ଚାଷୀ ଆତ୍ମହତ୍ୟାର ସମାଧାନ

News Story - Posted on 2017-12-20

କୃଷି ଓ କୃଷକର କାହାଣୀ ପଢ଼ିଆସୁଥିବା ଆମ ସମାଜ ଆଜି କୃଷକର ଜୀବନ ହାରିବାର କାହାଣୀ ନିଶ୍ଚୟ ପଢ଼ୁଥିବେ । ପ୍ରାୟତଃ ଭାରତବର୍ଷରେ କୃଷକର ଆତ୍ମହତ୍ୟା ଖବର ବରାବର ଶୁଣିବାକୁ ମିଳୁଛି । ଭାରତ ଏକ କୃଷି ପ୍ରଧାନ ଦେଶ ବୋଲି କୁହାଯାଏ । ତଥାପି କୃଷକର ଜୀବନ ଅସୁରକ୍ଷିତ ହୋଇ ପଡ଼େ କାହିଁକି? ଏହା ଏକ ଅସମାହିତ ପ୍ରଶ୍ନ । କେଦାରମାଳାରେ ଲୋଟୁଥିବା ସବୁଜ ଶସ୍ୟ ଶ୍ୟାମଳା ଚିତ୍ର ଭିତରେ କୃଷକଟି ମରିପଡ଼ିବାର ଦୃଶ୍ୟ ମନପ୍ରାଣକୁ ଦୋହଲାଇ ଦେଇଥାଏ । କୃଷିର ଜୀବନ ତା’ର କ୍ଷେତ । ତା’ର ଘର ସଂସାର ସୁଖ ଦୁଃଖ ସବୁ କିଛି ଧାନ ଶସ୍ୟର ଅମଳ ଉପରେ ହିଁ ନିର୍ଭର କରିଥାଏ । ସେଇ ଧାନ ଗଛକୁ ଦେଖି ପେଟରୁ କ୍ଷୁଧା ଭୁଲିଯାଏ । କେମିତି ଅମଳ କରି ସାହୁକାର କିମ୍ବା ସରକାରଙ୍କ ପାଖରେ ବସ୍ତା ବାନ୍ଧି ଥୋଇଦେଲେ ବର୍ଷ ତମାମ ଶ୍ରମର ଫଳପ୍ରାପ୍ତ ଆନନ୍ଦ ମିଳିଥାଏ । ସମୟାନୁକ୍ରମେ ଆଜି ସରକାରଙ୍କ ବହୁବିଧ କାର୍ଯ୍ୟକ୍ରମ କୃଷକର କୃଷି ସଂପଦ ସୁରକ୍ଷା ପାଇ ତତ୍ପର ହୋଇ ଆସୁଥିବା ନେଇ ସରାକରୀ ବାବୁମାନେ ଜିଲ୍ଲା ଓ ଅନ୍ୟ ସ୍ତରରେ କର୍ମଶାଳା ଆୟୋଜନ କରନ୍ତି । କୃଷକ ସଚେତନତାର ସନ୍ଦେଶ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ । ତଥାପି କୃଷକର ମନ ବୁଝେନି । ପ୍ରାଣ ହାରିବାକୁ ପଡ଼େ । ଏକରୁ ଅନେକ କୃଷକର ଅକାଳମୃତ୍ୟୁରେ କରାଳ ରୂପ ଦେଖି ସରକାରୀ ବାବୁ ମନ୍ତ୍ରୀ ମନଇଚ୍ଛା ବିବୃତି ଦେଇଚାଲନ୍ତି । କିନ୍ତୁ କୃଷକ ମନସ୍ତାତ୍ତ୍ୱିକ ଦିଗକୁ ଅନୁଶୀଳନ କରି ସମୟୋଚିତ ସମୁଚିତ ପଦକ୍ଷେପ ନିଆଗଲେ ହୁଏତ ଏଭଳି ଦୁଃଖଦ ଦୁର୍ଘଟଣା ଆକସ୍ମିକ କୃଷକ ଜୀବନ ହାରିବାର ଦୁଃସମ୍ବାଦ ଶୁଣିବାକୁ ମିଳିବ ନାହିଁ ବୋଲି ଅନେକ ସମୟରେ ଆଲୋଚନା ହୁଏ ।

