ଗୀତା ପଢ଼ନ୍ତୁ ନରେନ୍ଦ୍ର ମୋଦି!

News Story - Posted on 2017-12-20

ବୁଲେଟ୍ ଟ୍ରେନର ପ୍ରତିଶ୍ରୁତି । ରୋଲ ଅନ୍ ରୋଲ୍ ଅଫ୍ ଫେରି ସଫାରି । ସି-ପ୍ଲେନ୍ । କେତେ ଜୁମ୍ଲା! ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଆଣି ଗୁଜରାଟକୁ ଜାପାନ ବନେଇବାର ସ୍ୱପ୍ନ । ତଥାପି ଆଶଙ୍କା ଥିଲା । କାଳେ ହାରିଯିବି! ପନ୍ଦର ଦିନରେ ୩୪ ପ୍ରଚାର ସଭା । କାହାକୁ କେତେ ଗାଳି । କାହା ବିରୋଧରେ କେତେ ମିଥ୍ୟା ଅଭିଯୋଗ । ପାକିସ୍ତାନ, ଚୀନ, ତାଇୱାନ- ଗୁଜରାଟ ନିର୍ବାଚନରେ ସମସ୍ତଙ୍କୁ ପ୍ରସଙ୍ଗ କଲେ ପ୍ରଧାନମନ୍ତ୍ରୀ ମୋଦି । ଶେଷରେ ସେ ଜିତିଲେ ନିଶ୍ଚୟ । କିନ୍ତୁ ସେତେବେଳକୁ ଗଳଦଘର୍ମ ହୋଇସାରିଥିଲେ । ମାନମର୍ଯ୍ୟାଦା ହରେଇ ସାରିଥିଲେ । କି ଅବସ୍ଥା! କି ପତନ!

 

ଅଳ୍ପକେ ସମ୍ମାନ ରହିଗଲା । ଟିକେ ଏପଟସେପଟ ହୋଇଥିଲେ ତଳିତଳାନ୍ତ ହୋଇଯାଇଥାନ୍ତା । କେତେ ଲୋକ କେତେ କଥା କହିଥାନ୍ତେ । ନିଜ ଦଳ ଭିତରୁ ବି ବିରୋଧ ହୋଇଥାନ୍ତା । ବିଦ୍ରୋହର ନିଆଁ ଜଳିବା ବି ଅସମ୍ଭବ ନଥିଲା । ଏବେ ଜିତିବା ହେତୁ ପୁଣି ଥରେ ସିକନ୍ଦର! ରାଜନୀତି ଓ ପଶୁନୀତି ଭିତରେ କିଛି ପାର୍ଥକ୍ୟ ନାହିଁ । ଜୋର୍ ଯା’ର ମୁଲକ ତା’ର । ଯୋ ଜିତା ୱହି ସିକନ୍ଦର । ବଳପୂର୍ବକ ବିଜୟକୁ ବି କେହି ବିରୋଧ କରନ୍ତିନି । ବିଜୟର ବାନା ଉଡ଼ିଲେ ସବୁ ପାପ ଧୋଇଯାଏ ଯେମିତି!

 

