ ଦେହ

 

ଦୂର ଝାଉଁ ଜଙ୍ଗଲରେ ଥଣ୍ଡାହୋଇ ଆସେ ଛାଇ

 

ସମୁଦ୍ରର ଢେଉରେ ବା ନିରର୍ଥକ ଚେଷ୍ଟା ଆଉ ନଷ୍ଟ ଯେତେ

 

ଆୟୁଷର କୋହ

 

ମୁଁ ତୁମକୁ ଭଲପାଏ, ତୁମେ ଆଜି ଦୂରରେ ଦୂରରେ

 

ଏହି ଅସ୍ତ ଜହ୍ନ ଥିବ ତୁମର ଆକାଶ ଆଡେ ହୁଏତ ବା ତୁମର ଆଖିରେ।’

 

ଓହୋଃ ହୋ, ଗୁରୁପ୍ରସାଦ, ସମୁଦ୍ରସ୍ନାନ ତୁମେ ସେ କଥା କହୁନ। ମୁଁ ତାଙ୍କର କିଛି କବିତା ପଢିଛିୟ ସେ ବହୁଦିନ ତଳେ, ପଢିଲା ବେଳେ। ଏସବୁ ପାଇଁ ଏବେ ଆଉ ସମୟ କାହିଁ! କବିତା ଲେଖିବି, ପୁଣି ତାକୁ ଉତ୍ତାରିବି, କାହାକୁ ଗୁହାରୀ କରିବି, ଦି ଥର ତିନି ଥର ମନେ ନପକେଇଲେ, କେହି ଛପେଇବେନି। ସେବେକାର ପରିବେଶ, ସେ ଭାବ ଆଉ କାହିଁ!

 

ସବୁବେଳେ ପରିବେଶକୁ ଦୋଷ ଦେଲେ ହେବକି?

 

ତୁମେ ଠିକ୍ କହୁଛ। କିନ୍ତୁ, କିଏ ନଚାହେଁ ତା ଲେଖା କେହି ପଢୁ, ତା ଅନ୍ତର୍ବେଦନାକୁ କେହି ବୁଝୁ। ତୁମେ ଆସିଲ ସତରେ କେତେ ଭଲଲାଗୁଛି। ତୁମଭଳି ଜଣେ ଦରଦୀ ମୋ କବିତାକୁ ବୁଝିଲା, ସେଇଥିରେ ମୋର ସାର୍ଥକତା।

 

ତୁମେ କାହିଁକି ଭାବୁଛ, କେହି ବୁଝୁନି? ଯିଏ ବୁଝୁନି, ହୁଏତ କେବେ ବୁଝିବ। କବିତାରେ ହଜିବାରେ ଯୋଉ ଆନନ୍ଦ, ତା ତୁମଠୁ କେହି ଛିଣ୍ଡେଇ ନେଇଯାଉନି। ଏତିକି କହି କାବ୍ୟନାୟିକା କବିଙ୍କ ମୁଣ୍ଡରେ ଟିକେ ହାତ ବୁଲେଇ ଦେଲେ। କବି ଅପଲକ ନୟନରେ ସେମିତି ସେଇ ଅନିନ୍ଦ୍ୟ ମୁହଁଟିକୁ ଚାହୁଁ ଚାହୁଁ ନିଦରେ ତାଙ୍କର ଆଖି ମୁଦି ହେଇଗଲା।

 

 

ହଠାତ୍ କାହା ପାଟିରେ କବିଙ୍କର ନିଦ ଭାଙ୍ଗିଗଲା। କବିପତ୍ନୀ ଉଚ୍ଚସ୍ବରରେ ଟାଉଁ ଟାଉଁ କରି କହୁଥାନ୍ତି, ଏ ମଣିଷର ଦିନ ନାହିଁ ରାତି ନାହିଁ ଖାଲି କବିତା କବିତା। ଦି ପଇସା ମିଳୁଥାନ୍ତା ଭଲା ସେଥିରୁ! ରାତିସାରା ଟେବୁଲ ପାଖରେ ବସିଥା। ସକାଳୁ ଉଠି କହିବେ, ମୋ ଅଣ୍ଟା କଅଣ ହଉଛି, ମୋ ପିଠି କଅଣ ହଉଛି। କେବେ ମୋତେ ଏ ଅଶାନ୍ତିରୁ ମୁକ୍ତି ମିଳିବ, ଆହେ ଚକାଡୋଳା?

 

ଘର ଝାଡୁ ଦେଉ ଦେଉ କବିପତ୍ନୀ ଟେବୁଲ ବତୀ ଲିଭେଇଦେଲେ। ଝରକା ଖୋଲି ପରଦା ଆଡେଇ ଦେଲେ। ସକାଳ ସଜ ଖରା କବିଙ୍କ ମୁହଁ ଆଖିରେ ଟିକେ ଫୋଡି ହେଇଗଲା, କବିଙ୍କ ପାଟିରୁ ଖାଲି ପଦଟେ ବାହାରିଲା: ଓହୋଃ।  

 

supriya.prasanta@gmail.com


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top