ପ୍ରଥମ ପାଇକ ବିଦ୍ରୋହ ଗଂଜାମରେ!

News Story - Posted on 2017-12-20

ଓଡ଼ିଶା ସାଂସ୍କୃତିକ ପର୍ଯ୍ୟଟନ ବିଭାଗ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ପାଇକ ବିଦ୍ରୋହ ୧୮୦୪-୧୮୧୭ କାର୍ଯ୍ୟକ୍ରମ ଓଡ଼ିଶାରେ ଗଂଜାମ ଇତିହାସ ପ୍ରତି ଏକ ଉପହାସ ଏବଂ ଗଂଜାମକୁ ଭୁଲିଯାଇ ପ୍ରଥମ ପାଇକ ବିଦ୍ରୋହ ନାଟକକୁ ନେଇ ଚାଲି ଆସୁଥିବା ଅନେକ ତର୍କ ଓ ବିତର୍କକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗଂଜାମର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଗବେଷକ । ବ୍ରହ୍ମପୁର ଯୁବ ସାହିତ୍ୟିକ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ସୋସିଆଲ୍ ମିଡ଼ିଆରେ ଗଂଜାମକୁ ପାଇକ ବିଦ୍ରୋହର ଆଦ୍ୟପୀଠ କହିବା ସହ ବହୁ ପ୍ରାମାଣିକ ତଥ୍ୟ ଗଂଜାମ ଇଚ୍ଛିହାସ ସହ ଜୋଡ଼ି ହୋଇଥିବା ବିଷୟ ଦାବି କରିଛନ୍ତି । ଗଂଜାମ ମାଟିର ଅନନ୍ୟ ଚିନ୍ତାନାୟକ ତଥା ଇତିହାସ ଗବେଷକ ସାହିତ୍ୟିକ ଡ଼. ଅନନ୍ତ ରାମ କର (କୌଣ୍ଡିନ୍ୟ)ଙ୍କ ସମୀକ୍ଷାପୂର୍ଣ୍ଣ ବିଷୟ ତଥ୍ୟ ଆଧାରିତ ଏବଂ ଇତିହାସକାରମାନେ ସଠିକ୍ ଭାବରେ ଗଂଜାମକୁ ଗ୍ରହଣ ନ କରିବା ନିନ୍ଦନୀୟ ବୋଲି କୁହାଯାଉଛି । ଡ଼. ଅନନ୍ତ ରାମ କର ସଂପ୍ରତି ଭୀଷ୍ମଗିରିରେ ଅବସ୍ଥାନ କରୁଥିବା ସହ ଗଂଜାମର ଇତିହାସରେ ପାଇକ ବିଦ୍ରୋହ ସମଗ୍ର ଭାରତବର୍ଷ ପାଇଁ ଏକ ରୁଚିବନ୍ତ ସ୍ୱାକ୍ଷର ବୋଲି କହନ୍ତି ।

 

ସ୍ଥାନୀୟ ରାଜନେତାମାନେ ନିଷ୍ଠ।।ର ସହ ଆଲୋଚନା କରି ମତାମତ ଦେଇଥିଲେ ଗଂଜାମର ଗୌରବ ଅକ୍ଷୁର୍ଣ୍ଣ ରହିଥାନ୍ତା, ତାହା ହେଲା ନାହିଁ କାହିଁକି ବୋଲି ସଂପ୍ରତି ବୁଦ୍ଧିଜୀବୀମାନେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଅନନ୍ତ କରଙ୍କ ବିଚାର ଓ ବୌଦ୍ଧିକ ଚିନ୍ତାର ସ୍ୱର ସହ ସ୍ୱର ମିଶାଇ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ସମ ସ୍ୱରରେ ବହୁ ଲିଖିତ ତଥ୍ୟ ସଂଗ୍ରହ କରି ଜଣାଇଛନ୍ତି । ୧୮୧୭ ଖୋର୍ଦ୍ଧା ପାଇକ ବିଦ୍ରୋହର ଇତିହାସର ୫୦ ବର୍ଷ ପୂର୍ବରୁ ଅର୍ଥାତ ୧୭୬୭ରେ ପାଇକମାନେ ଗଂଜାମ ଘୁମୁସରଠାରେ ଇଂରାଜୀ କଂପାନୀ ସେନା ଏଡ଼଼ୱାର୍ଡ଼ କଙ୍କସଫୋର୍ଡ଼ଙ୍କୁ ବିରୋଧ କରିଥିଲେ । ଯାହାକି ପ୍ରଥମ ବିଦ୍ରୋହ ବୋଲି ଦାବି କରାଯିବାର ଯଥାର୍ଥତା ରହିଛି । ଗଂଜାମ ସେଇ ସମୟରେ ମାଡ଼୍ରାସ୍ ପ୍ରେସିଡ଼େନ୍ସିରେ ରହିଥିବାରୁ ଓଡ଼଼ିଶା ଇତିହାସକୁ ବିକୃତ କରାଯାଇ ଗଂଜାମ ପାଇକ ବିଦ୍ରୋହର ଆଦ୍ୟ ସ୍ୱାକ୍ଷରକୁ ସହଜରେ ଗ୍ରହଣ କରାଗଲା ନାହିଁ ଏବଂ ଐତିହାସିକ ଓ ଗବେଷକମାନେ ଗଂଜାମର ଇତିହାସକୁ ସମୟୋଚିତ ସ୍ୱୀକୃତି ପ୍ରଦାନ କଲେ ନାହିଁ ।

 