ଟାର୍ଗେଟ ଥିଲା ୧୮୨ରୁ ୧୫୦ ଆସନ । ଆଗରୁ ସହଯୋଗୀ ଅମିତ ଶାହା କହିଥିଲେ, ମୋଦି ମୁଖ୍ୟମନ୍ତ୍ରୀ ଥିଲାବେଳେ ଦଳ ପାଇଥିଲା ୧୨୮ ଆସନ । ଏବେ ସେ ପ୍ରଧାନମନ୍ତ୍ରୀ । ତେଣୁ ଆମେ ୧୫୦ ପାଇବା । ଆରମ୍ଭ ହୋଇଥିଲା ମିଶନ୍ ୧୫୦ । ସେଥିପାଇଁ କେତେ କଳକୌଶଳ ନହେଲା! ନିର୍ବାଚନ ଘୋଷଣା ପରେ ମଧ୍ୟ ଭୋଟ ଗ୍ରହଣ ତାରିଖ ଘୋଷଣା ହେଲାନାହିଁ । ମାସେ ଘୁଂଚାଇ ଦିଆଗଲା । ମୁଖ୍ୟ ନିର୍ବାଚନ କମିଶନ ଏକେ ଜ୍ୟୋତି ହେଲେ ମୁଖ୍ୟମନ୍ତ୍ରୀ ମୋଦିଙ୍କର ପୂର୍ବତନ ମୁଖ୍ୟ ଶାସନ ସଚିବ । ଅବସର ପରେ ପୁଣି ତାଙ୍କୁ ଜିଏସପିସି ନାମକ ଏକ ରାଜ୍ୟ ନିଗମର ଅଧ୍ୟକ୍ଷ କରିଥିଲେ ମୋଦି । ଏ ନିଗମ ଏବେ ୨୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ସାମ୍ନା କରୁଛି । ବୁଡ଼ି ଯାଇଥିବା ଜିଏସପିଏସକୁ ଭାରତ ସରକାରଙ୍କ ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ କିଣିବାକୁ ଚାପ ପଡ଼ିଛି । ପ୍ରଧାନମନ୍ତ୍ରୀ ହେଲା ପରେ ତାଙ୍କୁ ହିଁ ଆଣି ନିର୍ବାଚନ କମିଶନରେ ଥଇଥାନ କରିଛନ୍ତି ମୋଦି ।

 

ଏମିତି ତ କେନ୍ଦ୍ର ସରକାର ଗୁଜରାଟ ରାଜ୍ୟ ସରକାରଙ୍କର ଏକ ସଂପ୍ରସାରିତ ଶାଖା ହୋଇଯାଇଛି । ମୋଦି ଓ ଶାହା ଗୁଜରାଟୀ । ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏକାଧିକ ଅଫିସର ହେଲେ ଗୁଜରାଟ କ୍ୟାଡରର ପୂର୍ବତନ ପ୍ରଶାସକ । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗୁଜରାଟ ସାଂସଦ । ଅର୍ଥ ସଚିବ ହସମୁଖ ଆଧିଆ ଗୁଜରାଟ କ୍ୟାଡରର ଅଫିସର । ରିଜର୍ଭ ବ୍ୟାଙ୍କର ମୁଖ୍ୟ ଗୁଜରାଟ ମୂଳୋଦ୍ଭବ । ମୁଖ୍ୟ ନିର୍ବାଚନ କମିଶନର ଗୁଜରାଟ କ୍ୟାଡର ଅଧିକାରୀ । ସିବିଆଇ ମୁଖ୍ୟ ରାକେଶ ଆସ୍ଥାନା ବି ଗୁଜରାଟ କ୍ୟାଡରର ଆଇପିଏସ । ସିଭିସି, ସିଆଇସି, ନିଟି ଆୟୋଗ ସବୁଠି ଗୁଜରାଟର ଉପସ୍ଥିତି ।

 

