ଶିଶୁଙ୍କ ପାଇଁ କେତେ ଜରୁରୀ ଇଣ୍ଟରନେଟ?

News Story - Posted on 2017-12-14

ଲଳିତ ମୋହନ ମିଶ୍ର

କିଛିଦିନ ତଳେ ନୀଳତିମି ଖେଳ ଇଂଟରନେଟରେ ପିଲାଂକ ଜୀବନ ନେଇଥିଲା । କେହି ଜାଣିପାରିଲେନି କେମିତି ଏହାକୁ ବଂଦ କରିବେ । ଏବେ ବାଳିକାମାନଂକ ଖୋଲା ଫଟୋ ବେଳେ ବେଳେ ନେଟରେ ବୁଲୁଛି । ପୋଲିସ ଧରିବା ଆରଂଭ କଲାଣି । ଏହା ହେଲା ନେଟର ଖରାପ ଦିଗ । ଇଂଟରନେଟରୁ ଆମେ ସୁବିଧା ବି ପାଉଛୁ । ଶିଶୁ ଓ ଯୁବପିଢ଼ି ଆଜିର ଡିଜିଟାଲ ସମାଜରେ ବହୁତ ସୁବିଧା ପାଉଛଂତି ଓ ବେଳେବେଳେ ଅସୁବିଧା ଭୋଗୁଚଂତି ।

 

ବିଶ୍ୱର ଶତକଡ଼ା ୪୮ ପ୍ରତିଶତ ଲୋକ ଇଂଟରନେଟ୍ ସଂଯୋଗିତ ହୋଇଥିବା ବେଳେ ଏହାର ୭୧ ପ୍ରତିଶତ ହେଲା ୧୫-୨୪ ବର୍ଷର ଶିଶୁ ଓ ଯୁବପିଢ଼ୀ । ଏହା ବ୍ୟତୀତ ୩ଟିରୁ ଜଣେ ଇଂଟରନେଟ୍ ବ୍ୟବହାରକାରୀ ହେଲେ ୧୮ ବର୍ଷ ତଳର ଯୁବବର୍ଗ ବା ଶିଶୁ । କେତେକ ଦେଶରେ ୧୫ ବର୍ଷରୁ ତଳ ପିଲାମାନେ ମଧ୍ୟ ଇଂଟରନେଟ୍ ବ୍ୟବହାର କରୁଛନ୍ତି । ତେବେ ବିଶ୍ୱର ୨୯ ଭାଗ ଯୁବପିଢ଼ିୀ ଇଂଟରନେଟ୍ ବ୍ୟବହାରରୁ ବଂଚିତ ହୋଇଛନ୍ତି । ୟୁରୋପରେ ଶତକଡ଼ା ୪ ଭାଗ ଯୁବକ ନେଟ୍ ଦୁନିଆରୁ ବାହାରେ ଥିବା ବେଳେ ଏହା ଆଫ୍ରିକାରେ ୬୦ ଭାଗ । ଆର୍ଥିକ , ଭୌଗୋଳିକ, ଭାଷା ଓ ସୁରକ୍ଷା କାରଣରୁ ଶିଶୁ ଓ ଯୁବବର୍ଗ ଡ଼ିଜିଟାଲ୍ ଦୁନିଆ ସହ ସଂର୍ପକୀତ ହୋଇ ପାରୁ ନାହାନ୍ତି ।

 

ଏହା ନିଶ୍ଚିତ ପକ୍ଷେ ପ୍ରମାଣିତ ଯେ ପିଲା ଓ ଯୁବବର୍ଗ ଡ଼ିଜିଟାଲ୍ ବ୍ୟବସ୍ଥାରୁ ପାଠ୍ୟ ବିଷୟ ଶିକ୍ଷା କରିବା ସହିତ, ଚାକିରୀ ଜନିତ ତଥ୍ୟ, ଜୀବନଯାପନ ସଂବନ୍ଧିତ ସେବା, ସାମାଜିକ ସଂର୍ପକ ସେବା ଇତ୍ୟାଦି ପାଇ ପାରୁଛଂତି । ଭିନ୍ନକ୍ଷମ ବ୍ୟକ୍ତି ଜଣେ ଅଧିକ କ୍ଷମତା ପାଇ ପାରୁଛି । ଦୈବ ଦୁର୍ବିପାକ ହେଉ ବା ନାଗରିକ ଅଧିକାର ହେଉ, ଇଂଟରନେଟ୍ ଉପଯୋଗୀ ହୋଇ ପାରୁଛି । ତେବେ ଏହାର ଖରାପ ପ୍ରଭାବ ଉପରେ ଶିଶୁ ତଥା ଯୁବବର୍ଗଙ୍କୁ ମଧ୍ୟ ଚେତନା ବା ତାଲିମ୍ ଦେବା ସଂଗେ ସଂଗେ ସରକାର ଓ ପିତାମାତା ସୁରକ୍ଷା ଦେବା ଉଚିତ । ସେ ବ୍ଲୁହେଲ୍ ଗେମ୍ ହେଉ ବା ଅଶ୍ଳୀଳ ଭିଡ଼ିଓ ହେଉ, ପିଲା ଓ ଯୁବକମାନେ ସୁରକ୍ଷିତ ହେବାକୁ ପଡ଼ିବ ।

