ଓଡ଼ିଶାର ୫୨ ବିଧାୟକ ଦାଗୀ!

News Story - Posted on 2017-12-13

ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବିରୋଧରେ ବର୍ଷବର୍ଷ ଧରି ବିଚାରାଧୀନ ଥିବା ଅପରାଧିକ ମକଦ୍ଦମାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ରାଜି ହେବା ପରେ ଓଡ଼ିଶାରେ ଏଭଳି କେତେ ସାଂସଦ ଓ ବିଧାୟକ ଅଛନ୍ତି ତାହାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି । ଆସୋସିଏସନ ଫର ଡେମୋକ୍ରାଟି ରିଫର୍ମ୍ସ ବା ଏଡିଆରର ଓଡ଼ିଶା ଇଲେକ୍ସନ ୱାଚ ଶାଖା ତରଫରୁ ହୋଇଥିବା ଅନୁଶୀଳନରୁ ଜଣାପଡ଼ିଛି ଯେ ଓଡ଼ିଶାରେ ଏବେ ୫୨ ଜଣ ବିଧାୟକ ଓ ୫ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି ।

 

ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ ଅନୁଶୀଳନ କରି ଏଡିଆର କହିଛି ଯେ ଓଡ଼ିଶାର ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ୫୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି । ଏମାନଙ୍କ ମଧ୍ୟରୁ ୪୧ ଜଣଙ୍କ ବିରୋଧରେ ଅଧିକ ଗମ୍ଭୀର ଫୌଜଦାରୀ ମାମଲା ଚାଲିଛି । ମୋଟ ଉପରେ ଦେଖିଲେ ଓଡ଼ିଶାର ୩୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ବିଚାରାଧୀନ ରହିଛି । ରାଜ୍ୟର ୨୮ ପ୍ରତିଶତ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ଚାଲିଛି ।

 

ଏହି ଅନୁଶୀଳନରୁ ଜଣାପଡ଼ିଛି ଯେ ଶାସକ ବିଜୁ ଜନତା ଦଳର ସର୍ବାଧିକ ବିଧାୟକ ଫୌଜଦାରୀ ମକଦ୍ଦମାରେ ଜଡ଼ିତ ଅଛନ୍ତି । ଦଳର ୧୧୭ ଜଣ ବିଧାୟକଙ୍କ ମଧ୍ୟରୁ ୩୨ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଛି । ଏମାନଙ୍କ ମଧ୍ୟରୁ ୨୩ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ସେହିପରି କଂଗ୍ରେସର ୧୬ ବିଧାୟକଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମକଦ୍ଦମା ବିଚାରାଧୀନ ଅଛି । ବିଜେପିର ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଫୌଜାଦରୀ ମାମଲା ବିଚାରାଧୀନ ଅଛି । ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମମଲା ରହିଛି । ସେହିପରି ସମତା କ୍ରାନ୍ତି ଦଳର ୧ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ଚାଲିଥିବା ଏହି ଅନୁଶୀଳନରୁ ଜଣାପଡ଼ିଛି ।

 

ରାଜ୍ୟର ୨୧ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଚାଲିଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜୁ ଜନତା ଦଳର ୨ ଜଣ ଓ କଂଗ୍ରେସର ଜଣେ ଲୋକସଭା ସଦସ୍ୟ । ସେହିପରି ୧୦ ଜଣ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏମାନଙ୍କ ମଧ୍ୟରୁ ଜଣେ ବିଜେଡିର, ଜଣେ କଂଗ୍ରେସର । ଏବେ ଲୋକସଭାରେ ବିଜେଡିର ୨୦ ସଦସ୍ୟ ଥିବାବେଳେ କଂଗ୍ରେସର ଜଣେ ସଦସ୍ୟ ରହିଛନ୍ତି । ସେହିପରି ରାଜ୍ୟସଭାରେ ବିଜେଡିର ୮ ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ଜଣେ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି । ସ୍ୱାଧୀନ ସଦସ୍ୟ ଜଣକ ହେଲେ ଏଭି ସ୍ୱାମୀ ।

 

ପ୍ରଚଳିତ ଆଇନ ଅନୁସାରେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ଦୋଷୀ ସାବ୍ୟସ୍ତ ନେତାଙ୍କୁ ଆଜୀବନ ବାସନ୍ଦ କରିବା ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ସୁପ୍ରିମ କୋର୍ଟରେ ମଧ୍ୟ କମିଶନ ଏହି ମତ ଉପସ୍ଥାପନ କରିଛନ୍ତି । ତେବେ କଥା ହେଉଛି, ଦେଶର ନିମ୍ନ ଅଦାଲତଗୁଡ଼ିକରେ କାର୍ଯ୍ୟଭାର କାରଣରୁ ନେତାମାନଙ୍କ ମାମଲା ବର୍ଷବର୍ଷ ଧରି ବିଚାର ନହୋଇ ପଡ଼ିରହୁଛି । ତେଣୁ ଦୋଷ କରିଥିଲେ ମଧ୍ୟ ଜଣେ ନେତା ଦୋଷୀ ସାବ୍ୟସ୍ତ ନହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଶାସନ କ୍ଷମତାରେ ଅଂଶୀଦାର ହୋଇପାରୁଛି ।

 

ଏହି ଦୃଷ୍ଟିକୋଣରୁ ନେତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଅଧିକ ଅଦାଲତ ଖୋଲିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ମଧ୍ୟ ଏହାକୁ ଗ୍ରହଣ କରି ଦେଶରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଅର୍ଥ ବି ମଂଜୁର ହୋଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top