 

କୃଷି ଓ କୃଷକର ସଂପର୍କରେ ସମନ୍ୱୟ ରକ୍ଷା କରିବାରେ ରାଜ୍ୟରେ ଅନେକ ବୋର୍ଡ଼ ଅନେକ ସଂଗଠନ କାର୍ଯ୍ୟ କରନ୍ତି । କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି ଏବଂ ଏହି ବିଶ୍ୱ ବିଦ୍ୟାଳୟ ସହ ଅନେକ ଆଂଚଳିକ ଗବେଷଣା କେନ୍ଦ୍ର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଛି । ବହୁ କୃଷି ବୈଜ୍ଞାନିକ କୃଷି ସମନ୍ଧୀୟ ବିବରଣୀ ପୃଷ୍ଠା ପୃଷ୍ଠା ଛପାଇ ଦିଅନ୍ତି ଅନେକ ଭାଷାରେ । କୃଷି ବୈଜ୍ଞାନିକମାନଙ୍କ ସହ ବ୍ଲକ୍ ସ୍ତରୀୟ କାର୍ଯ୍ୟ କର୍ତ୍ତାମାନେ ଗ୍ରାମପଂଚାୟତ କୃଷି ଅଧିକାରୀ ଜିଲ୍ଲା କୃଷିଧିକାରୀ ଯୋଗ ସୂତ୍ରରକ୍ଷା କରି କୃଷି ସଂପଦରେ ସୁରକ୍ଷିତ ଭବିଷ୍ୟତ ପାଇଁ ଯତ୍ନଶୀଳ ହୁଅକରି ତଥାପି ଉଜୁଡ଼ିଯାଏ କୃଷକର କ୍ଷେତ ।

 

ପାଣିପାଗ ପରିବର୍ତ୍ତନଶୀଳ । ଶୀତରେ ବର୍ଷା, ବର୍ଷା ଦିନରେ ଖରା ଭିତରେ କୃଷକ ଖୋଜୁଥାଏ ଆଶା ନେଇ । ଏଇ ଭିତରେ କୀଟପୋକ ମାନେ ମଧ୍ୟ ଦାଉସାଧନ୍ତି । ବ୍ୟାପିଯାଆନ୍ତି ଚକଡ଼ା ପୋକ ଏକର ଏକର ଜମିକୁ । ସମ୍ଭବ ହୁଏନି ଚକଡ଼ା ପୋକର ଦାଉରୁ ଏଇ କୃଷକର କ୍ଷେତକୁ ବଂଚାଇବା ପାଇଁ କୃଷକ ମୁଣ୍ଡ ପିଟି ଦିଏ । କୃଷି ଋଣରେ ଭାରାକ୍ରାନ୍ତ ମନକୁ ଭାରସାମ୍ୟ ରକ୍ଷା କରିପାରେନି ଏକ ଜୀବନ ବଳିଦିଏ ସେଇ କୀଟନାଶକ ଔଷଧରେ କିମ୍ବା ଗଳାକୁ ସୁତାଖିଅରେ ଝୁଲାଇ ନେଇ । କୀଟନାଶକ ଔଷଧର ବ୍ୟବହାର ଜମିରେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସଂସାର ଆଜି ଭେଜାଲ ବ୍ୟବସ୍ଥା ଭିତରେ ଛନ୍ଦି ହୋଇଗଲାଣି । କୀଟନାଶକ ଔଷଧ ମଧ୍ୟ ଭେଜାଲ ବୋଲି ସ୍ୱର ଶୁଣିଲାଣି । କିଏ ଏପରି କୀଟନାଶକ ଔଷଧ ପ୍ରସ୍ତୁତ କରିବାକୁ ଯିଏକି ପ୍ରୋତ୍ସାହନ ନେଇ ଆସୁଛି । ଏପରି ଅସାମାଜିକ ଦୁର୍ବୃତ୍ତମାନଙ୍କୁ କି ଦଣ୍ଡ ବିଧାନ ଅଛି? ଔଷଧ ନିର୍ମାଣ କରୁଥିବା କଂପାନୀଙ୍କୁ ଯାଂଚ କରୁଥିବା ଅଧିକାରୀଙ୍କ ପ୍ରୋତ୍ସାହନରେ ଏସବୁ ଚାଳୁଛି । କୃଷି ଅଧିକାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ବସି ନିଜ ନିଜର ଚିଠା କରି ମନଗଢ଼ା କାହାଣୀ ପରି ସରକାରଙ୍କ ଆଗରେ ବାଢ଼ିଦିଅନ୍ତି ସଂସ୍କାରମୂଳକ ଚିଠା । ଅଥଚ କେବେ କୌଣସି କୃଷକର ଦୁଆର ନମାଡ଼ି ଅନେକ କୃଷକର ନାମ ତାଲିକା ପ୍ରସ୍ତୁତ କରି ପ୍ରଶିକ୍ଷଣର ବିସ୍ତୃତ ବିବରଣୀ ମଧ୍ୟ ପଢ଼ିଦିଅନ୍ତି ।

