ମନ୍ତ୍ରୀଙ୍କ ବିମାନ ଖର୍ଚ୍ଚ ୩୯.୧୨ କୋଟି ଟଙ୍କା

News Story - Posted on 2017-12-12

ପାଞ୍ଚ ବର୍ଷରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀମାନଙ୍କ ରାଜ୍ୟ ଭିତରେ ତଥା ରାଜ୍ୟ ବାହାରର ସ୍ଥାନମାନଙ୍କୁ ହେଲିକପ୍ଟର ଓ ବିମାନରେ ଗସ୍ତ ଲାଗି ରାଜକୋଷରୁ ଖର୍ଚ୍ଚ ହୋଇଛି ୩୯୧୨ ଲକ୍ଷ ଟଙ୍କାରୁ ଅଧିକ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ହିସାବରୁ ଏହା ଜଣାପଡ଼ିଛି ।

 

ମୁଖ୍ୟମନ୍ତ୍ରୀ ୨୦୧୩ରେ ରାଜ୍ୟ ବାହାରକୁ ୩ ଥର ବିମାନରେ ଗସ୍ତ କରିଥିବା ବେଳେ ୨୦୧୫ରେ ଥରେ, ୨୦୧୬ରେ ୭ ଥର, ୨୦୧୭ରେ ୩ ଥର ଯାଇଛନ୍ତି । ତେବେ ୨୦୧୪ ବର୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରକୁ ଥରେ ହେଲେ ବିମାନ ଗସ୍ତ କରିନାହାନ୍ତି । ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତରେ ୨୦୧୩ରେ ୫୬ ଥର, ୨୦୧୪ରେ ୩୬ ଥର, ୨୦୧୫ରେ ୩୨ ଥର, ୨୦୧୬ରେ ୫୨ ଥର ଓ ୨୦୧୭ରେ ୨୦ ଥର ବିମାନ ଗସ୍ତ କରିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।

 

ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ପରିସଂଖ୍ୟାନ ଅନୁଯାୟୀ ୨୦୧୩, ୨୦୧୪, ୨୦୧୫ ଓ ୨୦୧୭ ବର୍ଷରେ ରାଜ୍ୟର ଅନ୍ୟ କୌଣସି ମନ୍ତ୍ରୀ ରାଜ୍ୟ ବାହାରକୁ ହେଲିକପ୍ଟର କିମ୍ବା ବାୟୁଯାନରେ ଗସ୍ତ କରିନାହାନ୍ତି । କେବଳ ୨୦୧୬ରେ କୌଣସି ମନ୍ତ୍ରୀ ରାଜ୍ୟ ବାହାରକୁ ଥରେ ବିମାନ ଗସ୍ତ କରିଥିଲେ । ତେବେ ରାଜ୍ୟ ଭିତରେ ଅନ୍ୟ ମନ୍ତ୍ରୀମାନେ ୨୦୧୩ରେ ମାତ୍ର ୧୪ଥର, ୨୦୧୪ରେ ୯ ଥର, ୨୦୧୫ ଓ ୨୦୧୬ରେ ୧୮ ଥର କରି ଏବଂ ୨୦୧୭ରେ ୯ ଥର ବିମାନରେ ଗସ୍ତ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ହେଲିକପ୍ଟର ଓ ବାୟୁଯାନ ଯୋଗେ ଯାତ୍ରା ଯୋଗୁ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୩୯,୧୨,୦୭,୦୯୧ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି । ଏ ବାବଦରେ ୨୦୧୩ ବର୍ଷରେ ୭,୬୮,୭୦,୧୬୮ ଟଙ୍କା ସରକାରୀ ତହବିଲରୁ ବ୍ୟୟ ହୋଇଥିବା ବେଳେ ୨୦୧୪ରେ ୪,୮୮,୨୨,୫୫୫ ଓ ୨୦୧୫ରେ ୮,୪୩,୭୪,୭୯୮ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୬ ବର୍ଷରେ ଏହି ବିମାନ ଯାତ୍ରା ଜନିତ ରାଜକୋଷରୁ ବ୍ୟୟ ୧୧,୧୪,୩୧,୭୦୯ ଟଙ୍କା ହୋଇଥିବା ବେଳେ ୨୦୧୭ର ସର୍ବଶେଷ ହିସାବ ଅନୁଯାୟୀ ଖର୍ଚ୍ଚ ହୋଇଛି ୬,୯୭,୦୭,୮୬୧ ଟଙ୍କା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଦର୍ଶାଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top