ମୁଦ୍ରାସ୍ଫୀତି ୫ ପ୍ରତିଶତ

News Story - Posted on 2017-12-12

ଖାଉଟି ମୂଲ୍ୟ ସୂଚକାଙ୍କ ବା ଖୁଚୁରା ଦରବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର । ଗତ ୧୫ ମାସ ଭିତରେ ଏହା ସର୍ବୋଚ୍ଚ ୪.୮୮ ପ୍ରତିଶତରେ ପହଂଚିଛି । ମୁଖ୍ୟତଃ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି କାରଣରୁ ଖାଉଟି ମୂଲ୍ୟ ସୂଚକାଙ୍କ ବଢ଼ି ଚାଲିଛି । ଗତ ବର୍ଷ ନଭେମ୍ବର ମାସରେ ଏହି ହାର ୩.୬୩ ପ୍ରତିଶତ ଥିଲା ।

 

ଗତ ବର୍ଷ ଅଗଷ୍ଟ ମାସରେ ଖାଉଟି ମୂଲ୍ୟ ସୂଚକାଙ୍କ ବା ଖୁଚୁରା ବଜାର ମୁଦ୍ରାସ୍ଫୀତି ହାର ଥିଲା ୫.୦୫ ପ୍ରତିଶତ । ଚଳିତ ଆର୍ଥିକ ବର୍ଷ ପାଇଁ ଏହାକୁ ୪ ପ୍ରତିଶତରେ ସୀମିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଦ୍ଧବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିନ୍ତୁ ସରକାର ଦରବୃଦ୍ଧି ନିୟନ୍ତ୍ରଣ କରିବାକୁ ବିଫଳ ହୋଇଥିବାରୁ ଏହା ୪.୮୮ ପ୍ରତିଶତକୁ ବୃଦ୍ଧି ପାଇଛି ।

 

ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଖାଦ୍ୟଦ୍ରବ୍ୟର ଯଥେଷ୍ଟ ମୂଲ୍ୟବୃଦ୍ଧି ଘଟିଛି । ଅକ୍ଟୋବରରେ ଏହି ହାର ୧.୯୦ ପ୍ରତିଶତ ଥିଲାବେଳେ ନଭେମ୍ବର ମାସରେ ଏହା ୪.୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ବାର୍ଷିକ ହାର ଦୃଷ୍ଟିରୁ ନଭେମ୍ବର ମାସରେ କେବଳ ଅଣ୍ଡାର ଦର ୭.୯୫ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବ ମାସ ଏହି ହାର ଥିଲା ୦.୬୯ ପ୍ରତିଶତ । ଅକ୍ଟୋବର ମାସରେ ପନିପରିବା ଦର ୭.୪୭ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା । କିନ୍ତୁ ନଭେମ୍ବର ମାସରେ ପରିବା ଦର ୨୨.୪୮ ପ୍ରତିଶତ ବୃଦ୍ଧି ପାଇଛି ।

 

ଏଚଡିଏଫସି ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ତୁଷାର ଅରୋରାଙ୍କ ମତରେ ପନିପରିବା ଦର ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ମୁଦ୍ରାସ୍ଫୀତି ପୂର୍ବ ଆକଳନ ଭିତରେ ସୀମିତ ରହିପାରିନାହିଁ । ଇଣ୍ଡିଆ ରେଟିଂସର ନିର୍ଦ୍ଦେଶକ ସୁନୀଲ ସିହ୍ନା କହିଛନ୍ତି ଯେ ନଭେମ୍ବର ମାସରେ ଖାଦ୍ୟ ବଜାରରେ ଅସ୍ୱାଭାବିକ ଦରବୃଦ୍ଧି ଯୋଗୁଁ ଏପରି ହୋଇଛି ।

 

ଲାର୍ସନ ଆଣ୍ଡ ଟ୍ୟୁବ୍ରୋର ରୁପା ରେଗି ନିତସୁରେ କହିଛନ୍ତି ଯେ ନଭେମ୍ବର ମାସରେ ଅହେତୁକ ବର୍ଷା ହେବା ଫଳରେ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ଫଳ ଓ ପରିବା ଦର ବୃଦ୍ଧି ପାଇଛି । ପିଆଜ ଓ ବିଲାତି ବାଇଗଣ ଦର ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ଘରଭଡ଼ା ଭତ୍ତା ବୃଦ୍ଧି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ମୂଲ୍ୟବୃଦ୍ଧି ଏବଂ ଦ୍ରବ୍ୟ ଓ ସେବା କର ଯୋଗୁଁ ମଧ୍ୟ ଖାଦ୍ୟଦର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top