 

ଶେଷରେ କୃଷକର ଜୀବଜନ୍ତୁ ନେଇ ଚିନ୍ତାକରୁ ଥିବା ସରକାରଙ୍କ ପାଖରେ କିଛି ପରାମର୍ଶ । ରାଜ୍ୟ ସରକାର ଜିଲ୍ଲାସ୍ତରରେ କୃଷକର କ୍ଷେତର ସୁରକ୍ଷା ସହ କୃଷକର ଜୀବନ ସୁରକ୍ଷାକୁ ନେଇ ପରାମର୍ଶ କେନ୍ଦ୍ର ଖୋଲିବା ଆବଶ୍ୟକ । କୃଷକର ଋଣ ଦେଉଥିବା ବ୍ୟାଙ୍କ ଅଧିକାରୀମାନେ କୃଷକର ମନକୁ ଭୟଭୀତ ନକରି କୃଷି ଋଣ ଯୋଗାଉଥିବା ବ୍ୟାଙ୍କ ଶାଖାମାନଙ୍କ ଜରିଆରେ ଅଧିକ ସଚେତନମୂଳକ କେନ୍ଦ୍ର (କାଉନସିଲିଂ ୟୁନିଟ୍) ସ୍ଥାପନ ହେଉ ବ୍ଲକ୍ ସ୍ତରରେ । କୃଷକ ସହ ଉତ୍ତମ ସଂପର୍କ ଆବେଗାତ୍ମକ ବ୍ୟବହାର ଭିତରେ ଏଇ ଉଚ୍ଚପ୍ରଶିକ୍ଷିତ ଅଧିକାରୀମାନେ କାନ୍ଧକୁ କାନ୍ଧ ମିଶାଇ କୃଷକକୁ ଉପଯୁକ୍ତ ସାନ୍ତ୍ୱନା ଦିଅନ୍ତୁ ଏବଂ କୃଷକର ମନୋବଳକୁ ଭାଙ୍ଗିବାକୁ ନଦେଇ ତକ୍ରାଳ ଋଣ ଦେଇଥିବା ବ୍ୟାଙ୍କ ଅଧିକାରୀମାନେ କୃଷକ ପ୍ରତି କଠୋର ବିଚାରରୁ ଟିକେ ନରମ ରହି କୃଷକ ଘରେ ପହଂଚି ବିକଳ୍ପ ବିଚାର ସହ ଜିଲ୍ଲା କୃଷି ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କଠାରେ ସୌଜନ୍ୟମୂଳକ ପରାମର୍ଶ ଦିଅନ୍ତୁ । ହତୋତ୍ସାହିତ କୃଷକରେ ଜୀବନକୁ ସୁରକ୍ଷା ପାଇଁ ଏକମାତ୍ର ବାଟ ପଦାଧିକାରୀ ବ୍ୟାଙ୍କ ଓ ସରକାର ପ୍ରଶାସନ ସମୂହ ସଚେତନ ହୋଇ କୃଷକର ମନକୁ ସାମାନ୍ୟ ହାଲୁକା କରିବାର ବିକଳ୍ପ ବିଚାର ବିମର୍ଶ କରିବା ଆବଶ୍ୟକ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top