 

ବିଂଶ ଶତାବ୍ଦୀରେ ୪ଟି ଶିଳ୍ପ ବିପ୍ଲବ ହୋଇ ଥିଲା । ପ୍ରଥମଟି ଥିଲା ବାଷ୍ପଚାଳିତ ଇଂଜିନର ଆବିଷ୍କାର । ଦ୍ୱିତୀୟଟି ହେଲା ବିଜୁଳି ଶକ୍ତି ଚାଳିତ କଳକାରଖାନା । ତୃତୀୟଟି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂବନ୍ଧୀୟ ଓ ୪ର୍ଥଟି ହେଲା ମେଶିିନ୍-ମଣିଷ ବା ନାନୋ–ଟେକନୋଲୋଜି ଇତ୍ୟାଦି । ପୃଥିବୀର ବିଭିନ୍ନ ଦେଶ ୩ୟ ଓ ୪ର୍ଥ ଶିଳ୍ପ ବିପ୍ଲବର ବିଭିନ୍ନ ସ୍ତରରେ ଅଛି । ଏ ସମସ୍ତ ଶିଳ୍ପ ବିପ୍ଲବ ଉପାôଦନ ଅଭିବୃଦ୍ଧି କରିବା ସଂଗେ ସଂଗେ ଆମର ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ଏଥିମଧ୍ୟରୁ ମଣିଷକୁ ସର୍ବାଧିକ ପରିବର୍ତ୍ତନ କରିଛି, ୩ୟ ଶିଳ୍ପ ବିପ୍ଲବ, ଯାହାକି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିପ୍ଲବ । ଏହାକୁ ଡ଼ିଜିଟାଲ୍ ଯୁଗ କୁହା ଯାଉଛି । ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ, ଯାହା ଇଂଟରନେଟ୍ ସହିତ ଲାଗିଛି । ପିଲାମାନେ ଲାପଟପ ଇତ୍ୟାଦି କମ୍ପ୍ୟୁଟର ସେଟ୍ ବ୍ୟବହାର କରୁଛନ୍ତି । ସେ ଓଲା ବା ଉବେରରେ ଟ୍ୟାକ୍ସି ବୁକିଂଗ୍ ହେଉ, କଲେଜର ଫି ନେଟ୍ ପେମେଂଟ ହେଉ ବା ଚାକିରୀ ଖୋଜା ହେଉ ବା ପାଠ୍ୟପ୍ରଶ୍ନର ଉତ୍ତର ଖୋଜା ହେଉ, ସବୁଠି ଶିଶୁ ଓ ଯୁବବର୍ଗ ବ୍ୟବହାର କରୁଛନ୍ତି ଡ଼ିଜିଟାଲ୍ ମାଧ୍ୟମ । ସ୍ମାର୍ଟଫୋନରେ ହ୍ୱାଟସଅପ୍, ଫେସବୁକ୍ ବା ଟ୍ୱିଟରକୁ ସମସ୍ତେ ଦୈନିକ ବ୍ୟବହାର ନ କଲେ ରହିପାରୁ ନାହାନ୍ତି ।

 