ଗଂଜାମ ମାଟିରେ ପାରଳାଖେମୁଣ୍ଡି, ବଡ଼ଖେମୁଣ୍ଡି, ମହୁରୀ, ଶେରଗଡ଼, ଘୁମୁସର, ଜଳନ୍ତର ଆଦି ଅଂଚଳର ଜନତା ଦୀର୍ଘ ୩୬ ବର୍ଷ ଧରି ୧୮୦୩ ପର୍ଯ୍ୟନ୍ତ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ । କେବଳ ସେତିକି ନୁହେଁ ଜୟୀ ରାଜଗୁରୁଙ୍କୁ ୧୮୦୬ ଡ଼ିସେମ୍ବର ୬ରେ ଫାଶିଖୁଣ୍ଟରେ ଝୁଲାଇବାର ୬ ବର୍ଷ ପୂର୍ବରୁ ଗଂଜାମର ଶେରଗଡ଼ ରାଜା ଆଦ୍ୱୈତ ସିଂହ ଇଂରାଜୀ ସେନାଙ୍କୁ ୧୮୦୪ ମ, ୬ ତାରିଖରେ ସମ୍ମୁଖୀନ ହୋଇ ଶୀରବଳି ଦେଇଥିଲେ । ଏଇ ଦୁଇଟି ବିଷୟ ସବୁଠାରୁ ସ୍ପର୍ଶକାତର ବିଷୟକୁ ସୂଚାଉଥିବା ସମୟରେ ଗଂଜାମର ରାଜନେତାମାନେ ସରକାରୀ ବାବୁ ଓ ମନ୍ତ୍ରୀମାନେ କାହିିଁକ ନୀରବ ରହିଛନ୍ତି ବୋଲି ପ୍ରଶ୍ନ ଉଠୁଛି । ଗଂଜାମ ଜିଲ୍ଲାର ବହୁ ଅନୁଭବୀ ଆଲୋଚକ ମଧ୍ୟ ଏଇ ସଂପର୍କରେ ଅନେକ ସନ୍ଦର୍ଭ ମଧ୍ୟ ଲେଖିଯାଇଛନ୍ତି । ପ୍ରଫେସର ପ୍ରହ୍ଲାଦ ପଣ୍ଡା, ସତ୍ୟନାରାୟଣ ରାଜଗୁରୁ, ପ୍ରଫେସର ଦଣ୍ଡପାଣି ବେହେରା, ପ୍ରଫେସର ଅଶୋକ ରଥ, ଏସଏସ ଆୟାଙ୍ଗର, ସଚ୍ଚିଦାନନ୍ଦ ମିଶ୍ର, ଗୌରୀଶଙ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଓଡ଼ିଶାରେ ଗଂଜାମଠାରେ ହିଁ ପ୍ରଥମ ପାଇକ ବିଦ୍ରୋହ ହୋଇଥିଲା ବୋଲି ଦାବି କରି ଆସୁଛନ୍ତି ।

 

ଗଂଜାମ ମେନ୍ୟୁଆଲ, ମାଡ଼୍ରାସ ମିଲିଟାରୀ ରିପୋର୍ଟ, ରସେଲ୍ ରିପୋର୍ଟରେ ମଧ୍ୟ ଗଂଜାମ ପାଇକ ବିଦ୍ରୋହର ଚିତ୍ର ସ୍ପଷ୍ଟ ଉଲ୍ଲେଖ ରହିଛି । ହଜାର ହଜାର ପୃଷ୍ଠାର ଗ୍ରନ୍ଥ ଭିତରେ ଗଂଜାମ ପାଇକ ବିଦ୍ରୋହର ଇତିହାସ ଉଲ୍ଲେଖ ଥିବା ସମୟରେ ଆଜି ଓଡ଼଼ିଶାର ସୂଚନା ଲୋକ ସଂପର୍କ ବିଭାଗ ଭୁଲିଯିବା ନିହାତି ନିନ୍ଦନୀୟ । ଗଂଜାମର ଅନେକ ସ୍ୱର୍ଣ୍ଣିମ ଅଧ୍ୟାୟ ସହ ଓଡ଼ିଶା ଭାରତର ଗୌରବ ବହ କୀର୍ତ୍ତି ଯୋଡ଼ି ହୋଇ ରହିଛି । ପାଇକ ବିଦ୍ରୋହ, ଓଡ଼ିଆ ଭାଷାରେ ଓଡ଼ି଼ିଶାର ଶାସନର ପ୍ରଥମ ଟାଇପ୍ ରାଇଟର, ଓଡ଼଼ିଶା ପ୍ରଦେଶ ଗଠନ, ଧର୍ମପଦର ଜନ୍ମ, ମାରଦା ଗଡ଼ର ଇତିହାସ ଏପରି ଅନେକ କୀର୍ତ୍ତିକୁ ନେଇ ଗଂଜାମକୁ ଯଥାଚିତ ସମ୍ମାନ ମିଳିବାର ଆବଶ୍ୟକତା ରହିଥିବା ସମୟରେ ସଂପ୍ରତି ଓଡ଼ିଶାରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ପାଇକ ବିଦ୍ରୋହର କାହାଣୀ ଚର୍ଚ୍ଚିତ । ଗଂଜାମର ପାଇକ ବିଦ୍ରୋହର କାହାଣୀକୁ ଲିଭାଇ ପଂଚତାରକା ହୋଟେଲ୍ ବା ସମ୍ମିଳନୀ କକ୍ଷରେ ଆଲୋଚନା ନିହାତି ଗଂଜାମର ସାହିତ୍ୟପ୍ରେମୀ, ଭାଷାପ୍ରେମୀ ଓ ଗବେଷକଙ୍କୁ ଏକ ଉପହାସ ବୋଲି କ୍ଷୋଭ ପ୍ରକାଶ ପାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top