ଏମାନେ ସମସ୍ତେ ଲାଗିଥିଲେ । କେନ୍ଦ୍ରର ୨୮ ଜଣ କ୍ୟାବିନେଟ ମନ୍ତ୍ରୀ ଗୁଜରାଟରେ ମାସେ କାଳ ଡେରା ପକାଇଲେ । ଦେଶର ୮ ଜଣ ବିଜେପି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ଛାଡ଼ି ଗୁଜରାଟରେ ଯାଇଁ ପ୍ରଚାର କଲେ । ସେଠାରେ ଥିôବା ନିଜନିଜ ରାଜ୍ୟର ଲୋକଙ୍କୁ ବିଜେପିକୁ ଭୋଟ ଦେବାକୁ କୁହାଗଲା । ବିକାଶ କଥା କହିଲେ ଲୋକେ କାଳେ ପାଗଳ ବୋଲି କହିବେ ସେଥିପାଇଁ ଧର୍ମ, ଜାତି, ପାକିସ୍ତାନ, ଚୀନ, ନୀଚ ଉପାଖ୍ୟାନ ଉପରେ ଗୁରୁତ୍ୱ ଦିଆଗଲା । ଗୁଜରାଟ ସରକାରଙ୍କ ପ୍ରଦର୍ଶନକୁ ପ୍ରସଙ୍ଗ ନକରି ନିଜକୁ ପ୍ରସଙ୍ଗ କରିଦେଲେ ମୋଦି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନତା ପାର୍ଟି ଅଖଣ୍ଡ ଭାରତ କଥା କହୁଥିଲାବେଳେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ଅସ୍ମିତା କଥା ଉଠାଇ ଆବେଗର ଆବହାୱା ସୃଷ୍ଟି କଲେ । ପ୍ରଚାର ସମୟରେ ସେ ନିଜକୁ ଗୁଜରାଟର ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପିତ କଲେ ।

 

ଏତେ ସତ୍ତେ୍ୱ ଆସନ ମିଳିଲା ମାତ୍ର ୯୯, ସାଧାରଣ ସଂଖ୍ୟାଗରିଷ୍ଠତାଠାରୁ ମାତ୍ର ୭ ଅଧିକ । ୨୦୧୨ ବିଧାନସଭା ନିର୍ବାଚନ ତୁଳନାରେ ଯଦିଓ ଭୋଟହାର ୧.୨୫ ପ୍ରତିଶତ ବଢ଼ିଲା କିନ୍ତୁ ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଭୋଟହାର ଖସିଲା ପ୍ରାୟ ୧୦ ପ୍ରତିଶତ । ମାତ୍ର ୩ ହଜାରଠୁଁ କମ୍ ଭୋଟ ବ୍ୟବଧାନରେ ଦଳର ୧୬ ଜଣ ବିଧାୟକ ଜିତିଲେ । ସେଥିରୁ ୮ ଜଣଙ୍କ ବିଜୟ ବ୍ୟବଧାନ ୨ ହଜାର ତଳେ । ମୋଦିଙ୍କ ସହଯୋଗୀ ଶିଳ୍ପପତି ଅମ୍ବାନୀଙ୍କ ସଂପର୍କୀୟ ତଥା ମନ୍ତ୍ରୀ ସୌରଭ ପଟେଲ ବି ହଜାରେରୁ କମ ଭୋଟ ବ୍ୟବଧାନରେ କଷ୍ଟେମଷ୍ଟେ ଜିତିପାରିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ସହର ବଡ଼ନଗର ଅନ୍ତର୍ଭୁକ୍ତ ଥିବା ଉଞ୍ଝା ଆସନରେ ତାଙ୍କ ପ୍ରାର୍ଥୀ ହାରିଗଲେ ।

 

ତେବେ କି ବାର୍ତ୍ତା ଦେଲେ ଗୁଜରାଟ ବାସୀ? କି ବୁଝିଲେ କି ମୋଦି? କିଛି ବୁଝିଲା କି ବିଜେପି? ଶ୍ରୀମଦଭାଗବତ ଗୀତାରେ ଥିବା ଗୋଟିଏ ଶ୍ଳୋକର ଅର୍ଥ ହେଉଛି ଅହଂକାର, ବଳ, ଦର୍ପ, କାମ ଓ କ୍ରୋଧ ପରିହାର କରି କର୍ମ କରିଯିବା ଉଚିତ । ହିନ୍ଦୁତ୍ୱକୁ ରାଜନୀତି ଅସ୍ତ୍ର କରିଥିବା ବିଜେପି ଓ ମୋଦି ଗୀତା ପଢ଼ିଛନ୍ତି କି ନାହିଁ ଜଣା ନାହିଁ । ଏଣିକି ପଢ଼ିବା ଦରକାର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top