ଗୁଜରାଟରେ ସତ୍ତା ବଜାୟ ରଖିବ ବିଜେପି!

News Story - Posted on 2017-12-14

ଶେଷ ହୋଇଛି ଗୁଜରାଟ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ନିର୍ବାଚନରେ ୬୮ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ପରେ ପ୍ରକାଶ ପାଇଛି ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଏକ୍ସିଟ ପୋଲ୍ ବା ବୁଥ ଫେରନ୍ତା ଜନମତ । ଏହି ମତ ଅନୁସାରେ ଗୁଜରାଟରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଶାସନ କ୍ଷମତା ବଜାୟ ରଖିବ ଓ ହିମାଚଳ ପ୍ରଦେଶରେ କଂଗ୍ରେସକୁ ମୂଳପୋଛ କରି ଶାସନ କ୍ଷମତାକୁ ଫେରିବ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଭାରତୀୟ ଜନତା ପାର୍ଟି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗୁଜରାଟ ବିଧାନସଭା ନିର୍ବାଚନରେ ବିଭିନ୍ନ ଏକ୍ସିଟ ପୋଲର ଆକଳନ ଅନୁସାରେ ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବ । ସିଏସଡିଏସର ଆକଳନ ଅନୁସାରେ ବିଜେପି ଗୁଜରାଟରେ ୧୧୭ ଆସନ ପାଇବ । ଗତ ନିର୍ବାଚନରେ ଏହି ଦଳ ୧୧୫ ଆସନ ପାଇଥିଲା । ସେହିପରି ଏହି ସଂସ୍ଥାର ବୁଥ ଫେରନ୍ତା ଜନମତ ଆକଳନ ଅନୁସାରେ କଂଗ୍ରେସ ୬୪ ଆସନ ପାଇବ । ଗତ ନିର୍ବାଚନରେ କଂଗ୍ରେସ ଗୁଜରାଟରେ ୬୪ ଆସନ ପାଇଥିଲା । ସିଭୋଟର ସଂସ୍ଥାର ଆକଳନ ଅନୁସାରେ ଗୁଜରାଟରେ ବିଜେପି ୧୦୮ ଓ କଂଗ୍ରେସ ୭୪ ଆସନ ପାଇବ । ସମୟ ସିଏନଏକ୍ସର ଆକଳନ ଅନୁସାରେ ବିଜେପି ୧୧୦-୧୨୦ ଓ କଂଗ୍ରେସ ୬୫-୭୫ ଆସନ ହାସଲ କରିବ । ସେହିପରି ଭିଏମଏସଆରର ଆକଳନ ହେଲା ବିଜେପି ୧୦୯ ଓ କଂଗ୍ରେସ ୭୦ ଆସନ ପାଇବ । ମୋଟ ଉପରେ ହିସାବ କଲେ ବିଜେପି ୧୧୦-୧୧୭ ଆସନ ଓ କଂଗ୍ରେସ ୬୫-୭୦ ଆସନ ହାସଲ କରିବ । ଗୁଜରାଟର ମୋଟ ଆସନ ସଂଖ୍ୟା ହେଉଛି ୧୮୨ । ସାଧାରଣ ସଂଖ୍ୟାଗରିଷ୍ଠତା ହେଉଛି ୯୨ ।

 

ସେହିପରି ହିମାଚଳ ପ୍ରଦେଶ ପାଇଁ ପ୍ରକାଶ ପାଇଥିବା ବୁଥ ଫେରନ୍ତା ଜନମତ ଆକଳନ ଅନୁସାରେ କଂଗ୍ରେସକୁ ମୂଳପୋଛ କରି ବିଜେପି ରାଜ୍ୟରେ ଶାସନ କ୍ଷମତା ଅକ୍ତିଆର କରିବ । ସିଭୋଟର ଅନୁସାରେ ହିମାଚଳ ପ୍ରଦେଶରେ ବିଜେପି ୪୧ ଓ କଂଗ୍ରେସ ୨୫ ଆସନ ପାଇବ । ଆକ୍ସିସ ମାଇ ଇଣ୍ଡିଆ ଅନୁସାରେ ବିଜେପି ୫୧ ଓ କଂଗ୍ରେସ ୧୬ ଆସନ ପାଇବ । ଟୁଡେ’ସ ଚାଣକ୍ୟ ଅନୁସାରେ ବିଜେପି ୫୫ ଓ କଂଗ୍ରେସ ୧୩ ଆସନ ପାଇବ । ନିଉଜ ନେସନ ଅନୁସାରେ ବିଜେପି ୪୫ ଓ କଂଗ୍ରେସ ୨୧ ଆସନ ପାଇବ । ସିଏସଡିଏସ ଅନୁସାରେ ବିଜେପି ୩୮ ଓ କଂଗ୍ରେସ ୨୯ ଆସନ ପାଇବ । ହିମାଚଳ ପ୍ରଦେଶର ମୋଟ ଆସନ ସଂଖ୍ୟା ହେଉଛି ୬୮ । ସାଧାରଣ ସଂଖ୍ୟାଗରିଷ୍ଠତା ହେଉଛି ୩୫ ।

 

ଗୁଜରାଟରେ ବିଜେପି ୨୨ ବର୍ଷ ହେଲା କ୍ଷମତାରେ ଅଛି । ଏହି ଦଳ ବିରୋଧରେ ସତ୍ତା ବିରୋଧୀ ଆବହାୱା ଥିଲା । ନିର୍ବାଚନ ପୂର୍ବରୁ ପଟିଦାର, ପଛୁଆ ବର୍ଗ ଓ ଦଳିତ ବର୍ଗର ପ୍ରଭାବଶାଳୀ ନେତାମାନେ କଂଗ୍ରେସକୁ ସମର୍ଥନ କରିଥିବା ଘୋଷଣା କରିଥିଲେ । ସେଥିରୁ ଆଶା କରାଯାଉଥିଲା କଂଗ୍ରେସ ଏହି ନିର୍ବାଚନରେ ବିଜେପିକୁ ପରାସ୍ତ କରିବ । କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଇଫାଇ ପ୍ରଚାରକୁ ଜୋରଦାର ମୁକାବିଲା କରିଥିଲେ । ତେଣୁ ଆଶା କରାଯାଉଥିଲା ଯେ ବିଜେପି ଏଥର କ୍ଷମତା ହରେଇବ । କିନ୍ତୁ ବୁଥ ଫେରନ୍ତା ଜନମତ ଆକଳନରୁ ଏହି ସମ୍ଭାବନା ନାହିଁ ବୋଲି ଜଣାପଡ଼ୁଛି ।

 

ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନ କ୍ଷମତାରେ ଥିବାରୁ ସେଠାରେ ସତ୍ତା ବିରୋଧୀ ଅସନ୍ତୋଷ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଦୁର୍ନୀତିକୁ ବିଜେପି ପ୍ରସଙ୍ଗ କରି ନିର୍ବାଚନ ଲଢ଼ୁଥିଲା । ସେଥିରେ ଦଳ ସଫଳ ହୋଇଥିବା ବୁଥ ଫେରନ୍ତା ଜନମତ ଆକଳନରୁ ଜଣାପଡ଼ୁଛି । ଉଭୟ ରାଜ୍ୟର ଭୋଟ ଗଣତି ଡିସେମ୍ବର ୧୮ ତାରିଖ ସୋମବାର ହେବ ଓ ସେହିଦିନ ସମସ୍ତ ଫଳାଫଳ ଜଣାପଡ଼ିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top