ଇଂଟରନେଟ୍ ଯୁଗରେ ଯେତେବେଳେ ସମସ୍ତେ ଆଗେଇ ଚାଲିଛନ୍ତି ସେତେବେଳେ ଶିଶୁ ଓ ଯୁବବର୍ଗର ସ୍ଥିତି କ’ଣ? ଏ ବିଷୟରେ ୟୁନିସେଫର ସଦ୍ୟ ପ୍ରକାଶିତ ବିଶ୍ୱର ଶିଶୁମାନଙ୍କର ସ୍ଥିତି ବିବରଣୀ ୨୦୧୭- ଡିଜିଟାଲ୍ ବିଶ୍ୱରେ ଶିଶୁରେ ବ୍ୟାପକ ଭାବେ ଆଲୋଚନା କରାଯାଇଛି । ରିର୍ପୋଟର ପାଂଚୋଟି ଅଧ୍ୟାୟ ଭିତରୁ ପ୍ରଥମ ଅଧ୍ୟାୟରେ ଶିଶୁମାନଂକ ଡ଼ିଜିଟାଲ୍ ସୁଯୋଗ, ଦ୍ୱିତୀୟ ଅଧ୍ୟାୟରେ ସମାଜରେ ଶିଶୁମାନଙ୍କ ଭିତରେ ଥିବା ଡ଼ିଜିଟାଲ୍ ଅସମାନତା, ୩ୟ ଅଧ୍ୟାୟରେ ଡ଼ିଜିଟାଲ୍ ବିପଦ, ଚତୁର୍ଥ ଅଧ୍ୟାୟରେ ଡ଼ିଜିଟାଲ୍ ଶୈଶବ ଓ ପଂଚମ ଅଧ୍ୟାୟରେ ଡ଼ିଜିଟାଲ୍ ପ୍ରାଧାନ୍ୟ ଉପରେ ଆଲୋଚନା କରାଯାଇଛି ଯାହାକି ବେଶ୍ ତାତ୍ପର୍ଯ୍ୟପୁର୍ଣ୍ଣ । ଏ ବିଷୟରେ ଆଗରୁ କୌଣସି ବିଶ୍ୱସ୍ତରୀୟ ବିବରଣୀ ନ ଥିଲା । ତେଣୁ ୟୁନିସେଫର ଏହି ୨୦୧୭ ରିର୍ପୋଟ ନାଗରିକ, ସରକାର ଓ ବେସରକାରୀ ସଂସ୍ଥାମାନଙ୍କୁ ଓ ପିଲାଙ୍କୁ ଉପଯୋଗୀ- ଡ଼ିଜିଟାଲ୍ ବାତାବରଣ ତିଆରି କରିବାରେ ସାହାଯ୍ୟ କରିବ ।

 

ଭାରତରେ ବିଭିନ୍ନ ରାଜ୍ୟ, ବିଭିନ୍ନ ଡ଼ିଜିଟାଲ୍ ସଭ୍ୟତାରେ ଅଛନ୍ତି । ସହରାଂଚଳ ଓ ଗୋଆ ବା କେରଳ ଭଳି କେତେକ ରାଜ୍ୟ ଆଗରେ ଥିବା ବେଳେ ଓଡ଼ିଶା ପରି ରାଜ୍ୟ ଡ଼ିଜିଟାଲ୍ ବ୍ୟବହାରରେ ପଛୁଆ ଅଛଂତି । ଆଗୁଆ ରାଜ୍ୟଗୁଡ଼ିକରେ ଡ଼ିଜିଟାଲ୍ ସୁରକ୍ଷା ମୁଖ୍ୟ ଲକ୍ଷ୍ୟ ହେବା ବେଳେ ପଛୁଆ ରାଜ୍ୟ ଗୁଡ଼ିକରେ ଡ଼ିଜିଟାଲ୍ ପ୍ରସାର ଓ ସୁରକ୍ଷା ଉଭୟ ପ୍ରତି ସରକାର ନଜର ଦେବା ଉଚିତ ।

 

ଓଡ଼ିଶାରେ ଭବାନୀପାଟଣା ସଦର ବ୍ଳକରେ ଦୁଆରସନୀ ହାଇସ୍କୁଲ, ଗୋଟିଏ ଗ୍ରାଣ୍ଟ ଇନ୍ ଏଡ଼୍ ସ୍କୁଲ । ସ୍କୁଲକୁ ସରକାର କମ୍ପ୍ୟୁଟର ଦେଇ ନଥାନ୍ତି । ଏମ୍.ପି. ଲ୍ୟାଡ଼ରେ କମ୍ପ୍ୟୁଟର ମିଳିଛି । ତେବେ ଶିକ୍ଷକ ନାହାନ୍ତି । ଅପରପକ୍ଷରେ ସେଂଟଣ୍ଟଜାଭିୟର୍ ସ୍କୁଲ, ଖଣ୍ଡଗିରି ପରି ବେସରକାରୀ ଶିକ୍ଷା ଅନୁଷ୍ଠାନ ସମସ୍ତ କ୍ଲାସରେ ଡ଼ିଜିଟାଲ୍ ବୋର୍ଡ଼ ରଖିଛି ବୋଲି କୁହେ । କେତେକ ସରକାରୀ କଲେଜରେ କମ୍ପ୍ୟୁଟର ଥିଲେ ବି ଯାହାର କମ୍ପ୍ୟୁଟର ବିଷୟ ନାହିଁ ସେ ତାହାକୁ ବ୍ୟବହାର କରୁନି । ଓଡ଼ିଶା ସରକାର ଅଷ୍ଟମରୁ ଯୁକ୍ତ ୨ ପର୍ଯ୍ୟନ୍ତ କମ୍ପ୍ୟୁଟର ବ୍ୟବହାର ସାର୍ବଜନୀନ କରନ୍ତୁ ।

 

ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top